Wednesday, February 1, 2023

ଗଡ଼ଜାତିଆ ବଲାଙ୍ଗୀରରେ ମଧ୍ୟଇଂରାଜୀ ପାଠ

ଶୈଲେନ ରାଉତରାୟ


ବଲାଙ୍ଗୀରର ଶୈଳଶ୍ରୀ ଉଆସ (ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ସତ୍ୟଜିତ ନାୟକ) 

ଭାରତଚନ୍ଦ୍ର ନାୟକ ଦଶ ବରଷ ବୟସରେ ୧୮୯୭ ମସିହାରେ ଆଗଲପୁରର ପ୍ରାଥମିକ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୁଅନ୍ତି । ସେତବେଳର ଗଡ଼ଜାତ ପାଟଣାର ଏକମାତ୍ର ମଧ୍ୟଇଂରାଜୀ ଇସ୍କୁଲୁ ଥାଏ ରାଜଧାନୀ ବଲାଙ୍ଗୀରରେ । ମାତ୍ର ବାପଙ୍କର ଏତେ ଦୂର ବାଟ ପଠାଇ
, ରାଜଧାନୀରେ ପୁଅକୁ ରଖାଇ, ପାଠ ପଢ଼ାଇବାର ସଙ୍ଗତି ନ ଥାଏ । ସେତେବେଳେ କନିଟ୍‌କର୍ ସାହିବ ଥାଆନ୍ତି ସେ ଅଞ୍ଚଳର ସ୍କୁଲ ବିଭାଗର ଡେପୁଟି ଇନିସ୍ପେକ୍ଟର । ସେବେ ପ୍ରାୟତଃ ଉଚ୍ଚ ଜାତିର ମରହଟ୍ଟାମାନେ ପଶ୍ଚିମାଞ୍ଚଳର ଗଡ଼ଜାତରେ ସରକାରୀ ପଦପଦବୀର ଉପର ଦର୍ଜାରେ ବାହାଲ ଥାଆନ୍ତି । 

କନିଟ୍‌କର୍ ୧୮୯୮ ମସିହାର ମାର୍ଚ୍ଚ ମାସରେ ଆଗଲପୁର ଆସି ଭାରତ ବାବୁଙ୍କ ବାପାଙ୍କୁ ପିଲାଟିକୁ ବଲାଙ୍ଗୀରରେ ପାଠ ପଢ଼ିବାକୁ ପଠାଇବା ପାଇଁ ରାଜି କରିବାକୁ ଚେଷ୍ଟା କରନ୍ତି । ଯେତେବେଳେ ନାୟକ ବାବୁ ନାସ୍ତିବାଣୀ ଶୁଣାଇଲେ, କନିଟ୍‌କର୍ କହିଲେ ଯେ, ପିଲାଟି ଖାଲି ବଲାଙ୍ଗୀରରେ ପହଞ୍ଚି ଯିବା ଦରକାର । ତାହା ପରେ ଖର୍ଚ୍ଚ ଉଠାଇବାର ଦାୟିତ୍ୱ ତାଙ୍କର ।

ଏହି ସବୁ ଶୁଣି ବାପା ରାଜି ହୁଅନ୍ତୁ ନ ହୁଅନ୍ତୁ, ବର୍ଷେ କାଳ ପାଠ ନ ପଢ଼ି ଘରେ ବସି ଥିବା ଭାରତ ଶୂନ୍ୟ ହସ୍ତରେ ଆଗଲପୁରରୁ ବଲାଙ୍ଗୀର ଚାଲି ଗଲେ । ସେଠି ପହଞ୍ଚି ଦେଖିଲେ ଯେ, କନିଟ୍‌କର୍ ଗସ୍ତରେ ଯାଇ ଥିଲେ । ସେବେ ବଲାଙ୍ଗୀରର ମଧ୍ୟଇଂରାଜୀ ସ୍କୁଲରେ ପଢ଼ୁ ଥିଲେ ଆଗଲପୁର ଗ୍ରାମର ମହାଦେବ ଗୁରୁ । ସେ ଭାରତଚନ୍ଦ୍ରଙ୍କୁ ନେଇ ପ୍ରଧାନଶିକ୍ଷକ ବାଲୁଙ୍କେଶ୍ୱର ମିଶ୍ରଙ୍କ ସହ ଭେଟାଇ ଦେଲେ । 

ହେଡ଼ମାଷ୍ଟର ଜଣକ ପାତ୍ରଙ୍କୁ ପରୀକ୍ଷା କରି ଉପଯୁକ୍ତ ପାଇବାରୁ ଦେଢ଼ ଟଙ୍କା ଲେଖାଏଁ ସାହାଯ୍ୟର ବ୍ୟବସ୍ଥା କରି ଦେଲେ । ସେତକ ଭାରତଙ୍କ ପାଇଁ ଥିଲା ପର୍ଯ୍ୟାପ୍ତ ; ଶସ୍ତା କାଳ ସେବେ, ଦେଢ଼ ଟଙ୍କାରେ ମିଳୁ ଥିଲା ଦେଢ଼ ମହଣ ଚାଉଳ । ଅନ୍ନ ଚିନ୍ତା ଦୂର ହେଲାରୁ, ସେ ସ୍କୁଲୁରେ ନାଁ ଲେଖାଇ ପାଠପଢ଼ା ଆରମ୍ଭ କଲେ ।

ସେତେବେଳେ ମଧ୍ୟଇଂରାଜୀ ସ୍କୁଲମାନଙ୍କରେ ଚାରୋଟି ଶ୍ରେଣୀ ଥିଲା । ତାହା ପରେ ହାଇ ସ୍କୁଲକୁ ଯାଇ ଆଉ ଦୁଇଟି ଶ୍ରେଣୀରେ ପଢ଼ି ଏଣ୍ଟ୍ରାନ୍ସ୍ ପରୀକ୍ଷା ଦେବାର ଯୋଗ୍ୟତା ପିଲାଏ ଅର୍ଜନ କରୁ ଥିଲେ । ମଧ୍ୟଇଂରାଜୀର ପ୍ରଥମ ଶ୍ରେଣୀରେ ପଢ଼ା ହେଉ ଥିଲା ଗୋଟିଏ ଇଂରାଜୀ ପ୍ରାଇମର୍; ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଶ୍ରେଣୀରେ ଗୋଟିଏ ଇଂରେଜୀ ରିଡର୍‌ର ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଭାଗ ପଢ଼ା ହେଉ ଥିଲା । 

ଏହା ଛଡ଼ା ପ୍ରତି ଶ୍ରେଣୀରେ ଗଣିତ ଓ ଓଡ଼ିଆ ସାହିତ୍ୟ ଶିକ୍ଷା ଦିଆ ଯାଉ ଥିଲା । ଓଡ଼ିଆ ପାଠଗୁଡ଼ିକର ମାନ ବହୁତ ଉଚ୍ଚ ଥିଲା । ତୃତୀୟ ଶ୍ରେଣୀରେ  ମଧୁସୂଦନ ରାଓଙ୍କର ‘ପ୍ରବନ୍ଧମାଳା’ ତଥା ଚତୁର୍ଥ ଶ୍ରେଣୀରେ ବିଚ୍ଛନ୍ଦ ପଟ୍ଟନାୟକଙ୍କର ‘ରଘୁବଂଶ’ ଓ ମିମାଇବଲ୍ଲଭ ଭଟ୍ଟାଚାର୍ଯ୍ୟଙ୍କର ‘ସର୍ବସାର ବ୍ୟାକରଣ’ ପାଠ୍ୟପୁସ୍ତକ ଭାବେ ବ୍ୟବହୃତ ହେଉ ଥିଲା । 

ତୃତୀୟ ଶ୍ରେଣୀରେ ବୀଜଗଣିତ ଓ ଜ୍ୟାମିତି ଆରମ୍ଭ ହେଉ ଥିଲା । ଚତୁର୍ଥ ଶ୍ରେଣୀରେ ଇଂରାଜୀ ବ୍ୟାକରଣ, ଭୂଗୋଳ ଓ ପ୍ରାଥମିକ ବିଜ୍ଞାନ ମଧ୍ୟ ପଢ଼ା ହେଉ ଥିଲା । ଓଡ଼ିଆ ଛଡ଼ା ବାକି ସବୁ ବିଷୟର ଶିକ୍ଷାର ମାଧ୍ୟମ ଥିଲା ଇଂରାଜୀ ।

ବଲାଙ୍ଗୀର ସ୍କୁଲଟିରେ ଦରମା ଥିଲା ନାମକୁ ମାତ୍ର । ଗରୀବ ଛାତ୍ରମାନେ ମାସକୁ ଅଣାଏ ଓ ସଙ୍ଗତି ଥିବା ଛାତ୍ରମାନେ ଦୁଇ ଅଣା ଲେଖାଏଁ ଦରମା ଦେଉ ଥିଲେ । ଅନେକ ପିଲାଏ ନିଃଶୁଳ୍କ ପଢ଼ୁ ଥିଲେ । ପ୍ରଥମ ଶ୍ରେଣୀରେ ଭଲ ଅକ୍ଷର ଉପରେ ଗୁରୁତ୍ୱ ଦିଆ ଯାଉ ଥିଲା । ପ୍ରତ୍ୟେକ ବିଷୟରେ ପିଲାଙ୍କର ମୌଖିକ ପରୀକ୍ଷା ଶିକ୍ଷକମାନେ ନେଉ ଥିଲେ । 

ପାଠ୍ୟପୁସ୍ତକର ସଙ୍ଖ୍ୟା ବେଶି ନ ଥିଲା । ବହିଗୁଡ଼ିକ ଘନଘନ ବଦଳୁ ମଧ୍ୟ ନ ଥିଲା । ଏଣୁ ଅନେକ ଛାତ୍ର ପୁରୁଣା ବହି ପଢ଼ି ଚଳି ଯାଉ ଥିଲେ । ଖାତାପତ୍ରର ବ୍ୟବହାର ମଧ୍ୟ ସେତେ ଅଧିକ ନ ଥିଲା । ଘରୋଇ ଶିକ୍ଷକଙ୍କର ପ୍ରଶ୍ନ ଉଠୁ ନ ଥିଲା । 

ପିଲାଏ ସୁବ୍ୟବସ୍ଥିତ ଛାତ୍ରାବାସରେ ରହି ପଢ଼ୁ ଥିଲେ । ରୋଷେଇବାସ, ବାସନଧୁଆ ଇତ୍ୟାଦି ସବୁ କାମ ଛାତ୍ରମାନେ ନିଜେ କରୁ ଥିଲେ; ଖାଲି ଜଣେ ଗଉଡ଼ ଜାତିର ମହିଳା ଆସି ପାଣି ଯୋଗାଇ ଯାଆନ୍ତି । ଏଣୁ ଛାତ୍ରାବାସର ଖର୍ଚ୍ଚ ସମେତ ପାଠପଢ଼ା ସେତେ ବେଶି ବ୍ୟୟବହୁଳ ନ ଥିଲା । 

ଅବଶ୍ୟ ଭାରତ ହଷ୍ଟେଲରେ ମାତ୍ର ଦୁଇ ବର୍ଷ ରହି ଥିଲେ । ବଲାଙ୍ଗୀରରେ ପାଠପଢ଼ାର ଶେଷ ଦୁଇ ବର୍ଷ ଯାକ ପ୍ରଧାନ ଶିକ୍ଷକ ମିଶ୍ର ବାବୁ ତାଙ୍କୁ ଆଦର କରି ନିଜ ଘରେ ରଖିଲେ । ଏହି ପରି ବଲାଙ୍ଗୀର ଇସ୍କୁଲୁରେ ପାଠ ପଢ଼ି, ୧୯୦୨ ମସିହାରେ ଭାରତ ବାବୁ ମଧ୍ୟପ୍ରଦେଶର ଶିକ୍ଷା ବିଭାଗ ଚଳାଉ ଥିବା ମଧ୍ୟଇଂରାଜୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି । 

ସେ ସମୟରେ ବଲାଙ୍ଗୀରରେ ଉଚ୍ଚ ବିଦ୍ୟାଳୟ ନ ଥିଲା । ପାଟଣା ରାଜ୍ୟରେ ହାଇ ସ୍କୁଲ ପ୍ରଥମେ ସ୍ଥାପିତ ହେଲା ଯାଇଁ ୧୯୧୭ ମସିହାରେ ।  ସେତେବେଳେ ପାଖ ଉଚ୍ଚ ବିଦ୍ୟାଳୟ ଥିଲା ସମ୍ବଲପୁରରେ । ଏଣୁ ବାପା ମାଆଙ୍କୁ ବୁଝାଇ ସୁଝାଇ ଉଚ୍ଚତର ଶିକ୍ଷା ପାଇଁ ଭାରତ ଗସ୍ତ କରନ୍ତି ସମ୍ବଲପୁର । ମାତ୍ର ତାହା ଆଉ ଏକ କାହାଣୀ ।

ଟୀକା: ଏହି କ୍ଷୁଦ୍ର ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା ‘ସମଦୃଷ୍ଟି’ରେ ଛପିଥିଲା । ଲେଖାଟିର ଉପାଦାନ ଭାରତଚନ୍ଦ୍ର ନାୟକଙ୍କର ଆତ୍ମଜୀବନୀର ୨୦୧୪ରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି; ‘ମୋର ପୂର୍ବସ୍ମୃତି କଥା’ ଶୀର୍ଷକର ଏହି ବହିଟିର ପ୍ରକାଶକ ହେଲେ କଟକସ୍ଥ ସଂସ୍ଥା ‘ଅଗ୍ରଦୂତ’ । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୬୬ ମସିହାରେ ଛପାଯାଇଥିଲା; ଅଗ୍ରଦୂତ ଛାପିଥିବା ଦ୍ୱିତୀୟ ସଂସ୍କରଣର କପିରାଇଟ ପୃଷ୍ଠାରୁ ବହିର ପ୍ରଥମ ସଂସ୍କରଣ ବିଷୟରେ ବାକି କିଛି ପ୍ରକାଶକୀୟ ବିବରଣୀ ମିଳେନାହିଁ । ବହିରେ ଲେଖକ ଦେଇଥିବା ସୂଚନାରୁ ଜଣାପଡ଼େ ଯେ, ଏହାର ବହୁଳାଂଶ ପ୍ରଥମେ ମାସିକ ପତ୍ରିକା ‘ନବଜୀବନ’ରେ ପ୍ରାୟ ପାଞ୍ଚ ବର୍ଷ କାଳ ଧରି ଧାରାବାହିକ ଭାବରେ ସ୍ଥାନିତ ହୋଇଥିଲା ।    

1 comment:

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....