Thursday, April 1, 2021

ବିଂଶ ଶତାବ୍ଦୀର ପ୍ରାରମ୍ଭରେ ସମ୍ବଲପୁରରେ ହାଇସ୍କୁଲ ଶିକ୍ଷା

ଶୈଲେନ ରାଉତରାୟ 

୧୮୨୫ ମସିହାରେ ଅଙ୍କିତ ସମ୍ବଲପୁର ଦୁର୍ଗର ଦୃଶ୍ୟ (ୱିକିମିଡିଆ କମନ୍ସ୍)

ଭାରତଚନ୍ଦ୍ର ନାୟକ ପ୍ରାକ୍-ସ୍ୱାଧୀନତା କାଳର ପାଟଣା ଗଡ଼ଜାତର ରାଜଧାନୀ ବଲାଙ୍ଗୀରସ୍ଥ ମଧ୍ୟଇଂରାଜୀ ବିଦ୍ୟାଳୟରେ ପାଠପଢ଼ା ୧୯୦୨ ସାଲରେ ସାରନ୍ତି । ସେ ସମୟରେ ସମୁଦାୟ ପାଟଣା ରାଇଜରେ ଗୋଟିଏ ବି ଉଚ୍ଚବିଦ୍ୟାଳୟ ନ ଥିଲା; ତାହା ଅନେକ ପରେ ୧୯୧୭ ମସିହାରେ ଯାଇ ସ୍ଥାପିତ ହେଲା । ସେତେବେଳେ ଓଡ଼ିଶାରେ, ବିଶେଷତଃ ପଶ୍ଚିମ ଓଡ଼ିଶାର ଗଡ଼ଜାତ ମାନଙ୍କରେ, ଲୋକେ ବେଶି ପାଠଶାଠ ପଢ଼ୁ ନଥିଲେ ।

ମୂଳ କାରଣ ଥିଲା ଶିକ୍ଷା ପାଇଁ ସୁବିଧାର ଅଭାବ । ପାଖ ହାଇସ୍କୁଲ ଯାଇଁ ସମ୍ବଲପୁରରେ । ଏଣୁ ସଙ୍ଗତି ନ ଥିବା ବାପା ମା’, ଭାରତଙ୍କୁ ସମ୍ବଲପୁର ପଠାଇବା ପାଇଁ ମୋଟେ ରାଜି ନଥିଲେ । ବାପା ମାଆ ଙ୍କୁ ବୁଝାଇବା ପାଇଁ ସେ ନିଜର ଏମ୍.. ସ୍କୁଲର ପ୍ରଧାନଶିକ୍ଷକ ବାଲୁଙ୍କେଶ୍ୱର ମିଶ୍ରଙ୍କର ସାହାଯ୍ୟ ନିଅନ୍ତି । ବାଲୁଙ୍କେଶ୍ୱର ବାବୁ ଯେବେ କହିଲେ ଯେ, ଭାରତ ତାଙ୍କର ଧରମପୁଅ ଆଉ ସେ ତାଙ୍କର ସବୁ ଦାୟିତ୍ୱ ନେଉଛନ୍ତି, ସେମାନେ ଆଉ ବାଧା ଦେଲେ ନାହିଁ ।

ସେ ବର୍ଷ ବଲାଙ୍ଗୀରରେ ସ୍ଥିତ ମଧ୍ୟଇଂରାଜୀ ବିଦ୍ୟାଳୟରୁ ଚାରି ଜଣ ଛାତ୍ର ଉତ୍ତୀର୍ଣ୍ଣ ହୋଇଥିଲେ । ସେଥି ଭିତରୁ ଜଣେ ଗଲେ କଟକର ସର୍ଭେ ଇସ୍କୁଲୁରେ ପାଠ ପଢ଼ି  । ବାକି ତିନି ଜଣ ଯାକ ଯାତ୍ରା କଲେ ସମ୍ବଲପୁର, ସେଠିକାର ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ଲାଭ ପାଇଁ । ସମସ୍ତେ ୧୯୦୨ ମସିହାର ଅପ୍ରେଲ ମାସରେ ଯାଇ ସମ୍ବଲପୁର ଜିଲ୍ଲା ସ୍କୁଲରେ ନାଁ ଲେଖାଇ ସେଠାରେ ବିଦ୍ୟାରମ୍ଭ କଲେ । 

ପାଟଣାଗଡ଼ର ଏହି ତିନୋଟି ଛାତ୍ରଙ୍କ ଛଡ଼ା ସେହି ବ୍ୟାଚରେ ସୋନପୁର, କଳାହାଣ୍ଡି, ଖଡ଼ିଆଳ, ରାୟଗଡ଼ା ଓ ସାରଙ୍ଗଗଡ଼ରୁ ଛାତ୍ରମାନେ ଆସି ନାମ ଲେଖାଇଥିଲେ । ଏହା ଛଡ଼ା କିଛି ମରାଠିଭାଷୀ ଛାତ୍ର ମଧ୍ୟ ଯୋଗ ଦେଇଥିଲେ । ଅର୍ଥାତ୍, ଉଚ୍ଚ ବିଦ୍ୟାଳୟର ଶିକ୍ଷା ସ୍ତରରେ ସେତେବେଳର ସମ୍ବଲପୁର ଜିଲ୍ଲା ସ୍କୁଲରେ ଗୋଟିଏ ବିସ୍ତୀର୍ଣ୍ଣ ଅଞ୍ଛଳରୁ ଛାତ୍ର ଯୋଗ ଦେଉଥିଲେ - ଯଦିଓ ବହୁଳାଂଶ ଥିଲେ ଓଡ଼ିଆଭାଷୀ, ବିଶେଷତଃ ପଶ୍ଚିମ ଓଡ଼ିଶାର ନାନାଦି ଗଡ଼ଜାତ ରାଇଜମାନଙ୍କରୁ । 

ସେବେ ଏହି ସ୍କୁଲଟିରେ ପ୍ରାୟତଃ ଶିକ୍ଷକ ମରହଟ୍ଟା କିମ୍ବା ହିନ୍ଦୁସ୍ଥାନୀ ଥିଲେ । ଖାଲି ତଳ ଶ୍ରେଣୀମାନଙ୍କରେ ସମ୍ବଲପୁରର କିଛି ଲୋକେ ଶିକ୍ଷକତା କରୁଥିଲେ । ହେଲେ ଭାରତ ଛାତ୍ର ଥିବା ସମୟରେ ବିଦ୍ୟାଳୟଟିର ପ୍ରଧାନଶିକ୍ଷକ ଥିଲେ ଦାଶରଥି ପାଣିଗ୍ରାହୀ - ତାଙ୍କ ଘର ବାଲେଶ୍ୱରରେ । ଓଡ଼ିଆ ପିଲାମାନଙ୍କ ଭିତରୁ ଅନେକ ଛାତ୍ର ମରହଟ୍ଟୀ ଓ ହିନ୍ଦୁସ୍ଥାନୀ ଙ୍କ ଭଳି ମଥାରେ ଟୋପି ନାଇ ଇସ୍କୁଲୁକୁ ଆସୁଥିଲେ । 

ସ୍କୁଲଲେ ନାମ ଲେଖାଇବା ପରେ, ଭାରତଙ୍କର ବିଦ୍ୟାଳୟର ନିଜ ଛାତ୍ରାବାସରେ ରହିବାର ବ୍ୟବସ୍ଥା ହେଲା । ସେଠି ମେସ୍ ମଧ୍ୟ ଥିଲା । ଛାତ୍ରାବାସରେ ମେସ୍ ଖର୍ଚ୍ଚ ତିନି ଟଙ୍କା । ବିଦ୍ୟାଳୟର ଦରମା ଥିଲା ମାସିକ ଦୁଇ ଟଙ୍କା । ଏଣୁ ପାଟଣା ରାଜ୍ୟ ତରଫରୁ ମିଳୁ ଥିବା ମାସିକ ଛଅ ଟଙ୍କା ଛାତ୍ରବୃତ୍ତିରୁ ଦରମା, ରହିବା ଓ ଖାଇବା ଖର୍ଚ୍ଚ ଯାଇ ବଳୁଥିଲା ମାତ୍ର ଟଙ୍କାଏ । ସେଇଥିରୁ ହିଁ ବହି, ଲୁଗାପଟା, କିରାସିନି ଇତ୍ୟାଦିର ଖର୍ଚ୍ଚବାର୍ଚ୍ଚ ଉଠାଇବାକୁ ପଡ଼ୁଥିଲା । 

ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ଇଂରାଜୀ, ସାହିତ୍ୟ, ଗଣିତ, ସଂସ୍କୃତ, ଭାରତ ଓ ବିଲାତ ର ଇତିହାସ ଓ ଭୂଗୋଳ, ତଥା ପ୍ରାଥମିକ ପଦାର୍ଥ ବିଜ୍ଞାନ ପଢ଼ିବାକୁ ହେଉଥିଲା । ଇଂରାଜୀର ଏକ ବିଶେଷ ସ୍ଥାନ ଥିଲା: ଏଣ୍ଟ୍ରାନ୍ସ ପରୀକ୍ଷାରେ ଦୁଇଟି ପେପର୍ କେବଳ ଏଥି ପାଇଁ ଥିଲା; ଯାହା ମଧ୍ୟରୁ ଗୋଟିଏ କେବଳ ଇଂରାଜୀ ବ୍ୟାକରଣ ବିଷୟକ । ଯେହେତୁ ସେତେବେଳେ ସମ୍ବଲପୁର ମଧ୍ୟପ୍ରଦେଶ ଅଧୀନରେ ଥିଲା, ସାହିତ୍ୟ ଭାବରେ ହିନ୍ଦୀ ସାହିତ୍ୟ ପଢ଼ିବାକୁ ହେଉଥିଲା ।

ସ୍କୁଲରେ ଶିକ୍ଷକମାନେ ମନ ଦେଇ ପାଠ ପଢ଼ାଉଥିଲେ । ଟିଉସନର ନାମଗନ୍ଧ ନ ଥିଲା । ଏପରିକି ପ୍ରଧାନଶିକ୍ଷକ ଦାଶରଥି ବାବୁ ପରୀକ୍ଷା ପୂର୍ବରୁ ରାତିରେ ହଷ୍ଟେଲକୁ ଆସି ପିଲାଙ୍କୁ ପଢ଼ାଉଥିଲେ । ହେଲେ ଭାରତ ବାବୁଙ୍କ ଅନୁସାରେ, ସେତେବେଳର ସମ୍ବଲପୁରର ପରିବେଶ ପାଠପଢ଼ା ପାଇଁ ଅନୁକୁଳ ନଥିଲା । କାରଣ ଶିକ୍ଷାର ପ୍ରସାର ସେବେ ସେଠାରେ ବେଶି ହୋଇ ନଥିଲା । ସେ ହାଇସ୍କୁଲର ଛାତ୍ର ଥିବା ସମୟରେ ସମ୍ବଲପୁରର ଗ୍ରାଜୁଏଟଙ୍କ ସଙ୍ଖ୍ୟା ଥିଲା ମାତ୍ର ଛଅ । 

ଏହି ସମୟରେ ହିଁ ସମ୍ବଲପୁରରୁ ଓଡ଼ିଆ ଭାଷାକୁ ଉଠାଇ ଦେବାକୁ ଅନେକ ବହିରାଗତ ଲୋକ ଦାବୀ କରିବାକୁ ଲାଗିଲେ । ଅଦାଲତରୁ ଓଡ଼ିଆ ଉଠି ବି ଗଲା । ଫଳସ୍ୱରୂପ ସମ୍ବଲପୁରବାସୀମାନେ ସଭାସମିତି କରି ଏହାର ବିରୋଧ କରିବାକୁ ଲାଗିଲେ । ଇଂରେଜ ଶାସକ ବର୍ଗଙ୍କ ଆଗରେ ଫେରାଦ ମଧ୍ୟ ହେଲେ । ଶେଷକୁ ୧୯୦୫ ମସିହାରେ ସମ୍ବଲପୁର ଆସି ବଙ୍ଗ ପ୍ରଦେଶରେ ଥିବା ଓଡ଼ିଶା ଡିଭିଜନ ସହ ମିଶିଲା ।

ସେତେବେଳେ ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ସମ୍ବଲପୁର ଜିଲ୍ଲା ସ୍କୁଲ କଲିକତା ବିଶ୍ୱବିଦ୍ୟାଳୟ ସହିତ ଅନୁବନ୍ଧିତ ଥାଏ । ସମ୍ବଲପୁରରେ ପରୀକ୍ଷା କେନ୍ଦ୍ର ନଥିଲା । ପରୀକ୍ଷା ଦେବା ପାଇଁ ସୁଦୂର କଟକ ଯିବାକୁ ପଡ଼ୁଥିଲା । ୧୯୦୪ ମସିହାରେ ମାର୍ଚ୍ଚ ମାସରେ ପରୀକ୍ଷା ହେବ ବୋଲି ସ୍ଥିର ହେଲା । ଭାରତଙ୍କର ବ୍ୟାଚ୍‌ରେ ସମ୍ବଲପୁର ଜିଲ୍ଲା ସ୍କୁଲରୁ ବଛାବଛି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଉଣେଇଶ ଜଣ ଛାତ୍ର ପରୀକ୍ଷା ଦେବା ପାଇଁ କଟକ ଯାତ୍ରା କଲେ ।

ସେବେର ରାସ୍ତାଘାଟର ଅବସ୍ଥା ନ କହିଲେ ଭଲ । ରାସ୍ତାଗୁଡ଼ିକ ପକ୍କା ନୁହେଁ । ଅନେକ ଜାଗାରେ ଜଙ୍ଗଲିଆ । ତାହା ଛଡ଼ା ବାଟ ସାରା ନଈ ନାଳ ଭର୍ତ୍ତି । ପୋଲ ଇତ୍ୟାଦି କଥା ଉଠାଇବା ବା କାହିଁକି । ଏହି ଅସୁବିଧାଗୁଡିକ ଯୋଗୁଁ ମଟରଗାଡ଼ିର ପ୍ରଚଳନ ବେଶି ନଥିଲା । ଏଣୁ ରେଳ ଥିଲା ଯାତାୟତର ଏକ ମାତ୍ର ନିର୍ଭରଯୋଗ୍ୟ ଉପାୟ । ହେଲେ ଓଡ଼ିଶା ଭିତର ଦେଇ ପୂର୍ବରୁ ପଶ୍ଚିମକୁ ସେବେ ରେଳ ଲାଇନ ଯାଇ ନଥିଲା । ଏଣୁ ସମ୍ବଲପୁରରୁ କଟକ ରେଳରେ ଆସିବାକୁ ହେଲେ, ନାକକୁ ବୁଲାଇ ବଙ୍କା ଧରି, ଖଡ଼ଗପୁର ଦେଇ ଯାତ୍ରା କରିବାକୁ ହେଉଥିଲା ।

ହେଲେ ରେଳରେ ଯିବାଆସିବା ବି କିଛି ବେଶି ସୁବିଧାଜନକ ନଥିଲା । ଖଡ଼ଗପୁର ସେବେ ବି ଏକ ବଡ଼ ଷ୍ଟେସନ ଥିଲା; ହେଲେ ସେଠି ଯାତ୍ରୀ ବିଶ୍ରାମାଗାର ଥିଲା ଅତି ନିକୃଷ୍ଟ ପ୍ରକାରର କଚ୍ଚା ଘରମାନ । ଟ୍ରେନ ଭିତରେ ପାଇଖାନା ନଥିଲା । ଏହା ଛଡ଼ା ରେଳ କମ୍ପାନୀ ପେୟଜଳର ମଧ୍ୟ କିଛି ବନ୍ଦୋବସ୍ତ କରୁ ନଥିଲେ । କିଣି କରି କିଛି ଖାଇବାର କଥା ଭୁଲି ଯିବା କଥା । ଓଡ଼ିଶାର ଷ୍ଟେସନମାନଙ୍କରେ କେବଳ ବାଲେଶ୍ୱର ଛଡ଼ା ଆଉ କେଉଁଠି କିଛି ଖାଦ୍ୟଦରବ ମିଳୁ ନଥିଲା ।

ଏହି ପରି ଯାତ୍ରା କରି ଆସି ପିଲାଏ କଟକରେ ପହଞ୍ଚିଲେ । ରାୟ ବାହାଦୁର ଗୋକୁଳାନନ୍ଦ ଚୌଧୁରୀ (ପ୍ରସିଦ୍ଧ ଓକିଲ ଓ ଓଡ଼ିଆ ଜାତୀୟ ଆନ୍ଦୋଳନର କର୍ମୀ ତଥା ଗୋପବନ୍ଧୁ ଚୌଧୁରୀ ଓ ନବକୃଷ୍ଣ ଚୌଧିୁରୀଙ୍କ ବାପା) ଙ୍କ ଘରେ ରହିବାର ବ୍ୟବସ୍ଥା ହେଲା । ପରୀକ୍ଷା ଉତ୍ତାରୁ ପିଲାଏ ପୁରୀ ବୁଲିବାକୁ ବାହାରିଲେ । 

ସେଠାରେ ଭାରତ ରହିଲେ ପୁରୀ ବ୍ରାହ୍ମଣ ସମିତି ବୋର୍ଡ଼ିଂରେ ଓ ସେଇଠି ତାଙ୍କର ଗୋପବନ୍ଧୁ ଦାସଙ୍କ ସହ ପରିଚିତି ହେଲା । ଏହା ସହ ସେ ମହାମହୋପାଧ୍ୟାୟ ସଦାଶିବ ମିଶ୍ରଙ୍କ ଠାରୁ ସଂସ୍କୃତ ବ୍ୟାକରଣ ମଧ୍ୟ ଶିଖିଲେ । ଜୁନ ମାସରେ ଏଣ୍ଟ୍ରାନ୍ସ ପରୀକ୍ଷାର ଫଳ ବାହାରିଲା । ସମ୍ବଲପୁର ଜିଲ୍ଲା ସ୍କୁଲରୁ ପରୀକ୍ଷା ଦେବାକୁ ଆସି ଥିବା ଉଣେଇଶ ଜଣଙ୍କ ଭିତରୁ ମାତ୍ର ତିନି ଜଣ ଛାତ୍ର ପାସ କରିଥିଲେ । 

ସେଥି ମଧ୍ୟରୁ ଭାରତ ଥିଲେ ଜଣେ । ପୁରୀ ଛାଡ଼ି ଆସି ସେ ୧୯୦୪ ମସିହାର ଜୁଲାଇ ମାସରେ କଟକରେ ରେଭେନ୍ସା କଲେଜରେ ନାମ ଲେଖାଇଲେ । ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ ହେଲା ।

ଲେଖକୀୟ ଟୀକାଏହି କ୍ଷୁଦ୍ର ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା ସମଦୃଷ୍ଟିରେ ଛପିଥିଲା । ଲେଖାଟିର ଉପାଦାନ ଭାରତଚନ୍ଦ୍ର ନାୟକଙ୍କର ଆତ୍ମଜୀବନୀର ୨୦୧୪ରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି; ‘ମୋର ପୂର୍ବସ୍ମୃତି କଥା ଶୀର୍ଷକର ଏହି ବହିଟିର ପ୍ରକାଶକ ହେଲେ କଟକସ୍ଥ ସଂସ୍ଥା ଅଗ୍ରଦୂତ । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୬୬ ମସିହାରେ ଛପାଯାଇଥିଲା; ଅଗ୍ରଦୂତ ଛାପିଥିବା ଦ୍ୱିତୀୟ ସଂସ୍କରଣର କପିରାଇଟ ପୃଷ୍ଠାରୁ ବହିର ପ୍ରଥମ ସଂସ୍କରଣ ବିଷୟରେ ବାକି କିଛି ପ୍ରକାଶକୀୟ ବିବରଣୀ ମିଳେନାହିଁ । ବହିରେ ଲେଖକ ଦେଇଥିବା ସୂଚନାରୁ ଜଣାପଡ଼େ ଯେ, ଏହାର ବହୁଳାଂଶ ପ୍ରଥମେ ମାସିକ ପତ୍ରିକା ନବଜୀବନରେ ପ୍ରାୟ ପାଞ୍ଚ ବର୍ଷ କାଳ ଧରି ଧାରାବାହିକ ଭାବରେ ସ୍ଥାନିତ ହୋଇଥିଲା ।     

4 comments:

  1. Replies
    1. ଆପଣଙ୍କ ଉତ୍ସାହବର୍ଦ୍ଧକ ମତାମତ ପାଇଁ ଧନ୍ୟବାଦ । ଓଡ଼ିଶା ଦିବସର ଶୁଭେଚ୍ଛା ।

      Delete
  2. Sailen babu, khub gabeshana o parishram kari eka eitihasika kama karuchanti. Anurodh, sabu blog ku ekathi kari e book karibe o print b karibe, samastanky padhibara subidha debe, khub sundar kama, yathu bali swadhina au ananda kama nahin, sadhubad janauchhi

    ReplyDelete
    Replies
    1. ପ୍ରଣାମ । ଆପଣଙ୍କର ମତାମତ ପାଇଁ ଧନ୍ୟବାଦ । ଆପଣ ଯାହା କହୁଚନ୍ତି, ତାହା ନିଶ୍ଚିତ ଭାବରେ ଅନୁସରଣୀୟ ।

      Delete

ପୁଷ୍ପ ବର୍ଗ ୧୨ ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ ଅନୁବାଦକ - ଶୈଲେନ ରାଉତରାୟ ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ ଓଡ଼ିଆ ପଦ୍ୟାନୁବାଦ ଚନ୍ଦନ, ଟଗର, ...