ଯେଉଁମାନେ କୁଳପତି ବନି ପାରିଲେ ନାହିଁ
ଶୈଲେନ ରାଉତରାୟ
ଜାପାନୀ ଧଳାଆଖିଆ ଚଢ଼େଇ (ୱିକିମିଡିଆ କମମ୍ସ୍) |
ବିଦ୍ୟାଧର ବାବୁଙ୍କ ସାନବେଳେ ଜଣେ ଖଣ୍ଡାୟତ ଚଷା ଜାତିର ପିଲା ତାଙ୍କର ସାଙ୍ଗ ଥିଲା । ନାଁ ହେଲା ହରିଆ ଜେନା । ତାଙ୍କ ବାପା ରାମ ଜେନା ମୁଲ ଲାଗି ପରିବାର ପାଳୁଥିଲେ । ଦିନେ ପାଗଳ ହୋଇ ସେ ଘର ଛାଡ଼ି ଚାଲିଗଲେ । ହରିଆ ମା ପେଟ ପୋଷିବା ପାଇଁ ବିଦ୍ୟାଧରଙ୍କ ଘରବାଡ଼ି ଓଳାନ୍ତି, ଜାଳ ଆଣି ଦିଅନ୍ତି, ରୋଷେଇ ପାଇଁ ଜିନିଷପତ୍ର ସଜିଲ କରିଦିଅନ୍ତି, ଧାନ ଉଷାଁନ୍ତି ଓ ଶୁଖାନ୍ତି । ଏତକ କରି ପ୍ରତି ସନ୍ଧ୍ୟାରେ ତାଙ୍କୁ ଶ୍ରମର ମୂଲ୍ୟ ମିଳେ ଅଧ କିଲ ଚାଉଳ ଆଉ ବର୍ଷକୁ କେତୋଟି ଟଙ୍କା ।
ପ୍ରାଥମିକ ବିଦ୍ୟାଳୟରେ ହରିଆ ବିଦ୍ୟାଧରଙ୍କ ସହ ପଢ଼ୁ ନଥିଲା । ହେଲେ ଘରେ ଥିଲାବେଳେ, ସେ ଥିଲା ତାଙ୍କର ଚିର ସାଥୀ । ଦୁଇ ଜଣଙ୍କୁ ଆଠ ନଅ ବର୍ଷ ହୋଇଥିବା ବେଳେ ଦିନେ ଦୁହେଁ ଯାକ ମିଶି ଘର ପାଖ ପୋଖରୀ ପାଖରେ କିଆକନ୍ଦା କାଢ଼ୁଥିଲେ । ସେତେବେଳେ ସେମାନଙ୍କୁ ପାଗଳା କୁକୁରଟିଏ ଗୋଡ଼ାଇଲା ଆଉ ହରିଆକୁ କାମୁଡ଼ି ଦେଲା । ହେଲେ ଜଳାତଙ୍କ ହେବା ପୂର୍ବରୁ ବିଚରା ହରିଆ ବସନ୍ତରେ ଚାଲିଗଲା । କାରଣ ତା’ର ମେରିଟ୍ ନ ଥିଲା ।
ବିଦ୍ୟାଧରଙ୍କର ଆଉ ଜଣେ ସାଙ୍ଗ ଥିଲେ ଧଡ଼ି ମହାଳିକ । ସେ ପଢ଼ୁଥିଲେ ବିଦ୍ୟାଧରଙ୍କର ଉପର ଶ୍ରେଣୀରେ । ସେ ଅତି ଭଲ ଛାତ୍ର ଥିଲେ । ବିଶେଷତଃ ଗଣିତ ଓ ମାନସାଙ୍କ ତାଙ୍କର ବେଶ୍ ହେଉଥିଲା । ସେ କେଉଟ ଜାତିର ପିଲା । ତାଙ୍କ ବାପା ଚୁଡ଼ାକୁଟା, ଶୁଖୁଆବିକା ଆଦି କୌଳିକ ବୃତ୍ତି ଅନୁସରଣ କରି ପରିବାର ପ୍ରତିପୋଷଣ କରୁଥିଲେ । ଯେହେତୁ ଅସବର୍ଣ୍ଣ, ସେଥି ପାଇଁ ତାଙ୍କର ମେରିଟ୍ ଆଦୌ ନଥିଲା । ତେଣୁ ସେ ପ୍ରାଥମିକ ଶିକ୍ଷା ପରେ ଆଉ ଆଗକୁ ପଢ଼ି ପାରିଲେ ନାହିଁ । ସେ ବି ନିଜ ପରିବାର ପୋଷିବା ପାଇଁ ଚୁଡ଼ା କୁଟି, ଶୁଖୁଆ ବିକି, ଚାଷ କରି ଚଳିଲେ । କୁଳପତି ବନି ପାରିଲେ ନାହିଁ । କାରଣ ତାଙ୍କର ମେରିଟ୍ ନଥିଲା ।
ବୃନ୍ଦାବନ ସାହୁ ବୋଲି ଜଣେ ଶୁଣ୍ଢି ପିଲା ବି ବିଦ୍ୟାଧରଙ୍କ ସାଙ୍ଗ ଥିଲେ । କଲ୍ୟାଣପୁର ଗାଁରେ ସ୍କୁଲ ପାଖରେ ତାଙ୍କର ଗୋଟେ ଦୋକାନ ଥିଲା । ତଥାକଥିତ ପଢ଼ୁଆ ଜାତିର ପିଲା ନୁହନ୍ତି ତ ! ଏଣୁ ବିଦ୍ୟାଧର ବାବୁ ତାଙ୍କ ଆତ୍ମଜୀବନୀରେ କହିବା ଅନୁସାରେ, ବୃନ୍ଦାବନଙ୍କର ପାଠପଢ଼ାରେ ମନ ଲାଗୁ ନଥିଲା । ସେ ସାନ ବେଳୁଁ ହିଁ ଦୋକାନରେ ବସି ଗୁରୁଜନମାନଙ୍କୁ ବ୍ୟବସାୟ ଚଳାଇବାରେ ସାହାଯ୍ୟ କରୁଥିଲେ । ଜୀବନଯାକ ସେ ସେହିପରି ଗୋଟିଏ ଛୋଟ ଦୋକାନ ଚଳାଇ ପରିବାର ପାଳିଲେ । ତାଙ୍କର ବି ମେରିଟ୍ ନଥିଲା । ସେ ମଧ୍ୟ ବିଚରା କୁଳପତି ବନି ପାରିଲେ ନାହିଁ ।
ବି.ଦ୍ର. – ଏହି ଆଲେଖଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଥିଲା । ଲେଖାଟିର ଉପାଦାନ ଅର୍ଥନୈତିଜ୍ଞ ବିଦ୍ୟାଧର ମିଶ୍ରଙ୍କର ଆତ୍ମଜୀବନୀ ‘ଜୀବନ ଗଙ୍ଗୋତ୍ରୀ – ଗାଁ ମାଟି’ରୁ ଆନୀତ । ବହିଟିର ପ୍ରଥମ ପ୍ରକାଶ ମଇ ୨୦୦୧ ମସିହାରେ; ପ୍ରକାଶକ ହେଲେ କଟକସ୍ଥ ବିଦ୍ୟାପୁରୀ ।
Wished the reviewer could have written in detail about the book.
ReplyDeleteନମସ୍କାର । ପଢ଼ିବା ପାଇଁ ଆଉ ମତାମତ ନିମନ୍ତେ ଧନ୍ୟବାଦ । କିନ୍ତୁ ଏଇ ଲେଖାଟିକୁ ମୁଁ ସମୀକ୍ଷା ଭାବରେ ଲେଖି ନଥିଲି । ସେପରି ଉଦ୍ଦେଶ୍ୟ ଥିଲେ ଲେଖାଟିର ଢାଞ୍ଚା ଅଲଗା ହୋଇଥାଆନ୍ତା । ମୁଁ ବିଦ୍ୟାଧର ମିଶ୍ରଙ୍କର ଆତ୍ମଜୀବନୀ ‘ଜୀବନ ଗଙ୍ଗୋତ୍ରୀ – ଗାଁ ମାଟି’ରେ ଥିବା କିଛି ଉପାଦାନକୁ ଭିତ୍ତି ଭାବରେ ଧରି, ଗୋଟିଏ ଛୋଟ ଆଲେଖ ଲେଖିବାର ଚେଷ୍ଟା କରିଛି ମାତ୍ର । ସେଥିରେ ବିଫଳ ହୋଇଥିଲେ ଉଦାର ହୃଦୟରେ ମୋତେ କ୍ଷମା କରିବାକୁ ଅନୁରୋଧ । ପ୍ରଣାମ ।
Delete