Tuesday, April 5, 2022

ଶ୍ରୀରାମପୁରରେ ପ୍ରାଥମିକ ଶିକ୍ଷା

ଶୈଲେନ ରାଉତରାୟ 

ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ନୀଳକଣ୍ଠ ବାବୁଙ୍କ ଗାଁ ଶ୍ରୀରାମପୁରର ମଧ୍ୟ-ଓଡ଼ିଆ ବିଦ୍ୟାଳୟ (ଯାହାକୁ ଔପନିବେଶିକ ପ୍ରଶାସନର ସରକାରୀ ଭାଷାରେ ମିଡ଼ିଲ୍ ଭର୍ଣ୍ଣାକୁଲାର ସ୍କୁଲ କୁହା ଯାଉ ଥିଲା) ର ପଣ୍ଡିତେ ଜଣେ ଭଲ ଶିକ୍ଷକ । ହେଲେ ବେଳେବେଳେ ପିଲାଙ୍କୁ ପାଠ ଦେଇ ନିଦ୍ରା ଯାଆନ୍ତି । ସେ ସମୟରେ ଅନେକ ଲୋକେ ନାସ ଶୁଙ୍ଘୁଥିଲେ । ପଣ୍ଡିତ ଜଣଙ୍କ ମଧ୍ୟ । ଦିନେ ଶ୍ରେଣୀଗୃହରେ ସହସା ନିଦ ଭାଙ୍ଗି ଗଲା ବେଳକୁ  ସେ ଦେଖିଲେ, ପିଲାଏ ଦାନିରୁ ନାସ ଚୋରି କରି ନେଇ ଶୁଙ୍ଘୁଛନ୍ତି । 

ପଣ୍ଡିତେ ଏପରି ଉପଦ୍ରବରେ ରାଗିବା କଥା । ହେଲେ ସେ କୌଣସି ପ୍ରକାର କ୍ରୋଧ ପ୍ରକାଶ କଲେ ନାହିଁ । କହିଲେ, “ନିଅ ନିଅ, ନାଶ ଶୁଙ୍ଘିବ, ନାକ ସଫା ହୋଇଯିବ”, ତଥା ଏହା ପରେ ଉପସ୍ଥିତ ସବୁ ପିଲାଙ୍କୁ ନାସ ତକ ବାଣ୍ଟି ଦେଲେ । ଏହା ପରେ କେହି ପିଲା ଆଉ ପଣ୍ଡିତଙ୍କ ନାସ ଓ ଦାନିକୁ ନେଇ ଫେଚକାମି କରି ନାହାନ୍ତି । 

ଏହି ପଣ୍ଡିତ ଜଣଙ୍କର ନାମ ଥିଲା ଲୋକନାଥ ଦାସ । ବାଳକ ନୀଳକଣ୍ଠ ଉନବିଂଶ ଶତାବ୍ଦୀର ଶେଷ ଭାଗକୁ ସ୍କୁଲପାଠ ପଢ଼ିବାକୁ ଗଲା ବେଳକୁ, ସେ ଦନ୍ତହୀନ ବୃଦ୍ଧ । ଅଙ୍କ ଓ କ୍ଷେତ୍ରତତ୍ତ୍ୱ  ଆଦି ବିଷୟ ସେ ନିଜେ କେବେ ପଢ଼ି ନ ଥିଲେ ମଧ୍ୟ, ଛାତ୍ରମାନଙ୍କୁ ସେ ସବୁ ବିଷୟ ପ୍ରାଞ୍ଜଳ ଭାବରେ ବୁଝାଇ ଦେବାରେ ଥିଲେ ସିଦ୍ଧହସ୍ତ । ପୁରୀର ବିଖ୍ୟାତ ପଣ୍ଡିତ ଓ ସମାଜ ସଂସ୍କାରକ (ଓଡ଼ିଶାର ଦୁର୍ଭାଗ୍ୟ ଯୋଗୁଁ ଅଳ୍ପାୟୁ) ହରିହର ଦାସ ଯେଉଁ ସ୍କୁଲ ସବୁ ବସାଇ ଉପକୂଳ ଓଡ଼ିଶାରେ ଆଧୁନିକ ଶିକ୍ଷାର ମୂଳଦୁଆ ବସାଇବାର ଚେଷ୍ଟା କରିଥିଲେ, ସେ ସବୁ ମଧ୍ୟରୁ ଶ୍ରୀରାମପୁରସ୍ଥ ବିଦ୍ୟାଳୟଟି ଥିଲା ଅନ୍ୟତମ । ଲୋକନାଥ ଦା‌ସଙ୍କୁ ହରିହର ହିଁ ନିର୍ବାଚିତ କରି ସ୍କୁଲରେ ରଖାଇ ଥିଲେ । ଲୋକନାଥ ଥିଲେ ଶିକ୍ଷକ ଭାବରେ ଅତ୍ୟନ୍ତ ଛାତ୍ରବତ୍ସଳ । ପିଲାଏ କାକୁଡ଼ି ଚୋରୀ ପରି ଖୁଚୁରା ଦୁଷ୍ଟାମୀ କଲେ, ସେ ସବୁକୁ ଧରୁ ନ ଥିଲେ । ପାଠରେ ଆଗ୍ରହ ଯୋଗୁଁ ନୀଳକଣ୍ଠ ଥିଲେ ତାଙ୍କର ଅତି ପ୍ରିୟ ।

ସେତେବେଳେ ସରକାର ନିଜେ ପ୍ରାଇମେରୀ ସ୍କୁଲ ସେତେଟା ବସାଉ ନ ଥିଲେ । କିମ୍ବା ଦରମା ଇତ୍ୟାଦି ମଧ୍ୟ ଦେଉ ନ ଥିଲେ । ଶ୍ରୀରାମପୁର ପରି ଗ୍ରାମର ମଧ୍ୟଓଡ଼ିଆ ବିଦ୍ୟାଳୟଗୁଡ଼ିକ ନାଁକୁ ମାତ୍ର କିଛି ସରକାରୀ ସାହାଯ୍ୟ ପାଉ ଥାଆନ୍ତି । ଏହି ସ୍କୁଲଗୁଡ଼ିକରେ ଶିକ୍ଷକ ଥାଆନ୍ତି ଦୁଇ ଜଣ ମାତ୍ର – ପ୍ରଥମ ଶିକ୍ଷକ (ହେଡ଼ ପଣ୍ଡିତ) ଓ ଦ୍ୱିତୀୟ ପଣ୍ଡିତ । ସରକାର ମହାପୁରୁ ମାସକୁ ଦିଅନ୍ତି ପନ୍ଦର ଟଙ୍କା । ହିସାବଟି ହେଲା, ଗ୍ରାମସମିତିର ସମ୍ପାଦକ ଗାଁ ପାଣ୍ଠିରୁ ଆଉ ପନ୍ଦର ଟଙ୍କା ମାସକୁ ମାସ ଦେବେ; ଆଉ, ସମୁଦାୟ ପାଣ୍ଠି ତିରିଶ ଟଙ୍କାରୁ ପ୍ରଥମ ଶିକ୍ଷକ ପାଇବେ ପନ୍ଦର, ଦ୍ୱିତୀୟ ପଣ୍ଡିତେ ପାଇବେ ଦଶ ଓ ବଳକା ପାଞ୍ଚ ଟଙ୍କାରୁ ଜଣେ ଦପ୍ତରୀଙ୍କର ଓ କାଗଜ କାଳି ଆଦିର ଖର୍ଚ୍ଚ ଉଠିବ । 

କିନ୍ତୁ ଗାଁର କେହି ଇସ୍କୁଲ ପାଇଁ ଚାନ୍ଦା ଦିଅନ୍ତି ନାହିଁ, କି ବିଦ୍ୟାଳୟକୁ ସମିତି ତରଫରୁ କିଛି ମିଳେ ନାହିଁ । ସ୍କୁଲରେ ଥାଆନ୍ତି ନା ଦପ୍ତରୀ ନା ଆଉ କିଛି ଯୋଜନା କରାଯାଇଥିବା ସରଞ୍ଜାମ । ମାସିକିଆ ଦରମା ଭାବରେ ବିଚରା ହେଡ଼ ପଣ୍ଡିତ ପାଆନ୍ତି ଦଶ ଟଙ୍କା ଆଉ ସେକେଣ୍ଡ ପଣ୍ଡିତେ ପାଆନ୍ତି ପାଞ୍ଚ ଟଙ୍କା । 

ଏପରି ଥିଲା ସେ ସମୟର ପ୍ରାଥମିକ ଶିକ୍ଷା ପାଇଁ ବ୍ରିଟିଶ ସାମ୍ରାଜ୍ୟର ବ୍ୟବସ୍ଥା ।  ପ୍ରାଥମିକ ଶିକ୍ଷା ପରେ ସେ ସମୟରେ ପୁରୀ ଜିଲ୍ଲାରେ ଅଧିକ ପାଠ ପଢ଼ିବାର ଏକମାତ୍ର ବାଟ ଥିଲା ପୁରୀ ଜିଲ୍ଲା ସ୍କୁଲରେ ଅଧ୍ୟୟନ । ହେଲେ ସହରରେ ରହି ପଢ଼ିବା ପାଇଁ ସଙ୍ଗତି ପ୍ରାୟତଃ ପରିବାରରେ ସେବେ ନ ଥିଲା । ଏଣୁ ନୀଳକଣ୍ଠଙ୍କ ପରି ଦରିଦ୍ର ବାମୁଣ ଛାତ୍ରଙ୍କ ପାଇଁ ଆଗକୁ ପାଠ ପଢ଼ିବା ନିମନ୍ତେ ଛାତ୍ରବୃତ୍ତି ଥିଲା ଏକମାତ୍ର ଆଶା । 

ହେଡ଼ ପଣ୍ଡିତେ ବୃତ୍ତି ପାଇବା ପାଇଁ ନିଶ୍ଚିତ ଥିବା ପିଲାଙ୍କୁ ବାଛି ପ୍ରତିବର୍ଷ ଗୋଟିଏ ଲେଖାଏଁ ପରୀକ୍ଷା ପାଇଁ ପଠାଉ ଥାଆନ୍ତି । ଶେଷକୁ ବର୍ଷ ପରେ ବର୍ଷ ଚାରି ବରଷ ଅପେକ୍ଷା କରି, ପରୀକ୍ଷା ଦେଇ, ବୃତ୍ତି ପାଇ ୧୮୯୯ ମସିହାରେ ନୀଳକଣ୍ଠ ଯାଆନ୍ତି ପୁରୀ ସହର, ଜିଲ୍ଲା ସ୍କୁଲରେ ପଢ଼ିବା ପାଇଁ । ତାହା ଆଉ ଏକ କାହାଣୀ ।

ଟୀକା: ଏହି ଆଲେଖଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପିଥ‌ିଲା । ଲେଖାଟିର ଉପାଦାନ ନୀଳକଣ୍ଠ ଦାସ କୃତ ଆତ୍ମଜୀବନୀ ବହିରୁ ନିଆଯାଇଛି । ବହିଟିର ପ୍ରକାଶକ ହେଲେ କଟକସ୍ଥ ସଂସ୍ଥା କଟକ ଷ୍ଟୁଡେଣ୍ଟସ୍ ଷ୍ଟୋର । କ୍ଷୁଦ୍ର ପ୍ରବନ୍ଧଟି ଲେଖିବା ପାଇଁ ମୁଁ ପୁସ୍ତକଟିର ୨୦୦୩ ମସିହାରେ ଛପିଥିବା ତୃତୀୟ ସଂସ୍କରଣଟିକୁ ବ୍ୟବହାର କରିଛି । ଏହି ‌ସ‌ଂସ୍କରଣଟିରେ ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ ।

2 comments:

  1. Pl resume your writing in the Samadrusti.

    ReplyDelete
    Replies
    1. It has been an an honour and privilege writing for Samadrusti. I'll call you about it soon. Regards.

      Delete

The world Ramakanta Samantaray Translated by Sailen Routray Photo credit: A. R. Vasavi I have cut you into tiny pieces with the sharp sword ...