'ରୋର୍ ଅଫ୍ ଦି ଗାଞ୍ଜିସ୍'
ଏକ ଆଲୋଚନା
ଶୈଲେନ ରାଉତରାୟ
ପରୀକ୍ଷ ଲୋକାନ୍ କର୍ମଚିତାନ୍ ବ୍ରାହ୍ମଣୋ
ନିର୍ବେଦଂ ଆୟାନ୍ ନାସ୍ତ୍ୟକୃତଃ କୃତେନ ।
ମାଣ୍ଡୁକ୍ୟ ଉପନିଷଦ୍ ୨.୧୨
ଏହି ବହିଟି ପ୍ରତି ମୋର ଧ୍ୟାନ ଆକର୍ଷିତ କରିବା ପାଇଁ ଓ ଏହାକୁ ପଢ଼ିବାର ସୁଯୋଗ ମୋତେ ଦେଇଥିବାରୁ ମୁଁ ପ୍ରଥମେ ମୋର ଡି.ଏମ୍. ସ୍କୁଲର ଶିକ୍ଷାଗୁରୁ ସୁଶ୍ରୀ ସଞ୍ଜିତା ଦାସଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି । ଏହି ବହିଟି ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କର ଶିଷ୍ୟ ସ୍ୱାମୀ ତଦାତ୍ମାନନ୍ଦ ସରସ୍ୱତୀଙ୍କ ଏକ ଆଧ୍ୟାତ୍ମିକ ଆତ୍ମଜୀବନୀ । ସ୍ୱାମୀ ତଦାତ୍ମାନନ୍ଦଙ୍କର ପୂର୍ବାଶ୍ରମର ନାମ ମାର୍କ ବରିଆନ୍ । ବହିଟି ସେହି ନାମରେ ଛପାଯାଇଅଛି ।
ଆଧୁନିକ କାଳରେ ଭାରତ ବାହାରେ ଧିରେ ଧିରେ ଭାରତୀୟ ଆଧ୍ୟାତ୍ମିକ ପରମ୍ପରାମାନଙ୍କର ପ୍ରଚାର ଓ ପ୍ରସାର ଘଟିଛି । ମାତ୍ର ପ୍ରାୟତଃ ପ୍ରଚାର ଘଟିଛି ପରମ୍ପରାଗୁଡ଼ିକର ନବ୍ୟରୂପଗୁଡ଼ିକର । ଇସ୍କନକୁ ଆମେ ବୈଷ୍ଣବ ପରମ୍ପରାର ଏକ ନବ୍ୟରୂପ ବୋଲି ଧରିପାରିବା । ଏହି ଅନୁଷ୍ଠାନର ସନ୍ୟାସୀ ରାଧାନାଥ ସ୍ୱାମୀଙ୍କର ଜୀବନୀ ଦ ଜର୍ଣି ହୋମ୍ (ଓଡିଆରେ ତୁଳସୀ ବୁକ୍ସ୍ ଦ୍ୱାରା ଘର ବାହୁଡା ଶୀର୍ଷକରେ ପ୍ରକାଶିତ) ରେ ଆମେ ଏପରି ପରମ୍ପରାର ଏକ ହୃଦୟଗ୍ରାହୀ ଚିତ୍ରଣ ଦେଖିବାକୁ ପାଉ ।
ସେହିପରି ଆମେ ବର୍ତ୍ତମାନ ବେଦାନ୍ତର ନବ୍ୟ ରୂପର (ଯାହା ନବ୍ୟବେଦାନ୍ତ ଭାବରେ କଥିତ) ପ୍ରସାର ପାଶ୍ଚାତ୍ୟ ଦେଶ ମାନଙ୍କରେ, ଓ କେତେକାଂଶରେ ଭାରତରେ ମଧ୍ୟ, ଦେଖିବାକୁ ପାଉଛୁ । ନବ୍ୟବେଦାନ୍ତବାଦୀମାନେ ମୋକ୍ଷ ପ୍ରାପ୍ତି ପାଇଁ ଆଧ୍ୟାତ୍ମିକ ଅନୁଭୂତି ଉପରେ ବେଶି ଗୁରୁତ୍ତ୍ୱ ଦିଅନ୍ତି । ମାତ୍ର ଶାସ୍ତ୍ର ମତରେ ଓ ତର୍କ ସଙ୍ଗତି ଅନୁସାରେ, ଆତ୍ମଜ୍ଞାନ ତଥାକଥିତ ଆଧ୍ୟାତ୍ମିକ ଅନୁଭୂତିର ବିଷୟ ନୁହେଁ । ଏହାର ପ୍ରାପ୍ତି ବେଦଜ୍ଞ, ଶାସ୍ତ୍ରଜ୍ଞ, ବ୍ରହ୍ମନିଷ୍ଠ ଗୁରୁଙ୍କଠାରୁ ଶାସ୍ତ୍ର ଶ୍ରବଣ ବିନା ଲାଭ କରାଯାଇ ନପାରେ । ବେଦାନ୍ତ ଏହି ଜ୍ଞାନ ପ୍ରାପ୍ତିର ଏକ ମାର୍ଗ ଓ ପ୍ରମାଣର ବିଷୟ । ତଥାକଥିତ ଅନଭୂତି ବା ତତ୍ତ୍ୱର ବିଷୟ ନୁହେଁ ।
ମାତ୍ର ନବ୍ୟବେଦାନ୍ତୀମାନଙ୍କର ଶାସ୍ତ୍ରନିଷ୍ଠା ନାହିଁ । ହେଲେ ପାଶ୍ଚାତ୍ୟ ଦେଶମାନଙ୍କରେ ଏହି ମାର୍ଗର ହିଁ ବେଶି ପ୍ରସାର ଘଟିଛି । ଏହି ପରିପ୍ରେକ୍ଷୀରେ ଜଣେ ପାରମ୍ପରିକ ବେଦାନ୍ତୀ ସନ୍ୟାସୀ ଭାବରେ ସ୍ୱାମୀ ତଦାତ୍ମାନନ୍ଦ ସରସ୍ୱତୀଙ୍କର ଜୀବନର ଓ ଜୀବନୀର ଏକ ବିଶେଷ ତାତ୍ପର୍ଯ୍ୟ ରହିଛି ।
ସ୍ୱାମୀଜୀଙ୍କର ଜନ୍ମ ଯୁକ୍ତରାଜ୍ୟ ଆମେରିକାର ୱିସ୍କନ୍ସିନ୍ ରାଜ୍ୟର ମିଲାଅକି ସହରରେ, ଏକ କାଥଲିକ୍ ପରିବାରରେ । ପିଲାବେଳେ ମାର୍କ୍ଙ୍କର ଇଶ୍ୱରଭକ୍ତିରେ ଅନେକ ଦାର୍ଢ୍ୟତା ଥିଲା । ମାତ୍ର ସେ ସମୟର ଆନୁଷ୍ଠାନିକ ଧର୍ମାଚାରର ଅନ୍ଧ ଅନୁଶାସନ ଓ ସ୍ଥୁଳ ବିଶ୍ୱାସଭିତ୍ତିକ ଶିକ୍ଷା ଯୋଗୁଁ ସେ ନିଜର ଭକ୍ତି ଓ ବିଶ୍ୱାସ ହରାଇଲେ । ପରେ ଶିକ୍ଷାଲାଭ ପରେ ସେ ଜଣେ କମ୍ପ୍ୟୁଟର୍ ଇଞ୍ଜିନିଅର୍ ଭାବରେ ଆମେରିକାର କାଲିଫର୍ନିଆ ରାଜ୍ୟରେ ଅନେକ ବର୍ଷ ସଫଳତାର ସହିତ କାମ କଲେ । ଏହା ଭିତରେ ତାଙ୍କର ବିବାହ ଓ ବିବାହ ବିଚ୍ଛେଦ ମଧ୍ୟ ଘଟିଲା । ଭବସାଗରର ଘୂର୍ଣ୍ଣନରେ ଅତିଷ୍ଠ ହୋଇ ସେ ଆଧ୍ୟାତ୍ମିକ ମାର୍ଗରେ ଅଗ୍ରସର ହେଲେ ଓ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କୁ ଗୁରୁ ଭାବରେ ଲାଭ କଲେ । ଆମେରିକାରେ ନିଜ ଗୁରୁଙ୍କର ଏକ ଆଶ୍ରମ ଅନେକ ବର୍ଷ ପରିଚାଳନା କଲାପରେ ସେ ପରିଶେଷରେ ଗଙ୍ଗାତଟରେ ସନ୍ୟାସ ଗ୍ରହଣ କଲେ । ଏବେ ସେ ଆମେରିକାର ନିଉ ଜର୍ସି ଠାରେ ସ୍ଥିତ ଆର୍ଶବୋଧକେନ୍ଦ୍ରରେ ଅବସ୍ଥାପିତ ।
ବହିଟିର ପ୍ରତ୍ୟେକ ପୃଷ୍ଠା ଜଣେ ସାଧକର ସଚ୍ଚୋଟ ଜମାନବନ୍ଦୀ । ଗୋଟିଏ ଆଧ୍ୟାତ୍ମିକ ପରମ୍ପରାରେ ବଢ଼ି, ଆଉ ଗୋଟିଏ ପରମ୍ପରାକୁ ଆଦରେଇନେଇ, ସ୍ୱାମୀଜୀ ବେଦାନ୍ତରେ ନିଜର ପରାକାଷ୍ଠା ପ୍ରତିପାଦିତ କରିଛନ୍ତି । ବହିଟି ଅତୀତ ଓ ବର୍ତ୍ତମାନର କାଳ ପ୍ରବାହ ମଧ୍ୟରେ ସ୍ୱଚ୍ଛନ୍ଦ ଭାବରେ ଗତି କରି ଅତୀତର ମାର୍କ୍ ବରିଆନ୍ ଓ ବର୍ତ୍ତମାନର ସ୍ୱାମୀ ତଦାତ୍ମାନନ୍ଦଙ୍କର ମଧ୍ୟରେ ଥିବା ଶୂନ୍ୟକୁ ଆଲୋକିତ କରେ । ଏହି ବହିଟି ଓଡ଼ିଆକୁ ଅନୁଦିତ ହେଲେ ଭାଷାରେ ଥିବା ଆଧ୍ୟାତ୍ମିକ ଆତ୍ମଜୀବନୀର ଅଭାବ ଅନେକାଂଶରେ ଦୂର ହୋଇପାରିବ ।
ନ ତତ୍ର ସୂର୍ଯୋ ଭାତି ନ ଚନ୍ଦ୍ରତାରକଂ
ନେମା ବିଦ୍ୟୁତୋ ଭାନ୍ତି କୁତଃ ଅୟଂ ଅଗ୍ନିଃ ।
ତଂ ଏବ ଭାନ୍ତଂ ଅନୁଭାତି ସର୍ବଂ
ତସ୍ୟ ଭାସା ସର୍ବଂ ଇଦଂ ବିଭାତି ।। .
କଠ ଉପନିଷଦ ୨.୨.୧୫
ବହି ବିଷୟରେ ସୂଚନା: ମାର୍କ୍ ବରିଆନ୍ (ସ୍ୱାମୀ ତଦାତ୍ମାନନ୍ଦ ସରସ୍ୱତୀ) । ରୋର୍ ଅଫ୍ ଦ ଗାଞ୍ଜିସ୍ (ପ୍ରଥମ ପ୍ରକାଶନ - ୧୯୯୯) । ଇଶ୍ୱର୍ (ବିଜ୍ନେସ୍ ପବ୍ଲିକେଶନ୍ସ୍ ଇଙ୍କ୍): ମୁମ୍ବାଇ ।

Wonderful!Thanks for your remarkable venture.
ReplyDeleteSir, Namaskaar. Thanks for reading and the feedback. Regards.
DeleteHello Sailen.. reading this nice small piece from you in Dec 2025.. hope by now there would be an Odia translation of this done by some good soul.. you should have..
ReplyDelete