ଏଇ ତାଙ୍କ ଜୀବନ
ଶୈଲେନ ରାଉତରାୟ
ମୁଁ ପ୍ରଥମେ
ସ୍କୁଲ ଗଲି ପିପିଲିରେ, ଗୋଟିଏ ସରକାରୀ ସ୍କୁଲକୁ, ୧୯୮୦ ଦଶକର ମଝି ଆଡ଼କୁ । ସେତେବେଳେ ମୋତେ
ଚାରି ବର୍ଷ ବୟସ ହୋଇଥିବ ବୋଧ ହୁଏ । ଘରେ ପଢ଼ି ମୋର କିଛିଟା ଅକ୍ଷରଜ୍ଞାନ ସେତେବେଳକୁ ହୋଇସାରିଥାଏ
। ମୁଁ ବିଦ୍ୟାଳୟରେ ସେବେ କିନ୍ତୁ ବେଶି ଦିନ ତିଷ୍ଠିଲି ନାହିଁ । ମୋର ମୁହଁ ସମ୍ଭବତଃ ଶ୍ରେଣୀ ଶିକ୍ଷୟତ୍ରୀଙ୍କୁ (ଯିଏ ସିଂହଭାଗ କ୍ଲାସ୍
ନେଉଥିଲେ) ପସନ୍ଦ ଆସିଲା ନାହିଁ କି କଅଣ, ସେ ଭଦ୍ରମହିଳା ଜଣଙ୍କ ମୋ' ଉପରେ ବହୁତ ରଗେଇ ଖବେଇ
ହେଲେ ସବୁବେଳେ । ଯାଉଣୁ ଆସୁଣୁ ଦେଖେଇ ଶିଖେଇ କଥା କହିଲେ । ମାଡ଼ ଅବଶ୍ୟ ମାରୁ ନଥିଲେ । ମୁଁ
ତାଙ୍କ କଥାରୁ ଯେତିକି ଅଳପ ବୁଝିଲି, ମୋତେ ଆଉ ସ୍କୁଲ ଯିବାକୁ ଇଚ୍ଛା ହେଲା ନାହିଁ । ଘରେ ମନା
କଲି । କିଛି ସପ୍ତାହ ଗଲା ପରେ ମୋର ନାମଟି ବିଦ୍ୟାଳୟରୁ କାଟି ଦିଆଗଲା ।
ପରେ ଆଉଥରେ ମୁଁ ପଶିଲି
ଏକ ସରକାରୀ ସ୍କୁଲକୁ, ୧୯୮୭ରେ, ଆମର ଭ୍ରାମ୍ୟମାଣ ପରିବାରଟି ଭୁବନେଶ୍ୱର ଆସିଲା ପରେ, ଏକା
ସାଙ୍ଗରେ ତୃତୀୟ ଶ୍ରେଣୀରେ । ଅର୍ଥାତ୍ ଜୀବନର ପ୍ରଥମ ସାତ ବର୍ଷ ମୁଁ ସ୍କୁଲ ଯାଇ ନ ଥିଲି ।
ଯେତେବେଳେ ଓଡ଼ିଶା ବାହାରେ, ବମ୍ବେ ଓ ବାଙ୍ଗାଲୋରରେ କିଛି ବର୍ଷ ଉଚ୍ଚଶିକ୍ଷା, ଗବେଷଣା ଓ
ଅଧ୍ୟାପନା ରେ କଟାଇଲି, ବନ୍ଧୁ ମହଲରେ କଥା ହେବା ବେଳେ ଏଇ କଥାଟି, ସ୍କୁଲ ନଯାଇ ଏକା ସାଙ୍ଗରେ
ଏକ ଉଚ୍ଚତର ଶ୍ରେଣୀରେ ନାମ ଲେଖାଇବା, ଏକ ରୋଚକ ଆଖ୍ୟାନ ପାଲଟିଲା ।
ଯେତେବେଳେ ମୁଁ
ଓଡ଼ିଶାର ସାମାଜିକ ଇତିହାସ ଜାଣିବା ପାଇଁ ଆତ୍ମଜୀବନୀ ପଢ଼ିବାକୁ ଆରମ୍ଭ କଲି, ସେତେବେଳେ ଯାଇ
ଜାଣିଲି ଯେ, ମୋର ଆନୁଷ୍ଠାନିକ ବିଦ୍ୟାଲାଭର ବ୍ୟକ୍ତିଗତ ଇତିହାସଟି କିଛି ବ୍ୟତିକ୍ରମ ନଥିଲା ।
ଆଜି କାଲି ଯାହାକୁ ଆମେ ଫେସନରେ ‘ହୋମ୍
ସ୍କୁଲିଂ’ (ଅର୍ଥାତ୍ ‘ଗୃହବିଦ୍ୟାଳୟ ଶିକ୍ଷା’) ବୋଲି କହୁଛୁ, ତାହା ପ୍ରାଥମିକ ସ୍ତରରେ
ଓଡ଼ିଶାରେ ବହୁ ଆଗରୁ ଅନେକଟା ପ୍ରଚଳିତ ଥିଲା । ଧରନ୍ତୁ ୧୯୩୦ ଦଶକରେ ଜନ୍ମିତ ପ୍ରଫୁଲ୍ଲ
ଚନ୍ଦ୍ର ପଟ୍ଟନାୟକଙ୍କ କଥା । ହେତୁ ହେବା ଦିନୁ,
ସେ ତାଙ୍କ ଗାଁ ପାଖ କାଳିଆମ୍ବା ନାଳ କୁଳରେ ଓ କାଳିଆମ୍ବା ପାହାଡ଼ ଉପରେ ଉଦ୍ଦେଶ୍ୟହୀନ ଭାବରେ
ବୁଲନ୍ତି, କେତେବେଳେ ଏକେଲା, ତ ଆଉ କେବେ ସାଙ୍ଗମାନଙ୍କ ସହିତ । ଗାଁର ପ୍ରାକୃତିକ ଓ ସାମାଜିକ
ପରିବେଶ ଥିଲା ତାଙ୍କର ପ୍ରଥମ ଶିକ୍ଷକ ।
ଧରାବନ୍ଧା ଭାବରେ
ପ୍ରଫୁଲ୍ଲଙ୍କର ପାଠପଢ଼ା ଆରମ୍ଭ ହେଲା ମାତ୍ର ତିନି ବର୍ଷ ବୟସରେ । ତାଙ୍କ ବାପା ଥିଲେ ତାଙ୍କର
ପ୍ରଥମ ‘ଶିକ୍ଷକ’ । ପ୍ରଥମେ ସେ ତାଙ୍କୁ ମୁଣ୍ଡଳା ବୁଲାଇ ‘ଠ’
ଲେଖିବା ଶିଖାଇଲେ । ଏହା ପରେ ପ୍ରଫୁଲ୍ଲ ଶିଖିଲେ ଚ-ଗ-ର-ଟ- ଇତ୍ୟାଦି ଅକ୍ଷର ଓ ତାହା ସହ ଅନ୍ୟ
ସବୁ ବର୍ଣ୍ଣ । ଏହିପରି ଅଣପାରମ୍ପରିକ ଭାବରେ ଶିଖୁଶିଖୁ ସେ ଦଶ ଦିନ ଭିତରେ ପୂରା ବର୍ଣ୍ଣମାଳାଟିକୁ
ଆୟତ୍ତ କରିନେଲେ । ଆଉ ପାଞ୍ଚ ଛଅ ବର୍ଷ ବୟସ ବେଳକୁ ବଡ଼ ବଡ଼ ବହି ପ୍ରାଞ୍ଜଳ ଭାବରେ ପଢ଼ିବାର
କ୍ଷମତା ସେ ଅକ୍ତିଆର କରିନେଇଥିଲେ । ବାପା ମଝିରେ କଟକରେ କିଛି କାମ ପାଇଁ ଅବସ୍ଥାନ କରୁଥିଲା ବେଳେ ମୁସଲିମ
ସେମିନାରୀରେ ପ୍ରଫୁଲ୍ଲଙ୍କର ନାଁ ଲେଖାଇ ଦେଇଥିଲେ । ହେଲେ ସେ ବିଦ୍ୟାଳୟଟି ତାଙ୍କୁ ଆରେଇଲା
ନାହିଁ । ମାସେ ଖଣ୍ଡେ ଯାଇ ସେ କ୍ଲାସକୁ ଯିବା ବନ୍ଦ କରିଦେଲେ । ତାହା ପରେ ବାପା ହିଁ ରୀତିମତ ଶିକ୍ଷକ ସାଜି ଘରେ
ପଢ଼ାଇଲେ ଓଡ଼ିଆ, ବଙ୍ଗଳା, ଗଣିତ, ହିନ୍ଦି ଓ ଇଂରାଜୀ ।
ଗୋବରାରେ ପ୍ରଫୁଲ୍ଲଙ୍କ ଘରେ
ଥିଲା ଏକ ସ୍ୱପ୍ରତିଷ୍ଠିତ ଓ ପରିଚାଳିତ ଗ୍ରନ୍ଥାଳୟ, ତାହାର ନାମ, ‘ସାବିତ୍ରୀ ପାଠାଗାର’ । ସେଠି ବହୁତ ବହି ଥିଲା । ସେଗୁଡ଼ିକ ସେ ନିୟମିତ
ପଢ଼ାପଢ଼ି କରୁଥିଲେ । ଆଠ ବର୍ଷ ବୟସରେ ସ୍ୱରଚିତ କବିତା ସ୍ୱତଃପ୍ରବୃତ୍ତ ଭାବରେ ଆବୃତ୍ତି କରିବା ଦେଖି ବାପା ତାଙ୍କୁ ଏକ ଅଲଗା ଖାତା ଓ କଲମ ଯୋଗାଇ ଦେଇଥିଲେ
ସାହିତ୍ୟ ଲିଖନ ପାଇଁ । ଘରେ ପାଠପଢ଼ା ସହ ସାହିତ୍ୟ ଲେଖା ଓ ଚର୍ଚ୍ଚା ଚାଲିଥାଏ । ଗାଁଟିରେ
ଭିନ୍ନଭିନ୍ନ ଜାତିର ପରିବାରମାନଙ୍କ ଭିତରେ ସହୃଦୟତା ବଜାୟ ଥାଏ । ଏଣୁ ସେମାନଙ୍କ ସହ ମିଳିମିଶି
ଚଳିବାର, ଅନୁଭୂତି ବାଣ୍ଟିବାର ପ୍ରକ୍ରିୟାରେ ବି ଅନେକ କଥା ଶିଖିଯାଉଥିଲେ ପ୍ରଫୁଲ୍ଲ ଅବଲୀଳା
କ୍ରମେ । ଶେଷକୁ ୧୯୪୫ ମସିହାରେ ଯାଇଁ ପ୍ରଫୁଲ୍ଲଙ୍କର ନାମ ଲେଖା ହେଲା ଭଞ୍ଜନଗରର ଏକ
ହାଇସ୍କୁଲରେ । ସେତେବେଳେ ତାଙ୍କୁ ବାର ବର୍ଷ ବୟସ ।
ଲେଖକୀୟ
ଟୀକା – ଏହି ଆଲେଖଟି ପ୍ରଥମେ ପାକ୍ଷିକ ପତ୍ରିକା ସମଦୃଷ୍ଟିରେ ଛପାଯାଇଥିଲା । ଲେଖାଟିର ଉପାଦାନ ୨୦୧୫ ମସିହାରେ ପ୍ରକାଶିତ
ସାମ୍ବାଦିକ ଓ ଲେଖକ ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକଙ୍କର ଆତ୍ମଜୀବନୀ ‘ଏଇ ମୋ ଜୀବନ’ରୁ ନିଆଯାଇଚି । ବହିଟିର ପ୍ରକାଶକ ହେଲେ
ଭୁବନେଶ୍ୱରସ୍ଥ ସଂସ୍ଥା 'ବିଶ୍ୱମୁକ୍ତି' । ବହିଟିର ପ୍ରଚ୍ଛଦପଟ ଆଙ୍କିଛନ୍ତି ଓ ମୁଖବନ୍ଧ
ଲେଖିଚନ୍ତି ଦିନନାଥ ପାଠୀ । ବହିଟିର ପ୍ରାକ୍କଥନରେ ଲେଖକ ଗ୍ରନ୍ଥଟିର ମୁଦ୍ରଣ ଖର୍ଚ୍ଚ
ତୁଲାଇଥିବାରୁ ନିଜର ପୁତ୍ର ସୌମିତ୍ର ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଚନ୍ତି ।
ପ୍ରଫୁଲ୍ଲ
ବାବୁଙ୍କର ଜନ୍ମ ୧୯୩୩ ମସିହାର ମାର୍ଚ୍ଚ ମାସର ୧୩ ତାରିଖରେ, ଗଞ୍ଜାମ ଜିଲ୍ଲାର ଏକ ଗାଁ ଗୋବରାର
ଗୋଟିଏ କରଣ ପରିବାରରେ । ଗ୍ରାମଟି ଭଞ୍ଜନଗରଠାରୁ ଆଠ ମାଇଲି ଦୂର । ତାଙ୍କ ବାପା ହେଲେ ଗଞ୍ଜାମ
ଜିଲ୍ଲାର ଓ ଓଡ଼ିଶାର ପ୍ରଖ୍ୟାତ ସ୍ୱାଧୀନତା ସଙ୍ଗ୍ରାମୀ ବାଞ୍ଛାନିଧି ପଟ୍ଟନାୟକ । ତାଙ୍କର ମାତାଙ୍କର
ନାମ କୁନ୍ଦଲତା ଦେବୀ । କଟକର ଖ୍ରୀଷ୍ଟ କଲେଜରୁ ଗଣିତ ଓ ଅର୍ଥନୀତି ବିଷୟ ନେଇ ସ୍ନାତକ ଉପାଧି
ଲାଭ କରିସାରିବା ପରେ, ସେ ଧରାକୋଟଠାରେ ଏକ ବିଦ୍ୟାଳୟରେ କିଛି ମାସ ଅଧ୍ୟାପନା କରିଥିଲେ । ଏହା
ପରେ ସେ ସାମାଜିକ ଶିକ୍ଷା ସଙ୍ଗଠକ ଭାବରେ କିଛି ବର୍ଷ ଓଡ଼ିଶା ସରକାରଙ୍କ ପାଇଁ କାର୍ଯ୍ୟ କରି
୧୯୬୧ ମସିହାରେ ‘ସମାଜ’ ଖବରକାଗଜରେ ଉପସମ୍ପାଦକ ଭାବରେ ଯୋଗ ଦେଇ
୨୩ ବର୍ଷ କାମ କଲେ ।
‘ସମ୍ବାଦ’ କାଗଜଟି ଆରମ୍ଭ ହେବାରୁ ସେ ସେଠାରେ ୧୯୮୪
ମସିହାରେ ସହଯୋଗୀ ବାର୍ତ୍ତା ସମ୍ପାଦକ ଭାବରେ ଯୋଗଦାନ କରି ୧୯୯୩ ମସିହାରେ ସହଯୋଗୀ ସମ୍ପାଦକ
ପଦରୁ ଅବସର ଗ୍ରହଣ କଲେ । ଓଡ଼ିଶାରେ ସାଂସ୍କୃତିକ ସାମ୍ବାଦିକତା, ବିଶେଷତଃ ଚଳଚିତ୍ର ଚର୍ଚ୍ଚା
ଦିଗରେ ତାଙ୍କର ଗୁରୁତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି । ଏହା ଛଡ଼ା ଓଡ଼ିଶାର ନାଟ୍ୟ ଆନ୍ଦୋଳନର
ମଧ୍ୟ ସେ ଏକ ସକ୍ରିୟ ସଦସ୍ୟ ଥିଲେ । ଓଡ଼ିଆ ଭାଷାରେ କବି, ଶିଶୁ ସାହିତ୍ୟିକ, ନାଟ୍ୟକାର,
ଔପନ୍ୟାସିକ ଓ ଅନୁବାଦକ ଭାବରେ ତାଙ୍କର ୧୮ରୁ ଉର୍ଦ୍ଧ୍ୱ ପ୍ରକାଶିତ ଗ୍ରନ୍ଥ ରହିଛି ।
Beautiful Sailen.. Kudos..
ReplyDeleteଧନ୍ୟବାଦ ଭାଇ । ପ୍ରଣାମ ।
Delete