Wednesday, January 18, 2023

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଅପ୍ରମାଦ ବର୍ଗ  ୧-୨

ଅନୁବାଦକ - ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍


ଓଡ଼ିଆ ପଦ୍ୟାନୁବାଦ


ଅପ୍ରମାଦ ଅଟଇ ଯେ ଅମୃତର ପଦ ।
ମୃତ୍ୟୁପଦ ଅଟଇ ନିଶ୍ଚିତରେ ପ୍ରମାଦ ।।

ଅପ୍ରମାଦ ଗୁଣଯୁକ୍ତ ବ୍ୟକ୍ତି ମରେ ନାହିଁ ।
ପ୍ରମାଦଯୁକ୍ତ ମରିଲା ପ୍ରକାରେ ବଞ୍ଚଇ ।୧।

ଅପ୍ରମାଦ, କୁଶଳୀ ଜନେ ବିଶେଷେ ଜାଣି  ।
ଆଚାର୍ଯ୍ୟମାନଙ୍କ ମାର୍ଗରେ ରତ ହୋଇ ପୁଣି ।
ଅପ୍ରମାଦେ  ପ୍ରମୋଦିତ ହୁଏ  ସେହୁ  ଜ୍ଞାନୀ ।୨। 

ମୂଳ ପାଲି ପଦ


ଅପ୍ପମାଦୋ ଅମତପଦଂ ପମାଦୋ ମଚ୍ଛୂନୋ ପଦଂ ।
ଅପ୍ପମତ୍ତା ନ ମୀୟନ୍ତି ଯେ ପମତ୍ତା ଯଥା ମତା ।୧।

ଏତଂ ବିସେସତୋ ଞତ୍ୱା ଅପମ୍ମାଦମ୍ହି ପଣ୍ଡିତା ।
ଅପ୍ପମାଦେ ପମୋଦନ୍ତି ଅରିୟାନଂ ଗୋଚରେ ରତା ।୨।


ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି । 

No comments:

Post a Comment

ତେଲ , ଅଫିମ ତଥା ଔପନିବେଶବାଦ:  ଏକ ଭିନ୍ନ ପଠନ ଶୈଲେନ ରାଉତରାୟ ଏହି ପ୍ରବନ୍ଧଟି ଦୁଇଟି ବହିର ଆଲୋଚନା ଉପରେ ପର୍ଯ୍ୟବେଶିତ । ପୁସ୍ତକ ଦୁଇଟି ମଧ୍ୟରୁ ଗୋଟିଏ ନନ୍-ଫି...