Thursday, February 16, 2023

କିଛି ଜୀବନ ଅନେକ ମୃତ୍ୟୁ: ଗଣେଶ୍ୱର ବାବୁଙ୍କର ଜନହାନି 

ଶୈଲେନ ରାଉତରାୟ


ଜେମ୍ସ୍ ଏମ୍ ଆଲ୍‌ଡେନ୍ କୃତ ତୈଳଟିତ୍ର 'ୱିଣ୍ଡ୍ ମାଉଣ୍ଟେନ୍' 

ଗଣେଶ୍ୱର ମିଶ୍ର ୧୦ ଅଗଷ୍ଟ ୨୦୧୫ ମସିହାରେ କର୍କଟ ରୋଗଗ୍ରସ୍ତ ହୋଇ ଚାଲିଗଲେ । ଓଡ଼ିଶାର ସାଧାରଣ ଜୀବନରେ ତାଙ୍କୁ ଜାଣିନଥିବା ଲୋକଙ୍କର ସଂଖ୍ୟା ବହୁତ କମ । ଇଂରାଜି ଭାଷା ସାହିତ୍ୟରେ ପ୍ରଶିକ୍ଷିତ ହୋଇ ବିଶ୍ୱବିଦ୍ୟାଳୟର ବେତନଭୋଗୀ ଶିକ୍ଷକ-କର୍ମଚାରୀ ହୋଇଥିଲେ ହେଁ, ଗଣେଶ୍ୱର ବାବୁ ଇଂରାଜୀ ସାହିତ୍ୟ ଚର୍ଚ୍ଚା ବା ଅଧ୍ୟାପନା ପାଇଁ ଯେତିକି ଜଣାଶୁଣା ନଥିଲେ  (ଯଦିଓ, ତାଙ୍କର ଇଂରାଜୀରେ କିଛି ଲେଖା ଓ ବହି ଥିଲା) ତାହାଠାରୁ ସେ ବେଶି ପ୍ରସିଦ୍ଧ ଥିଲେ ଓଡ଼ିଆ ସାହିତ୍ୟ ପ୍ରତି ନିଜର ଅବଦାନ ନିମନ୍ତେ । ଗପ, ଉପନ୍ୟାସ, ଭ୍ରମଣ କାହାଣୀଠାରୁ ନେଇ ଫିଚର ଲେଖନ, ଶିଶୁ ସାହିତ୍ୟ, ଅନୁବାଦ ଓ ସମ୍ପାଦନା ଆଦି ବିଭିନ୍ନ କ୍ଷେତ୍ରରେ ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ଉଲ୍ଲେଖଯୋଗ୍ୟ ।  

ଗଣେଶ୍ୱର ବାବୁଙ୍କର ଜନ୍ମ ୧୯୪୨ ମସିହାରେ । ପୁରୀ ଜିଲ୍ଲାର ଶ୍ରୀପୁରୁଷୋତ୍ତମପୁର ଗାଁରେ । ସେଇଟା ଗଣେଶ୍ୱର ବାବୁଙ୍କର ମାମୁଁ ଘର ଗାଁ । ନିଜ ଘର ପୁରୀ ସହରରେ । ପଥୁରିଆ ସାହିରେ । ପରେ ସେ ଲଣ୍ଡନ ବିଶ୍ୱବିଦ୍ୟାଳୟ ଭଳି ପ୍ରସିଦ୍ଧ ଅନୁଷ୍ଠାନରେ ପଢ଼ିଲେ । 

ମାତ୍ର ତାଙ୍କର ବିଦ୍ୟାରମ୍ଭ ହୁଏ ପୁରୀରେ, ଘର ପାଖରେ । ଦୟିତାପଡ଼ାସାହି ଉଚ୍ଚପ୍ରାଥମିକ ବିଦ୍ୟାଳୟରେ । ସେହି ଇସ୍କୁଲୁରେ ୧୯୪୯ ମସିହାରେ ତାଙ୍କର ଶିଶୁଶ୍ରେଣୀରେ ନାମଲେଖା ହୋଇଥିଲା । 

ଦୟିତାପଡ଼ା ସାହିରୁ ପଞ୍ଚମ ଶ୍ରେଣୀ ପାସ କରି ସେ ୧୯୫୪ ମସିହାରେ ପୁରୀ ଜିଲ୍ଲା ସ୍କୁଲରେ ନାଁ ଲେଖେଇଲେ । ସେତେବେଳେ ଏହି ଉଚ୍ଚ ବିଦ୍ୟାଳୟରେ ନାମଲେଖାଇବା ଏକ ଗୌରବର ବିଷୟ ଥିଲା । 

ସେଠି ଗଣେଶ୍ୱରଙ୍କର ଅନେକ ନୂଆ ସାଙ୍ଗ ଯୁଟିଲେ । ତାଙ୍କ ଭିତରେ ଗୋଟିଏ ବଡ଼ ବନ୍ଧୁ ହେଲେ ପ୍ରଫୁଲ୍ଲ ମହାନ୍ତି । ନୂଆ ସାହିର ପିଲା । ଗଣେଶ୍ୱର ବାବୁଙ୍କର ଇଂରାଜୀ ଭଲ ହେଉଥାଏ । ତାଙ୍କର ଇଂରେଜୀ ଜ୍ଞାନ ହିଁ ବୋଧେହୁଏ ପ୍ରଫୁଲ୍ଲ ପାଇଁ ଥିଲା ମୂଖ୍ୟ ଆକର୍ଷଣ । ଦୁଇ ଜଣ ଖଣ୍ଡି ଇଂରାଜୀରେ କଥା ହୁଅନ୍ତି । ପରସ୍ପରର ବନ୍ଧୁବାନ୍ଧବଙ୍କ ଘର ବୁଲନ୍ତି । 

ଥରେ ପ୍ରଫୁଲ୍ଲଙ୍କୁ ଟାଇଫଏଡ଼ ହେଲା । ଗଣେଶ୍ୱର ଦେଖି ଗଲେ । ପ୍ରଫୁଲ୍ଲର ଦେହ ଭଲ ହୋଇଆସୁଥାଏ । ହେଲେ ଶରୀର ଦୁର୍ବଳ ଥାଏ । ଜଳ ପାନ କଲେ ପାଟିରେ ଆସୁଥାଏ ଏକ ପ୍ରକାରର ତିକ୍ତ ସ୍ୱାଦ । ଏହି ଦେଖାର ଅଳପ ଦିନ ପରେ ଗଣେଶ୍ୱର ବାବୁ ଖବର ପାଇଲେ । ସାଙ୍ଗମାନଙ୍କ ସହ ମିଶି ଡାକତରଖାନା ଦଉଡ଼ା ହେଲା । 

ମଧ୍ୟାହ୍ନ । ହାସପାତାଳର ଖଟିଆ ଉପରେ ପ୍ରଫୁଲ୍ଲର ଦେହ ଦୁଶୁଥାଏ ଶେତବରନ ଓ ଶେତାଳିଆ । ନିଥର । ନିର୍ଜୀବ । ପ୍ରିୟ ବନ୍ଧୁକୁ ହରାଇବାର ପ୍ରଥମ ଅନୁଭୂତି । 

ପୁରସ୍ତମପୁରୁ ଗାଁରେ ଥିଲେ ଜଣେ ଲୋକ – ମଧୁ ମିଶ୍ରେ । ମଜାଳିଆ ଲୋକ । କଥାକଥାକେ ଦୋଅକ୍ଷରୀ । କର୍ଣ୍ଣ ଓ ବକ୍ଷ ଦେଶରେ ପୁରୁଷସୁଲଭ ଅନେକ ଲୋମାବଳୀ । ଗୌର ବର୍ଣ୍ଣ । କ୍ଷୀଣାଙ୍ଗ । ରୂପରେ ଅନେକଟା ଗଣେଶ୍ୱର ବାବୁଙ୍କର ପିତାଙ୍କ ଭଳି । ବାପା ପୁଅ ମିଶିକରି ପୁଅଙ୍କର ମାମୁଁ ଘର ଗାଁକୁ ଗଲେ, ମିଶ୍ରେ ଆପଣେ ଥଟ୍ଟା ଟାହୁଲି କରନ୍ତି ନନାଙ୍କ ସହ । ମଧୁର ସମ୍ପର୍କ ଥିଲା ବୋଧହୁଏ । 

ହଠାତ ଦିନେ ମଧୁବାବୁଙ୍କ ଦାଣ୍ଡ ଘରେ ତାଙ୍କ ଶବ ଦେଖିଲେ ଶିଶୁ ଗଣେଶ୍ୱର । ଦେହ ଉପରେ ମଶିଣାଟା ଘୋଡ଼ାହୋଇଥାଏ । ଖାଲି ଉହୁଁକି ଦୁଶୁଥାଏ ପାଦହଳକ । ଚଡ଼କରେ ଚାଲିଯାଇଥାଆନ୍ତି ମିଶ୍ରେ । କିଏ ଜଣେ ଗୁଜବ ଉଡ଼େଇଥାଏ ଯେ, ଦୁତିଅ ଥର ଚଡ଼କ ପଡ଼ିଲେ ମଧୁ ମିଶ୍ରେ ଉଠି ବସିବେ । 

ଦ୍ୱିତୀୟ ଥର ଚଡ଼କ ପଡ଼ିଲା ନାହିଁ । ମଧୁ ମିଶ୍ରେ ବି ଉଠି ବସିଲେ ନାହିଁ  ଆଉ । ଏହା ଥିଲା ଦୈବୀ ଦୁର୍ବିପାକରେ ଚିହ୍ନା ଲୋକ ମରିବାର ଗଣେଶ୍ୱର ବାବୁଙ୍କର ପ୍ରଥମ ଅନୁଭୂତି । 

ବି.ଦ୍ର. ଏହି ଆଲେଖଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପିଥିଲା । ଏଥିର ବିଷୟ ଗଣେଶ୍ୱର ମିଶ୍ରଙ୍କ ସ୍ମୃତିଚାରଣ-ମୂଳକ ପୁସ୍ତକ ‘ନିଜ ଠିକଣା’ରୁ ସଙ୍ଗୃହିତ ।

1 comment:

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....