Thursday, October 6, 2022

ବୃତ୍ତି ଏ ମୋ ପୋଷେ କୁଟୁମ୍ବ 

ଶୈଲେନ ରାଉତରାୟ


୨୦୧୮ ମସିହାରେ ବାଲିକୁଦା
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ବିଶ୍ୱରୂପ ଗାଙ୍ଗୁଲି

ଜଣେ ସ୍ୱାଧୀନଚେତା ଅମଲା ଭାବରେ ବିଷ୍ଣୁଚରଣ ମହାନ୍ତି ବେଶ୍ ଜଣାଶୁଣା । ଅବିଭକ୍ତ କୋରାପୁଟ ଜିଲ୍ଲାର ନବରଙ୍ଗପୁର ସବଡ଼ିଭିଜନରେ ତୃତୀୟ ଶ୍ରେଣୀର ମାଜିଷ୍ଟ୍ରେଟ ଓ ସବଡେପୁଟି କଲେକ୍ଟର ଭାବରେ ଚାକିରୀ ଜୀବନ ଆରମ୍ଭ କରନ୍ତି । କର୍ମ ଜୀବନର ଶେଷରେ ସେ ୧୯୮୦ ମସିହାରେ ଗୋପବନ୍ଧୁ ପ୍ରଶାସନ ଏକାଡ଼େମୀର ଉପନିର୍ଦ୍ଦେଶକ ଭାବରେ ଅବସର ଗ୍ରହଣ କରନ୍ତି । 

ତାଙ୍କର ଦୁଇଟି ଆତ୍ମଜୀବନୀମୂଳକ ଗ୍ରନ୍ଥ ରୋମନ୍ଥନ ଏକ ବ୍ୟର୍ଥ ଅତୀତର’ ତଥା ‘ଆମ ପାଠପଢ଼ା ସମୟ’ ସୁଖପାଠ୍ୟ । ତାଙ୍କ ରଚିତ ପାରଳା ଗଜପତିଙ୍କ ସମେତ ଓଡ଼ିଶାର ଅନେକ କୃତି ସନ୍ତାନଙ୍କର ଜୀବନୀ, ତଥା ଅନେକ ଆଧ୍ୟାତ୍ମିକ ପୁସ୍ତକ, ଓଡ଼ିଶାର ସାରସ୍ୱତ ଜୀବନ ପ୍ରତି ତାଙ୍କର ଗୁରୁତ୍ତ୍ୱପୂର୍ଣ୍ଣ ଅବଦାନ ।

ବିଷ୍ଣୁ ବାବୁଙ୍କର ଜନ୍ମ ୧୯୨୨ ମସିହାରେ । ଓଢ଼ଣ ଷଷ୍ଠୀ ଦିନ, ନଭେମ୍ବର ମାସର ପଚିଶ ତାରିଖରେ । ବାପାଙ୍କର ନାମ କାଙ୍ଗାଳିଚରଣ । ବାପା ଥିଲେ ଜଣେ ଖୁଚୁରା ବ୍ୟବସାୟୀ । ତାହା ପୂର୍ବରୁ କିଛି ବର୍ଷ ବନ୍ଦୋବସ୍ତରେ ଚାକିରୀ କରିଥିଲେ । ମାତାଙ୍କ ନାମ କୋକିଳ ଦେବୀ । 

ଜାତିରେ କରଣ । ହେଲେ ପରିବାରର ଅବସ୍ଥା ଅତି ଦୁସ୍ଥ । ଜମିବାଡ଼ି ବାଡ଼ି ଗୋବରେ ଗୋବେ ମାତର । ଜନମ ଗାଁର ନାମ ହେଲା, କଣିଆଁ । ଜଗତସିଂପୁର ଜିଲ୍ଲାର ବାଲିକୁଦା ପାଖରେ । ଗାଁରେ ସବୁ ଜାତିର ଲୋକ ରହନ୍ତି । ହେଲେ ସବୁଠୁ ବେଶୀ ସଙ୍ଖ୍ୟା କରଣ ଜାତିର ।

ମହାନ୍ତିଏ ବିଦ୍ୟାରମ୍ଭ କରନ୍ତି ଗାଁର ଚାଟଶାଳୀରେ । ଅବଧାନ ଥିଲେ ପରମାନନ୍ଦ ଷଡ଼ଙ୍ଗୀ ନାମ୍ନୀ ଜଣେ କଣା ବାମୁଣ । ଘର ଜଗତସିଂପୁର ପାଖ ଗାଁ, ସିଇପି ଶାସନରେ । ୧୯୨୮-୨୯ ସାଲ ବେଳକୁ ବିଷ୍ଣୁବାବୁଙ୍କର ବୟସ ଛଅ ସାତ ବର୍ଷ । ସେତେବେଳକୁ ଗାଁ ଚାଟଶାଳୀରେ ତାଙ୍କର ବର୍ଣ୍ଣବୋଧ ଓ ଶିଶୁବୋଧ ପାଠ ସରିଲାଣି । 

ଏତିକି ବେଳେ ପ୍ରାଥମିକ ଶିକ୍ଷାରେ ଔପନିବେଶିକ ସରକାର କିଛି ସଂସ୍କାର ଲାଗୁ କରନ୍ତି । କଣିଆଁ ଗାଁରେ ଚାଟଶାଳୀରେ ବେଶୀ ସଂଖ୍ୟାରେ ଚାଟ ଥିବାରୁ, ତଥା ଗ୍ରାମବାସୀଙ୍କର ପାରମ୍ପରିକ ଭାବରେ ଶିକ୍ଷାରେ ଆଗ୍ରହ ଥିବାରୁ, ସେଠାରେ ଗୋଟିଏ ଜିଲ୍ଲା ବୋର୍ଡ଼ ପରିଚାଳିତ ବିଦ୍ୟାଳୟ ଖୋଲିବାର ନିଷ୍ପତ୍ତି ନିଆଯାଏ ।
 
କଣିଆଁ ଗାଁର ପ୍ରାଥମିକ ଇସ୍କୁଲୁରେ ରହେ ଚାରୋଟି ଶ୍ରେଣୀ - ଶିଶୁ, ପ୍ରଥମ, ଦ୍ୱିତୀୟ ଓ ତୃତୀୟ । ବିଦ୍ୟାଳୟର କାଲେଣ୍ଡର ଥାଏ ଜାନୁଆରୀରୁ ଡିସେମ୍ବର । ୧୯୩୧ ମସିହା ଜାନୁଆରି ମାସରେ, ଆଠ ବର୍ଷ ବୟସରେ, ବିଷ୍ଣୁଚରଣ ତୃତୀୟ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୁଅନ୍ତି । 

ବାବୁଙ୍କର କୁଟୁମ୍ବର ଗୋବିନ୍ଦଚନ୍ଦ୍ର ଥାଆନ୍ତି ଇସ୍କୁଲୁର ବଡ଼ ମାଷ୍ଟ୍ରେ । ଏଇ ବଡ଼ ମାଷ୍ଟ୍ରେ ଅନ୍ୟମାନଙ୍କ ସହିତ ନିଜର ଜ୍ଞାତିଙ୍କୁ ମଧ୍ୟ ବୃତ୍ତି ପରୀକ୍ଷା ପାଇଁ ପ୍ରସ୍ତୁତ କରିବାକୁ ଲାଗିଲେ । ଜିଲ୍ଲା ବୋର୍ଡ଼ ସ୍କୁଲ ସଂସ୍କାର ପରେ, ନୂଆ ପାଠର ଧାରାରେ ବାଳବୋଧ, ରତ୍ନାକର ଗରାବଡ଼ୁଙ୍କର ଇତିହାସ ଓ ଭୂଗୋଳ, ଗଣପତି ଚୌବେଙ୍କ ଦ୍ୱାରା ଲିଖିତ କସରତ ଶିକ୍ଷା ଓ ଚିତ୍ରାଙ୍କନ ବହି ଇତ୍ୟାଦିର  ପ୍ରଚଳନ ହେଲା ।
 
ସେହି ବର୍ଷ ଶେଷକୁ ବୃତ୍ତି ପରୀକ୍ଷା । ବୃତ୍ତି ନ ମିଳିଲେ ବିଷ୍ଟୁଁ ବାବୁଙ୍କର ପାଠ ପଢ଼ାରେ ଡ଼ୋରୀ ବନ୍ଧା ହେବା ସୁନିଶ୍ଚିତ ।  ହେଲେ ଏହି ପରୀକ୍ଷା ଦେବାପାଇଁ ବୟସ ଅତି କମରେ ନଅ ବରଷ ହେବା ଦରକାର । ସେ ବର୍ଷ ବୃତ୍ତି ପାଇଁ ପ୍ରଥମ ଛେକର ନିର୍ବାଚନ ନଭେମ୍ବର ମାସର ପ୍ରଥମ ସପ୍ତାହରେ ଥାଏ । ଏଣୁ ବାବୁଙ୍କର ଜନ୍ମ ତାରିଖ କାଗଜକଲମରେ ୨୫ ନଭେମ୍ବର, ୧୯୨୨ରୁ ପଛାଇ ଦେଇ, ୩୧ ମାର୍ଚ୍ଚ, ୧୯୨୨ କରିଦିଆ ଗଲା । 

ଏଥର ପରୀକ୍ଷା ଦେବାରେ କିଛି ଅସୁବିଧା ରହିଲା ନାହିଁ । କଣିଆଁର ନିମ୍ନ ପ୍ରାଥମିକ ବିଦ୍ୟାଳୟରୁ ସେହି ବରଷ ଆଠ ଦଶ ଜଣ ଛାତ୍ରଛାତ୍ରୀ ପ୍ରଥମ ଛେକ ପରୀକ୍ଷା ଦେବାକୁ ଗଲେ । ପରିଦର୍ଶକ ଅଫିସ ଘର ପଡ଼ିଆରେ ଆଗ ଛେକକୁ ଜଣେ ଛାତ୍ର ଓ ଜଣେ ଛାତ୍ରୀ ଉତ୍ତୀର୍ଣ୍ଣ ହେଲେ । ଛାତ୍ର ଜଣଙ୍କ ଥିଲେ ବିଷ୍ଣୁଚରଣ ମହାନ୍ତି ।
 
ତୃତୀୟ ଶ୍ରେଣୀର ବୃତ୍ତି ପାଇଁ ଶେଷ ଛେକର ପରୀକ୍ଷା ହେବାର ଥିଲା ଜଗତସିଂପୁର ମାଇନର ଇସ୍କୁଲୁରେ । ସେହି ବିଦ୍ୟାଳୟଟି ବର୍ତ୍ତମାନ ବାଳିକା ଉଚ୍ଚ ବିଦ୍ୟାଳୟର ରୂପ ନେଇଛି । ବୃତ୍ତି ପରୀକ୍ଷା ପୂର୍ବ ଦିନ ରାତିରେ ଯାତ୍ରା ଆରମ୍ଭ ହେଲା । 

କାଙ୍ଗାଳୀଚରଣ ବାବୁ ସୁପୁତ୍ର, ବଡ଼ ମାଷ୍ଟ୍ରେଙ୍କର ସହିତ ଜଗତସିଂପୁର ଅଭିମୁଖେ ତାଟିଲଗା ଶଗଡ଼ଟିଏ ମେଲିଦେଲେ । ସାଥିରେ ଥାଏ ରାନ୍ଧିବା ପାଇଁ ବାସନ । ତାହା ସହିତ, ଚାଉଳ, ଡାଲି, ଚୁଡ଼ା, ଗୁଡ଼ ଓ ନଡ଼ିଆ ଇତ୍ୟାଦି ରନ୍ଧା ଦରବ । କଣିଆଁ ଗାଁଠାରୁ ସେଇ ଛୋଟ ସହରଟିର ଦୂରତା ପ୍ରାୟ ସତର ଅଠର କିଲୋମିଟର ହେବ ।  ସେଠି ରହଣି ହୁଏ ଗୋଟିଏ ଚଟି ଘରେ ।

ଟୀକା: ଏହି ଲେଖାଟି ପାଇଁ ଉପାଦାନ ଭୁବନେଶ୍ୱରର ଶିକ୍ଷାସନ୍ଧାନ ସଂସ୍ଥା ୨୦୧୧ ମସିହାରେ ଛାପିଥିବା ବିଷ୍ଣୁଚରଣ ମହାନ୍ତି କୃତ ଆତ୍ମଜୀବନୀ ‘ଆମ ପାଠପଢ଼ା ସମୟ’ରୁ ସଙ୍ଗୃହିତ । ଆଲେଖଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପିଥିଲା ।

No comments:

Post a Comment

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....