Monday, August 17, 2020

ରାଜେନ୍ଦ୍ରଲାଲ ତଥା ପ୍ରାଚୀନତାର ମାୟା

ଶୈଲେନ ରାଉତରାୟ 

ରାଜେନ୍ଦ୍ରଲାଲ ମିତ୍ର (ୱିକିମିଡିଆ କମନ୍ସ୍)

୧୮୬୮ ମସିହାରେ ଲଣ୍ଡନ ସ୍ଥିତ ରୟାଲ୍ ସୋସାଇଟି ଅଫ୍ ଆର୍ଟ୍ସ୍ ବ୍ରିଟିଶ ସରକାରଙ୍କୁ ଏକ ଅନୁରୋଧ କଲେ । ଅନୁରୋଧଟି ଥିଲା  ପ୍ରାଚୀନ ଭାରତର ସ୍ଥାପତ୍ୟଗୁଡ଼ିକୁ ମୂର୍ତ୍ତିମାନଙ୍କର ପ୍ରତି ଓ ଚିତ୍ର ଦ୍ୱାରା ବିଧିବଦ୍ଧ ଭାବରେ ପଞ୍ଜିକରଣ କରିବା ପାଇଁ । ଏଥି ନିମନ୍ତେ ଯଥେଷ୍ଟ ବ୍ୟୟବରାଦ ତଥା ତହିଁର ସଦୁପଯୋଗ କରିବାକୁ ମଧ୍ୟ ଅନୁରୋଧ କରା ଯାଇ ଥିଲା । ଏହା ଶେଷକୁ ଏକ ବଡ଼ ଆକାରର ପ୍ରକଳ୍ପର ରୂପ ନେଲା । ଏପି ପ୍ରକଳ୍ପର ଅନୁଦାନର ଗୋଟିଏ ଭାଗ ସେ ସମୟର ବଙ୍ଗ ପ୍ରେସିଡେନ୍ସିକୁ ହସ୍ତାନ୍ତର କରି ଦିଆ ଯାଇ ଥିଲା ।

ଏବେର ଓଡ଼ିଶାର କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ପୁରୀ, ନୂଆଗଡ଼, ଖୋର୍ଦ୍ଧା, ଭଦ୍ରକ ଓ ବାଲେଶ୍ୱର ଆଦି ନଅଟି ଜିଲ୍ଲା ସେବେ ତିନୋଟି ଜିଲ୍ଲାର ରୂପରେ ‘କଟକ ଡିଭିଜନ’ ଭାବରେ ବଙ୍ଗ ପ୍ରେସିଡେନ୍ସିର ଅନ୍ତର୍ଭୁକ୍ତ ଥିଲା । ସେତେବେଳେ ବଙ୍ଗର ସର୍ବେସର୍ବା ଶାସକ ଥିଲେ ଲେଫ୍‌ଟନାଣ୍ଟ୍ ଗଭର୍ଣ୍ଣର, ସାର୍ ଉଇଲିୟମ୍ ଗ୍ରେ । ସେ କାମଟିକୁ କରିବାକୁ ଆରମ୍ଭ କରିବା ପୂର୍ବରୁ ସେହି ସମୟରେ ପ୍ରସିଦ୍ଧ ପ୍ରାଚ୍ୟବିଦ୍ୟାବିଦ୍‌ମାନଙ୍କ  ସହ ଆଲୋଚନା ଆଦି କଲେ

ଏହି ବିଦ୍ୱାନମାନଙ୍କ ମଧ୍ୟରୁ ଜଣେ ଥିଲେ ରାଜେନ୍ଦ୍ର ଲାଲ ମିତ୍ର । ସେ ମତ ଦେଲେ କି, ଯେଉଁ ଛାଞ୍ଚମିସ୍ତ୍ରୀମାନେ ଓଡ଼ିଶାକୁ ଯିବାକୁ ବାହାରିଛନ୍ତି, ସେମାନଙ୍କୁ ସିଧା ଭୁବନେଶ୍ୱର ପଠେଇ ଦେବା ଉଚିତ୍ । ମିତ୍ରଙ୍କ ଅନୁସାରେ ଏହି ସହରରେ ପୂର୍ବ ଭାରତର ସବୁଠୁ ରୋଚକ, ପ୍ରାଚୀନ ଓ ସୁନ୍ଦର ମୂର୍ତ୍ତି ମିଳିବାର ସମ୍ଭାବନା ଥିଲା । ମିତ୍ରଙ୍କ ମତକୁ ଗ୍ରହଣ କରା ଗଲା ତାହା ସହ ତାଙ୍କୁ ଓଡ଼ିଶାରେ ପଞ୍ଜିକରଣ କାମ କରିବା ଲାଗି ଯାଉ ଥିବା ଦଳର ନେତୃତ୍ୱର ଦାୟିତ୍ୱ ମଧ୍ୟ ଦିଆ ଗଲା ।

 ଏହି କାମଟି ଆଜିକୁ ପ୍ରାୟ ଦେଢ଼ ଶହ ବର୍ଷ ତଳେ, ଅର୍ଥାତ୍ ୧୮୬୮-୬୯ ଶୀତ ଋତୁରେ, ହୋଇ ଥିଲା । ସେତେବେଳକୁ ରାଜେନ୍ଦ୍ରଲାଲଙ୍କୁ ୪୬ ବର୍ଷ ମାତ୍ର ।  ୧୮୬୮ ବେଳକୁ ଇଂରାଜୀ ଭାଷାରେ ରାଜେନ୍ଦ୍ରଲାଲ ମିତ୍ରଙ୍କର କୌଣସି ବଡ଼ ଆକାରରେ ବହି ବାହାରି ନ ଥାଏ । ହେଲେ ଏସିଆଟିକ୍ ସୋସାଇଟିର ପତ୍ରିକାରେ ଇତିହାସ, ପ୍ରତ୍ନତତ୍ତ୍ୱ, ତଥା ପ୍ରାଚ୍ୟବିଦ୍ୟା ବିଷୟରେ ଅନେକ ପ୍ରବନ୍ଧ ଲେଖି ସେ ନିଜ ବିଚାରର ପରିପକ୍ୱତାକୁ ଭାରତର ନାଗରିକ ସମାଜରେ ପ୍ରତିପାଦିତ କରି ପାରି ଥାଆନ୍ତି ।

ଭୁବନେଶ୍ୱରର ପର୍ଶୁରାମେଶ୍ୱର ମନ୍ଦିର ('ଆଣ୍ଟିକ୍ୱିଟିଜ୍ ଅଫ୍ ଓଡ଼ିଶା')

 ମିତ୍ରଙ୍କର ଜନ୍ମ ଏକ କୁଳୀନ, ବୈଷ୍ଣବ ଧର୍ମାବଲମ୍ବୀ, ବଙ୍ଗାଳୀ କାୟସ୍ଥ ପରିବାରରେ, ୧୫ ଫେବୃଆରୀ, ୧୮୨୪ ମସିହାରେ, ଔପନିବେଶିକ କଲିକତାର ଏବେ ବେଲିଆଘଟା ନାମକ ଅଞ୍ଚଳରେ; ଅବଶ୍ୟ ରାଜେନ୍ଦ୍ର ବାବୁ ଜନ୍ମ ହେବା ବେଳକୁ ସେଠିକାର ନାମ ଥିଲା ‘ସୁରା’ ଓ ତାହା କଲିକତା ନଗରପାଳିକାର ପ୍ରଶାସନିକ ଦାଏରାର ବାହାରେ ଅବସ୍ଥିତ ଥିଲା । ଏହି ମିତ୍ର ପରିବାରଟିର ଅନେକ ପୂର୍ବପୁରୁଷ ଅଯୋଧ୍ୟା, ଦିଲ୍ଲୀ ତଥା ମୁର୍ସିଦାବାଦର ଶାସକମାନଙ୍କର ଦରବାରରେ ଦେବାନ ଭାବରେ କାମ କରି ଆସିଥିଲେ ।

ରାଜେନ୍ଦ୍ରଲାଲଙ୍କର ଥିଲେ ପାଞ୍ଚ ଭାଇ ଓ ଗୋଟିଏ ଭଉଣୀ । ବାପା ଜନ୍ମେଞ୍ଜୟ ମିତ୍ର ପ୍ରାୟତଃ କର୍ମବ୍ୟସ୍ତ ଥାଆନ୍ତି । ସେ ସମୟର ପ୍ରସିଦ୍ଧ ପଣ୍ଡିତଙ୍କ ମଧ୍ୟରେ ଗଣା ଜନ୍ମେଜୟ ବାବୁ ବ୍ରାହ୍ମ ମହଲରେ ଥିଲେ ଏକ ଜଣାଶୁଣା ବ୍ୟକ୍ତିତ୍ୱ । ଏହା ଛଡ଼ା ନୂଆ ବିଦ୍ୟା ଆହରଣରେ ଥିଲା ତାଙ୍କର ଅନେକ ରୁଚି; ଭାରତରେ ଆଧୁନିକ ରସାୟନ ଶାସ୍ତ୍ରର ପ୍ରଥମ ଛାତ୍ରଙ୍କ ମଧ୍ୟରେ ସେ ଥିଲେ ଜଣେ ।

ରାଜେନ୍ଦ୍ରଙ୍କର ଲାଳନପାଳନର ଭାର ପଡ଼େ ତାଙ୍କର ଜଣେ ବିଧବା ପିଉସୀଙ୍କ ଉପରେ । ପିତାଙ୍କର ଚାକିରୀ କରିବା ପ୍ରତି ବିତସ୍ଫୃହତା ତଥା ଜେଜେବାପାଙ୍କର କାର୍ପଣ୍ୟ ଯୋଗୁଁ, ତାଙ୍କର ବାଲ୍ୟ ଜୀବନ ଦାରିଦ୍ର୍ୟରେ କଟି ଥିଲା । ନାନାଦି ସ୍କୁଲରେ ଛେକଛେକରେ ପାଠ ପଢ଼ି ସେ ଶେଷକୁ ପନ୍ଦର ବର୍ଷ ବୟସରେ, ୧୮୩୭ ମସିହାରେ ଡିସେମ୍ବର ମାସରେ, କଲିକତା ମେଡ଼ିକାଲ କଲେଜରେ ପାଠ ପଢ଼ିବା ପାଇଁ ନାମ ଲେଖାଇଲେ । ଏହି ସମୟରେ ସତର ବର୍ଷ ବୟସରେ, ୧୮୩୯ ମସିହାରେ, ସେ ବିବାହ କରନ୍ତି ସୌଦୀମିନୀଙ୍କୁ ।

ହେଲେ ବିବାହ ପରେ, ୧୮୪୧ରେ ସେ ଡାକ୍ତରୀ ଶିକ୍ଷାରୁ ଅବ୍ୟାହତି ନିଅନ୍ତି । ଜନଶୃତି ଅନୁସାରେ ଗଣ୍ଡଗୋଳ କରିଥିବା ନିଜର କିଛି ସହପାଠୀଙ୍କ ବିରୁଦ୍ଧରେ ସାକ୍ଷ୍ୟ ନ ଦେବାରୁ କଲେଜ କର୍ତ୍ତୃପକ୍ଷ ତାଙ୍କୁ ବହିଷ୍କୃତ କରନ୍ତି ।  ଏହା ପରେ ମିତ୍ର ଆଇନ ପଢ଼ିବା ପାଇଁ ନାମ ଲେଖାନ୍ତି । ହେଲା ତାହା ମଧ୍ୟ ତାଙ୍କୁ ପୋଶାଏ ନାହିଁ । ପ୍ରଶ୍ନପତ୍ର ଲିକ୍ ହୋଇ ଯିବା କାରଣରୁ, ଆଇନ ଶିକ୍ଷାର ନିଜର ଶେଷ ପରୀକ୍ଷାଟି ସେ ଦେଇ ପାରନ୍ତି ନାହିଁ ।  ଏ ସବୁ ଭିତରେ, ୧୮୪୪  ମସିହାରେ ସନ୍ତାନ ଜନ୍ମ ସମୟରେ ସୌଦାମିନୀ ମୃତ୍ୟୁବରଣ କରନ୍ତି: ଛାଡ଼ି ଯାଆନ୍ତି ଝିଏଟିଏ; ସେ ମଧ୍ୟ କିଛି ସପ୍ତାହ ପରେ ଆରପାରିକୁ ଚାଲି ଯାଏ ।  

ଲିଙ୍ଗରାଜ ମନ୍ଦିରର ଦୃଶ୍ୟ ('ଆଣ୍ଟିକ୍ୱିଟିଜ୍ ଅଫ୍ ଓଡ଼ିଶା')

ଏହି ପରି ଭାବରେ ଶିକ୍ଷା ଓ ବ୍ୟକ୍ତିଗତ ଜୀବନରେ ଦୋଦୁଲ୍ୟମାନ ଅବସ୍ଥାରେ ଥିବା ରାଜେନ୍ଦ୍ରଲାଲ ମିତ୍ରଙ୍କୁ ଶେଷକୁ ଠାବ ଟିଏ ମିଳେ ୧୮୪୬ ମସିହାରେ; ସେ ନିଯୁକ୍ତି ପାଆନ୍ତି ଏସିଆଟିକ୍ ସୋସାଇଟିର ଗ୍ରନ୍ଥଗାରିକ ତଥା ସହଯୋଗୀ ସମ୍ପାଦକ ଭାବରେ । ସେତେବେଳକୁ ମାତ୍ର ବାଇଶ ବର୍ଷ ବୟସରେ, ସମ୍ପୂର୍ଣ୍ଣ ଭାବରେ ସ୍ୱ-ଉଦ୍ୟମରେ ବିଦ୍ୟାର୍ଜନ କରି, ବିଭିନ୍ନ ଭାରତୀୟ ଭାଷା ଯଥା ବଙ୍ଗାଳୀ, ପାର୍ସି ଓ ସଂସ୍କୃତ, ତଥା ଲାଟିନ୍ ଓ ଇଂରାଜୀ ଆଦି ବିଦେଶୀ ଭାଷାରେ ସେ ପାଣ୍ଡିତ୍ୟ ହାସଲ କରି ସାରି ଥାଆନ୍ତି । ଏହି ପଦରେ ସେ ଦଶ ବର୍ଷ କାମ କରନ୍ତି, ୧୮୫୬ ମସିହା ପର୍ଯ୍ୟନ୍ତ ।

ସୋସାଇଟିର ସଂସ୍କୃତ ପାଣ୍ଡୁଲିପି ସଙ୍ଗ୍ରହର ନିର୍ମାଣରେ ତାଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ । ଏହି କାଳ ଖଣ୍ଡରେ, ୧୮୫୦ ମସିହାରେ, ରାଜେନ୍ଦ୍ର ବାବୁ ଆରମ୍ଭ କରନ୍ତି ସାହିତ୍ୟ ଓ ବିଜ୍ଞାନର ପ୍ରସାର ପାଇଁ ‘ବିବିଧାର୍ଥ ସଙ୍ଗ୍ରହ’ ଶୀର୍ଷକରେ ଏକ ବଙ୍ଗାଳୀ ପତ୍ରିକା, ଯାହାକୁ ସେ ନାନା ଘାତପ୍ରତିଘାତ ସହ ସାତ ବର୍ଷ ପର୍ଯ୍ୟନ୍ତ ଚଳାଇ ରଖନ୍ତି । ଏହା ବଙ୍ଗଳା ଜ୍ଞାନଚର୍ଚ୍ଚା କ୍ଷେତ୍ରରେ ଅନେକ ନୂଆ ଦିଗନ୍ତ ଖୋଲିଦିଏ । ୧୮୬୦ କିମ୍ବା ୧୮୬୧ ମସିହାରେ ରାଜେନ୍ଦ୍ରଲାଲ ବାହା ହୁଅନ୍ତି ଭୁବନମୋହିନୀଙ୍କୁ; ଏହି ଦ୍ୱିତୀୟ ସ୍ତ୍ରୀ ଦୁଇଟି ପୁତ୍ରର ମାତା ବନନ୍ତି - ସେମାନଙ୍କର ନାଁ ରମେନ୍ଦ୍ରଲାଲ ଓ ମହେନ୍ଦ୍ରଲାଲ । ଏହି ସମୟରେ୧୮୬୩-୧୮୬୮ ମସିହା ମଧ୍ୟରେ, ସେ ‘ରହସ୍ୟ ସନ୍ଦର୍ଭ’ ନାମକ ବଙ୍ଗାଳୀ ପତ୍ରିକାର ମଧ୍ୟ ସମ୍ପାଦନା କରନ୍ତି । 

ଜୀବନ ସାରା ନାନାଦି ବାଦବିବାଦର କେନ୍ଦ୍ରରେ ଥିବା ରାଜେନ୍ଦ୍ରଲାଲଙ୍କର ଧୃବ ତାରା କିନ୍ତୁ ଥିଲା ଜ୍ଞାନଚର୍ଚ୍ଚା । ଏସିଆଟିକ୍ ସୋସାଇଟିର ପତ୍ରିକାରେ ସେ ନାନାଦି ବିଷଯରେ ୧୧୪ ଖଣ୍ଡରୁ ଉର୍ଦ୍ଧ୍ୱ ପ୍ରବନ୍ଧ ରଚନା କରି, ଦେଶ ଓ ବିଦେଶର ବୁଦ୍ଧିଜୀବୀମାନଙ୍କର ସଶ୍ରଦ୍ଧ ଦୃଷ୍ଟି ଆକର୍ଷିତ କରି ଥିଲେ । ସେ ଥିଲେ ପ୍ରଥମ ଭାରତୀୟ ପ୍ରାଚ୍ୟବିଦ୍ୟାବିଦ୍, ଯାହାଙ୍କୁ ୟୁରୋପୀୟମାନଙ୍କର ସମାସ୍କନ୍ଧ ବୋଲି ଗଣା ଯାଉଥିଲା । ନିଜର କାମର ଶ୍ରେଷ୍ଠତ୍ୱ ଯୋଗୁଁ ଶେଷରେ ୧୮୮୫ ମସିହାରେ ସେ ଏସିଆଟିକ୍ ସୋସାଇଟି ସଂସ୍ଥାର ପ୍ରଥମ ଭାରତୀୟ ସଭାପତି  ଭାବରେ ନିଯୁକ୍ତ ହୋଇଥିଲେ । ଭାରତରେ ଆଧୁନିକ  ଇତିହାସ ଓ ପୁରାତତ୍ତ୍ୱର ବିକାଶରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ଥିଲା । ଏହା ଛଡ଼ା ସେ କିଛି ପ୍ରମୁଖ ବୌଦ୍ଧ ଗ୍ରନ୍ଥ, ଯଥା ‘ଲଳିତା ବିସ୍ତାର’ ଏବଂ ‘ପ୍ରଜ୍ଞା ପାରମିତା’, ର ଇଂରାଜୀ ଭାଷାକୁ ଅନୁବାଦ ମଧ୍ୟ କରି ଥିଲେ ।

ଔପନିବେଶିକ ଭାରତରେ ବଙ୍ଗଦେଶ ଥିଲା ସବୁ ପ୍ରକାରର ଜ୍ଞାନ ଚର୍ଚ୍ଚାର କେନ୍ଦ୍ର । ଏହି ପରିପ୍ରେକ୍ଷୀରେ ଭାରତର ଅନ୍ୟ ଅଞ୍ଚଳମାନଙ୍କର ତୁଳନାରେ ବଙ୍ଗରେ ଆଧୁନିକ ସମାଜବିଜ୍ଞାନ ଚର୍ଚ୍ଚା ଯଥେଷ୍ଟ ଆଗରେ ଆରମ୍ଭ ହୋଇ ଥିଲା । ଯଦିଓ ଉନବିଂଶ ଶତାବ୍ଦୀର ପ୍ରଥମ ଭାଗରେ ମୃତ୍ୟୁଞ୍ଜୟ ବିଦ୍ୟାଳଙ୍କାରଙ୍କର ‘ରାଜାବଳୀ’ ଆଦି କିଛି ଇତିହାସ ପୁସ୍ତକ ବଙ୍ଗଦେଶରେ ରଚିତ ହୋଇ ଥିଲା, ମାତ୍ର ଆଧୁନିକ ଅର୍ଥରେ ଏଗୁଡ଼ିକୁ ଇତିହାସ ବୋଲି କହି ହେବ ନାହିଁ ।

ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାର ('ଆଣ୍ଟିକ୍ୱିଟିଜ୍ ଅଫ୍ ଓଡ଼ିଶା')

ରାଜେନ୍ଦ୍ରଲାଲଙ୍କୁ ହିଁ ବଙ୍ଗଳାର ଓ ଭାରତରେ, ଆଧୁନିକ ଯୁଗରେ, ପ୍ରଥମ ବିଜ୍ଞାନସମ୍ମତ ଇତିହାସର ରଚୟିତା ଭାବରେ ଆମେ ଗଣି ପାରିବା । ତାଙ୍କର କାମକୁ ଭିତ୍ତି କରି ହିଁ ବଙ୍ଗଦେଶର ଅନ୍ୟ ଇତିହାସବିଦ୍‌ ଯଥା ରାମଦାସ ସେନ (୧୮୪୫-୧୮୮୭), ରାଜକୃଷ୍ଣ ମୁଖୋପାଧ୍ୟାୟ (୧୮୪୫-୧୮୮୬) ତଥା ହରପ୍ରସାଦ ଶାସ୍ତ୍ରୀ (୧୮୫୩-୧୯୩୧) ଆଦି ବଙ୍ଗଳାରେ ତଥା ଭାରତରେ ବୈଜ୍ଞାନିକ ଇତିହାସ ଚର୍ଚ୍ଚାର ମୂଳଦୁଆ ପକାଇ ପାରିଲେ । ରାଜେନ୍ଦ୍ର ବାବୁଙ୍କର ପ୍ରଥମ ପ୍ରକାଶିତ ଐତିହାସିକ ଲେଖା ବୋଧ ହୁଏ ଥିଲା, ‘ଅନ୍ ସମ୍ ଗ୍ରେକୋ-ବ୍ୟାକ୍ଟେରିଆନ୍ ରେଲିକ୍ସ୍ ଫ୍ରମ୍ ରାୱଲ୍‌ପିଣ୍ଡି’ ଶୀର୍ଷକରେ, ୧୮୬୨ ମସିହାରେ ଛପା ପ୍ରବନ୍ଧଟି ।

ରାଜେନ୍ଦ୍ର ବାବୁଙ୍କର ପ୍ରଥମ ବଡ଼ ଆକାରର କାମ ଥିଲା ଓଡ଼ିଶାର ସ୍ଥାପତ୍ୟର ଐତିହ ଉପରେ, ୧୮୬୮-୬୯ ମସିହାର କ୍ଷେତ୍ର ଗବେଷଣା ଉପରେ ପ୍ରସ୍ତୁତ, ଦୁଇ ଖଣ୍ଡରେ ଛପା ହୋଇ ଥିବା ବହି, 'ଆଣ୍ଟିକ୍ୱିଟିଜ୍ ଅଫ୍ ଓଡିଶା', ଯାହା ପ୍ରକାଶିତ ହୋଇଥିଲା ୧୮୭୫ ଓ ୧୮୮୦ ମସିହାରେ । ଲିଥୋଗ୍ରାଫ୍ ଏବଂ ଫଟୋ ସହିତ ବ୍ୟାପକ ରୂପେ ଏହାକୁ ଚିତ୍ରାୟିତ କରା ଯାଇଥିଲା । ଏହି ଛବିଗୁଡ଼ିକରେ ଭୁବନେଶ୍ୱରର ପ୍ରାଚୀନ ବାସ୍ତୁକଳା ଏବଂ ମୂର୍ତ୍ତିଗୁଡ଼ିକର ଦୃଶ୍ୟ ସାମିଲ୍ ହୋଇ ଅଛି । ଏହି ବହି ଦୁଇଟି ଥିଲା ଓଡ଼ିଶାର ତଥା ଭୁବନେଶ୍ୱରର ସାଂସ୍କୃତିକ ଐତିହର ପଞ୍ଜିକରଣ ଓ ପୁନଃମୂଲ୍ୟାୟନ ନିମନ୍ତେ ପ୍ରଥମ ବିଧିବଦ୍ଧ ତଥା ବୃହତ ଉଦ୍ୟମ । ଏହା ଛଡ଼ା ଏହି ଦୁଇ ଖଣ୍ଡ ବହି, ଓଡ଼ିଶା ସମ୍ବନ୍ଧରେ ସେ ସମୟ ପର୍ଯ୍ୟନ୍ତ ଉପଲବ୍ଧ ସମସ୍ତ ଦସ୍ତାବେଜର ନିରପେକ୍ଷ ମୂଲ୍ୟାୟନ କରି, ରାଇଜର ଏକ ସାମାଜିକ ଇତିହାସ ରଚନା କରିବାର ପ୍ରଥମ ସଚ୍ଚା ପ୍ରଚେଷ୍ଟା । ଯଦିଓ ଏହା ପୂର୍ବରୁ ଏ. ଷ୍ଟର୍ଲିଙ୍ ଓ ଜେମ୍‌ସ୍ ଫର୍ଗୁସନ୍ ଆଦି ବିଦ୍ୱାନମାନେ ଏ ବିଷୟରେ କିଛି କିଛି କାମ କରି ଯାଇ ଥିଲେ ।

ଏଣୁ ଆମେ ଗର୍ବର ସହିତ ଏହା କହି ପାରିବା ଯେ, ଜଣେ ଭାରତୀୟଙ୍କ ଦ୍ୱାରା ରଚିତ, ପ୍ରକୃତ ଅର୍ଥରେ ଆଧୁନିକ, ପ୍ରଥମ ଇତିହାସ - 'ଆଣ୍ଟିକ୍ୟୁଟିଜ୍ ଅଫ୍ ଓଡିଶା' -  ଓଡ଼ିଶା ଉପରେ ରଚିତ ବୋଲି । ଏହି ବହି ଦୁଇଟି ଏବେ ବି ଭୁବନେଶ୍ୱର ତଥା ଓଡ଼ିଶାର ଐତିହ୍ୟ ସମ୍ପର୍କରେ ଆମର କଳ୍ପଲୋକ ତିଆରିରେ ସାହାଯ୍ୟ କରୁଛି । ଆଣ୍ଟିକ୍ୱିଟିଜ୍ ଅଫ୍ ଓଡ଼ିଶା’ର ପ୍ରଥମ ଖଣ୍ଡର ଉପକ୍ରମଣିକାରେ ରାଜେନ୍ଦ୍ରଲାଲ ବାବୁ ନାନାଦି ଦେଶୀ ଓ ବିଦେଶୀ ଉତ୍ସରୁ ସଙ୍ଗ୍ରହ କରି ଓଡ଼ିଶାର ଏକ କ୍ଷୁଦ୍ର ଅଥଚ ବିଧିବଦ୍ଧ ଇତିହାସ ରଚନା କରନ୍ତି ।

ଏହି ଖଣ୍ଡର ଦ୍ୱିତୀୟ ଅଧ୍ୟାୟରେ ସେ ଓଡ଼ିଆ ସ୍ଥାପତ୍ୟର ସାଧାରଣ ନିୟମଗୁଡ଼ିକ ନିର୍ଣ୍ଣୟ କରନ୍ତି; ଅନ୍ୟ ଅଧ୍ୟାୟଗୁଡ଼ିକରେ ସେ ଓଡ଼ିଆ ସ୍ଥାପତ୍ୟର ଅଲଙ୍କରଣ, ମନ୍ଦିରର ଶିଳ୍ପୀ ଓ ନିର୍ମାତା ମାନଙ୍କର ସାମାଜିକ ଅବସ୍ଥା, ତଥା ଓଡ଼ିଶାରେ ପ୍ରଚଳିତ ନାନାଦି ଧର୍ମାଚରଣର ଇତିହାସର ଓଡ଼ିଆ କଳା ଓ ସ୍ଥାପତ୍ୟର ସହିତ ସମ୍ପର୍କ ବିଷୟରେ ଆଲୋଚନା କରନ୍ତି ।

ଭୁବନେଶ୍ୱରର ମୁକ୍ତେଶ୍ୱର ମନ୍ଦିର ('ଆଣ୍ଟିକ୍ୱିଟିଜ୍ ଅଫ୍ ଓଡ଼ିଶା')

ଗ୍ରନ୍ଥଟିର ଦ୍ୱିତୀୟ ଖଣ୍ଡଟିରେ ଖଣ୍ଡଗିରି, ପୁରୁଣା ଭୁବନେଶ୍ୱର, ପୁରୀ, କୋଣାର୍କ ଓ ସତ୍ୟବାଦୀ, ତଥା ଯ।ଜପୁର ଆଦି ଅନ୍ୟ ଜାଗାର ପୁରାତାତ୍ତ୍ୱିକ ଗୁରୁତ୍ୱ ଥିବା ସ୍ଥାପତ୍ୟ ଓ ମନ୍ଦିର ଗୁଡ଼ିକର ସେ ଆଲୋଚନା କରନ୍ତି । ‘ଆଣ୍ଟିକ୍ୱିଟିଜ୍ ଅଫ୍ ଓଡ଼ିଶା’ର ଦୁଇଟି ଯାକ ଖଣ୍ଡରେ ଆମେ କେଉଁଠାରେ ବି ଓଡ଼ିଶା ଓ ଓଡ଼ିଆଙ୍କ ପ୍ରତି ବିଦ୍ୱେଷ ଦେଖିବାକୁ ପାଇବା ନାହିଁ । ବରଂ ସେ ଓଡ଼ିଶାର ମନ୍ଦିର ଓ ସ୍ଥାପତ୍ୟ ପ୍ରତି ଜଣେ ଦରଦୀ ଗବେଷକର ସ୍ୱଭାବସୁଲଭ ଆଗ୍ରହ ଦେଖାଇଛନ୍ତି: ଆମର ଐତିହର ଖୁଣ୍ଟିନାଟି ବର୍ଣ୍ଣନା କରିଛନ୍ତି, ତରଳ ଓ ସାବଲୀଳ ଇଂରାଜୀରେ ।  

ଓଡ଼ିଶା ଉପରେ ଏହି ବହି ଛଡ଼ା, ବୌଦ୍ଧ ଧର୍ମର ତୀର୍ଥ ସ୍ଥାନମାନଙ୍କ ଉପରେ ରଚିତ ‘ବୁଦ୍ଧ ଗୟା: ଦି ହର୍ମିଟେଜ୍ ଅଫ୍ ସାକ୍ୟ ମୁନି’ (୧୮୭୮), ବୈଦିକ ସଭ୍ୟତା ଉପରେ ରଚିତ ପ୍ରବନ୍ଧମାନଙ୍କର ସଙ୍କଳନ, ‘ଇଣ୍ଡୋ-ଆର୍ୟନ୍‌ସ୍’ (୧୮୮୧), ତଥା ବୌଦ୍ଧ ଅବଦାନ ସାହିତ୍ୟ ଉପରେ ଲିଖିତ ‘ଦି ସାନ୍ସ୍‌କ୍ରିଟ୍ ବୁଦ୍ଧିଷ୍ଟ୍ ଲିଟରେଚର୍ ଅଫ୍ ନେପାଲ୍’ (୧୮୮୨), ଆଦି ଇଂରାଜୀ ଭାଷାର ବହିଗୁଡ଼ିକ ଭାରତରେ ପ୍ରାଚ୍ୟବିଦ୍ୟା ପ୍ରତି ମହତ୍ୱପୂର୍ଣ୍ଣ ଅବଦାନ ।

ଇତିହାସ ଚର୍ଚ୍ଚା ପ୍ରତି ରାଜେନ୍ଦ୍ରଲାଲଙ୍କର ଅଭିବିନ୍ୟାସ ସମ୍ପୂର୍ଣ୍ଣ ଭାବରେ ବସ୍ତୁନିଷ୍ଠ ଥିଲା । ଭାରତୀୟ ଇତିହାସ ଚର୍ଚ୍ଚାର ପରିପ୍ରେକ୍ଷୀରେ, ଶିଳାଲେଖ, ମୁଦ୍ରା ଓ ନାନାଦି ପୋଥିର ଆବିଷ୍କାର, ତହିଁର ଲିପି ଓ ଭାଷାର ପାଠ ଓ ଅର୍ଥର ଉଦ୍ଧାର କରିବାର ପ୍ରକ୍ରିୟା ଆଦିକୁ ସୁସଙ୍ଗତ ରୂପ ଦେବାରେ ତାଙ୍କର ଭୂମିକା ଅନସ୍ୱୀକାର୍ଯ୍ୟ । ଉଦାହରଣ ସ୍ୱରୂପ, ଶକମାନଙ୍କର ପଞ୍ଜିକା ତଥା ଇଂରେଜମାନେ ବ୍ୟବହାର କରୁଥିବା ଗ୍ରିଗୋରିୟ କ୍ୟାଲେଣ୍ଡର ମଧ୍ୟରେ ସମ୍ପର୍କର ସୂତ୍ର ବାହାର କରି, ସେ ପ୍ରଥମେ କନିଷ୍କଙ୍କର ରାଜ୍ୟାଭିଷେକର ସଠିକ ସାଲ ନିର୍ଣ୍ଣୟ କରିବାରେ ସଫଳ ହୋଇ ଥିଲେ । ସେହି ପରି ସେ ପାଳ ଓ ସେନ ବଂଶର ଶିଳାଲେଖ ଉଦ୍ଧାର କରି ସେଥିର ପାଠ ନିର୍ଣ୍ଣୟ ଦ୍ୱାରା ମଧ୍ୟଯୁଗୀୟ ପୂର୍ବ ଭାରତର ଅଜଣା ଇତିହାସ ଉପରୁ ପରଦା ହଟାଇ ଥିଲେ । ଭାରତରେ ଫିଲଲଜି ବା ଶବ୍ଦତତ୍ତ୍ୱର ଆଲୋଚନାର ମୂଳଦୁଆ ମଧ୍ୟ ରାଜେନ୍ଦ୍ରଲାଲ ହିଁ ପକାଇ ଥିଲେ ।

୧୮୫୬ ମସିହାରେ ଯେବେ ‘ଫଟୋଗ୍ରାଫିକ୍ ସୋସାଇଟି ଅଫ୍ ବେଙ୍ଗଲ୍’ ଗଠିତ ହେଲା, ସେ ଥିଲେ ଏହାର ମୂଳ ଉଦ୍ୟୋକ୍ତାଙ୍କ ଭିତରୁ ଜଣେ । ଆରମ୍ଭରୁ ହିଁ ସେ ଏହି ସମାଜର କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ । ଏହି ସୋସାଇଟିର ପତ୍ରିକାର ପ୍ରଥମ ତିନୋଟି ଖଣ଼୍ଡରେ ସେ ଅନୁବାଦ ସମେତ ପାଞ୍ଚଟି ଲେଖା ପ୍ରକାଶିତ କରିଥିଲେ । ତାଙ୍କ ସମୟର ଜଣେ ମୁକ୍ତବୃତ୍ତି ଚିତ୍ରୋତ୍ତଳକ ଭାବରେ ସେ ଜଣାଶୁଣା ଥିଲେ । ଭାରତରେ, ବିଶେଷତଃ ବଙ୍ଗଳାରେ, ଫଟୋଗ୍ରାଫିର ପ୍ରଚାରପ୍ରସାର ପାଇଁ ସେ ଅନେକ କାମ କରି ଯାଇଛନ୍ତି । ଏହି ସନ୍ଦର୍ଭରେ 'ଆଣ୍ଟିକ୍ୱିଟିଜ୍ ଅଫ୍ ଓଡିଶା'ରେ ସ୍ଥାନ ପାଇ ଥିବା ଓଡ଼ିଶା ଓ ଭୁବନେଶ୍ୱରର ମନ୍ଦିରର ଫଟୋଗୁଡ଼ିକ ଉଲ୍ଲେଖଯୋଗ୍ୟ । ଅନେକ କ୍ଷେତ୍ରରେ ଏହି ସ୍ଥାପତ୍ୟଗୁଡ଼ିକର ପ୍ରଥମ ଫଟୋଗୁଡ଼ିକ ରାଜେନ୍ଦ୍ରଲାଲ ହିଁ ଉଠାଇବାର ବ୍ୟବସ୍ଥା କରାଇଥିଲେ । କେବଳ ଫଟୋଗ୍ରାଫି ନୁହଁ, କଳାଜଗତର ଅନ୍ୟାନ୍ୟ ବିଭାବରେ ତାଙ୍କର ଆଗ୍ରହ ଥିଲା ।  ଭାରତରେ ଚାରୁକଳା ଶିକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥିବା ‘ଶିଳ୍ପ ବିଦ୍ୟୁତ ସାହିନି ସଭା’ର ସେ ସମ୍ପାଦକ ଥିଲେ । ଏହି ସଭା ହିଁ ୧୮୫୪ ମସିହାର ଅଗଷ୍ଟ ମାସରେ ‘ସ୍କୁଲ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଆର୍ଟ୍’ ର ସ୍ଥାପନା କରି ଥିଲେ, ଯାହା ପରେ କଲିକତାର ‘କଲେଜ୍ ଅଫ୍ ଆର୍ଟ୍‌ସ୍ ଆଣ୍ଡ୍ କ୍ରାଫ୍ଟ‌ସ୍‌’ର ରୂପ ନେଲା ।

୧୮୨୮ ମସିହାର ଏସିଆଟିକ୍ ସୋସାଇଟିର ଚିତ୍ର (ୱିକିମିଡିଆ କମନ୍ସ୍)

ଏହି ଆଲୋଚନାରୁ ସୁସ୍ପଷ୍ଟ ଯେ, ଉନବିଂଶ ଶତାବ୍ଦୀର ଭାରତ ଓ ବଙ୍ଗ ଦେଶରେ ପୁର୍ନଜାଗରଣକୁ ଆକାର ଦେବାରେ ରାଜେନ୍ଦ୍ର ଲାଲ ମିତ୍ରଙ୍କର ଏକ ମୁଖ୍ୟ ଭୂମିକା ଥିଲା । ୨୬ ଜୁଲାଇ ୧୮୯୧ରେ ଆରପାରିକୁ ଚାଲି ଯିବା ପର୍ଯ୍ୟନ୍ତ, ନିଜର ସମସ୍ତ ବୌଦ୍ଧିକ କର୍ମ ଛଡ଼ା, ସେ ନାନାଦି ଜାତୀୟ କାମରେ ସମ୍ପୃକ୍ତ ରହୁ ଥିଲେ । ବଙ୍ଗଳାରେ ଅନେକ ଗ୍ରନ୍ଥ ରଚନା କରି, ଭାଷାଟିକୁ ଆଧୁନିକ ଜ୍ଞାନଚର୍ଚ୍ଚାର ବାହନ କରିବା ପାଇଁ, ସେ ଉଦ୍ୟମ କରିଥିଲେ । ଆରମ୍ଭରୁ ହିଁ ଭାରତୀୟ ଜାତୀୟ କଙ୍ଗ୍ରେସର କାର୍ଯକଳାପରେ ସେ ରୁଚି ରଖିଥିଲେ ଏବଂ ଏହାର କଲିକତାରେ ଅନୁଷ୍ଠିତ ଦ୍ୱିତୀୟ ବାର୍ଷିକ ସମ୍ମିଳନୀର ସ୍ୱାଗତ ସମିତିର ସଭାପତି ଭାବରେ କାମ ବି କରିଥିଲେ । ଉନବିଂଶ ଶତାବ୍ଦୀରେ ହୋଇଥିବା ଓଡ଼ିଆନ୍ଦୋଳନ ସମୟରେ ଓଡ଼ିଆଙ୍କ ବିରୁଦ୍ଧରେ ଦେଇ ଥିବା କିଛି ଅପମାନଜନକ ମନ୍ତବ୍ୟ ପାଇଁ ତାଙ୍କୁ ଓଡ଼ିଶାରେ ଆମେ ଏବେ ପ୍ରାୟତଃ ମନେ ରଖୁ । କିନ୍ତୁ ଏପରି ଏକ ଝରକା ଦେଇ ଏଇ ଭଳି ଜଣେ ମଣିଷଙ୍କୁ ଦେଖିବା ଦ୍ୱାରା ଆମେ ଯେ କେବଳ ଉନବିଂଶ ଶତାବ୍ଦୀର ଭାରତୀୟ ପୁର୍ନଜାଗରଣର ମୁଖ୍ୟ ଚରିତ୍ରଙ୍କ ଛବିକୁ ବିକୃତ କରୁଛୁ ତାହା ନୁହେଁ, ବରଂ ଭୁବନେଶ୍ୱର ଓ ଓଡ଼ିଶାର ସଂସ୍କୃତିକୁ ପଞ୍ଜିକୃତ କରିଥିବା ଏହି ବ୍ୟକ୍ତିଙ୍କ ଆମର ଇତିହାସ ପ୍ରତି ଥିବା ମହତ୍ତ୍ୱପୂର୍ଣ୍ଣ ଯୋଗଦାନ କଥାକୁ ମଧ୍ୟ ଭୁଲି ଯାଉଛୁ  

ବି.ଦ୍ର.: ଏହି ଲେଖାଟି ନିତିଦିନ ଦୈନିକ ଖବରକାଗଜର ୨ ଫେବୃଆରି ୨୦୧୯ ତାରିଖର ସ‌ଂସ୍କରଣର ନବମ ପୃଷ୍ଠାରେ ଅତୀତର ଅନ୍ୱେଷଣ ଶୀର୍ଷକରେ ଛପାଯାଇଥିଲା ।

4 comments:

  1. So many things I did know from this write up, thnx Sailen ji for this effort. History will remember you equally 😊

    ReplyDelete
    Replies
    1. I did not know these aspects of our past as well, till I started looking at things a little closely for some work. We live in times when forgetfulness is built into the very fabric of how things are run. Thanks for the feedback. Pranam.

      Delete
  2. An extremely valuable piece to keep an account of the torch bearers like Rajendralal and likes. Extremely needed effort put. We are to be reminded of them the way they had spent their sweat and blood and had reminded us of our ancient and medieval heritage that were going into oblivion.. Kudos Sailen, the modern book keeper of our heritage.. Take a bow..

    ReplyDelete

ତେଲ , ଅଫିମ ତଥା ଔପନିବେଶବାଦ:  ଏକ ଭିନ୍ନ ପଠନ ଶୈଲେନ ରାଉତରାୟ ଏହି ପ୍ରବନ୍ଧଟି ଦୁଇଟି ବହିର ଆଲୋଚନା ଉପରେ ପର୍ଯ୍ୟବେଶିତ । ପୁସ୍ତକ ଦୁଇଟି ମଧ୍ୟରୁ ଗୋଟିଏ ନନ୍-ଫି...