Thursday, November 25, 2021

୧୯୪୦ ମସିହାରେ ଗୋଟିଏ ଶୂନଗାଡ଼ିରେ ଛଅ ଜଣ ସାଙ୍ଗଙ୍କ ଭ୍ରମଣ

ଶୈଲେନ ରାଉତରାୟ


ବଲାଙ୍ଗୀରର ମଟଖାଇ ପର୍ବତ (ୱିକିମିଡିଆ କମନ୍ସ୍)

ଗତ ଶତାବ୍ବୀର ଚତୁର୍ଥ ଓ ପଞ୍ଚମ ଦଶକର ସନ୍ଧି । ସେତେବେଳେ ଓଡ଼ିଶାର ବିଶିଷ୍ଟ ଶିକ୍ଷାବିଦ ହରିହର ମିଶ୍ର ବଲାଙ୍ଗୀରର ପୃଥ୍ୱୀରାଜ ହାଇସ୍କୁଲ ରେ ଅଧ୍ୟୟନ କରୁଥାଆନ୍ତି । ସ୍ୱାଧୀନତା ପୂର୍ବ ସମୟର କଥା । ହଷ୍ଟେଲ୍ ରେ ରହି ପାଠପଢ଼ା ଚାଲିଥାଏ । ୧୯୪୦ ମସିହା । ୧୦ମ ଶ୍ରେଣୀର ପାଠ ଓ ପରୀକ୍ଷା ସରିଥାଏ ।

ସେ ବର୍ଷ ସ୍କୁଲ୍‌ର ରଜତ ଜୟନ୍ତୀ ଉତ୍ସବ ଆରମ୍ଭ ହେବାକୁ ଯାଉଥିବାରୁ କେବଳ ଶ୍ରେଣୀରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପିଲାଙ୍କର ନାମ ଘୋଷଣା କରାଗଲା । ବାକିସବୁ ପିଲାଙ୍କୁ ଉପର ଶ୍ରେଣୀକୁ ପଠାଇଦିଆଗଲା । ଏଥିପାଇଁ ସମସ୍ତଙ୍କ ମନ ବହୁତ ଭଲ ଥିଲା । ଏହା ପରେ ପରେ ବଡ଼ ଦିନ ଛୁଟି ମଧ୍ୟ ପଡ଼ିଲା ।

ଦଶମ ଶ୍ରେଣୀରେ ହର ବାବୁଙ୍କ କ୍ଲାସ୍‌ରେ ତ୍ରିବିକ୍ରମ ପଣ୍ଡା ନାମକ ସରାଧାପାଲି ଗ୍ରାମର ଏକ ମେଳାପି ଓ ଖେଳୁଆଡ଼ ପିଲା ପଢ଼ୁଥିଲେ । ସରଧାପାଲି ବଲାଙ୍ଗୀର ଠାରୁ କୋଡ଼ିଏ ମାଇଲ ଦୂରର ଏକ ଗାଁ । ସେ ତାଙ୍କର ସାଙ୍ଗମାନଙ୍କୁ ଗାଁକୁ ଯିବାକୁ ନିମନ୍ତ୍ରଣ କଲେ । ହରିହର ବାବୁ, ବେଣୁଧର ପଣ୍ଡା, ବଳରାମ ସ୍ୱାଇଁ, ତ୍ରିବିକ୍ରମ ପଣ୍ଡା, ଓ ଆଉ ଦୁଇ ଜଣ – ଏହି ପରି ଛଅ ଜଣ ସାଙ୍ଗ ଠିକ୍ କଲେ ଯେ, ସେମାନେ ମିଶି ସରଧାପାଲି ଗାଁକୁ ବୁଲି ଯିବେ ।

ଗୋଟିଏ ସାଇକେଲ ଠିକ୍ ହେଲା । ଲୁଗାପଟାତକ ଦୁଇଟି ଗଣ୍ଠିଲିରେ ବନ୍ଧା ହେଲା । ଗଣ୍ଠିଲି ଥୁଆ ହେଲା ସାଇକେଲ ଉପରେ । ସକାଳୁ ସକାଳୁ ଛଅ ବନ୍ଧୁ ବାହାରି ପଡ଼ିଲେ । ଜଣେ ସାଙ୍ଗ ଗାଡ଼ି ଚଲାଇଲେ । ବାକି ସବୁ ସବୁ ପଛେ ପଛେ ଚାଲିଲେ । କଥା ରହିଲା, ଦୁଇ ମାଇଲି ସାଇକେଲ ଚଲାଇ ଯାଇ ସାଇକେଲିଆ ଅପେକ୍ଷା କରି ରହିବ । ପଥଚାରୀ ଚାଲିଚାଲି ଯାଇ ତାଙ୍କ ପାଖରେ ପହଞ୍ଚିଲେ, ତାହା ପରେ ଆଉ ଜଣେ ସାଇକେଲ ଚଲାଇବ ।

ଏମିତି ସମସ୍ତଙ୍କର ପାଳିକେ ଲେଖାଏଁ ସାଇକଲ ଚଢ଼ା ସରିଲା ବେଳକୁ ବନ୍ଧୁଗୋଷ୍ଠୀ ଯାଇଁ ପହଞ୍ଚିଲା ସିଂହାଣିମୁଣ୍ଡା ଗାଁରେ । ସେ ଗାଁ ହେଲା ହରିହର ବାବୁଙ୍କର ମଉସା ବଳରାମ ଗୁରୁଙ୍କର ଗାଁ । ମଉସା ଅବଶ୍ୟ ବଲାଙ୍ଗିରରେ ରହୁଥାନ୍ତି । ଗାଁରେ ବସବାସ କରୁଥାଆନ୍ତି ମଉସାଙ୍କର ସାବତ ମାଁ, ଭାଈ ଓ ଭଉଣୀ । ଏତେ ଲୋକ ଥିବାରୁ ହରବାବୁ ସଙ୍କୋଚ କରି ଅନ୍ୟତ୍ର ଖିଆପିଆର ବ୍ୟବସ୍ଥା କରୁଥିବାର ଶୁଣି, ଆଈ ଡକାପକାଇଲେ ଓ ସମସ୍ତ ବ୍ୟବସ୍ଥା କଲେ ।
 
ମଉସାଙ୍କ ଘରେ ରାଜଭୋଜନ ଓ ବିଶ୍ରାମ କରି  ପୁଣି ଗୋଟିଏ ସାଇକଲରେ ପୂର୍ବ ପରି ଛଅ ଜଣ ଯାକ ସାଙ୍ଗ ଯାତ୍ରା ଆରମ୍ଭ କଲେ । ସୁକତେଲ ନଦୀ ପାର ହୋଇ, ସରଗାଡ଼ ଓ ଗାଇସିଲଟ ଗାଁ ଦୁଇଟି ଦେଇ ସନ୍ଧ୍ୟା ପୂର୍ବରୁ ସରଧାପାଲି ଗାଁରେ ଯାଇ ପହଞ୍ଚିଲେ । ତ୍ରିବି ବାବୁଙ୍କର ପିତାମାତା ପୁଅଙ୍କର ସାଙ୍ଗମାନଙ୍କୁ ଦେଖି ବହୁତ ଖୁସି ହେଲେ । ବଡ଼ ବଖରାଟାଏ ସଫା କରିଦେଲେ । ସତରଞ୍ଜି, ସପ ଇତ୍ୟାଦି ବିଛାଇ ରହିବାର, ଶୋଇବାର ବ୍ୟବସ୍ଥା କଲେ । ରାତି ଆଠଟା ବେଳେ ଖାଇସାରି ହାଲିଆ ହୋଇଥିବାରୁ ଶୋଇଗଲେ ।

ତାହା ପର ଦିନ, ପାଖ ଗାଁରୁ (ତ୍ରିବି ବାବୁଙ୍କ ଶଶୁର ଘର ଗାଁ) ଆର୍ତ୍ତତ୍ରାଣ ଓ ଶଙ୍କର୍ଷଣ ନାମରେ ପୃଥ୍ୱୀରାଜ ହାଇସ୍କୁଲର ଦୁଇ ଜଣ ତଳ ଶ୍ରେଣୀର ପିଲା ଛଅ ସଙ୍ଗାତଙ୍କୁ ଭେଟି ନିମନ୍ତ୍ରଣ କରିବାକୁ ଆସିଲେ । ଏହି ଦୁଇ ଜଣ ତ୍ରିବିକ୍ରମ ବାବୁଙ୍କର ସମ୍ପର୍କୀୟ ଶଳା ମଧ୍ୟ ଥିଲେ । ଦିନ ବେଳା ସରଧାପାଲିରେ ଖାସି ବା ମେଣ୍ଢା ମାଂସ ଖିଆଯାଇଥିଲା । ରାତିରେ ମଧ୍ୟ ଆମିଷ ଭୋଜନ ସହିତ ଜୋଇଁ ଚରଚା ମିଳିଲା ।

ସେତେବେଳେ ନିମନ୍ତ୍ରିତ ଅଥିତିଙ୍କୁ ଆମିଷରେ ଚର୍ଚ୍ଚା କରିବା ଏକ ପ୍ରଥା ଥିଲା । ଲୋକେ ସେଥିପାଇଁ ଘରେ ଛେଳି ମଧ୍ୟ ରଖୁଥିଲେ । ଜୋଇଁ ଚରଚା ପରେ, ରାତିରେ ଶୋଇ, ସକାଳେ ଉଠି ନିତ୍ୟକର୍ମ ଓ ଜଳଖିଆ ଇତ୍ୟାଦି ସାରି, ସରଧାପାଲିରେ ପହଞ୍ଚି, ବଲାଙ୍ଗିର ଫେରିବାର ଯୋଜନା ତିଆର ହେଲା । ତ୍ରିବି ବାବୁ ଘରେ ରହିଗଲେ ।

ବାକି ପାଞ୍ଚ ଜଣ ଯାକ ବନ୍ଧୁ ଗୋଟିଏ ସାଇକେଲ ଚଢ଼ି ଇସ୍କୁଲକୁ ଫେରିବାର ଉପକ୍ରମ କଲେ । ତ୍ରିବିକ୍ରମ ଓ ତାଙ୍କର ପିତା ଖଣ୍ଡେ ବାଟ ବଳେଇଦେବା ପାଇଁ ଆସିଲେ । ଫେରନ୍ତାରେ ବନ୍ଧୁମାନେ ଭିନ୍ନ ବାଟ ଧରିଲେ । କଉତିକିଆ ଗପଟିମାନ କହିଶୁଣି ସମୟ କଟୁଥାଏ ।

ସରଧାପାଲିରୁ ସେମାନେ ଆସିଲେ ଗାଏସିଲଟ । ସେଥି ଉତ୍ତାରୁ ଲୋଇସିଂହା ଆଡ଼କୁ ପ୍ରସ୍ଥାନ କଲେ । ଲୋଇସିଂହାରେ ବସ୍ ଷ୍ଟାଣ୍ଡ୍ ରେ ପହଞ୍ଚି ସାଇକେଲକୁ ବସ ଉପରେ ରଖି, ପାଞ୍ଚଜଣ ସାଙ୍ଗ ବସ୍ ରେ ବସି ଘଣ୍ଟାକ ଭିତରେ ବଲାଙ୍ଗିରରେ ପହଞ୍ଚିଲେ । ଏମିତି ଥିଲା ଅଶି ବର୍ଷରୁ ଉର୍ଦ୍ଧ ସମୟ ପୂର୍ବର ଗୋଟିଏ ସାଇକେଲରେ ଛଅଜଣ ସାଙ୍ଗଙ୍କର ଭ୍ରମଣର ଅନୁଭୂତି ।

ବି.ଦ୍ର.: ଏହି ଲେଖାଟି ସାମାନ୍ୟ ଏକ ଭିନ୍ନ ରୂପରେ ପ୍ରଥମେ ପାକ୍ଷିକ ପତ୍ରିକା ସମଦୃଷ୍ଟିରେ ପ୍ରକାଶିତ ହୋଇଥିଲା । ଲେଖାଟିର ଉପାଦାନ ହରିହର ମିଶ୍ରଙ୍କର ଆତ୍ମଜୀବନୀ ସ୍ମୃତି ତ କଦାପି ନୁହେଁ ଫିଙ୍ଗିବାରରୁ ନିଆଯାଇଛି । ବହିଟି ୨୦୧୬ ମସିହାରେ ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ପଶ୍ଚିମା ପବ୍ଲିକେଶନ୍ସ୍‌ଙ୍କ ଦ୍ୱାରା ପ୍ରକାଶିତ ।

2 comments:

  1. Replies
    1. ପ୍ରଣାମ । ପଢ଼ିବା ପାଇଁ ଓ ମତାମତ ନିମନ୍ତେ ଧନ୍ୟବାଦ ।

      Delete

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....