Wednesday, October 14, 2020

ନିଶାକର ବାବୁଙ୍କ ପିଲାଦିନ: ସିଂହପୁରରେ ଖିଆପିଆ

ଶୈଲେନ ରାଉତରାୟ


ମହାନଦୀର ତ୍ରିକୋଣଭୂମି (ୱିକିମିଡିଆ କମନ୍ସ୍)

ଶ୍ରୀ ନିଶାକର ଦାସ ଜଣେ ଗାନ୍ଧିବାଦୀ ସର୍ବୋଦୟ କର୍ମୀ । କୋରାପୁଟର ମାଳ ଅଞ୍ଚଳରେ ଅର୍ଦ୍ଧ ଶତାବ୍ଦୀରୁ ଉର୍ଦ୍ଧ ସମୟ ସେ କାମ କରିଛନ୍ତି । ଜାତିରେ ପାଣ ବୈଷ୍ଣବ । ଖରସୁଆଁ ନଇକୂଳ ସିଂହପୁର ଗାଁର ଲୋକ ସେ । ତାଙ୍କ ବାପାଙ୍କର ନାମ ଭାଇଗି ଦାସ ଆଉ ବୋଉଙ୍କର ନାଁ ସର ଦେଈ ।
ବାପାଙ୍କୁ ମିଶାଇ ତାଙ୍କ ଜେଜେଙ୍କର ଚାରି ପୁଅ । ମାତ୍ର ଭାଇମାନେ ନିଜ ନିଜ ବିଭାଘରର ଅଳପ ସମୟ ଭିତରେ ଭାଗ ଭାଗ ହୋଇ ଅଲଗା ରହିବାକୁ ଲାଗିଲେ।  ନିଶାକର ଆଜ୍ଞାଙ୍କର କୂଳର ବୃତ୍ତି ଥିଲା ପୁରୋହିତ କାମ କରିବା ।
ଜାତି ଭାଇଙ୍କ ଘରେ ବିବାହ ଓ ଶ୍ରାଦ୍ଧାଦି କର୍ମ କରି ବାପା ଓ ଦାଦା ମାନେ କୁଟୁମ୍ବ ପୋଷୁଥିଲେ । ତାହା ଛଡ଼ା ମଜୁରୀ ଲାଗିବା ଉପାର୍ଜନର ଆଉ ଏକ ବାଟ ଥିଲା । ତୁଳସୀ ଗଛରୁ ମାଳି କାଟି ଓ ତାହାକୁ ରଙ୍ଗ କରି ବିକିରି କରିବା ମଧ୍ୟ ଆୟର ଆଉ ଗୋଟିଏ ବାଟ ଥିଲା ।
ସ୍ୱାଧୀନତା ପୂର୍ବର ସିଂହପୁରରେ ସମସ୍ତଙ୍କ ଘରେ ମାଟି ହାଣ୍ଡିରେ ରନ୍ଧା ହେଉଥିଲା । କଂସା ତାଟିଆଟିରେ ପରସା ହୁଏ ଯାହା । ଏମିତିରେ ବାଢ଼ିବା ପାଇଁ ମଧ୍ୟ ମାଟିର ପରଶୁଣି ବ୍ୟବହାର ହେଉଥିଲା, ବିଶେଷରେ ପଖାଳ ଇତ୍ୟାଦି ପରଶିବା ପାଇଁ । ସେତେବେଳେ ବିଲରେ ବଢ଼ି ବେଳେ ପଟୁ ମାରୁ ଥିଲା । ପଟୁମାଟି ମାଡ଼ି ଯାହା ଚାଉଳ ଗଣ୍ଡିଏ ହେଉଥିଲା, ତାହା ଏତେ ସୁଆଦିଆ ଥିଲା ଯେ, ଖାଲି ଲୁଣଲଙ୍କା ଲଗେଇ ଭାତ ଖାଇବାକୁ ସୁଆଦିଆ ଲାଗୁଥିଲା ।
ସେ ଚାଉଳର ଭାତ ଖାଇ ଲୋକେ ମଧ୍ୟ ଦମ୍ଭ ରହୁଥିଲେ । ସେ ସମୟରେ ପାଣ ବୈଷ୍ଣବ ଜାତିର ଲୋକେ ପାଣ ଜାତିର ଲୋକଙ୍କ ଘରେ ପୁରୋହିତ କର୍ମ କରିବାକୁ ଗଲେ ତାଙ୍କ ହାତ ରନ୍ଧା ଭାତ ତୁଣ ଆଦି ଖାଆନ୍ତି ନାହିଁ । ସେତେବେଳେ କଡ଼େଇ ଇତ୍ୟାଦି ନଥିଲା।  ନୂଆ ମାଟି ଆଟିକା ବା ପିତଳର ଛୋଟ ଆଟିକା ଥିଲେ ସେଥିରେ ସଞ୍ଜା ଆଣି ନିଜେ ରାନ୍ଧି ହାତ ରନ୍ଧା ଖାଇବା ଦରବ ଭୋଜନ କରନ୍ତି ।
ପାଣ ବୈଷ୍ଣବମାନେ ସେତେବେଳେ ତଥାକଥିତ ସବର୍ଣ୍ଣମାନଙ୍କ ଘରେ ବା ସେମାନଙ୍କ ବିବାହ ବ୍ରତ ଇତ୍ୟାଦିରେ ମଧ୍ୟ ଖାଉ ନଥିଲେ। କାରଣ ସେମାନେ ଛେଳି, କୁକୁଡ଼ା ଆଦି ଭୁଞ୍ଜୁ ନଥିଲେ, କି ଯେଉଁମାନେ ଏସବୁ ଆମିଷାଦି ଦରବ ଖାଉଥିଲେ, ସେମାନଙ୍କ ଘରେ ବି ଖାଉ ନଥିଲେ ।ସବର୍ଣ୍ଣମାନେ କୁକୁଡ଼ା ଓ ଛେଳି ଇତ୍ୟାଦି ଖାଉଥିବାରୁ ପାଣ ବୈଷ୍ଣବମାନେ ସେମାନଙ୍କୁ ଘୃଣା କରୁଥିଲେ ଓ ସେମାନଙ୍କ ଘରେ ଖାଉ ନଥିଲେ  । 
ବୈଷ୍ଣବମାନେ ଓ ବିଶେଷତଃ ପାଣ ବୈଷ୍ଣବମାନେ କେବଳ ମାଛ ଓ ଶୁଖୁଆ ଖାଉଥିଲେ । କୁକୁଡ଼ା, ଅଣ୍ଡା, ଅନ୍ୟ କୌଣସି ପ୍ରକାରର ମାଂସ ଓ ଅନ୍ୟାନ୍ୟ ଆମିଷାଦି ଜରବ ତାଙ୍କ ଜାତିର ଲୋକେ (ଅର୍ଥାତ୍ ପାଣ ବୈଷ୍ଣବମାନେ) ଖାଉ ନଥିବାରୁ  ନିରାକାର ବାବୁ ମାଛ ଓ ଶୁଖୁଆ ଛଡ଼ା ମାଂସ ଓ ଅଣ୍ଡା ଇତ୍ୟାଦି କେବେ ନିଜ ଜୀବନରେ ଭକ୍ଷଣ କରି ନାହାନ୍ତି ।
ପିଲାବେଳେ ସଙ୍ଗଦୋଷରୁ ନିଶାକରଙ୍କର ପିକା, ବିଡ଼ି, ପାନ, ଚୂନ, ଦୋକତା ଇତ୍ୟାଦିର ଅଭ୍ୟାସ ଥିଲା । ମାତ୍ର ପରେ ସର୍ବୋଦୟ ଆନ୍ଦୋଳନରେ ମିଶିଲା ପରେ ଏ ଅଭ୍ୟାସ ସବୁ ଛାଡ଼ି ଗଲା । ମାତ୍ର ସେ କେବେ ମଦ, ହାଣ୍ଡିଆ, ସଳପ, ଗଞ୍ଜେଇ, ଚାହା, କଫି ଇତ୍ୟାଦି ନିଶା ଦରବ ସେବନ କରି ନାହାନ୍ତି ।
ପିଲାବେଳେ ସିଂହପୁରରେ ରାନ୍ଧିବା ଓ ପିଇବା ପାଇଁ ଗାଁ ପାଖର ଖରସୁଆଁ ନଈର ପାଣିକୁ ବ୍ୟବହାର କରିବାକୁ ପଡ଼େ । ବର୍ଷାଦିନେ ନଈରେ ବହେ ଗୋଳିଆ ପଟୁମାଟି । ନଇ ବଢ଼ିଲେ ସେଥିରେ ଭାସନ୍ତି ମଲା ମଣିଷ ଓ ଗୋରୁଗାଈ । ଗାଁ ଲୋକଙ୍କୁ ସେହି ପାଣି ବ୍ୟବହାର କରିବାକୁ ପଡ଼େ । ଲୋକେ ମାଠିଆ ଗରିଆ ଇତ୍ୟାଦିରେ ସେହି ପାଣିକୁ ନେଇ ଥିର କରି ବସେଇ ରଖନ୍ତି । ପଟୁ ଓ ମସିଆ ଆଦି ବସିଗଲେ ସେହି ପାଣିକୁ ପିଇବା ଓ ରାନ୍ଧିବା ନିମନ୍ତେ ବ୍ୟବହାର କରନ୍ତି ।
ନିଶାକର ବାବୁଙ୍କ ଘର ପାଖରେ ଏକ ତଥାକଥିତ ଉଚ୍ଚ ଜାତିର କୂଅ ଥିଲା । ମାତ୍ର ନିଶାକର ବାବୁଙ୍କର ପରିବାରକୁ ତାହା ଛୁଇଁବାର ବି ଅଧିକାର ନଥିଲା । କୂଅର ମାଲିକ ପାଣି କାଢ଼ି ତାଙ୍କ ପରିବାରର ଗରିଆ ବା ମାଠିଆକୁ ନ ଛୁଇଁ ସେଥିରେ ଢ଼ାଳି ଦିଅନ୍ତି । ସେହି ଜଳକୁ ତାଙ୍କ ଘର ଲୋକେ ପିଇବା ଓ ରାନ୍ଧିବା ପାଇଁ ବ୍ୟବହାର କରନ୍ତି ।  ସେତେବେଳେ କୂଅର ସଙ୍ଖ୍ୟା ହାତଗଣତି ଥିଲା । ପ୍ରାୟତଃ ଲୋକେ ନଦୀର ପାଣି ବ୍ୟବହାର କରୁଥିଲେ ।
ନିଶାକର ବାବୁଙ୍କର ପରିବାର ବହୁତ ଗରୀବ ଥିଲା । ବେଳେ ବେଳେ ଲୁଣ ଲଙ୍କା ନଗେଇ ଅଳ୍ପ ଭାତ ଖାଇ ଓ ପେଟେ ତୋରାଣି ପିଇ ଚଳେଇ ନେବାକୁ ପଡ଼ୁଥିଲା । ସକାଳେ ଓ ଖରାବେଳେ ପଖାଳ । ରାତିରେ ଗରମ ଭାତ ଓ ଚାଉଳ ନ ଥିଲେ ପିଠା । କେବେ କେବେ ଶାଗ ଭଜା ଓ ଶୁଖୁଆପୋଡ଼ା ସହିତ ପଖାଳଭାତ ଖିଆଯାଏ ।
ପୌଷମାସରେ ନିଶାକର ବାବୁଙ୍କର ମା ଖରସୁଆଁ ନଈ ସେପାରିକୁ ବିରି ଓପାଡ଼ି ଯାଆନ୍ତି । ମଜୁରୀରେ ଟଙ୍କା ବଦଳରେ ମିଳେ ବିରି ଗଛ । ତାହାକୁ ଶୁଖାଇ ଓ ରଗଡ଼ି, ଡାଲି ଓ ପିଠା ଭାବରେ ଖିଆ ଯାଏ । ବର୍ଷା ଦିନେ ବିଲରୁ ମା ସୁଆଁ ଆଣନ୍ତି । ତାହା ସହ ଘିନି ଆସନ୍ତି କଳମ୍ବ ଓ ମଦରଙ୍ଗା ଆଦି ଶାଗ ବି ।
ପୁରୋହିତ କର୍ମ କରି ଗଲେ ଚୁଡ଼ା, ମୁଢ଼ି, ହୁଡ଼ୁମ୍ବ ଇତ୍ୟାଦି ମିଳେ । ତାହା ମଧ୍ୟ ଜଳଖିଆ ଭାବରେ ଖିଆଯାଏ । ଘରେ କିଛି ଦିନ ଅଧିଆରୀରେ ଗାଈ ଗୋଟିଏ ଥିଲା । ମାତ୍ର କ୍ଷୀର, ଦହି ଓ ଘିଅ ବିକି ଘରର ଆୟ ବଢ଼େ । ପିଲାମାନେ ତାହାକୁ ପ୍ରାୟତଃ ଖାଆନ୍ତି ନାହିଁ । ଚଣା ସମୟରେ ଗାଁ ଲୋକଙ୍କ ବିଲରୁ ଚଣା ଛିନି ଖିଆ ଯାଏ । ବେଳେବେଳେ ନିଶାକର ବାବୁ ଖାଦ୍ୟାଭାବରେ ଓ ମାଡଗାଳି ଭୟରେ ଜାମୁକୋଳି ଖାଇ ଦିନସାରା ରହନ୍ତି ।
ବି.ଦ୍ର.: ଏଇ ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଥିଲା । ଏହାର ଉପାଦାନ ନିଶାକର ଦାସଙ୍କ ଆତ୍ମଜୀବନୀ 'ଖରସୁଆଁରୁ କୁଲାବିରି'ରୁ ନିଆଯାଇଛି । ବହିଟି ଭୁବନେଶ୍ୱରସ୍ଥ ସଂସ୍ଥା ଶିକ୍ଷାସନ୍ଧାନ ୨୦୦୫ ମସିହାରେ ଛାପିଥିଲେ । ଯେତେ ଦୂର ଅନୁମାନ ଏହା ଓଡ଼ିଆ ଭାଷାର ପ୍ରଥମ ଦଳିତ ଆତ୍ମଜୀବନୀ ।  ପୁରୀ ଜିଲ୍ଲାରେ ଦଳିତ ଜୀବନ ଶୀର୍ଷକରେ ଲିଖିତ ମୋର ଆଉ ଏକ ପ୍ରବନ୍ଧ ସ୍ୱାଧୀନତା ପୂର୍ବ କାଳର ଉପକୂଳ ଓଡ଼ିଶାର ଅନ୍ୟ ଏକ ଅଞ୍ଚଳ ସମ୍ବନ୍ଧରେ ସମାନ ବିଷୟରେ ସୂଚନା ପ୍ରଦାନ କରେ । 

2 comments:

  1. ପ୍ରବନ୍ଧଟି ପ୍ରାକ-ସ୍ୱାଧୀନତା ଓ ପରବର୍ତ୍ତୀ ସମୟର ସାମାଜିକ ଓ ଆର୍ଥିକ ସ୍ଥିତିର ଅବିକଳ ଧାରଣା ପ୍ରଦାନ କରୁଛି । ସାଧୁବାଦ

    ReplyDelete
    Replies
    1. ପ୍ରବନ୍ଧଟି ଆପଣଙ୍କୁ ଉପାଦେୟ ଲାଗିଲା ଜାଣି, ତାହା ପଛର ସାମାନ୍ୟ ଶ୍ରମ ସାର୍ଥକ ହେଲା ପରି ଲାଗୁଚି । ଧନ୍ୟବାଦ ।

      Delete

There are no places to get lost in anymore Sailen Routray Photographic art based on pastel chalks Photo credit: Wikimedia Commons/Dietmar Ra...