Wednesday, October 13, 2021

ତା ସତ

ଶୈଲେନ ରାଉତରାୟ


'ଭେରିଟାସ୍' (୧୬୭୩-୧୬୭୭)
ମୂର୍ତ୍ତିକାର - ୟନ୍ ଭନ୍ ଡେଲେନ୍ (୧୬୩୬-୧୭୦୩)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ବାଟରେ ଭେଟିଥିବା ମୁସାଫିର ମୋତେ ପଚାରନା
କବି ବୋଲାଇବାକୁ ମୁଁ ବିକଳ କାହିଁକି ।
ତା ସତ ।
ହେଲେ ମୁଁ ତା ଠାରୁ ଆହୁରି ବିକଳ
ପଚି ସଢ଼ି, କବିତା ବହିଟିଏ ହେବାକୁ ଥିବା
ଜିଅନ୍ତା, ବଢ଼ନ୍ତା ଗଛଟିଏର ଖତ ପାଲଟିବା ପାଇଁ ।୧।
 
ହାଟରେ ବସିଥିବା ସଉଦାଗର ମୋତେ ପଚାରନା
ପ୍ରେମିକ ବୋଲାଇବାକୁ ମୁଁ ବିକଳ କାହିଁକି ।
ତା ସତ ।
ହେଲେ ମୁଁ ତା ଠାରୁ ଆହୁରି ବିକଳ
ତୁମ ଦୂର ଦେଶର ପ୍ରେମିକ
ତୁମ ପାଖକୁ ଲେଖିବାକୁ ଥିବା ଚିଠିର
କରଣ ବନିବା ପାଇଁ ।୨।
 
ଘାଟରେ ଜଗିଥିବା ନାଉରିଆ ମୋତେ ପଚାରନା
ସାଧକ ବୋଲାଇବାକୁ ମୁଁ ବିକଳ କାହିଁକି ।
ତା ସତ ।
ହେଲେ ମୁଁ ତା ଠାରୁ ଆହୁରି ବିକଳ
ତୁମ ମଧୁଶାଳାର ସାକି 
ଆଉ ତା' ପ୍ରିୟ ଗରାଖ ଭିତରେ
ମଧ୍ୟସ୍ଥି ସାଧିବା ପାଇଁ ।୩।
 
ଭୋଜିରେ ମଜିଥିବା ବଇଦ ମୋତେ ପଚାରନା
ପାଚକ ବୋଲାଇବାକୁ ମୁଁ ବିକଳ କାହିଁକି ।
ତା ସତ ।
ହେଲେ ମୁଁ ତା ଠାରୁ ଆହୁରି ବିକଳ
ତୁମ ଖୁଦାର ଜ୍ୱିହାରେ
ନିରନ୍ତର ନାଚୁଥିବା
ସୁଆଦ ବନିବା ପାଇଁ ।୪।
 
ପ୍ରତିଦ୍ୱନ୍ଦୀର ବାଡ଼ିରେ ଫୁଟିଥିବା ଫୁଲ ମୋତେ ପଚାରନା
ଈଶ୍ୱର ବୋଲାଇବାକୁ ମୁଁ ବିକଳ କାହିଁକି ।
ତା ସତ ।
ହେଲେ ଶଇଲେନ ତା ଠାରୁ ଆହୁରି ବିକଳ
ହେମନ୍ତର ଆଗମନ ପରେ
ତୁମ ବଗିଚାର ଝଡ଼ିଥିବା
ପତ୍ର ଖରକିବା ପାଇଁ ।୫।

2 comments:

  1. Replies
    1. ଧନ୍ୟବାଦ । ଆପଣଙ୍କର ଶୁଭେଚ୍ଛା ମୋ ପାଇଁ ଆଶୀର୍ବାଦ । ପ୍ରଣାମ ।

      Delete

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....