ମାର୍କସ ଅରିଲସଙ୍କର 'ବିଚାରମାଳା'
ପ୍ରଥମ କାଣ୍ଡ: ୧-୧୫ ଅଧ୍ୟାୟ
ଅନୁବାଦକ - ଶୈଲେନ ରାଉତରାୟ
୧. ମୋର ପିତାମହ ଭେରସ୍ ଙ୍କଠାରୁ ମୁଁ ପ୍ରଥମେ ଶିଖିଲି ସୌଜନ୍ୟ, ଶିଷ୍ଟାଚାର ଓ ସମଚିନ୍ତନ ।
୨. ମୁଁ ମୋ ପିତାଙ୍କଠାରୁ ଯାହା ଶୁଣିଛି ଏବଂ ସେଥିରୁ ଯାହା ମନେ ରଖିଛି, ସେଥିରୁ ମୁଁ ବିନା ଆଡ଼ମ୍ବରରେ କିପରି ନିଜର ପୌରୁଷତ୍ୱ ପ୍ରତିପାଦିତ କରାଯାଏ, ସେ ବିଷୟରେ ଶିଖିଲି ।
୩. ମୋର ମାତା ନିଜର ଉଦାହରଣ ଦ୍ୱାରା ମୋତେ ଶୀଳ, ସାଧୁତା ଓ ଔଦାର୍ଯ୍ୟ ଶିଖାଇଲେ । ସେ ମୋତେ କାର୍ପଣ୍ୟଠାରୁ ଦୂରରେ ରହିବା ମଧ୍ୟ ଶିଖାଇଲେ । ତାଙ୍କଠାରୁ ମୁଁ ଚିନ୍ତା ଓ ଆଚରଣରେ ସରଳତା ଶିଖିଲି, ଯାହା ଧନୀକମାନଙ୍କର ସାଧାରଣ ଅଭ୍ୟାସଠାରୁ ଭିନ୍ନ ଅଟେ।
୪. ମୋ ପ୍ରପିତାମହଙ୍କଠାରୁ ମୁଁ ଏହି ଶିକ୍ଷା ପାଇଲି ଯେ, ବିଦ୍ୟାଳୟଗୁଡ଼ିକରେ ଶିକ୍ଷା ପରିତ୍ୟାଗ କରି, ଗୃହରେ ଉତ୍ତମ ଶିକ୍ଷକମାନଙ୍କୁ ନିଯୁକ୍ତ କରିବା କଥା, ଏବଂ ଏଥି ପାଇଁ ଖର୍ଚ୍ଚରେ କାର୍ପଣ୍ୟ କରିବା ଅନୁଚିତ ।
୫. ମୋର ଗୃହଶିକ୍ଷକ ମୋତେ ରଥଚାଳନା, ମୁଷ୍ଟିଯୁଦ୍ଧ ଇତ୍ୟାଦିରେ ଆଗ୍ରହ ବିକଶିତ କରିବାରୁ ବାରିତ କଲେ । ସେ ମୋତେ କର୍ମଭୀରୁ ନ ହେବା ପାଇଁ, ନିଜର ଚାହିଦାକୁ ସୀମିତ ରଖିବା ପାଇଁ, ନିଜର ଆବଶ୍ୟକତାଗୁଡ଼ିକ ବିଷୟରେ ନିଜେ ଧ୍ୟାନ ଦେବା ପାଇଁ, କେବଳ ନିଜ କାମରେ ମନୋନିବେଶ କରିବା ପାଇଁ, ଓ ପରଚର୍ଚ୍ଚା କେବେ ନ ଶୁଣିବା ପାଇଁ ଉତ୍ସାହ ଯୋଗାଇଲେ ।
୬. ଡିଓଜ୍ଞେଟସ୍ ଙ୍କଠାରୁ ମୁଁ ତୁଚ୍ଛ, ମାମୁଲି, ସାଧାରଣ ସଉକ ଓ ଧନ୍ଦାରେ ମନୋନିବେଶ ନ କରିବା ଶିଖିଲି । ମୁଁ ଜାଦୁଗରମାନଙ୍କ ଓ ମନ୍ତ୍ରତନ୍ତ୍ର ଓ ଭୂତ ଛଡ଼େଇବାର କାହାଣୀ ଗପୁଥିବା ଗୁଣିଆମାନଙ୍କ ବିଷୟରେ ସଂଶୟର ବିକାଶ କରିବା; ଗଞ୍ଜା ଲଢ଼େଇ ଓ ଅନ୍ୟ ପ୍ରକାରର ବିବିଧ ଧ୍ୟାନ ବିକର୍ଷିତ କରୁଥିବା ବିଷୟ ପରିହାର କରିବା; ସ୍ପଷ୍ଟବାଦିତା ପ୍ରତି ବିଦ୍ୱେଷ ନ ରଖିବା ; ବାକିଅସ୍ ଙ୍କଠାରୁ ଆରମ୍ଭ କରି ଟାଣ୍ଡାଇସ୍ ଓ ମାର୍ସିଆନ୍ ଙ୍କର ଦର୍ଶନ ସହିତ ପରିଚିତି ବଢ଼ାଇବା; ଅଳ୍ପ ବୟସରୁ ପ୍ରବନ୍ଧ ରଚନା ଆରମ୍ଭ କରିବା; ଓ 'କନ୍ଥା ଓ ମେଷଚର୍ମ' ଇତ୍ୟାଦି ଗ୍ରୀକ୍ ଦର୍ଶନର ଶୃଙ୍ଖଳା ବିଷୟରେ ଉତ୍ସାହୀ ହେବା ଶିଖିଲି ।
୭. ମୁଁ ରଷ୍ଟିକସ୍ ଙ୍କ ଠାରୁ ଶିଖିଲି ଯେ, ମୋର ଚରିତ୍ରର ମଧ୍ୟ ଯତ୍ନ ନେବା ଦରକାର ଓ ତାହାକୁ ପ୍ରଶିକ୍ଷିତ କରିବା ଆବଶ୍ୟକ । ଏହା ମଧ୍ୟ ଶିଖିଲି ଯେ, କୁତର୍କ କରୁଥିବା ଲୋକମାନଙ୍କ ଦ୍ୱାରା ପ୍ରରୋଚିତ ହୋଇ କଳ୍ପିତ ପ୍ରବନ୍ଧ, ତଥାକଥିତ ଶିକ୍ଷାପ୍ରଦ ଉପଦେଶ, କିମ୍ବା, 'ତପସ୍ୱୀ' ବା 'ପରାର୍ଥବାଦୀ' ଇତ୍ୟାଦି କାଳ୍ପନିକ ବିବରଣୀ ଲେଖିବା ଅନୁଚିତ । ସେ ମୋତେ ଅଯଥା ବାକ୍ଚାତୁରୀ, କବିତା, ବାଚିକ ଗୁମାନ, ଘରେ ବା ବାହାରେ ଲୁଗାପଟାର ପ୍ରଦର୍ଶନ ଓ ତତ୍ ସମ ଅନ୍ୟାନ୍ୟ ରୁଚିଗତ ପ୍ରମାଦରୁ ଦୂରେଇ ରହିବା ଶିଖାଇଲେ । ସେ ମୋତେ ନିଜେ ସିନୁଏସା ଠାରେ ମୋର ମାତାଙ୍କୁ ଲେଖିଥିବା ଚିଠିର ପତ୍ରାତ୍ମକ ଶୈଳୀର ଅନୁକରଣ କରିବା ମଧ୍ୟ ଶିଖାଇଲେ । ତାଙ୍କଠାରୁ ମୁଁ ଶିଖିଲି ଯେ, କେହି ମୋ' ଠାରୁ ଏକ କ୍ରୋଧର କ୍ଷଣରେ ଦୂରେଇ ଯାଇ ପୁଣି ଶାନ୍ତି ଯାଚନା କଲେ ମୋତେ ତାଙ୍କୁ ଅଧା ରାସ୍ତାରେ ଆସି ଭେଟିବାକୁ ପ୍ରସ୍ତୁତ ରହିବା ଦରକାର । ଆହୁରି ମଧ୍ୟ ଶିଖିଲି ଯେ, ନିଜର ଅଧ୍ୟୟନରେ ସଠିକ୍ ହେବା କଥା ଓ ଅର୍ଥର ଗୋଟିଏ ସାଧାରଣ ଅବଧାରଣାରେ ସନ୍ତୁଷ୍ଟ ରହିବା ଅନୁଚିତ; ତଥା, ପ୍ରୀତିପଦ ଶୁଣାଯାଉଥିବା ବାଚାଳତାରେ ବିଶ୍ୱାସ ଜ୍ଞାପନ ଅକର୍ତ୍ତବ୍ୟ ଅଟେ । ସେ ମୋତେ ତାଙ୍କର ଗ୍ରନ୍ଥାଗାରରୁ ଏପିକ୍ଟେଟସ୍ ଙ୍କର 'ଡିସର୍ଟେସନସ୍'ର ଖଣ୍ଡେ ପ୍ରତିଲେଖ ଦେବାରୁ ହିଁ ମୋର ଗ୍ରନ୍ଥ ପରିଚିତି ଘଟିଲା ।
୮. ଆପୋଲୋନିଅସ୍ ମୋତେ ଦୈବାଶ୍ରୟୀ ନ ହୋଇ ନିଜ ପାଇଁ ନିଷ୍ପତ୍ତି ନିଜେ ନେବାର ଆବଶ୍ୟକତା ବିଷୟରେ ପ୍ରଭାବିତ କଲେ । ସେ ମୋତେ ମୂହୁର୍ତ୍ତେ ମାତ୍ର ମଧ୍ୟ ଯୁକ୍ତିକୁ ନଜର ଆଢ଼ୁଆଳ ନ କରିବା ପାଇଁ ଶିଖାଇଲେ । ସେ ମୋତେ ତୀତିକ୍ଷାର ସହିତ ଅସହ୍ୟ କଷ୍ଟର ଭାର, ନିଜର ପୁତ୍ରହାନି ଓ ଦୁରାରୋଗ୍ୟ ବ୍ୟାଧିର ବିରକ୍ତିକୁ ସହିବା ମଧ୍ୟ ଶିଖାଇଲେ । ସେ ନିଜେ ଏହି କଥାର ଜୀବନ୍ତ ପ୍ରମାଣ ଥିଲେ ଯେ, ପ୍ରଚଣ୍ଡ କ୍ରିୟାଶକ୍ତି ଓ ଆରାମ କରିପାରିବାର କ୍ଷମତା, ପରସ୍ପରର ବିରୋଧି ନୁହଁନ୍ତି । ତାଙ୍କର ବ୍ୟାଖ୍ୟାଗୁଡ଼ିକ ସବୁବେଳେ ପ୍ରାଞ୍ଜଳତାର ନମୁନା ଥିଲା ।ହେଲେ ଏହା ସ୍ପଷ୍ଟ ଥିଲା ଯେ, ସେ ନିଜର ବ୍ୟାବହାରିକ ଅନୁଭୂତିଗୁଡ଼ିକୁ ଓ ଦର୍ଶନଶାସ୍ତ୍ର ଅଧ୍ୟାପନାର କ୍ଷମତାକୁ, ନିଜର ସବୁଠାରୁ ନ୍ୟୁନତମ ସିଦ୍ଧି ବୋଲି ଭାବୁଥିଲେ । ସେ ହିଁ ମୋତେ, ଆତ୍ମସମ୍ମାନ ନ ହରାଇ ଓ ହୃଦୟହୀନ ଔଦାସ୍ୟର ବୋଧ ପ୍ରଦାନ ନକରି, କିପରି ବନ୍ଧୁମାନଙ୍କର କୃତ୍ରିମ ଅନୁଗ୍ରହଗୁଡ଼ିକୁ ଗ୍ରହଣ କରିହୁଏ, ତାହା ଶିଖାଇଥିଲେ ।
୯. ସେକ୍ସଟସ୍ ଙ୍କ ପାଖରେ ମୁଁ ଅନେକ ଭାବରେ ୠଣି । କରୁଣା ଓ ପିତୃତୁଲ୍ୟ କର୍ତ୍ତୃତ୍ତ୍ୱ ସହିତ ପରିବାରର ଶାସନ କରିବା, 'ପ୍ରାକୃତିକ ଜୀବନ'ର ଅସଲ ଅର୍ଥ, ଅଣ-ଆତ୍ମସଚେତନ ଭାବରେ ମହତ୍ତ୍ୱ ବଜାୟ ରଖିବା, ନିଜର ବନ୍ଧୁମାନଙ୍କର ସ୍ୱାର୍ଥରକ୍ଷା ପାଇଁ ସହଜାତ ଉଦବେଗ, ଓ ବିଦ୍ୟାନବୀସ୍ ତଥା ସ୍ୱପ୍ନଦର୍ଶୀ ମାନଙ୍କ ପ୍ରତି ଏକ ଉତ୍ତମଗୁଣଜାତ ଧୈର୍ଯ୍ୟ - ଏ ସମସ୍ତ ମୁଁ ତାଙ୍କଠାରୁ ଶିଖିଲି । ପ୍ରତି ବ୍ୟକ୍ତି ପାଇଁ ଯଥାର୍ଥ ସୌଜନ୍ୟ, ଯେ କୌଣସି ଚାଟୁଠାରୁ ବଳି ତାଙ୍କର ସଙ୍ଗକୁ ଅଧିକ ଶକ୍ତିଶାଳୀ ଭାବରେ ଆକର୍ଷଣୀୟ କରୁଥିଲା । ତାଙ୍କର ଆଚରଣ ବ୍ୟାପକ ଓ ଧାରାନୁକ୍ରମିକ ଭାବରେ ଜୀବନର ଆବଶ୍ୟକୀୟ ନିୟମଗୁଡ଼ିକୁ ନିର୍ଦ୍ଧାରିତ ଓ ନିୟମବଦ୍ଧ କରୁଥିଲା । ସେ କେବେ କ୍ରୋଧ କିମ୍ବା ଅନ୍ୟ କୌଣସି ଚିତ୍ତବୃତ୍ତି ପ୍ରକାଶ କରୁନଥିଲେ । ସମ୍ପୁର୍ଣ୍ଣ ଭାବରେ ସ୍ଥିତପ୍ରଜ୍ଞ ହୋଇ ମଧ୍ୟ, ସେ ଦୟାପୂର୍ଣ୍ଣ ଅନୁରାଗ ଓ ସ୍ନେହରେ ପୂର୍ଣ୍ଣ ଥିଲେ । କାହା ପାଇଁ ତାଙ୍କର ପ୍ରଶଂସା ସେ ଶାନ୍ତ ଓ ଅଣଦର୍ଶନୀୟ ଭାବରେ ପ୍ରକାଶ କରୁଥିଲେ । ସେ କେବେ ନିଜର ଜ୍ଞାନକୋଷ ପ୍ରମାଣ ପ୍ରଜ୍ଞାର ପ୍ରଦର୍ଶନ କରୁନଥିଲେ ।
୧୦. ସମୀକ୍ଷକ ଆଲେକ୍ଜାଣ୍ଡାର୍ ମୋତେ ଅଯଥା ଦୋଷଦର୍ଶୀ ନ ହେବା ପାଇଁ କିପରି ସଚେତନ ରହିବ, ସେ କଥା ଶିଖାଇଲେ । ସେ ଏହି କଥା ମଧ୍ୟ ଶିଖାଇଲେ ଯେ, ଖରାପ ବ୍ୟାକରଣ, ପ୍ରାଦେଶିକତା, ଭୁଲ ଉଚ୍ଚାରଣ ଇତ୍ୟାଦି ପାଇଁ ଲୋକଙ୍କର କଟୁତାର ସହିତ ସଂଶୋଧନ କରିବା ଅନୁଚିତ । ସଠିକ ଅଭିବ୍ୟଞ୍ଜନ, କୁଶଳତାର ସହିତ ନିଜର ଉତ୍ତରରେ, କିମ୍ବା ତାଙ୍କର ଭାବନା ସହିତ ସହମତି ବ୍ୟକ୍ତ କରୁଥିବା ସମୟରେ, ଅବା ସେହି ବିଷୟରେ ଏକ ବନ୍ଧୁତ୍ତ୍ୱପୂର୍ଣ ଆଲୋଚନାରେ (ଶବ୍ଦ ବିନ୍ୟାସ ବିଷୟରେ ନୁହେଁ), କିମ୍ବା ଅନ୍ୟ କୌଣସି ଉପଯୁକ୍ତ ଉପାୟରେ ପ୍ରଦର୍ଶିତ କରାଯାଇପାରେ ।
୧୧. ମୋର ପରାମର୍ଶକ ଫ୍ରଣ୍ଟୋଙ୍କଠାରୁ ମୁଁ ଶିଖିଲି ଯେ, ଦ୍ୱେଷ, ଧୂର୍ତ୍ତତା ଓ ଦୋମୁହାଁପଣ ନିରଙ୍କୁଶ କ୍ଷମତାର ସାଥୀ ଅଟେ । ମୁଁ ତାଙ୍କଠାରୁ ଏହା ମଧ୍ୟ ଶିଖିଲି ଯେ, ଆମର କୁଳୀନ ପରିବାରମାନଙ୍କଠାରେ ପ୍ରାୟତଃ ସାଧାରଣ ମାନବତାର ଅନୁଭବ ଓ ଭାବବୋଧଗୁଡ଼ିକର ଘୋର ଅଭାବ ରହିଛି ।
୧୨. ପ୍ଲାଟୋ-ବାଦୀ ଆଲେକ୍ଜାଣ୍ଡାର, ବାର୍ତ୍ତାଳାପ ଓ ପତ୍ରାଳାପ ବେଳେ 'ମୁଁ ବ୍ୟସ୍ତ ଅଛି' ବୋଲି ଏପରି ବାରମ୍ବାର ବ୍ୟବହାର କରିବା ବିରୁଦ୍ଧରେ, ସଚେତନ କରାଇଲେ । ଏପରି ବ୍ୟବହାର ପ୍ରକୃତରେ ଅତ୍ୟନ୍ତ ଆବଶ୍ୟକ ଥିଲେ ହିଁ କରିବା କଥା । ନିଜ ବ୍ୟାପାରକୁ ନେଇ ଜଣେ ବ୍ୟଗ୍ର ଅଛି ବୋଲି ସମାଜ ପ୍ରତି ନିଜର ଦାୟିତ୍ତ୍ୱ ପରିହାର କରିବା କଥା ନୁହେଁ ।
୧୩. ଷ୍ଟଇକ୍ କାଟାଲସ୍ ମୋତେ କୌଣସି ବନ୍ଧୁଙ୍କର ଭର୍ସନାକୁ (ଅଯୌକ୍ତିକ ହେଲେ ମଧ୍ୟ) ହାଲକା ଭାବରେ ନନେବା ପାଇଁ ଓ ବନ୍ଧୁଙ୍କର ଅନୁଗ୍ରହ ପୁଣି ଥରେ ପ୍ରାପ୍ତ କରିବା ପାଇଁ ନିଜର ସର୍ବୋତ୍ତମ ପ୍ରଚେଷ୍ଚା କରିବା ନିମନ୍ତେ ପରାମର୍ଶ ଦେଲେ । ସେ ମୋତେ (ଡୋମିସିଅସ୍ ଓ ଏଥେନୋଡୋଟସ୍ ଙ୍କର ସ୍ମୃତିଚାରଣରେ ପାଠକଲା ଭଳି) ମୋର ପ୍ରଶିକ୍ଷକମାନଙ୍କର ଗୁଣକୀର୍ତ୍ତନ କରିବା ପାଇଁ ମଧ୍ୟ ପ୍ରବର୍ତ୍ତାଇଲେ । ସେ ମୋତେ ନିଜର ପିଲାମାନଙ୍କ ପାଇଁ ଅକପଟ ଅନୁରାଗ ପୋଷଣ କରିବାକୁ ମଧ୍ୟ ଶିଖାଇଲେ ।
୧୪. ମୁଁ ମୋର ଭ୍ରାତା ସିଭରସ୍ ଙ୍କ ଠାରୁ ନିଜର ବନ୍ଧୁବାନ୍ଧବଙ୍କୁ ପ୍ରୀତି କରିବା ତଥା ସତ୍ୟ ଓ ନ୍ୟାୟକୁ ଭଲ ପାଇବା ଶିଖିଲି । ତାଙ୍କ ଦ୍ୱାରା ହିଁ ମୁଁ ଥ୍ରାସିଆ, କେଟୋ, ହେଲଭିଡ଼ିଅସ୍, ଡିଅନ୍ ଏବଂ ବ୍ରୁଟସ୍ ଙ୍କୁ ଜାଣିଲି । ତାଙ୍କ ଯୋଗୁ ମୁ ଁସମତା ଓ ସ୍ୱାଧୀନ ମତପ୍ରକାଶ ଉପରେ ପର୍ଯ୍ୟବେଷିତ ଏକ ସମାଜ ତଥା ନିଜର ପ୍ରଜାମାନଙ୍କର ସ୍ୱାଧୀନତାକୁ ନିଜର ମୂଳ ଅଭିପ୍ରାୟ ଭାବରେ ଦେଖୁଥିବା ରାଜ୍ୟର ପରିକଳ୍ପନା ସହିତ ପରିଚିତ ହେଲି । ସେ ମୋତେ ଦର୍ଶନର ନିରପେକ୍ଷ ଓ ବୀତରାଗ ଗୁଣଗ୍ରାହୀତା ଶିଖାଇଲେ । ସେ ଆହୁରି ମଧ୍ୟ ମୋତେ ନାନାଦି ସତ୍କର୍ମ, ଉଦାରତା, ଉତ୍ସାହପୂର୍ଣ୍ଣ ମେଜାଜ୍, ତଥା ନିଜର ବନ୍ଧୁମାନଙ୍କ ପ୍ରତି ଅନୁରାଗ ପ୍ରତି ଦୃଢ଼ବିଶ୍ୱାସ ରଖିବା ଶିଖାଇଥିଲେ । ସେ ଅବକ୍ର ଭାବରେ ନିନ୍ଦା କରୁଥିବାର ମୋର ସ୍ମରଣ ଅଛି । ସେ ନିଜ ବନ୍ଧୁମାନଙ୍କୁ ସରଳ ଭାବରେ ନିଜର ପସନ୍ଦ ଓ ନାପସନ୍ଦ ବିଷୟରେ ଜଣାଇଦେଉଥିଲେ ।
୧୫. ଆତ୍ମନିୟନ୍ତ୍ରଣ, ଉଦ୍ଦେଶ୍ୟ ପ୍ରତି ନିଷ୍ଠା, ରୋଗବଇରାଗ ତଥା ଅନ୍ୟାନ୍ୟ ଦୁର୍ଭାଗ୍ୟରେ ପ୍ରଶାନ୍ତ ରହିବା ମୁଁ ମାକ୍ସିମସ୍ ଙ୍କଠାରୁ ଶିକ୍ଷାକଲି । ତାଙ୍କର ଚରିତ୍ର ଗାମ୍ଭିର୍ଯ୍ୟ ତଥା ମୋହକତାର ଏକ ପ୍ରଶଂସନୀୟ ସଞ୍ଜୋଗ ଥିଲା । ସେ ନିଜର ସମସ୍ତ କର୍ତ୍ତବ୍ୟ ବିନା ଆଡମ୍ବରରେ, ନୀରବ ଭାବରେ ନିର୍ବାହ କରୁଥିଲେ । ସେ ସମସ୍ତଙ୍କୁ ଏହା ପ୍ରତୀତ କରୁଥିଲେ ଯେ, ସେ ତାଙ୍କର ବାକ୍ୟ ଓ ଚିନ୍ତା ତଥା ବିଶ୍ୱାସ ମଧ୍ୟରେ, ଏବଂ ତାଙ୍କର ବିରାର ତଥା ଆଚରଣ ଭିତରେ ସାମ୍ୟ ଥିଲା । ସେ କେବେ ବିହ୍ୱଳ ହେବା କିମ୍ବା ଭୀତ ହେବା ଜଣା ନଥିଲା । ସେ କେବେ ତରତର ହେଉନଥିଲେ କିମ୍ବା ବିଳମ୍ବ ମଧ୍ୟ କରୁନଥିଲେ । ସେ କେବେ ଇତସ୍ତତଃ ହେବା ଜଣାନଥିଲା । ସେ କେବେ ନୈରାଶ୍ୟ କିମ୍ବା ମିଥ୍ୟାନନ୍ଦକୁ ପ୍ରଶୟ ଦେଉନଥିଲେ । କ୍ରୋଧ ଏବଂ ଇର୍ଷା ତାଙ୍କ ଉପରେ ଆଦୌ ପ୍ରଭାବ ବିସ୍ତାର କରିପାରୁନଥିଲେ । ତାଙ୍କର ଆଚରଣ ଦୟାଶୀଳତା, ସହାନୁଭୁତି, ତଥା ଶୁଦ୍ଧତା ଯୋଗୁଁ ଏପରି ଦୃଶ୍ୟାମାନ ହେଉଥିଲା, ଯେପରିକି ଏପରି ଉଦାର ଚରିତ୍ର ଅଭ୍ୟାସ ନୁହେଁ, ବରଂ ପ୍ରକୃତିର ଫଳଶୃତି ଅଟେ । ସେ କେବେ କାହାକୁ ନୀଚ୍ଚ ଦେଖାଇଲା ଭଳି ଆଚରଣ କରୁନଥିଲେ । ମାତ୍ର କେହି ତାଙ୍କର ମର୍ଯ୍ୟାଦାର ଉଲ୍ଲଙ୍ଘନ କରିବା ମଧ୍ୟ ଅସମ୍ଭବ ଥିଲା । ଏଥିସହିତ ସେ ଅତି ପ୍ରୀତିପ୍ରଦ ଭାବରେ କୌତୁକପ୍ରିୟ ମଧ୍ୟ ଥିଲେ ।
ଅନୁବାଦକୀୟ ଟୀକା - ଗ୍ରୀକ ଓ ବିଶ୍ୱ ଦର୍ଶନ କ୍ଷେତ୍ରରେ ପ୍ରାଚୀନ ରୋମର ଚିନ୍ତକ ୧୬ତମ ସମ୍ରାଟ ମାର୍କସ ଅରିଲସ (୧୨୧-୧୮୦ ଖ୍ରୀଷ୍ଟାବ୍ଦ) ଙ୍କର ଗ୍ରନ୍ଥ ମେଡିଟେସନସ ର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଷ୍ଟଇକ୍ ଦର୍ଶନ ପରମ୍ପରାର ଏକ କ୍ଲାସିକ୍ ଭାବରେ ଏହାକୁ ଗଣାଯାଏ । ପୃଥିବୀସାରା ଏବେ ଷ୍ଟଇକ୍ ଦର୍ଶନ ପରମ୍ପରାର ପୁନରୁତ୍ଥାନ ଘଟୁଅଛି । ଗ୍ରନ୍ଥଟିର ଅନୁବାଦଟି ମୂଳ ଗ୍ରୀକ ଭାଷାର ଦୁଇଟି ଭିନ୍ନ ଭିନ୍ନ ଇଂରାଜୀ ଭାଷାନ୍ତରର ସାହାଯ୍ୟ ନେଇ କରାଯାଇଅଛି ।
You are on a Magnum Opus now Sailen.. bravo.. bravo..
ReplyDelete'ମେଡ଼ିଟେସନ୍ସ୍'ସହିତ ସମୟ ଅତିବାହିତ କରିବା ସୌଭାଗ୍ୟର କଥା । ପ୍ରଣାମ ।
Delete