Thursday, April 14, 2022

ଜାତିରେ ମୁଁ ମାହାର

ନଅ ବର୍ଷ ବୟସରେ ଆମ୍ବେଦକର ଭୋଗିଥିବା ଜାତିଗତ ବିଦ୍ୱେଷର କାହାଣୀ

ଭୀମରାଓ ଆମ୍ବେଦକର

ଅନୁବାଦକ - ଶୈଲେନ ରାଉତରାୟ


ଯୁବା ବୟସରେ ଭୀମରାଓ ଆମ୍ବେଦକର
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍



ଭାରତର ମହାନତମ ନେତାଙ୍କ ଭିତରେ ଅନ୍ୟତମ ଡକ୍ଟର ଭୀମରାଓ ଆମ୍ବେଦକର ୧୯୦୧ ମସିହାରେ ତାଙ୍କୁ ନଅ ବରଷ ହୋଇଥିବା ସମୟରେ ସେ ଭୋଗିଥିବା ଜାତିଗତ ବିଦ୍ୱେଷର ଅନୁଭୁତିର ଏକ ବିବରଣୀ ଆମକୁ ଦିଅନ୍ତି । ସେ ନିଜ ଭାଇ ଓ କୁଟୁମ୍ବର ଲୋକମାନଙ୍କ ସହିତ ବର୍ତ୍ତମାନର ମହାରାଷ୍ଟ୍ରର କୋରେଗାଓଁ ଯାଇଥିଲେ ନିଜର ବାପାଙ୍କୁ ଭେଟିବା ପାଇଁ ।

"ଆମେ ବହୁତ ସମୟ ଅପେକ୍ଷା କଲୁ । ହେଲେ କେହି ଆସିଲେ ନାହିଁ । ଘଣ୍ଟେ ଚାଲିଗଲା । ଷ୍ଟେସନ ମାଷ୍ଟର ପଚରାଉଚରା କରିବାକୁ ଆସିଲେ । ସେ ଆମକୁ ଟିକଟ ଦେଖାଇବାକୁ କହିଲେ । ଆମେ ତାଙ୍କୁ ଦେଖାଇଲୁ । ସେ ଆମକୁ ପଚାରିଲେ ଯେ ଆମେ ସେଠାରେ କାହିଁକି ଲନ୍ଦରପନ୍ଦର ହେଉଛୁ । ଆମେ ତାଙ୍କୁ କହିଲୁ ଯେ ଆମକୁ କୋରେଗାଓଁକୁ ଯିବାର ଅଛି । ଆମେ ଆମର ବାପା ଓ ଚାକରବାକରଙ୍କ ପାଇଁ ଅପେକ୍ଷା କରୁଛୁ । ହେଲେ ସେମାନଙ୍କ ଭିତରୁ କେହି ଏ ପର୍ଯ୍ୟନ୍ତ ଆସିନାହାନ୍ତି । ଆମେ କିପରି କୋରେଗାଓଁ ଯିବୁ ଆମକୁ ଜଣାନାହିଁ ।

ଆମେ ଭଦ୍ରଜନୋଚିତ ଲୁଗାପଟା ପିନ୍ଧିଥିଲୁ । ଆମର ଜାମା କିମ୍ବା କଥାବାର୍ତ୍ତାରୁ କେହି ଜାଣିପାରିବ ନାହିଁ ଯେ ଆମେ ଅଛୁଆଁମାନଙ୍କର ପିଲା ଥିଲୁ । ଷ୍ଟେସନ ମାଷ୍ଟର ପୂରା ନିଶ୍ଚିତ ଥିଲେ ଯେ ଆମେ ବ୍ରାହ୍ମଣ ପରିବାରର ବୋଲି ଓ ଆମକୁ ସେପରି ଅବସ୍ଥାରେ ଦେଖି ସେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ । 

ସାଧାରଣ ହିନ୍ଦୁ ଚଳଣି ଅନୁସାରେ ସେ ଆମକୁ ପଚାରିଲେ ଯେ ଆମେ କିଏ । ମୁଁ ଆଦୌ ମୂହୁର୍ତ୍ତକର ଚିନ୍ତା ଭାବନା ନ କରି କହିପକାଇଲି ଯେ ଆମେମାନେ ମାହାର । (ମାହାର ସେ ସମୟର ବମ୍ବେ ପ୍ରେସିଡେନ୍ସିରେ ଅଛୁଆଁ ବୋଲି ଗଣାଯାଉଥିବା ଜାତିମାନଙ୍କ ଭିତରୁ ଗୋଟିଏ ଥିଲା ।) ସେ ଏହା ଶୁଣି ସ୍ତବ୍ଧ ହୋଇଗଲେ । ତାଙ୍କର ମୁହଁରେ ହଠାତ କରି ଏକ ପରିବର୍ତ୍ତନ ଆସିଲା । 

ଆମେ ଦେଖି ପାରିଲୁ ଯେ ସେ ଜୁଗୁପ୍ସାର ବିଚିତ୍ର ଭାବନା ତାଙ୍କୁ ବଶକରିଦେଲା । ସେ ମୋର ଉତ୍ତର ଶୁଣି ତତକ୍ଷଣାତ ନିଜର କୋଠରୀକୁ ଚାଲିଗଲେ । ଆମେ ଯେଉଁଠାରେ ଥିଲୁ, ସେହିଠାରେ ଠିଆହୋଇରହିଲୁ । ପନ୍ଦର କୋଡ଼ିଏ ମିନିଟି କଟିଗଲା । ସୂର୍ଯ୍ୟ ଅସ୍ତ ହେବାକୁ ଯାଉଥିଲା ।

ଆମ ବାପା ସେ ପର୍ଯ୍ୟନ୍ତ ଆସିନଥିଲେ । ନା ସେ ଚାକରବାକରମାନଙ୍କୁ କାହାକୁ ପଠାଇଥିଲେ । ଏବେ ଷ୍ଟେସନମାଷ୍ଟର ମଧ୍ୟ ଆମକୁ ଛାଡ଼ି ଚାଲିଯାଇଥିଲେ । ଆମେ କିଂକର୍ତ୍ତବ୍ୟବିମୂଢ଼ ହୋଇଯାଇଥିଲୁ । ଯାତ୍ରାରମ୍ଭ ସମୟର ଆନନ୍ଦ ଓ ଖୁସିର ସ୍ଥାନ ଏବେ ଉତ୍କଟ ଦୁଃଖ ନେବାକୁ ଆରମ୍ଭ କରିଥିଲା ।

ଅଧ ଘଣ୍ଟାଏ ପରେ ଷ୍ଟେସନମାଷ୍ଟର ଫେରିଆସିଲେ । ସେ ଆମକୁ ଆମର ଭବିଷ୍ୟତ କର୍ମପନ୍ଥା ବିଷୟରେ ପଚାରିଲେ । ଆମେ କହିଲୁ ଯେ ଆମେ ଯଦି ଭଡ଼ାରେ ବଳଦଗାଡ଼ି ଗୋଟିଏ ପାଇବୁ ତାହାହେଲେ ଆମେ କୋରେଗାଓଁ ଅଭିମୁଖେ ଯାତ୍ରା ଆରମ୍ଭ କରିବୁ । ଯଦି ଗନ୍ତବ୍ୟସ୍ଥାନ ବେଶୀ ଦୂର ନୁହେଁ ତାହାହେଲେ ଆମେ ସାଙ୍ଗେସାଙ୍ଗେ ଚାଲିଯିବା ପାଇଁ ଚାହିଁବୁ । 

ଭଡ଼ା ପାଇଁ ସେଠାରେ ଅନେକ ବଳଦଗାଡ଼ି ଥିଲେ । କିନ୍ତୁ ଆମେ ଯେ ମାହାର ଜାତିର ପିଲା, ସେ ବିଷୟରେ ଷ୍ଟେସନ ମାଷ୍ଟରଙ୍କୁ ମୋର ଉତ୍ତର ଶଗଡ଼ିଆମାନଙ୍କ ଭିତରେ ଖେଳିଯାଇଥିଲା । ଅଛୁଆଁ ଜାତିର ଲୋକଙ୍କୁ ଗାଡ଼ିରେ ନେଇ ଜାତି ଚାଲିଯିବାର ଭୟରେ ସେମାନଙ୍କ ଭିତରୁ କେହି ଜଣେ ବି ଆମକୁ ନେବାପାଇଁ ରାଜି ନଥିଲେ । 

ଆମେ ସାଧାରଣ ଭଡ଼ାର ଦୁଇଗୁଣା ଅଧିକା ମଧ୍ୟ ଦେବାପାଇଁ ରାଜିଥିଲୁ । ହେଲେ ଆମକୁ ଜଣାପଡ଼ିଲା ଯେ ସେଠାରେ ଟଙ୍କାକଉଡ଼ିର କିଛି ମୂଲ୍ୟ ନଥିଲା । ଆମ ପାଇଁ କଥାବାର୍ତ୍ତା କରୁଥିବା ଷ୍ଟେସନ ମାଷ୍ଟର କଅଣ କରିବେ ଜାଣି ନପାରି ଚୁପ ହୋଇ ଠିଆ ହୋଇଥିଲେ ।"

ଉତ୍ସ – ଡ. ବି.ଆର. ଆମ୍ବେଦକର, ରଚନାବଳୀ ଓ ଭାଷଣ । ଦ୍ୱାଦଶ ଭାଗ । ବସନ୍ତ ମୁନ (ସମ୍ପାଦକ) । ବମ୍ବେ : ଶିକ୍ଷା ବିଭାଗ, ମହାରାଷ୍ଟ୍ର ସରକାର । 

8 comments:

  1. Sometime these are happened aloso todays.

    ReplyDelete
    Replies
    1. That's unfortunately so true. And things are becoming worse, perhaps.

      Delete
  2. A short price here.. very tightly knit translation Sailen..

    ReplyDelete
    Replies
    1. Lived experience....as a framework of debate

      Delete
  3. Ehi acharanre parivartan kebe asiba apekhya.

    ReplyDelete
    Replies
    1. ଏଥି ପାଇଁ ସାମୁହିକ ଉଦ୍ୟମ ଲୋଡ଼ା, ଯାହା ଆମ ଘର, ଶିକ୍ଷାସଂସ୍ଥା, କାର୍ଯ୍ୟାଳୟ ଗୁଡ଼ିକରୁ ଆରମ୍ଭ ହେବା ଦରକାର । ବିରାଡ଼ିକୁ ଘଣ୍ଟି ପିନ୍ଧାଇବ କିଏ ?

      Delete
  4. Ebe ta ahuri bhayanak paristhiti srusti heichi...

    ReplyDelete

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....