Thursday, August 20, 2020

ଆମେ ସମସ୍ତେ ଭୋବନିସରିଆ, ଆମେ ସମସ୍ତେ ବାହାରିଆ

ଏକାମ୍ର ନଗରୀର ଏକ ନୂଆ ଚିତ୍ରାୟାନ

ଶୈଲେନ ରାଉତରାୟ

 

ଆଧୁନିକ ଭୁବନେଶ୍ୱରର ଏକ ମାନଚିତ୍ର (ୱିକିମିଡିଆ କମନ୍ସ୍)

ମୋର ଭୁବନେଶ୍ୱର ଆସିବାର ହେଲାଣି ୩୩ ବର୍ଷ । ବାପାଙ୍କର ଥିଲା ବଦଳି ଚାକିରୀ, ସେତେବେଳର ଓଡ଼ିଶା ରାଜ୍ୟ ବିଦ୍ୟୁତ ବୋର୍ଡ଼ର କନିଷ୍ଠ ଯନ୍ତ୍ରୀ ଭାବରେ । ଆମେ ବୋଧ ହୁଏ ୧୯୮୭ ମସିହାରେ ପିପିଲିରୁ ଭୁବନେଶ୍ୱର ଆସିଲୁ ତାଙ୍କର ବଦଳି ହେବା ପରେ । ମୋତେ ସେତେବେଳେ ସାତ ବର୍ଷ ବୟସ । ଯେତେ ଦୂର ମନେ ପଡ଼େ, ବାବା ଆସିଲେ ଖାରବେଳ ନଗର ବିଜୁଳି ସରବରାହ ସବ୍‌ଷ୍ଟେସନର ଦାୟିତ୍ୱ ନେଇ । ହେଲେ ଆମେ ରହୁ ଥାଉ ପୁରୁଣା ଭୁବନେଶ୍ୱରର ଦକ୍ଷିଣ ଚଣ୍ଡୀ ମନ୍ଦିର ପାଖରେଭଡ଼ା ଘରେ । ବାପାଙ୍କର କେବେ ସରକାରୀ କ୍ୱାର୍ଟରରେ ରହିବାର ଇଚ୍ଛା ନ ଥାଏ । ଏଣୁ ମୋର ଶୈଶବ କଟିଛି ବିଲେଇ ଛୁଆ ପରି, ୧୯୯୨ ମସିହାରେ ଚନ୍ଦ୍ରଶେଖରପୁରକୁ ଓଡ଼ିଶା ରାଜ୍ୟ ଗୃହନିର୍ମାଣ ବୋର୍ଡ଼ର ଘର ଖଣ୍ଡେ  କିଣି ଆମ ପରିବାର ଉଠି ନ ଆସିବା ପର୍ଯ୍ୟନ୍ତ । ପୁରୁଣା ଭୁବନେଶ୍ୱରରେ ଆମେ ରହିଲୁ ତିନୋଟି ଭଡ଼ା ଘରେ । ଦକ୍ଷିଣ ଚଣ୍ଡୀ ପରେ ଭୀମଟାଙ୍ଗୀର ପଥର ଖଣି ପାଖରେ ଏକ ବସାରେ । ଶେଷ ଘରଟି ଥିଲା ଐତିହାସିକ କେଦାରନାଥ ମହାପାତ୍ରଙ୍କ ଜଣେ ପୁଅଙ୍କର, ଡାକରା ବିଭୀଷଣ ମନ୍ଦିର ପାଖରେ ।

ସେଇ ଶେଷ ଘରୁ ଲିଙ୍ଗରାଜ ମନ୍ଦିର ଯିବା ପାଇଁ, ଦେଉଳର ସିଂହ ଦୁଆର ଆଗ ଫାଣ୍ଡି କଡ଼ ଦେଇ, ଗୋଟେ ପାଦ ଚଲା ରାସ୍ତା ଥାଏ । ରାସ୍ତା କଡ଼ରେ ଗୋଟିଏ ବେଶ୍ ବଡ଼ ନାଗଚମ୍ପା ଗଛ । ତା’କୁ ଆମେ ପିଲାମାନେ କହୁଥାଉ ଶିବଲିଙ୍ଗ ଗଛ, କାରଣ ସେଇ ମହାଦୃମଟିର ଫୁଲଗୁଡ଼ିକ ଦେଖିବାକୁ ନାଗଫଣାରେ ବିଭୂଷିତ କୁନି କୁନି ଶିବଲିଙ୍ଗ ପରି, ହେଲେ ଏପରି ଏକ ରଙ୍ଗର ଯାହାକୁ ଆମେ ଶିବଙ୍କ ସହିତ ପ୍ରାୟ ଯୋଡ଼ୁନା - ପୂରା ଏରା ଚଢ଼େଇର ଡେଣାରେ ଛାଟି ହୋଇଥିବା ଗୋଲାପି ସମ । 

ପ୍ରଥମେ ସେଇ ଗଛଟିର ପ୍ରେମରେ ପଡ଼ିଲି; ଆଉ ତାହା ପରେ ବିନ୍ଦୁସାଗର କୂଳର ପଚା ଫୁଲ ଓ ଦଳର ଦୁର୍ଗନ୍ଧ ନିର୍ଜନ ମନ୍ଦିରଗୁଡ଼ିକର ବିରସ ନୀରବତା ସହ ସହଭାଗୀ ହେଲି । ଗୋଟେ ସାନ ଛୁଆକୁ ସମ୍ମାନ ଓ ସୁରକ୍ଷା ଦେଉଥିବା ରାମକୃଷ୍ଣ ମଠ, ବିବେକାନନ୍ଦ ମାର୍ଗର ସ୍ପେନୀୟ ହାଏସିନ୍ଦା ଭଳି କୋଠାଗୁଡ଼ିକର ଧାଡ଼ିକରା ସୁନ୍ଦର ବିଭ୍ରାନ୍ତି, ରାସ୍ତା ଦୁଇପଟର ପଣସ ଓ କଦମ୍ବ ଗଛର ବହଳିଆ ଛାଇ, ମୋତେ ଖୁବ ଆରେଇଲା । ପିପିଲିରୁ ଆସିଥିବା ଜଣେ ମଫ ଛୁଆଟିକୁ ଏଇ ନୂଆ  ସହରଟି ନିଜ ମମତାରେ ଚାପି ପକାଇଲାନି  - ମୋତେ ଜଣେ ବାହାରିଆ କରି ହିଁ ରଖିଲା, ହେଲେ ଅନ୍ତରଙ୍ଗତାର ସହ । କିନ୍ତୁ ଏତେ ବର୍ଷ ସହରରେ ରହିବା ଭିତରେ ମୁଁ କେବେ ସହରକୁ ନେଇ ନିଜର ଅନୁଭୂତି ସହ ନିକଟତର ହେବାକୁ ଚେଷ୍ଟା କରି ନ ଥିଲି ।  

ପୁରୁଣା ଭୁବନେଶ୍ୱରର ଭାରତୀ ମଠ (ସମ୍ଭାବ୍ୟ ସମୟକାଳ, ୧୯୭୬ ମସିହା ପୂର୍ବର) 
ଫଟୋ କ୍ରେଡ଼ିଟ୍ - 'ହିନ୍ଦୁ ମୋନାଷ୍ଟିକ ଲାଇଫ୍' ପୁସ୍ତକ
ବହିର ଲେଖକ - ଡି.ଏମ୍. ମିଲର ଓ ଡି.ସି. ୱର୍ତ୍‌ଜ୍

ଯେତେବେଳେ ୨୦୧୮ ମସିହାରେ 'ଭୁବନେଶ୍ୱର ଆର୍ଟ ଟ୍ରେଲ୍' ନାମକ ଏକ ପବ୍ଲିକ୍ ଆର୍ଟ୍ ପ୍ରଜେକ୍ଟ୍‌ରେ ଶିଳ୍ପୀ ରାମହରି ଜେନା ଓ ରମାକାନ୍ତ ସାମନ୍ତରାୟଙ୍କ ସହ ମିଶି କାମ କରିବା ପାଇଁ ନିମନ୍ତ୍ରଣ ଆସିଲା, ସେତେବେଳେ ଆମେ ସମସ୍ତେ ଏହାକୁ ନିଜକୁ ଓ ନିଜ ସହରକୁ ଜାଣିବା ଓ ବୁଝିବା ପାଇଁ ଏକ ସୁଯୋଗ ଭାବରେ ଗ୍ରହଣ କଲୁ । ଆମେ ତିନିହେଁ ଭୁବନେଶ୍ୱରରେ ଅତି କମ୍‌ରେ ତିରିଶ ବର୍ଷରୁ ଉର୍ଦ୍ଧ କାଳ ହେଲା ରହି ଆସୁଛୁ । ତାହା ମଧ୍ୟରୁ ଅନେକ ସମୟ ପୁରୁଣା ଭୁବନେଶ୍ୱର ଓ ତାହାର ଆଖପାଖର ଅଞ୍ଚଳରେ । ଆର୍ଟ ଟ୍ରେଲରେ କାମ କରିବାର ସୁଯୋଗ ମିଳିବା ପରେ ତିନି ଜଣ ମିଶି ଆମେ ଏଇ ଜାଗାକୁ ନେଇ କିଛି ଖୋଜାଖୋଜି ଆରମ୍ଭ କଲୁ । 

ଆମକୁ ଅନେକ କିଛି ଏହି ପ୍ରକ୍ରିୟାରୁ ଜାଣିବାକୁ ମିଳିଲା । ସହରଟି ହଜାର ହଜାର ବରଷର ପୁରୁଣା ଜେଗା । ଧିରେ ଧିରେ ଆମକୁ ଦୁଶିବାକୁ ଆରମ୍ଭ କଲେ ନାନାଦି ଦୃଶ୍ୟ, ଆମେ ଶୁଣିବାକୁ ପାଇଲୁ କେତେ ଘଟଣା, ଗପ ଓ ଲୋକକଥା । ସେ ସବୁକୁ ଯଥାଯୋଗ୍ୟା ଜାଗା ଦେବା ପାଇଁ ଯୋଜନା କଲୁ ଯେ, ଗୋଟେ ପ୍ରୋଜେକ୍ଟ ରୁମ୍ କରିବୁ । ହେଲେ ଆର୍ଟ ଟ୍ରେଲ୍ କାମ ପାଇଁ ଗବେଷଣାର ପ୍ରକ୍ରିୟା ସାରିବା ବେଳକୁ, ଏତେ ଗୁଡ଼ାଏ ତଥ୍ୟ ଓ ଜିନିଷପତ୍ର ଯୋଗାଡ଼ କରି ପକାଇଲୁ ଯେ, ଗୋଟେ ପାଞ୍ଚ-ଛଅ ଶହ ବର୍ଗ ଫୁଟର ଛୋଟ ବଖରା ଭିତରେ ସେ ସବୁକୁ ପ୍ରଦର୍ଶିତ କରାଯାଇ ପାରି ନ ଥାଆନ୍ତା । ଏଣୁ ନିଷ୍ପତ୍ତି ନେଲୁ, ଆହରିତ ମାଲମତାକୁ ସମ୍ପାଦିତ କରି ତାହା ମଧ୍ୟରୁ ଅଳ୍ପ କିଛି ମାତ୍ର ଆମେ ପ୍ରଦର୍ଶିତ କରିବୁ ।

ଭୁବନେଶ୍ୱର ଆର୍ଟ ଟ୍ରେଲ୍‌ରେ ଆମ କାମଟିର ଶୀଷର୍କ 'ଆଉଟ୍‌ସାଇଡର୍ସ୍’ ବୋଲି ରଖାଗଲା । ଆମେ ସାଧାରଣତଃ ଯେବେ ସହରଟିଏ ବିଷୟରେ ଭାବୁ, ସେବେ ମୂର୍ତ୍ତ ଭାବରେ ତାହାର ରାସ୍ତାଘାଟ, କୋଠାବାଡ଼ି, ଉଦ୍ୟାନ ଆଦି ସହରର ମୂଳ ଉପାଦାନ ବୋଲି ଗଣୁ । ଏସବୁ ବ୍ୟତୀତ ସହରଟିର ନିର୍ଦ୍ଦିଷ୍ଟ କୌଣସି ଗୁରୁତ୍ୱ ଅଛି ବୋଲି ଆମେ ଭାବୁନା । ୧୯୭୪ ମସିହାରେ ‘ହାର୍ଭିଲ୍ ପ୍ରେସ୍‌’ ଛାପିଥିବା ବହୁଚର୍ଚ୍ଚିତ ଅଣ-ଗଳ୍ପ ବହି ‘ସଫ୍‌ଟ୍ ସିଟି’ରେ ପ୍ରିୟ ଆଙ୍ଗ୍ଲୋ-ଆମେରିକୀୟ ଲେଖକ ଜନାଥନ୍ ରାବାନ୍, ଆମେ ସହରଗୁଡ଼ିକୁ ଦେଖିବା ପାଇଁ ଯୋଡ଼ିଏ ସମ୍ଭାବ୍ୟ ବାଟ ବିଷୟରେ ଆଲୋଚନା କରନ୍ତି । ସେ କହନ୍ତି, ଯଦି ଆମେ ସହରଗୁଡ଼ିକୁ ସ୍ମୃତିର ବିଭାବମାନ ଦେଇ ବୁଝିବାକୁ ଚେଷ୍ଟା କରିବା, ତେବେ ବୁଝାମଣାର ଦୁଇଟି ଦିଗ ଓ ଆଙ୍ଗିକ ସମ୍ଭବ – ପ୍ରଥମଟି ହେଲା ହେଲା ସହରର ସ୍ମୃତି ଓ ଦ୍ୱିତୀୟଟି ସ୍ମୃତିର ସହର । 

'ଆଉଟ୍‌ସାଇଡର୍ସ୍' ପ୍ରକଳ୍ପର ପ୍ରଦର୍ଶନରୁ କିଛି
ଫଟୋ କ୍ରେଡ଼ିଟ୍ - ରାମହରି ଜେନା

ଅବଶ୍ୟ ତାଙ୍କ ଲେଖାରେ ସେ 'ସ୍ମୃତି' ଶବ୍ଦଟିର ବ୍ୟବହାର କରୁ ନାହାନ୍ତି । ସେ କହୁଛନ୍ତି, 'ସିଟି ଅଫ୍ ଦ ମାଇଣ୍ଡ' (ମନର ସହର) ବଂ 'ମାଇଣ୍ଡ ଅଫ୍ ଦ ସିଟି' (ସହରର ମନ) ବିଷୟରେ । ସହରର ଯୋଜନା, ସ୍ଥାପତ୍ୟ ଓ ସର୍ବସାଧାରଣଙ୍କ ନିମନ୍ତେ ନୀତି ଇତ୍ୟାଦି ବିଷୟରେ ଆଲୋଚନା 'ସହରର ସ୍ମୃତି' ବା ‘ସହରର ମନ’ କୁ ଦର୍ଶାଏ । ଆଉ ଗ, କବିତା, ଉପନ୍ୟାସ, ସିନେମା, କମିକ୍ ବହି, ଟିଭି ଧାରାବାହିକ, ନାଟକ, ଗୀତ, ସ୍ମୃତିଚାରଣ ଇତ୍ୟାଦିରେ ଥିବା ସହର ସମ୍ବନ୍ଧୀୟ ଚିତ୍ର, ଆଲୋଚନା ଓ ବିଚାର ଗୁଡ଼ିକ ହେଲା ‘ସ୍ମୃତିର ସହର' ବା ‘ମନର ସହର’

ଭୁବନେଶ୍ୱର ଭଳି ଗୋଟିଏ ଏକା ଧାରାରେ ଅତି-ପ୍ରାଚୀନ, ହେଲେ ଅତି-ଆଧୁନିକ ସହର ବିଷୟରେ ଆମର ଅନୁଭୂତି ଓ ବୁଝାମଣାର ଅସୁବିଧା ଏଇ ହେତୁ, କାରଣ ଏଇ ସହରଟି ବିଷୟରେ ଆମେ ସଚେତନ ଭାବରେ କଳ୍ପନା କରି ନାହୁଁ । ଯେହେତୁ ସହରଟି ଆମ ମାନସଜଗତ ଓ କଳ୍ପଲୋକର ଅଂଶ ନୁହେଁ, ଏଣୁ ଆମେ ଏହାକୁ ନେଇ ଯଥେଚ୍ଛାଚାର କରି ପାରୁଛୁକଳ୍ପନାରେ ଦେଖା ନ ଯାଇ ଥିବା ଛବିଟି ଚିରିଗଲେ ବା ଫାଟି ଗଲେ ଆମକୁ ବାଧିବ ବା କାହିଁକି ? ଭୁବନେଶ୍ୱରର ରାସ୍ତା କଡ଼ର ହଜାର ହଜାର ସଙ୍ଖ୍ୟାରେ ବୁଢ଼ା ଗଛ କଟି  ରାସ୍ତା ଚଉଡ଼ା ହେଲେ (ବେଆଇନ୍ ପାର୍କିଂ ଓ ଭୁଲ ପଟେ ଗାଡ଼ି ଚଳାଇବା ନିମନ୍ତେ ଜେଗା ତିଆରିବା ପାଇଁ), ଆମ ମନ ଖରାପ ବା ହେବ କାହିଁକି ? ଆମ ସହରକୁ ନେଇ ଆମେ ଏଇ ଯେଉଁ ବିସ୍ମୃତି ଭିତରେ ଗତି କରୁଛୁ,  'ଆଉଟ୍‌ସାଇଡର୍ସ୍’ର ଉଦ୍ଦେଶ୍ୟ ଭାବରେ ରଖାଗଲା ତାହାକୁ ପୁଣି ଥରେ ସ୍ମୃତିର ପରିଧି ଭିତରକୁ ଆଣିବା । ଯେଉଁମାନେ ଭୁବନେଶ୍ୱରର ଅତୀତ ବିଷୟରେ ତଥା ଏଇ ସହରଟିକୁ ଗଢ଼ିବାର ପ୍ରକ୍ରିୟାରେ ଭୂମିକା ଥିବା ସହରକୁ ବୁଝିବା ପାଇଁ ସୂତ୍ର ଯୋଗାଇ ଦେଇ ଥିବା ମଣିଷଙ୍କ ବିଷୟରେ ଜାଣିବାକୁ ଚାହିଁବେ, ସେମାନଙ୍କୁ କିଛି ଖିଅ ଯୋଗାଇ ଦେବା ।

ଏଥି ପାଇଁ ସଚେତନ ଭାବରେ ‘ଆଉଟ୍‌ସାଇଡର୍ସ୍’ରେ ଆମେ ବିଭିନ୍ନ ପ୍ରକାରର ବସ୍ତୁ ଓ ମାଧ୍ୟମ ଯଥା, ଲୁହା, ବାଉଁଶ, ମାଟିପାତ୍ର, ରଙ୍ଗ, କାଗଜ, ଚିତ୍ର, ଆଲୋକଚିତ୍ର, ସ୍ମୃତି, ଧ୍ୱନି, ଦୃଶ୍ୟ, ମାଟି, ଗୋବର, ଇତ୍ୟାଦି ବ୍ୟବହାର କଲୁ । ମଣିଷର ଯେତେ ପ୍ରକାରର ଜ୍ଞାନେନ୍ଦ୍ରିୟ ଅଛି (ଘ୍ରାଣ ସମେତ), ପ୍ରାୟ ସବୁଟି ପାଇଁ ଖୋରାକ ଯୋଗାଇବାକୁ ଆମେ ଚେଷ୍ଟା କଲୁ । କାମଟି ସ୍ଥାପିତ ହେଲା ବିନ୍ଦୁସାଗରର ପୂର୍ବ ତଟରେ ଅବସ୍ଥିତ ‘ତରଙ୍ଗ’ କ୍ଲବ୍ ଘରର ପ୍ରଥମ ମହଲାର ହଲ୍‌ରେ ।

ଉତ୍ତରେଶ୍ୱର ମନ୍ଦିରରୁ ଉତ୍ତୋଳିତ ଲିଙ୍ଗରାଜ ଓ ବିନ୍ଦୁସାଗରର ଚିତ୍ର: ସମ୍ଭାବ୍ୟ ସମୟକାଳ - ୧୮୬୮-୧୮୬୯
ଫଟୋ କ୍ରେଡ଼ିଟ୍ - 'ଆଣ୍ଟିକ୍ୱିଟିଜ୍ ଅଫ୍ ଓଡ଼ିଶା' ବହି
ଗ୍ରନ୍ଥକାର - ରାଜେନ୍ଦ୍ରଲାଲ ମିତ୍ର

ବଡ଼ ଆୟତକ୍ଷେତ୍ରାକାର ବଖରାଟିର କଳା ରଙ୍ଗର ପରଦା ଟେକି ଏଇ ଜାଗାଟି ଭିତରେ ପ୍ରବେଶ କଲା କ୍ଷଣି ଦିଶୁଥିଲା ଏକ ଗୋଲାକାର, ମାଟିଆସିଆ ରଙ୍ଗର, ଗୋବରଲିପା ଢାଞ୍ଚା, ଯାହା ଘୂର୍ଣ୍ଣନ-ଉଦ୍ୟତ, ଆଠ ଫୁଟ ଉଚ୍ଚ ଓ ଦଶ ଫୁଟ ବ୍ୟାସ ଆକାରର ଚାରୋଟି ଅର୍ଦ୍ଧାବୃତ୍ତାକାର ଖଣ୍ଡକୁ ନେଇ ତିଆରି  । ଆବର୍ତ୍ତର ଏକ ସରଳିକରଣ ରୂପ ଏଇଟି । ଆବର୍ତ୍ତଟି ସମୟର ଗତିଶୀଳତାର ସୂଚକ ହୋଇଥିବା ବେଳେ, ବୃତ୍ତଟି ଚକ୍ରକ୍ଷେତ୍ର (ଭୁବନେଶ୍ୱରର ଅନ୍ୟତମ ନାମ)ର ମନ୍ଦିର ଓ ତହିଁର ବେଢ଼ା କୁ ପ୍ରାରୂପିତ କରୁଥିଲା । ଘର ଭିତରେ ପ୍ରବେଶ କରିବା ପରେପରେ, ପୁନଶ୍ଚ ଏକ ଗୋଲାକାର ଢାଞ୍ଚା ଭିତରେ ପଶି ପରିଦର୍ଶକମାନେ ଏକପ୍ରକାର ନୀରବତା ଓ ଧ୍ୟାନସ୍ଥ ଅନୁଭବ କରିବା ଏହାର ଉପଲକ୍ଷ୍ୟ ଥିଲା । ଯେତେବେଳେ ଦର୍ଶକ ଜଣେ ଢାଞ୍ଚାଟିର ଚାରି ପାଖରେ ପରିକ୍ରମା କିମ୍ବା ଉନ୍ମୁକ୍ତ ଚାରି ଗୋଟି ଦୁଆରରୁ ଯେ କୈାଣସି ଗୋଟିକ ଦେଇ ଢାଞ୍ଚା ଭିତରେ ପଶି ପ୍ରଦକ୍ଷିଣା କରୁଥିଲେ, ସେତେବେଳେ ସେ ସ୍ୱତଃ ଆମ କାମଟିର ଅଂଶ ପାଲଟି ଯାଉଥିଲେ । ଏହି ସ୍ଥିର ଆବର୍ତ୍ତ ଭିତରେ, କୃତ୍ରିମ ଗୋଟିଏ ବାଲୁବନ୍ତ ଥିଲା; ଆଉ ତାହା ମଧ୍ୟରେ ଥିଲା, କ୍ଷୁଦ୍ର ଚଉରାଘେରା, ପାଣି-ଭର୍ତ୍ତି ଏକ ଛୋଟ ମାଟି ହାଣ୍ଡି ।

ପୁରୁଣା ଭୁବନେଶ୍ୱରର ପାବନ ଭୂଗୋଳରେ ଦେବୀପାଦହରା, ପାପନାଶିନୀ, ମରିଚି, କୋଟିତୀର୍ଥ ଆଦି ଆଠଟି ଜଳାଶୟର ମହତ୍ୱ ଅନେକ, ଯହିଁରେ ସବୁଠାରୁ ବେଶି  ଗୁରୁତ୍ୱପୂର୍ଣ୍ଣ ହେଲା ସପ୍ତମ ବା ଅଷ୍ଟମ ଖ୍ରୀଷ୍ଟାବ୍ଦରେ ତିଆରି ପ୍ରାଚୀନ ବିନ୍ଦୁସାଗର, ଯାହା ଲିଙ୍ଗରାଜ ମନ୍ଦିରର ଉତ୍ତର ଦିଗରେ ପାଖାପାଖି ଆଠ ହେକ୍ଟର ଭୂମି ଉପରେ ବିସ୍ତୃତ ।  ଆଜି ଆମେ ଯେବେ ଭୁବନେଶ୍ୱର ବିଷୟରେ ଚିନ୍ତାଭାବନା କରୁ, ସେତେବେଳେ ଆମେ ଜଳଜାଗାଗୁଡ଼ିକ କଥା ଅତି ସୁବିଧାଜନକ ଭାବରେ ଭୁଲି ଯାଉ । ଆମର ପାଶୋର ଯାଏ ଜାତୀୟ ରାଜପଥର ଉତ୍ତର ପଟେ ବାଣୀବିହାର ଛକ ଠାରୁ ଜୟଦେବ ବିହାର ବର୍ଯ୍ୟନ୍ତ ଲମ୍ବି ଥିବା ପୋଖରୀଟି, ଯାହା ଏବେ ବିଶ୍ୱବିଦ୍ୟାଳୟ ଭିତରେ ଗଡ଼ିଆଟିଏ ବନି ସାରିଚି । ଆମେ ଭୁଲି ଯାଉ ଡମଣା ଛକରୁ ଶୈଳଶ୍ରୀ ବିହାର ମଝିରେ ରାସ୍ତାର ଦୁଇ ପାଖରେ ଥିବା ବଡ଼ ଜଳାଜମି, ଯାହାର ଭୂତ ଏବେ ବର୍ଷା ଦିନେ ଧସେଇ ପସୁଚି ଚନ୍ଦ୍ରଶେଖରପୁରର ନାନାଦି ଘରେ  ବନ୍ୟାର ରୂପ ନେଇ । ଆମେ ଏକାମ୍ର କ୍ଷେତ୍ରର ସବୁ ଆମ୍ବ ତୋଟାକୁ ହାଣି ପଦା କରିବା ପାଇଁ ରାଣ ଖାଇଚୁ; ଶପଥ ନେଇଚୁ, ନଈ ଓ ପୋଖରୀର ସମାଧି ଉପରେ ତୋଳିବୁ ଆମ ଉଚ୍ଚାକାଂକ୍ଷାର ଉଆସ । ସତେ ଯେମିତି ଆଧୁନିକତା କହିଲେ ବୁଝାଏ କାଚ ଓ କଙ୍କ୍ରିଟର ହୃଦୟହୀନତାକୁ ।  

ରଥ ଦାଣ୍ଡରୁ ଲିଙ୍ଗରାଜ ମନ୍ଦିରର ଦୃଶ୍ୟ (ସମ୍ଭାବ୍ୟ ସମୟକାଳ - ୧୮୬୮-୬୯)
ଫଟୋ କ୍ରେଡ଼ିଟ୍ - 'ଆଣ୍ଟିକ୍ୱିଟିଜ୍ ଅଫ୍ ଓଡ଼ିଶା' ବହି
ଗ୍ରନ୍ଥକାର - ରାଜେନ୍ଦ୍ରଲାଲ ମିତ୍ର 

ଆମ ସହରକୁ ନେଇ ଏଇ ହୃଦୟହୀନତା ଓ ବିସ୍ମୃତି ର ସଂସ୍କୃତି ବିପକ୍ଷରେ ଏକ ଛୋଟ ପ୍ରତିବାଦ ଥିଲା 'ଆଉଟ୍‌ସାଇଡର୍ସ୍’ । ଏଇ କାମଟିରେ ଆମେ ଆମ ସହର ବିଷୟରେ କିଛି ସ୍ମୃତି ଓ କଥନିକା ବି ତିଆରି କଲୁ । ଏଇ କଥନିକାଗୁଡ଼ିକୁ ଆମେ କେବଳ ଶବ୍ଦରେ ତିଆରି କଲୁ ନାହିଁ; ଏଥି ନିମନ୍ତେ ଚିତ୍ର ମଧ୍ୟ ବ୍ୟବହାର କଲୁ 'ଆଉଟ୍‌ସାଇଡର୍ସ୍’ରେ । ଉନବିଂଶ ଶତାବ୍ଦୀ ଓ ବିଂଶ ଶତାବ୍ଦୀର କିଛି ଚିତ୍ର (ଆଲୋକଚିତ୍ର ଓ ଲିଥୋଗ୍ରାଫ)କୁ ନେଲୁ, ଆଉ ତାହା ପାଖରେ ରଖିଲୁ ସେହି ଜାଗାର ବର୍ତ୍ତମାନର, ୨୦୧୮ ମସିହାର, ଚିତ୍ରମାନ । କାରଣ ଅତୀତ ଓ ବର୍ତ୍ତମାନ ଉପରେ ଆମର ଦୁଇଟି ପାଦ ନ ରହିଲେ, ଭବିଷ୍ୟତ ଆଡ଼କୁ ଯିବା ଅସମ୍ଭବ । ହେଲେ ଏଇ ଭବିଷ୍ୟତଟି କିଛି ଅଲଙ୍ଘ୍ୟ ପ୍ରାରବ୍ଧ ନୁହେଁ । କାହିଁକିନା ଆମ ସହରର ଭବିଷ୍ୟତର କୈାଣସି ଦୃଶ୍ୟମାନ ଅନ୍ତିମ ବିନ୍ଦୁ ନାହିଁ; ଭୁବନେଶ୍ୱର କେବେ ସିଙ୍ଗାପୁର ହେବ ନାହିଁ, ହେବା ଦରକାର ମଧ୍ୟ ନୁହେଁ । ଏଣୁ ଆମ ପବ୍ଲିକ୍ ଆର୍ଟ୍ କାମଟି ଥିଲା ଅତୀତ ଭିତର ଦେଇ, ବର୍ତ୍ତମାନରୁ ଭବିଷ୍ୟତ ପାଖରେ ପହଞ୍ଚିବାର ଏକ ଅଣଓସାରିଆ ଚଲାବାଟ; ଗୋଟିଏ ଜାଗାରୁ ଅନ୍ୟ ଜାଗାରେ ପହଞ୍ଚିବାର ପ୍ରକ୍ରିୟା ନୁହେଁ, ସେଇ ବାଟଟିକୁ ତିଆରି କରିବାର ଏକ ଉଦ୍ୟମ

ଏଇ ବାଟ ଚାଲୁ ଚାଲୁ ଆମେ ଭେଟିଲୁ ପଣ୍ଡିତ ରାଜେନ୍ଦ୍ରଲାଲ ମିତ୍ର (୧୮୨୨-୧୮୯୧) ଙ୍କୁ । ଓଡ଼ିଶାରେ ଆମେ ଆଜି ତାଙ୍କୁ ଜାଣୁ କେବଳ ଓଡ଼ିଆ ଭାଷା ଓ ଲୋକଙ୍କ ବିଷୟରେ ବକାବକି କରିଥିବା ଜଣେ ବଙ୍ଗାଳୀ ବାବୁ ଭାବରେ । ହେଲେ ସେ ଥିଲେ ଉନବିଂଶ ଶତାବ୍ଦୀର ଭାରତୀୟ ନବଜାଗରଣର ଜଣେ ମହାମାନବ; ଦେଶରେ ଆଧୁନିକ ଇତିହାସ ଚର୍ଚ୍ଚା, ପ୍ରତ୍ନତତ୍ତ୍ୱ ତଥା ଫଟୋଗ୍ରାଫିର ମୂଳଦୁଆ ପକାଇଥିବା, ଜଣେ ବହୁଭାଷୀ ଲେଖକ । ୧୮୭୫ ଓ ୧୮୮୦ ମସିହାରେ ଦୁଇଟି ଭାଗରେ ପ୍ରକାଶ ପାଇଥିବା ତାଙ୍କର ‘’ଆଣ୍ଟିକ୍ୱିଟିଜ୍ ଅଫ୍ ଓଡ଼ିଶା’ ବହିଟି ପ୍ରଥମ ଥର ପାଇଁ ଓଡ଼ିଶାର ପ୍ରତ୍ନତାତ୍ତ୍ୱିକ ଐତିହର ବଡ଼ ଆକାରରେ ପଞ୍ଜିକରଣ କଲା । ଏଥିରେ ଏକ ପ୍ରମୁଖ ଭାଗ ଗ୍ରହଣ କରିଥିଲା, ଭୁବନେଶ୍ୱର ମନ୍ଦିରଗୁଡ଼ିକର ଫଟୋ ତଥା ଲିଥୋଗ୍ରାଫ ଗୁଡ଼ିକ । ଆଜି ଆମର ବଢ଼ୁଥିବା ବଙ୍ଗାଳୀ ବିଦ୍ୱେଷ ସମୟରେ, ଏଇ ଭଦ୍ରଲୋକ ଜଣଙ୍କର ଭୁବନେଶ୍ୱର ଐତିହକୁ ସ୍ମୃତିସିଦ୍ଧ କରିବାର ଉଦ୍ୟମକୁ, ଆମେ ‘ଆଉଟ୍‌ସାଇଡର୍ସ୍’ରେ ସଶ୍ରଦ୍ଧ ମନେ ପକାଇବାକୁ ଚେଷ୍ଟା କରିଥିଲୁ ।

ରାଜେନ୍ଦ୍ରଲାଲ ମିତ୍ର 
ଫଟୋ କ୍ରେଡ଼ିଟ୍ - ରୟାଲ୍ ଏସିଆଟିକ୍ ସୋସାଇଟି ଅଫ୍ ଗ୍ରେଟ୍ ବ୍ରିଟେନ ଆଣ୍ଡ ଆୟାର୍ଲ୍ୟାଣ୍ତ

ଏହା ସହିତ ‘ଆଉଟ୍‌ସାଇଡର୍ସ୍’ରେ ଆମେ ମନେ ପକାଇଥିଲୁ ୧୯୦୩ରେ ଆମେରିକୀୟ ନୃତତ୍ତ୍ୱବିଦ୍ କୋରା ଦୁବଏସ୍‌‌ଙ୍କୁ । ଆମେରିକୀୟ ନୃତତ୍ତ୍ୱର ନିର୍ମାତା ଫ୍ରାଞ୍ଜ୍ ବୋଆସ୍ ଓ ରବର୍ଟ୍ ଲୋୱି ଆଦିଙ୍କ ଦ୍ୱାରା ପ୍ରଶିକ୍ଷିତ କୋରା ୧୯୫୪ ମସିହାରେ ଆମେରିକାର ହାର୍ଭାଡ଼ ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାୟୀ କାର୍ଯ୍ୟାବଧି (ଟେନିଓର୍) ପ୍ରାପ୍ତ ମହିଳା ପ୍ରାଧ୍ୟାପକ ଭାବରେ ଯୋଗ ଦିଅନ୍ତି । ସେ ୧୯୬୧ ମସିହାରୁ ୧୯୭୩ ମସିହା ମଧ୍ୟରେ ହାର୍ଭାଡ଼ ବିଶ୍ୱବିଦ୍ୟାଳୟରେ ଭୁବନେଶ୍ୱର ଉପରେ ଏକ ବଡ଼ ଆକାରର ପ୍ରକଳ୍ପର ନିର୍ଦ୍ଦେଶନା ମଧ୍ୟ ଦିଅନ୍ତି, ଯାହାର ଲକ୍ଷ୍ୟ ଥିଲା ପରମ୍ପରା ଓ ଆଧୁନିକତା ମଧ୍ୟରେ ଦୋଦୁଲ୍ୟମାନ ସେଇ ସମୟର ଭୁବନେଶ୍ୱରକୁ ଅଧ୍ୟୟନ କରି ସେଥିରୁ ଆଧୁନିକୀକରଣର ଏକ ନୂଆ ବୁଝାମଣା ତିଆରିବା । ଏହି ପ୍ରକଳ୍ପରେ ଆଠ ଜଣ ବିଦେଶୀ ତଥା ତିନି ଜଣ ଭାରତୀୟ ଛାତ୍ର କାମ କରି ପିଏଚ୍‌ଡି ଡିଗ୍ରୀ ପାଆନ୍ତି । ତାହା ସହ ସର୍ବମୋଟ ଅଶି ଜଣ ଲୋକ ପ୍ରଶିକ୍ଷିତ ହୁଅନ୍ତି । ପ୍ରାୟତଃ ଛାତ୍ର ଡିଗ୍ରୀ ପାଇ ସାରିଲା ପରେ ଭୁବନେଶ୍ୱରରେ ନିଜେ  କରିଥିବା ଗବେଷଣାକୁ ଭିତ୍ତି କରି ଖଣ୍ଡିଏ ଖଣ୍ଡିଏ ବହି ମଧ୍ୟ ଲେଖନ୍ତି । ବହିଗୁଡ଼ିକର ବିଷୟର ଦାଏରା ପ୍ରଶସ୍ତ – ଭୁବନେଶ୍ୱର ଶିକ୍ଷା ତଥା ପିଲା ପାଳିବା ର ପରମ୍ପରାଠୁ, ଭାରତୀୟ ପ୍ରଶାସନିକ ସେବାର ଅଫିସରମାନଙ୍କର ଜୀବନଚର୍ଯ୍ୟା ଠାରୁ ନେଇ ପୁରୁଣା ଭୁବନେଶ୍ୱରର ମଠସଂସ୍କୃତି ପର୍ଯ୍ୟନ୍ତ ।

ବନ୍ଧୁବାନ୍ଧବଙ୍କ ସହ କୋରା ଦୁବଏସ୍ (ଦକ୍ଷିଣତମ)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଭାରତୀୟ ଛାତ୍ରମାନଙ୍କ ମଧ୍ୟରେ ଥିଲେ ହରୀଶଚନ୍ଦ୍ର ଦାସ, ଯେ ପରେ ଓଡ଼ିଶା ରାଜ୍ୟ ସଙ୍ଗ୍ରହାଳାୟର ସୁପରିଟେଣ୍ଡେଣ୍ଟ ଭାବରେ କାମ କରନ୍ତି । ବିଦେଶୀ ଛାତ୍ରମାନଙ୍କ ମଧ୍ୟରେ ଏଠାରେ ଆମେ କେବଳ ଜେମ୍ସ୍ ଫ୍ରିମାନଙ୍କର ନାମ ଉଲ୍ଲେଖ କରିବୁ, ଯେ ଦୁବଏସ୍‌ଙ୍କ ଅଧୀନରେ ପିଏଚ‌ଡ଼ି କରନ୍ତି ନୂଆ ଭୁବନେଶ୍ୱର ରାଜଧାନୀ ଭାବରେ ତିଆରି ହେଲା ପରେ ପୁରୁଣା ଭୁବନେଶ୍ୱରର କପିଳେଶ୍ୱର ଗାଁରେ ଘଟିଥିବା ଆର୍ଥ-ସାମାଜିକ ପରିବର୍ତ୍ତନ ଉପରେ । ଏହି କାମର ଫଳଶୃତି ଘଟେ ‘ସ୍କାର୍ସିଟି ଆଣ୍ଡ୍ ଅପର୍ଚ୍ୟୁନିଟି ଇନ୍ ଆନ୍ ଇଣ୍ଡିଆନ୍ ଭିଲେଜ୍’  (‘ଏକ ଭାରତୀୟ ଗ୍ରାମରେ ତିରୋଟ ଓ ସୁଯୋଗ’) ଶୀର୍ଷକରେ ୧୯୭୭ ମସିହାରେ ପ୍ରକାଶିତ ଏକ ପୁସ୍ତକରେ । ହେଲେ ଆଜି ଆମେ ପ୍ରଫେସର ଫ୍ରିମାନଙ୍କୁ ଜାଣୁ ୧୯୭୯ ମସିହାରେ ଛପା ହୋଇ ଥିବା ‘ଅନ୍‌ଟଚେବଲ୍; ଆନ୍ ଇଣ୍ଡିଆନ୍ ଲାଇଫ୍ ହିଷ୍ଟ୍ରି’ ଶୀର୍ଷକର ବହିଟି ପାଇଁ । ଏହି ବହିଟିରେ ଆମେ ପାଉ ‘ମୁଳି’ ନାମକ କପିଳେଶ୍ୱରର ଏକ ବାଉରି ଜାତିର ଲୋକଙ୍କର ଆତ୍ମକଥନ, ଯାହା ଏକା ସାଙ୍ଗରେ ୧୯୪୦ରୁ ନେଇ ୧୯୭୦ ଦଶକ ପର୍ଯ୍ୟନ୍ତ ପୁରୁଣା ଭୁବନେଶ୍ୱରର ଏକ ଅଞ୍ଚଳର ସାମାଜିକ ଇତିହାସ ମଧ୍ୟ । ଏ ସବୁ କାମର ମୂଳଦୁଆ ପଡ଼ିଥିଲା କୋରା ଦୁବଏସ୍‌ଙ୍କର ପ୍ରକଳ୍ପର ଆନୁକୁଲ୍ୟରେ ।

ଭୁବନେଶ୍ୱର ଆର୍ଟ ଟ୍ରେଲ୍‌ରେ ରାମହରି ଜେନା ଓ ରମାକାନ୍ତ ସାମନ୍ତରାୟଙ୍କର ସହାୟକ ଭାବରେ କାମ ଆରମ୍ଭ କଲା ପର୍ଯ୍ୟନ୍ତ ମୋର ଧାରଣା ଥିଲା ଯେ, ମୋ ସହର ବିଷୟରେ ରବି କାଲିଆ ଙ୍କର ‘ଭୁବନେଶ୍ୱର: ଫ୍ରମ୍ ଏ ଟେମ୍ପଲ୍ ଟାଉନ୍ ଟୁ ଏ କ୍ୟାପିଟାଲ୍ ସିଟି’ ଓ ‘ଅନ୍‌ଟଚେବଲ୍; ଆନ୍ ଇଣ୍ଡିଆନ୍ ଲାଇଫ୍ ହିଷ୍ଟ୍ରି’ ଛଡ଼ା ଆଉ କିଛି ବିଶେଷ ବଡ଼ ଆକାରରେ କାମ ହୋଇ ନାହିଁ । ହେଲେ ଯେବେ ଆର୍ଟ୍ ଟ୍ରେଲ୍ କାମ ପାଇଁ ଜେମ୍ସ ଫ୍ରିମାନ‌୍‌ଙ୍କର କାମ ସହିତ ଅଧିକ ପ୍ରଗାଢ଼ ଭାବରେ ସମ୍ପୃକ୍ତ ହେବାର ସୁଯୋଗ ଆସିଲା, ସେବେ ହିଁ ଆମର ନଜର ପଡ଼ିଲା କୋରା ଦୁବଏସ୍‌ଙ୍କ ନିର୍ଦ୍ଦେଶନାରେ ଭୁବନେଶ୍ୱର ଉପରେ ହୋଇଥିବା ‘ହାର୍ଭାଡ଼-ଭୁବନେଶ୍ୱର’ ପ୍ରକଳ୍ପ ଉପରେ । ହଠାତ୍ ଲାଗିଲା, ଯେପରି କି ଆମେ ଗୋଟେ କାନ୍ଥ ଉପରେ ନଜର ବିଛାଇ ବସିଥିଲୁ ଅନେକ କାଳ ପର୍ଯ୍ୟନ୍ତ, ଆଉ ଠିକ୍ ସେଇଠି ଖୋଲିଗଲା ଏକ ଫରଚା ଦରଜା, ନିଜ ସହରକୁ ଆଉ ନିଜକୁ ଚିହ୍ନିବା ପାଇଁ ଏକ ବାଟକୁ ଇଙ୍ଗିତ କରି ।

୨୦୦୦ ମସିହାରେ ହରେକୃଷ୍ଣ ମହତାବଙ୍କ ଉପରେ ଡାକବିଭାଗ ଦ୍ୱାରା ଜାରି ଡାକଟିକଟ

କୋରା ଦୁବଏସ୍‌ଙ୍କର ଭୁବନେଶ୍ୱର ପ୍ରକଳ୍ପ ଆମକୁ ଫେରାଇ ନେଲା ନୂଆ ନୂତନ ଭୁବନେଶ୍ୱରର ବିନ୍ଧାଣୀ ହରେକୃଷ୍ଣ ମହାତବଙ୍କ ପାଖକୁ, ରାଜନେତା ଭାବରେ ଯାହାଙ୍କର ଉଦ୍ୟମ ବଳରେ ହିଁ ରାଜଧାନୀ ଘୁଞ୍ଚେ କଟକରୁ ଭୁବନେଶ୍ୱର । ନ ହେଲେ ରାଜଧାନୀ ବୋଧହୁଏ ହୋଇ ଥାଆନ୍ତା ଚୌଦ୍ୱାର କି ରଙ୍ଗେଇଲୁଣ୍ଡାରେ । ଅର୍ଥାତ୍ ଆଜିର ପୁରୁଣା ଭୁବନେଶ୍ୱରର ରୂପ ଯାହା (ତାହା ଆମେ ଭଲ ବୋଲି ଭାବି ପାରିବା କିବା ମନ୍ଦ), ତାହା ତିଆରିବାର ସବୁଠୁ ଅଧିକ ଭୂମିକା ବୋଧ ହୁଏ ମହତାବଙ୍କର । ‘ସାଧନାର ପଥେ’, ‘ପ୍ରତିଭା’ ଓ ‘ଗାଁ ମଜଲିସ’ର ଲେଖକଙ୍କୁ ଆମେ ଆଜି ଜାଣୁ ଜଣେ କଟକିଆ ଭାବରେ । ହେଲେ ସେ ଭୁବନେଶ୍ୱରରେ ବି ଖଣ୍ଡେ ଘର ତୋଳି ଥିଲେ - ବସାଟିର ନାମ ‘ଏକାମ୍ର ନିବାସ’ । ସେଠି ଅନେକ ସମୟ ବିତାଉ ମଧ୍ୟ ଥିଲେ । ଯେଉଁ ରାସ୍ତାଟିରେ ଘରଟି ଥିଲା, ତାହାର ନାଁ ଆଜି ମହତାବ ରୋଡ଼୍ ।

'ଆଉଟ୍‌ସାଇଡର୍ସ୍' ପ୍ରକଳ୍ପର କୋଠରି 
ଫଟୋ କ୍ରେଡ଼ିଟ୍ - ରାମହରି ଜେନା

ଭୁବନେଶ୍ୱର ପାଇଁ ଏ ତିନିହେଁ - ହରେକୃଷ୍ଣ ମହତାବ, କୋରା ଦୁବଏସ୍ ଓ ରାଜେନ୍ଦ୍ରଲାଲ ମିତ୍ର – ଥିଲେ ବାହାରିଆ । ହେଲେ ଏଇ ବାହାରିଆ ଲୋକଙ୍କର ଆମ ସହରଟିକୁ ବୁଝିବାରେ ଓ ଗଢ଼ିବାରେ ମଞ୍ଜ ଭୁମିକା ରହିଛି । ଖାଲି ଆମ ସହର ବା ରାଜ୍ୟ ନୁହେଁ, ଏବେ ଭାରତ ସାରା, ପୃଥିବୀରେ ଅନେକ ଜାଗାରେ, ଦୁଆ ଉଠୁଛି ସ୍ଥାନୀୟତାର – ଯେ କେବଳ ‘ସ୍ଥାନୀୟ’, ‘ଭିତିରିଆ’ ଲୋକଙ୍କର ହିଁ ହେବ ସହର ବା ରାଇଜ ଗୁଡ଼ିକ । ‘ବମ୍ବେ ବମ୍ବେଇଆଙ୍କ ପାଇଁ’, କିମ୍ବା ‘ଆସାମ ଅହମିଆଙ୍କର’ ପରି କିଛି ସ୍ଲୋଗାନଧର୍ମୀ ରାଜନୀତି ଏବେ ଦାନା ବାନ୍ଧୁଛି ।

ହେଲେ ବାହାରଟି ନ ଥିଲେ  ଭିତରଟି ମଧ୍ୟ ନ ଥାଏ । ‘ସେ’  ନ ଥିଲେ, ‘ତୁମେ’ ନ ଥିଲେ, ମୁଁ ମଧ୍ୟ ନାହିଁ । ପ୍ରତ୍ୟେକ ପ୍ରଥମ ପୁରୁଷ (ତାହା ଏକବଚନ ହେଉ କି ବହୁବଚନ) ଯେ, ଅନେକ ଦ୍ୱିତୀୟ  ଓ ତୃତୀୟ ପୁରୁଷମାନଙ୍କର ସମବାୟ ମାତ୍ର । ମିତ୍ର, ମହତାବ ଓ ଦୁବଏସ୍‌ଙ୍କୁ ଭେଟିବା ପାଇଁ, ନିଜ ସହ ଭେଟଣା ହେବା ନିମନ୍ତେ, 'ଆଉଟସାଇଟର୍ସ୍' ଥିଲା ଏକ ଛୋଟ ପଦକ୍ଷେପ ।

ବି.ଦ୍ର. -  ଏହି ଲେଖାଟି ସାମାନ୍ୟ ଭିନ୍ନ ରୂପରେ ଦୈନିକ ଖବରକାଗଜ 'ନିତିଦିନ'ର ୧ ଡିସେମ୍ବର ୨୦୧୮ ତାରିଖର ସ‌ସ୍କରଣର ନବମ ପୃଷ୍ଠାରେ ପ୍ରଥମ ଥର ପାଇଁ ପ୍ରକାଶିତ ହୋଇଥିଲା । 

'ଆଉଟ୍‌ସାଇଡର୍ସ୍‌'ର ଜଳମୟ ଗର୍ଭଗୃହ

12 comments:

  1. Beautiful Sailen babu, I was in old Town for 5 years and unit 3 for rest time. Very serious writing. Congrats.

    ReplyDelete
    Replies
    1. Thanks sir. You must write about your memories of Old Town. Regards.

      Delete
  2. Bahut sunder sailen...lekhati padhiki bhari bhala lagila...

    ReplyDelete
    Replies
    1. Thanks for your kind words. Coming from an unknown reader, it means much to me. Regards.

      Delete
  3. Enjoyed reading. Now... I can relate your project in a better way. Congratulations

    ReplyDelete
    Replies
    1. ଆପଣଙ୍କୁ ଲେଖାଟି ପଢ଼ି ମଜା ଲାଗିଲା ଜାଣି ଧନ୍ୟ ହେଲି । ଲେଖକ ଭାବରେ ଆଉ କଅଣ ଦରକାର ଏ ଅଧମର । ପ୍ରଣାମ ।

      Delete
  4. ବେଶ ଭଲ ହୋଇଛି।

    ReplyDelete
    Replies
    1. ଧନ୍ୟବାଦ ଭାଇ । ଆପଣଙ୍କର ନିରନ୍ତର ଉତ୍ସାହବର୍ଦ୍ଧନ ମୋ ପାଇଁ ପ୍ରେରଣାଦାୟକ । ପ୍ରଣାମ ।

      Delete
  5. DrG B Nath
    A beautiful piece of writing indeed. Enjoyed.

    ReplyDelete
    Replies
    1. ଧନ୍ୟବାଦ ସାର୍ । ଆପଣଙ୍କୁ ଭଲ ଲାଗିଲା ଜାଣି ମୁଁ କୃତାର୍ଥ । ପ୍ରଣାମ ।

      Delete
  6. Very matured treatment of the subject. After all who is an outsider? The person who lived here and never SEEN anything and never FELT anything, or he who came here, adored and fell in love with the city? Your bedt lines that hit straight to me is where you put a question about the meaning of development. Is it only the black top roads and concrete structures? The soul is missing. After 40 years in Bhubaneswar I feel this, seriously.

    ReplyDelete
    Replies
    1. ଆଜ୍ଞା । ଗୋଟିଏ ସହର ଭାବରେ ଭୁବନେଶ୍ୱରର ପରିଚୟ ଥିଲା ତାହାର ଖୋଲାପଣ, ସାମାଜିକ ଉଦାରତା, ପବନ ଆଉ ଗଛ । ତାହାସବୁ ଆଉ କାହିଁ ? ପ୍ରଣାମ ।

      Delete

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....