କବି ଭାରତ ମାଝୀଙ୍କ ସହ ଏକ ସାକ୍ଷାତକାର
ଶୈଲେନ ରାଉତରାୟ
ପ୍ରଶ୍ନ: ଆପଣଙ୍କର ପୂର୍ବ ପ୍ରଜନ୍ମର ପ୍ରସିଦ୍ଧ ଓ ପ୍ରଭାବଶାଳୀ ଓଡ଼ିଆ କବିମାନଙ୍କ ମଧ୍ୟରୁ ଅନେକଙ୍କର ଶିକ୍ଷା ଇଂରାଜୀ ସାହିତ୍ୟରେ ଥିଲା । ସେମାନଙ୍କ ଭିତରୁ ଅନେକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅଫିସର ବା ଅଧ୍ୟାପକ ଥିଲେ । ହେଲେ ଆପଣଙ୍କ ପୁରୁଷର ଓଡ଼ିଆ ଭାଷାର କବି ମାନଙ୍କର ଏକାଡେମିକ୍ ଟ୍ରେନିଂ ଓ କର୍ମ ଜୀବନରେ ଅଧିକ ବିଭିଦତା ଅଛି । ଏ ବିଷୟରେ ଆପଣ କଣ କହିବେ ?
ଭାରତ ମାଝୀ:- ତୁମେ ଯେଉଁ ପୁରୁଷର କବିମାନଙ୍କ କଥା କହୁଛ, ସେମାନଙ୍କ ଭିତରୁ ଅଧିକାଂଶ ଉଚ୍ଚଜାତିର ଓ ଉଚ୍ଚମଧ୍ୟବିତ୍ତ ପରିବାରମାନଙ୍କରୁ ଆସିଥିଲେ । ହେଲେ ୪୫ ବର୍ଷ ବୟସରୁ କମ ବୟସର ଅଧିକାଂଶ କବିମାନେ ନିମ୍ନ ମଧ୍ୟବିତ୍ତ ବା ମଧ୍ୟବିତ୍ତ ପୃଷ୍ଠଭୂମିର । ଏଣୁ ସାହିତ୍ୟିକ ଆଧୁନିକତାରେ ଆମର ପ୍ରବେଶ ଇଂରାଜୀ ସାହିତ୍ୟର ଫାଟକ ଦେଇ ନୁହେଁ । ଏଣୁ ଓଡ଼ିଆ ଜନଜୀବନର ଛନ୍ଦ ଓ ସ୍ପନ୍ଦନ ତୁମେ ଆମର ଗପ ଓ କବିତା ମାନଙ୍କରେ ଦେଖିବାକୁ ପାଇବ ।
ଉଦାହରଣ ସ୍ୱରୂପ ମୋର ପ୍ରଥମ ପଦ୍ୟ ରଚନା ଥିଲା ନିଜ ଗାଁର ଘୁମୁରା ଦଳ ପାଇଁ । ହେଲେ ମୁଁ ଧିରେଧିରେ ଆଧୁନିର ଗଦ୍ୟ କବିତା ଲେଖିବାକୁ ଆରମ୍ଭ କଲି ଆଉ ପାରମ୍ପରିକ ରଚନାରୁ ଦୂରେଇଗଲି । ଏପରି ଏକ ଟ୍ରାଜେକ୍ଟରୀ ମୋ ପୁରୁଷର ଅନେକଙ୍କ ପାଇଁ ସତ । ଲୋକ ସାହିତ୍ୟରେ ଆମର ଚେର ଥିବାରୁ ଆମ ପୁରୁଷର କାମ ଓଡ଼ିଆ କବିତାର ଆଙ୍ଗିକତାକୁ ଅନେକ ଭାବରେ ବଦଳାଇଦେଇପାରିଛି ।
ଏହା ଆମର ପୂର୍ବ ପ୍ରଜନ୍ମର କବିମାନଙ୍କୁ ଏବେ ପ୍ରଭାବିତ ମଧ୍ୟ କରୁଛି । ଆମ କବିତାର ଆଉ ଗୋଟିଏ ପ୍ରଭାବ ହେଲା ଯେ, ତିନି ଚାରି ପୁରୁଷ ତଳ ପର୍ଯ୍ୟନ୍ତ ଯେଉଁ ବୈପ୍ଳବିକ ଆଧ୍ୟାତ୍ମିକତା ଓଡିଆ କାବ୍ୟମାନସର ମୂଳଭିତ୍ତି ଥିଲା, ଆମେ ଓଡ଼ିଆ କବିତାକୁ ଅନେକ ଭାବରେ ସେଠାକୁ ଫେରାଇ ଆଣିବାରେ ସକ୍ଷମ ହୋଇଛୁ ।
ପ୍ରଶ୍ନ: ଏହି ସନ୍ଦର୍ଭରେ ତାହାହେଲେ ଆପଣ ବ୍ରହ୍ମୋତ୍ରୀ ମହାନ୍ତିଙ୍କର କବିତା ବିଷୟରେ କଣ କହିବେ ?
ଭାରତ ମାଝୀ: ତାଙ୍କର ପ୍ରଥମ କେତୋଟି କବିତା ବହି ଅଗ୍ନିଗର୍ଭା । ହେଲେ ପରେ ତାଙ୍କର କବିତାର ଧାର ଟିକେ ମରିଗଲା । କିନ୍ତୁ ଏହା ଏକ ବୃହତ୍ତର ପରିବର୍ତ୍ତନର ଅଂଶ । ଓଡ଼ିଆ ସମାଜର ଆଧ୍ୟାତ୍ମିକତାକୁ ପୁଞିବାଦ ପୋଷା ମଣେଇଦେଇଥିଲା ଭଳି ଜଣାଯାଏ । ପ୍ରତିବାଦ ଓ ମୁକ୍ତି ପାଇଁ ଏହାର କେତେ ଶକ୍ତି ଅଛି ତାହା ଜଣାନାହିଁ ।
ପ୍ରଶ୍ନ: ଆମେ ଯଦି ବୃହତ୍ତର ପରିବର୍ତ୍ତନର କଥା ହେଉଛେ, ତାହାହେଲେ ଗତ କୋଡ଼ିଏ ବର୍ଷ ଖଣ୍ଡେ ଭିତରେ ଓଡ଼ିଆ କବିତା ଓ ସାହିତ୍ୟରେ କଣ କଣ ଭଲ ପରିବର୍ତ୍ତନ ଓ କଣ ଖରାପ ପରିବର୍ତ୍ତନ ଆସିଛି ବୋଲି ଆପଣ କହିବେ ?
ଭାରତ ମାଝୀ: ଆମର ଥିମ୍ର ସଙ୍ଖ୍ୟା ବଢ଼ିଛି । ଓଡ଼ିଆ ଭାଷାର କବି ଓ ଲେଖକ ମାନେ ଆମର ସମସାମୟିକ ଦୁନିଆ ଓ ଅବସ୍ଥା ବିଷୟରେ ବର୍ତ୍ତମାନ ଅଧିକ ସଚେତନ । ଭାଷାକୁ ନେଇ ଅଧିକ ପରୀକ୍ଷା ନୀରିକ୍ଷା ହେଉଛି । ଆଗରୁ ଓଡ଼ିଆ ସାହିତ୍ୟର ଭାଷା ସଂସ୍କୃତାଶ୍ରୟୀ ଥିଲା । ନହେଲେ ଉପକୂଳ ଓଡ଼ିଶାର ଗାଉଁଲି ଭା।ଷାର ବ୍ୟବହାର ହେଉଥିଲା । ଏବେ ଓଡ଼ିଆ ଭାଷାର ଅନେକ ରୂପ ଓ ବୋଲି ସାହିତ୍ୟରେ ବ୍ୟବହୃତ ହେଉଛି।
ହେଲେ ଏବେର ଅନେକ କବି କୋରସ୍ରେ ଗାଉଛନ୍ତି । ଅନେକଙ୍କର ପ୍ରାକ୍-ଆଧୁନିକ ଓଡ଼ିଆ କାବ୍ୟଜଗତ ସହିତ କିଛି ପରିଚୟ ନାହିଁ। ପଢ଼ାପଢ଼ି, ଗବେଷଣା, ମନନ, ଚିନ୍ତନ, ଓ ଲେଖାଲେଖିର କାରୁକଳା ସହିତ ସମ୍ପୃକ୍ତି କମିଛି । ଏସବୁ ଚିନ୍ତାର ବିଷୟ ।
ପ୍ରଶ୍ନ: ଆମେ ଚିକେ ବର୍ତ୍ତମାନ ସାକ୍ଷାତକାରର ଆରମ୍ଭର ପ୍ରଶ୍ନକୁ ଫେରିଯିବା । ମୋତେ ଯାହା ଲାଗୁଛି, ଆପଣଙ୍କ ପ୍ରଜନ୍ମର କବିମାନେ ଓଡ଼ିଆ ଆଧୁନିକତାର, ବିଶେଷତଃ ଆପଣଙ୍କର ପୂର୍ବ ପୁରୁଷର ଥିମାଟିକ୍ ସୀମିତତାକୁ ସଫଳତାର ସହିତ ଚ୍ୟାଲେଞ୍ଜ ଦେଇଛନ୍ତି । ହେଲେ ଓଡ଼ିଆରେ ଭାଷା ଓ ଜନ୍ରା ର ବ୍ୟବହାରର ବୃହତ୍ତର ଢାଞ୍ଚାଟିକୁ ଯଥା ପୂର୍ବମ୍ ତଥା ପରମ୍ ଛାଡ଼ି ଯାଇଛନ୍ତି । ଏ ବିଷୟରେ ଆପଣ କଣ କହିବେ ?
ଭାରତ ମାଝୀ: ତୁମେ ଭୁଲ୍ କହୁନାହଁ । ହେଲେ ଏଥି ପାଇଁ ଆମେ ଏ ପର୍ଯ୍ୟନ୍ତ ଯେତିକି ପରିଶ୍ରମ କରିପାରିଛୁ, ତାହାଠାରୁ ବହୁତ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ଏପରି ଅବସ୍ଥା ପାଇଁ ମୁଁ ମଧ୍ୟ ବ୍ୟକ୍ତିଗତ ଭାବରେ ଦାୟୀ । ମୁଁ ଅଳସୁଆ । ହେଲେ ଭବିଷ୍ୟତର ଯୋଜନାରେ ଏହା ଅଛି । ଧୈର୍ଯ୍ୟ ଧର ବନ୍ଧୁ ।
ବି.ଦ୍ର.: ଏହି ସାକ୍ଷାତକାରର ଏକ ଅପେକ୍ଷାକୃତ ବୃହତ୍ତର ରୂପ କନ୍ନଡ ଦୈନିକ ପ୍ରଜାବାଣୀ ରେ କିଛି ବର୍ଷ ଆଗରୁ ଛପାଯାଇଥିଲା । ସାକ୍ଷାତକାର କରିଥିଲେ ଶୈଲେନ ରାଉତରାୟ ।
Thank you so much.
ReplyDeleteଧନ୍ୟବାଦ ଓ ପ୍ରଣାମ ।
DeleteKeep it.
ReplyDeleteଆପଣଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ ।
DeleteVery good interview, my complements to both,long live odiya folk language...!
ReplyDeleteଆପଣଙ୍କ ପାଠକୀୟ ପ୍ରତିକ୍ରିୟା ଏଠାରେ ଦେବା ପାଇଁ ଧନ୍ୟବାଦ । ଭବିଷ୍ୟତରେ ମଧ୍ୟ ମତାମତ ଅପେକ୍ଷାରେ ରହିଲି ।
DeleteBhala hpichhi
ReplyDeleteଭାଇ ନମସ୍କାର । ପଢ଼ିବା ପାଇଁ ଓ ମତାମତ ନିମନ୍ତେ ଧନ୍ୟବାଦ ।
Delete