Thursday, April 14, 2022

ଜାତିରେ ମୁଁ ମାହାର

ନଅ ବର୍ଷ ବୟସରେ ଆମ୍ବେଦକର ଭୋଗିଥିବା ଜାତିଗତ ବିଦ୍ୱେଷର କାହାଣୀ

ଭୀମରାଓ ଆମ୍ବେଦକର

ଅନୁବାଦକ - ଶୈଲେନ ରାଉତରାୟ


ଯୁବା ବୟସରେ ଭୀମରାଓ ଆମ୍ବେଦକର
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍



ଭାରତର ମହାନତମ ନେତାଙ୍କ ଭିତରେ ଅନ୍ୟତମ ଡକ୍ଟର ଭୀମରାଓ ଆମ୍ବେଦକର ୧୯୦୧ ମସିହାରେ ତାଙ୍କୁ ନଅ ବରଷ ହୋଇଥିବା ସମୟରେ ସେ ଭୋଗିଥିବା ଜାତିଗତ ବିଦ୍ୱେଷର ଅନୁଭୁତିର ଏକ ବିବରଣୀ ଆମକୁ ଦିଅନ୍ତି । ସେ ନିଜ ଭାଇ ଓ କୁଟୁମ୍ବର ଲୋକମାନଙ୍କ ସହିତ ବର୍ତ୍ତମାନର ମହାରାଷ୍ଟ୍ରର କୋରେଗାଓଁ ଯାଇଥିଲେ ନିଜର ବାପାଙ୍କୁ ଭେଟିବା ପାଇଁ ।

"ଆମେ ବହୁତ ସମୟ ଅପେକ୍ଷା କଲୁ । ହେଲେ କେହି ଆସିଲେ ନାହିଁ । ଘଣ୍ଟେ ଚାଲିଗଲା । ଷ୍ଟେସନ ମାଷ୍ଟର ପଚରାଉଚରା କରିବାକୁ ଆସିଲେ । ସେ ଆମକୁ ଟିକଟ ଦେଖାଇବାକୁ କହିଲେ । ଆମେ ତାଙ୍କୁ ଦେଖାଇଲୁ । ସେ ଆମକୁ ପଚାରିଲେ ଯେ ଆମେ ସେଠାରେ କାହିଁକି ଲନ୍ଦରପନ୍ଦର ହେଉଛୁ । ଆମେ ତାଙ୍କୁ କହିଲୁ ଯେ ଆମକୁ କୋରେଗାଓଁକୁ ଯିବାର ଅଛି । ଆମେ ଆମର ବାପା ଓ ଚାକରବାକରଙ୍କ ପାଇଁ ଅପେକ୍ଷା କରୁଛୁ । ହେଲେ ସେମାନଙ୍କ ଭିତରୁ କେହି ଏ ପର୍ଯ୍ୟନ୍ତ ଆସିନାହାନ୍ତି । ଆମେ କିପରି କୋରେଗାଓଁ ଯିବୁ ଆମକୁ ଜଣାନାହିଁ ।

ଆମେ ଭଦ୍ରଜନୋଚିତ ଲୁଗାପଟା ପିନ୍ଧିଥିଲୁ । ଆମର ଜାମା କିମ୍ବା କଥାବାର୍ତ୍ତାରୁ କେହି ଜାଣିପାରିବ ନାହିଁ ଯେ ଆମେ ଅଛୁଆଁମାନଙ୍କର ପିଲା ଥିଲୁ । ଷ୍ଟେସନ ମାଷ୍ଟର ପୂରା ନିଶ୍ଚିତ ଥିଲେ ଯେ ଆମେ ବ୍ରାହ୍ମଣ ପରିବାରର ବୋଲି ଓ ଆମକୁ ସେପରି ଅବସ୍ଥାରେ ଦେଖି ସେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ । 

ସାଧାରଣ ହିନ୍ଦୁ ଚଳଣି ଅନୁସାରେ ସେ ଆମକୁ ପଚାରିଲେ ଯେ ଆମେ କିଏ । ମୁଁ ଆଦୌ ମୂହୁର୍ତ୍ତକର ଚିନ୍ତା ଭାବନା ନ କରି କହିପକାଇଲି ଯେ ଆମେମାନେ ମାହାର । (ମାହାର ସେ ସମୟର ବମ୍ବେ ପ୍ରେସିଡେନ୍ସିରେ ଅଛୁଆଁ ବୋଲି ଗଣାଯାଉଥିବା ଜାତିମାନଙ୍କ ଭିତରୁ ଗୋଟିଏ ଥିଲା ।) ସେ ଏହା ଶୁଣି ସ୍ତବ୍ଧ ହୋଇଗଲେ । ତାଙ୍କର ମୁହଁରେ ହଠାତ କରି ଏକ ପରିବର୍ତ୍ତନ ଆସିଲା । 

ଆମେ ଦେଖି ପାରିଲୁ ଯେ ସେ ଜୁଗୁପ୍ସାର ବିଚିତ୍ର ଭାବନା ତାଙ୍କୁ ବଶକରିଦେଲା । ସେ ମୋର ଉତ୍ତର ଶୁଣି ତତକ୍ଷଣାତ ନିଜର କୋଠରୀକୁ ଚାଲିଗଲେ । ଆମେ ଯେଉଁଠାରେ ଥିଲୁ, ସେହିଠାରେ ଠିଆହୋଇରହିଲୁ । ପନ୍ଦର କୋଡ଼ିଏ ମିନିଟି କଟିଗଲା । ସୂର୍ଯ୍ୟ ଅସ୍ତ ହେବାକୁ ଯାଉଥିଲା ।

ଆମ ବାପା ସେ ପର୍ଯ୍ୟନ୍ତ ଆସିନଥିଲେ । ନା ସେ ଚାକରବାକରମାନଙ୍କୁ କାହାକୁ ପଠାଇଥିଲେ । ଏବେ ଷ୍ଟେସନମାଷ୍ଟର ମଧ୍ୟ ଆମକୁ ଛାଡ଼ି ଚାଲିଯାଇଥିଲେ । ଆମେ କିଂକର୍ତ୍ତବ୍ୟବିମୂଢ଼ ହୋଇଯାଇଥିଲୁ । ଯାତ୍ରାରମ୍ଭ ସମୟର ଆନନ୍ଦ ଓ ଖୁସିର ସ୍ଥାନ ଏବେ ଉତ୍କଟ ଦୁଃଖ ନେବାକୁ ଆରମ୍ଭ କରିଥିଲା ।

ଅଧ ଘଣ୍ଟାଏ ପରେ ଷ୍ଟେସନମାଷ୍ଟର ଫେରିଆସିଲେ । ସେ ଆମକୁ ଆମର ଭବିଷ୍ୟତ କର୍ମପନ୍ଥା ବିଷୟରେ ପଚାରିଲେ । ଆମେ କହିଲୁ ଯେ ଆମେ ଯଦି ଭଡ଼ାରେ ବଳଦଗାଡ଼ି ଗୋଟିଏ ପାଇବୁ ତାହାହେଲେ ଆମେ କୋରେଗାଓଁ ଅଭିମୁଖେ ଯାତ୍ରା ଆରମ୍ଭ କରିବୁ । ଯଦି ଗନ୍ତବ୍ୟସ୍ଥାନ ବେଶୀ ଦୂର ନୁହେଁ ତାହାହେଲେ ଆମେ ସାଙ୍ଗେସାଙ୍ଗେ ଚାଲିଯିବା ପାଇଁ ଚାହିଁବୁ । 

ଭଡ଼ା ପାଇଁ ସେଠାରେ ଅନେକ ବଳଦଗାଡ଼ି ଥିଲେ । କିନ୍ତୁ ଆମେ ଯେ ମାହାର ଜାତିର ପିଲା, ସେ ବିଷୟରେ ଷ୍ଟେସନ ମାଷ୍ଟରଙ୍କୁ ମୋର ଉତ୍ତର ଶଗଡ଼ିଆମାନଙ୍କ ଭିତରେ ଖେଳିଯାଇଥିଲା । ଅଛୁଆଁ ଜାତିର ଲୋକଙ୍କୁ ଗାଡ଼ିରେ ନେଇ ଜାତି ଚାଲିଯିବାର ଭୟରେ ସେମାନଙ୍କ ଭିତରୁ କେହି ଜଣେ ବି ଆମକୁ ନେବାପାଇଁ ରାଜି ନଥିଲେ । 

ଆମେ ସାଧାରଣ ଭଡ଼ାର ଦୁଇଗୁଣା ଅଧିକା ମଧ୍ୟ ଦେବାପାଇଁ ରାଜିଥିଲୁ । ହେଲେ ଆମକୁ ଜଣାପଡ଼ିଲା ଯେ ସେଠାରେ ଟଙ୍କାକଉଡ଼ିର କିଛି ମୂଲ୍ୟ ନଥିଲା । ଆମ ପାଇଁ କଥାବାର୍ତ୍ତା କରୁଥିବା ଷ୍ଟେସନ ମାଷ୍ଟର କଅଣ କରିବେ ଜାଣି ନପାରି ଚୁପ ହୋଇ ଠିଆ ହୋଇଥିଲେ ।"

ଉତ୍ସ – ଡ. ବି.ଆର. ଆମ୍ବେଦକର, ରଚନାବଳୀ ଓ ଭାଷଣ । ଦ୍ୱାଦଶ ଭାଗ । ବସନ୍ତ ମୁନ (ସମ୍ପାଦକ) । ବମ୍ବେ : ଶିକ୍ଷା ବିଭାଗ, ମହାରାଷ୍ଟ୍ର ସରକାର । 

8 comments:

  1. Sometime these are happened aloso todays.

    ReplyDelete
    Replies
    1. That's unfortunately so true. And things are becoming worse, perhaps.

      Delete
  2. A short price here.. very tightly knit translation Sailen..

    ReplyDelete
    Replies
    1. Lived experience....as a framework of debate

      Delete
  3. Ehi acharanre parivartan kebe asiba apekhya.

    ReplyDelete
    Replies
    1. ଏଥି ପାଇଁ ସାମୁହିକ ଉଦ୍ୟମ ଲୋଡ଼ା, ଯାହା ଆମ ଘର, ଶିକ୍ଷାସଂସ୍ଥା, କାର୍ଯ୍ୟାଳୟ ଗୁଡ଼ିକରୁ ଆରମ୍ଭ ହେବା ଦରକାର । ବିରାଡ଼ିକୁ ଘଣ୍ଟି ପିନ୍ଧାଇବ କିଏ ?

      Delete
  4. Ebe ta ahuri bhayanak paristhiti srusti heichi...

    ReplyDelete

Whose purpose is it anyway? Sailen Routray  (This essay reflects on the idea of purpose—whether it is shaped by the self, by society, or by ...