Wednesday, April 27, 2022

ସୁଜାତା - ବୁଦ୍ଧଙ୍କର ପ୍ରଥମ ଶିଷ୍ୟ

ସୁଜାତା ଭଟ୍ଟ

ଅନୁବାଦକ - ଶୈଲେନ ରାଉତରାୟ


ବୌଦ୍ଧ ଗୟା ସ୍ଥିତ ମହାବୋଧି ବୃକ୍ଷ (୨୦୧୫ ମସିହା - ୱିକିମଡିଆ କମନ୍ସ୍)
 
ସେଦିନ ସକାଳ ମୋର ପୂରା ମନେ ଅଛି । 
ଗୋଟିଏ ପତଳା, ଲମ୍ବା ଲୋକ ମୋ' ଆଡ଼େ,
ଝୁଲି ଝୁଲି ଆସିଲେ ।
ଆଖିଯୋଡ଼ିକ ଶରତର ସ୍ୱପ୍ନ ପରି ଢଳଢଳ,
ବଡ଼ ବଡ଼; ବ୍ୟାଧିଗ୍ରସ୍ତ, ହତାଶିଆ ପଥିକର ଆଖି ପରି 
ଅର୍ଦ୍ଧନିମୀଳିତ ।
ବାଳୁଙ୍ଗାର ଚାଷ ପରି କେଶ, ଆଜାନୁଲମ୍ବିତ । 
ମୋତେ ଶୁଣାଗଲା, 
"ମୁଁ କ୍ଷୁଧିତ ମା, ମୁଁ କ୍ଷୁଧିତ" । 

ଘରକୁ ନେଲି, ରୁଟି ଆଉ ଦହି ଖୁଆଇଲି ।
ଗାଧୋଇପାଧୋଇ ଦେଇ, ଖୌର କରାଇଲି ।
କାଟିବାକୁ ଅରାଜି ହେବାରୁ,
ଶରଧାରେ, କେଶ ପଖାଳିଲି । 
ଆଉ ପଚାରିଲି
ଏମିତି କେମିତି ହେଲା 
ବାରେ କୁହ ବୋଲି । 

ସେ କହିଲେ, "ଅନେକ ବରଷ ହେଲା ଶୋଇନାହିଁ ମାଆ ।
ଅଖିଆ, ଅନିଦ୍ରା ହୋଇ,
 ଖାଲି ଚିନ୍ତା କରୁଥିଲି" ।  
କେଶର ଶେଷ ଜଟା ଖୋଲିଗଲା ପରେ,
ମୋ'ର  କ୍ଲାନ୍ତ ଆଙ୍ଗୁଳିକୁ ଧରି 
ନିଦ୍ରା ଗଲେ ।
ସକାଳୁ ସକାଳୁ
ମୋ' ବାପା ମୋତେ ରୋକି ପାରିବା ପୂର୍ବରୁ,
ସୂରୁଜ ପୂରୂବ ଦିଗରେ ଉଠିବା ଆଗରୁ,
ସେ ସେଇ ଆଙ୍ଗୁଳି ଧରି 
ବୋଧି ମୂଳେ ଘେନିଗଲେ
ଆଉ ବୋଇଲେ,
"ଶୁଣ" !

ଟୀକା: ଏହି ଅନୁବାଦଟି ପ୍ରଥମେ ୨୦୧୪ ମସିହାରେ 'ଅନ୍ୟା' ପତ୍ରିକାର ପୂଜା ସଙ୍ଖ୍ୟାରେ ପ୍ରକାଶିତ ହୋଇଥିଲା । କବିତାଟିର ଲେଖିକା ସୁଜାତା ଭଟ୍ଟ ୧୯୫୬ ମସିହାରେ ଅହମେଦାବାଦରେ ଜନ୍ମିତ ଜଣେ ଇଂରାଜୀ ଭାଷାରେ ଲେଖୁଥିବା କବି । ତାଙ୍କର ପିଲାଦିନ ପୁନେ ସହରରେ ବିତିଥିଲା । ୧୯୬୮ ମସିହାରେ ନିଜ ପରିବାର ସହ ସେ ଯୁକ୍ତରାଜ୍ୟ ଆମେରିକାକୁ ଚାଲିଗଲେ । କମନ୍‌ୱେଲ୍‌ଥ୍ କବିତା ପୁରସ୍କାର ପ୍ରାପ୍ତ ଏହି କବିଙ୍କର 'ବ୍ରୁନିଜେମ୍,' 'ପଏଣ୍ଟ୍ ନୋ ପଏଣ୍ଟ୍,' 'ଏ ଡିଫରେଣ୍ଟ୍ ହିଷ୍ଟ୍ରି' ଆଦି କାବ୍ୟ ଗ୍ରନ୍ଥ ଲୋକାଦୃତ ହୋଇଛି । 

2 comments:

  1. Beautiful piece.. beautiful translation Sailen..

    ReplyDelete
    Replies
    1. ପଢ଼ିବା ପାଇଁ ଆଉ ମତାମତ ନିମନ୍ତେ ଧନ୍ୟବାଦ ଭାଇ ।

      Delete

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....