Thursday, August 1, 2024

ବର୍ଣ୍ଣନାର ରାଜନୀତି ଏବଂ ରାଜନୀତିର ବର୍ଣ୍ଣନା

ଏକ ସମୀକ୍ଷାୟନ

ଶୈଲେନ ରାଉତରାୟ

ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ଗୋପାଲନ୍ ଇଭିଆର୍

ଜାଗାର ନାଁମାନଙ୍କର ନିଜସ୍ୱ ଆୱାଜ୍ ଥାଏ । ବିଭିନ୍ନ ଜାଗାର ନାଁ ଭିନ୍ନ ଭିନ୍ନ ପ୍ରକାରରେ କାନରେ ବାଜେ । ଧରନ୍ତୁ ପୁରୀ କହିଲେ କାନକୁ ଆସେ ଅମାନିଆ ସମୁଦ୍ରର ନିରନ୍ତର ଗର୍ଜନ । କଟକ ବୋଲି କେଉଁଠି ପଢ଼ିଦେଲେ ରିକ୍ସାବାଲାର ଘଣ୍ଟି ସହିତ ମିଶା ବେସୁମାରି ଜନଗହଳିର ସ୍ୱର ଧସେଇ ଆସି କାନେ ପଶିଯାଏ । 

ସ୍ଥାନର ନାଁମାନେ କେବଳ ଭିନ୍ନ ଭିନ୍ନ ପ୍ରକାରର ଆୱାଜ୍ ତୋଳିଧରନ୍ତି ତା’ ନୁହେଁ । ସେମାନେ ଅନେକ ସମୟରେ ଆମ ଆଗରେ ଚିତ୍ରମାନ ମଧ୍ୟ ଆଙ୍କିଯାଆନ୍ତି । ତିବ୍ବତ ବୋଇଲେ ଯେପରି ସୂର୍ଯ୍ୟର ଆଲୁଅରେ ଧଉଳା ବରଫଢଙ୍କା ପାହାଡ଼ି ଇଲାକାର ଏକ ଚାଇନିଜ୍ ରାଇସ୍ ପେଣ୍ଟିଙ୍ଗ୍ । ଟିମ୍ବକ୍‌ଟୁ ନାମଟି ସେହିପରି ଆମ ଆଖି ଆଗରେ ଏକ ରହସ୍ୟମୟ ପ୍ରାଚୀନ ସହରର ଛବିଟିଏ ଆପେଆପେ ଆଙ୍କେ ।

ସେପରି କଳାହାଣ୍ଡି କହିଲେ ଆମ ଆଖିଆଗରେ କେଉଁ ଚିତ୍ର ଭାସି ଉଠେ? ଏହି ପ୍ରଶ୍ନର ଉତ୍ତରକୁ ନେଇ ବହୁମତର ସମ୍ଭାବନା କ୍ଷୀଣ । କଳାହାଣ୍ଡି ଶବ୍ଦଟି କହିଲେ କିମ୍ବା ପଢ଼ିଲେ ଆମ ଆଖି ଆଗରେ ଭାସି ଉଠନ୍ତି ମାଇଲ୍ ମାଇଲ୍ ବ୍ୟାପୀ ଫଟା, ଦନ୍ତୁରିତ ବିଲ, ଅଗଣନ କଙ୍କାଳସାର ଗୋରୁଗାଈ, ଜଳ-ଅନ୍ନ ବିହୁନେ ତ୍ରାହି ତ୍ରାହି ଡାକୁଥିବା ଜନସାଧାରଣ । 

ବେଳେବେଳେ ନିର୍ଦ୍ଧିଷ୍ଟ ସ୍ଥାନକୁ ନେଇ କେତେଗୁଡ଼ିଏ ଚିତ୍ର ଐତିହାସିକ ଦୁର୍ଘଟଣାକୁ ଭିତ୍ତିକରି ଗଢ଼ି ଉଠେ । ମାତ୍ର ଅନ୍ୟ କେତେକ ସମୟରେ ଏହିପରି ଚିତ୍ରଗଠନ ପଛରେ ନିର୍ଦ୍ଧିଷ୍ଟ ଐତିହାସିକ ପ୍ରକ୍ରିୟା କାମ କରୁଥାଏ । 

ଗୋଟିଏ ଭିନ୍ନ ସନ୍ଦର୍ଭରେ ମଧ୍ୟ-ପ୍ରାଚ୍ୟ ସମ୍ପର୍କରେ ଏପରି ଚିତ୍ରଗଠନର ପ୍ରକ୍ରିୟା ତଥା ଏହି ପ୍ରକ୍ରିୟାର ରାଜନୈତିକ କ୍ରମପରିଣାମ ସମ୍ପର୍କରେ ଏଡ଼ୱାର୍ଡ୍ ସଏଦ୍ ତାଙ୍କର ବହୁଚର୍ଚ୍ଚିତ ପୁସ୍ତକ ‘ଓରିଣ୍ଟୋଲିଜମ୍‌’ରେ ଆମକୁ ବିସ୍ତୃତ ଭାବରେ ଚେତାଇ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଗତ କେଇ ଦଶନ୍ଧି ମଧ୍ୟରେ ଏକ ଭୌଗୋଳିକ ଅଞ୍ଚଳ ବାବଦରେ କଳାହାଣ୍ଡିର ଏକ ନିର୍ଦ୍ଧିଷ୍ଟ ପ୍ରକାରର ଚିତ୍ରଗଠନକୁ ଆମେ କିପରି ଭାବରେ ଆକଳନ କରିବା?

ଏହି ସମୀକ୍ଷାୟନରେ ଆଲୋଚ୍ୟ ତିନୋଟିଯାକ ବହି କଳାହାଣ୍ଡି ଉପରେ । ଅର୍ଥାତ୍, ତିନଟିଯାକ ଗ୍ରନ୍ଥ କଳାହାଣ୍ଡିର ସମାଜ, ସଂସ୍କୃତି ତଥା ବିକାଶର ଇତିହାସକୁ ନିଜର ଭିତ୍ତି ଭାବରେ ଗ୍ରହଣ କରନ୍ତି । ପ୍ରଥମେ ଉଲ୍ଲେଖ କରିବା ଓଡ଼ିଆ ଲୋକସଂସ୍କୃତିର ଦରଦୀ ଆଲୋଚକ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ମିଶ୍ରଙ୍କ ଦ୍ୱାରା ରଚିତ ‘କଳାହାଣ୍ଡିର ଲୋକ ସଂସ୍କୃତି’ର । ଛୋଟ ଛୋଟ ଅକ୍ଷରରେ ଛପା ହୋଇଥିବା ବହିଟି ୪୩୫ପୃଷ୍ଠା (ଗ୍ରନ୍ଥସୂଚୀ ତଥା ଶବ୍ଦାର୍ଥ ସହିତ) ଲମ୍ବା । 

ବହିର ଦୈର୍ଘ୍ୟରୁ ଏହା ବୋଧେ ସ୍ପଷ୍ଟ ଯେ, ବହିଟି ଅତି ସହଜରେ କଳାହାଣ୍ଡିର ଲୋକ ସଂସ୍କୃତି ସମ୍ପର୍କରେ ଏକ ବିଶ୍ୱକୋଷ ରୂପରେ ନିଜକୁ ଦାବୀଦାର ଭାବେ ଉପସ୍ଥାପିତ କରିପାରିବ । ବହିଟିର ପ୍ରଥମ ଦୁଇଟି ଅଧ୍ୟାୟ କଳାହାଣ୍ଡିର ଇତିହାସ ତଥା ସାମାଜିକ ଜୀବନ ଉପରେ ଅନେକ ଦୁଷ୍ପ୍ରାପ୍ୟ ସାମଗ୍ରୀକୁ ଏକାଠି କରିବାରେ ସଫଳ ହୋଇଛି । 

ମାତ୍ର ଏହି ଐତିହାସିକ ତଥା ସାମାଜିକ ଉତ୍ସ-ସାମଗ୍ରୀର ସଙ୍ଗଠନର ଢାଞ୍ଚା ଏତେଟା ସ୍ପଷ୍ଟ ନୁହେଁ । ପଶ୍ଚିମ ଓଡ଼ିଶାର ଅନେକ ଅଞ୍ଚଳ, ବିଶେଷତଃ କଳାହାଣ୍ଡିର, ଗତ ଦୁଇଶହ ବର୍ଷର, ଇତିହାସ ମୁଖ୍ୟତଃ ଆଦିବାସୀମାନଙ୍କର ରାଜନୈତିକ ଇତିହାସ । ଏହା ସେମାନଙ୍କର କ୍ରମବର୍ଦ୍ଧିଷ୍ଣୁ ହାରରେ କ୍ଷୟର ଏକ ବିବରଣୀ । 

ସ୍ଥାନୀୟ ଦଳିତ-ଆଦିବାସୀ ସମାଜର କ୍ଷମତାକ୍ଷୟର କାହାଣୀ ତେଣୁକରି ଏ ଅଞ୍ଚଳ ବିଷୟରେ ଆମର ଐତିହାସିକ ଅବବୋଧର କେନ୍ଦ୍ରରେ ରହିବା ଆବଶ୍ୟକ । ଏ ସମ୍ପର୍କରେ ଐତିହାସିକ ଫଣିନ୍ଦମ୍ ଦେଓଙ୍କର କାମର ଉଲ୍ଲେଖ କରାଯାଇପାରେ (ଦେଓ ୧୯୯୦) ।

‘କଳାହାଣ୍ଡିର ଲୋକ ସଂସ୍କୃତି’ରେ ଅନେକ କଷ୍ଟରେ ସଙ୍ଗୃହିତ ସାମଗ୍ରୀକୁ ଏକାଠି କରାଯାଇଛି । ଏକତ୍ରିତ ସାମଗ୍ରୀର ଉତ୍ସ ଉଭୟ ଐତିହାସିକ ତଥା ନୃତାତ୍ତ୍ୱିକ । ହେଲେ ଐତିହାସିକ ତଥା ନୃତାତ୍ତ୍ୱିକ ତତ୍ତ୍ୱ ସହିତ ବହିଟିର ବାର୍ତ୍ତାଳାପ ଏକପାଖିଆ ତଥା ଖାପଛଡ଼ା ଲାଗେ । 

ମିଶ୍ର ମହାଶୟଙ୍କର ଲୋକ ବା ଫୋକ୍ ସମ୍ବନ୍ଧୀୟ ଅବବୋଧ ରବର୍ଟ୍ ରେଡ଼୍‌ଫିଲ୍ଡ୍‌ଙ୍କର ୧୯୪୦ ଦଶକର କ୍ଲାସିକ୍ ପାଖରେ ହିଁ ଅଟକି ଯାଇଛି । ଯଦିଓ ତାହା ପରେ ହୋଇଥିବା ଅନେକ କାମର ମହାଶୟ ରେଫରେନ୍ସ୍ ଦେଇଛନ୍ତି, କାମର ତାତ୍ତ୍ୱିକ ଭିତ୍ତି କିନ୍ତୁ ରେଡ଼୍‌ଫିଲ୍ଡ୍‌ ମହୋଦୟଙ୍କ ପାଖରେ ଅଟକି ପଡ଼ିଛି । ଏପରି ହେବାରେ କିଛି ଦୋଷ ନାହିଁ । ମାତ୍ର ତାତ୍ତ୍ୱିକ ଢାଞ୍ଚା ବାଛିବା ସମୟରେ ନିଜର ପକ୍ଷପାତିତାକୁ କାରଣ ଦେଇ ଦର୍ଶାଇବାର ଆଶା ଆମେ ମହେନ୍ଦ୍ର ମିଶ୍ରଙ୍କ ପରି ଜଣେ ପୋଖତ ଗବେଷକଙ୍କଠାରୁ ରଖିବା ନିଶ୍ଚୟ ।

ସାମାଜିକ ନୃତତ୍ତ୍ୱବିଦ୍ୟା ଗତ ଦୁଇ-ତିନି ଦଶନ୍ଧି ଭିତରେ ନିଜର ଗଡ଼୍‌ଡାଳିକାରୁ ବାହାରି ଆସି ଥିବାରୁ ତଦ୍-ନିହିତ ଫୋକ୍ ବା ଲୋକର ଅବଧାରଣା ମଧ୍ୟ ବଦଳି ଆସିଲାଣି । ତିରିଶି, ଚାଳିଶ ବର୍ଷ ପୂର୍ବ ପର୍ଯ୍ୟନ୍ତ ଫୋକ୍ ବୋଇଲେ ଆଦିବାସୀ, ଗ୍ରାମୀଣ ଓ ଆଞ୍ଚଳିକ ସଂସ୍କୃତିକୁ ହିଁ ବୁଝାଉଥିଲା । 

ବର୍ତ୍ତମାନ ସମାଜଶାସ୍ତ୍ର ତଥା ନୃତତ୍ତ୍ୱ ବିଦ୍ୟାରେ ଫୋକ‌୍‌ର ଅବଧାରଣା ନୂଆ ନୂଆ ବିଭାବକୁ ପରିବ୍ୟାପ୍ତ । ଫଳସ୍ୱରୂପ, ଆମେ ବର୍ତ୍ତମାନ ପାରମାଣବିକ ପଦାର୍ଥବିଜ୍ଞାନୀମାନଙ୍କର ଅର୍ଥନୀତି ସମ୍ପର୍କରେ ଫୋକ୍-ଅବଧାରଣା ବିଷୟକ ତାତ୍ତ୍ୱିକ ଆଲୋଚନା କରିପାରିବା ।

ମାତ୍ର ମିଶ୍ର ମହାଶୟଙ୍କର ଲୋକ ସଂସ୍କୃତି ଆଲୋଚନାରେ ଏହି ନୂଆ ଅବଧାରଣାମାନଙ୍କର ବିଶେଷ ପ୍ରତିଫଳନ ଦେଖିବାକୁ ମିଳେ ନାହିଁ । କଳାହାଣ୍ଡିରେ କେବଳ କନ୍ଧ, କୁଳୁଥିଆ କିମ୍ବା ଗଉଡ଼ମାନେ ନାହାନ୍ତି । ବ୍ରାହ୍ମଣ, ମାରୁୱାଡ଼ି ଏବଂ ରାଜପୁତ୍‌ମାନେ ମଧ୍ୟ ଅଛନ୍ତି । କନ୍ଧ ଓ ଡମ ଜାତିର ଲୋକମାନେ ଯେପରି ଗୋଟିଏ ଗୋଟିଏ ଜନଗୋଷ୍ଠୀ ବା ‘ଫୋକ୍’, ବ୍ରାହ୍ମଣ ଏବଂ ମାରୁୱାଡ଼ି ଜନଗୋଷ୍ଠୀମାନେ ମଧ୍ୟ ସେହିପରି ଭାବରେ ଗୋଟିଏ ଗୋଟିଏ ‘ଫୋକ୍’ ବା ଲୋକ ସଂସ୍କୃତିର ସ୍ରଷ୍ଟା ତଥା ବାହକ । 

ଏଣୁ କଳାହାଣ୍ଡିରେ ଗୋଟିଏ ବା ଗୋଟିଏ ପ୍ରକାରର ଲୋକସଂସ୍କୃତି ନାହିଁ । ବରଂ କଳାହାଣ୍ଡିର ସଂସ୍କୃତି ବିଭିନ୍ନ ଜନଗୋଷ୍ଠୀର ଭିନ୍ନ ଭିନ୍ନ ପରମ୍ପରାର ସଙ୍ଘାତରୁ ସୃଷ୍ଟ ଏକ ଉତ୍ପାଦ । ଏଣୁ ଆମେ ବ୍ରାହ୍ମଣାଦି ଜନଗୋଷ୍ଠୀମାନଙ୍କର ସଂସ୍କୃତିକୁ ମଧ୍ୟ ଲୋକସଂସ୍କୃତି ହିସାବରେ ହିଁ ଦେଖିବା କଥା । 

ରେଡ଼୍‌ଫିଲ୍ଡ୍‌ଙ୍କର କ୍ଷୁଦ୍ର ପରମ୍ପରା ତଥା ମହାନ ପରମ୍ପରାର ବିଭାଜନକୁ ଭାରତୀୟ ଭୂଇଁକୁ ବୁଝିବା ପାଇଁ ବ୍ୟବହାର କଲେ ଆମେ ବୋଧହୁଏ ଏହା ମନେ ରଖିବା ଯେ, ଗୋଟିଏ ଜନଗୋଷ୍ଠୀ (ଏ କ୍ଷେତ୍ରରେ ବ୍ରାହ୍ମଣମାନେ) ନିଜର ପରମ୍ପରାକୁ ଏକ ବୃହତ୍ତର, ସାର୍ବଜନୀନ ତଥା ମହାନ ପରମ୍ପରା ବୋଲି ଦାବି କଲେ, ସେ ଦାବୀ ଆପେ ଆପେ ଗୃହିତ ହୋଇଯାଏ ନାହିଁ । 

ଏହି ଦାବିର ଏକ ଇତିହାସ ମଧ୍ୟ ଅଛି । ଏବଂ ସେହି ଇତିହାସଟି କ୍ଷମତାର, ସଙ୍ଘାତର ଇତିହାସ । ଏଣୁ ଏସବୁ ପ୍ରତି ନୀରବ ରହିବାକୁ ଏହି ବହିଟିର ଗୋଟିଏ ବଡ଼ ଖୁଣ ହିସାବରେ ଦେଖିବା ।

ମାତ୍ର ଏସବୁ ସମସ୍ୟା ସତ୍ତ୍ୱେ, ଏ ବହିଟି ଲେଖିଥିବାରୁ ଶ୍ରୀଯୁକ୍ତ ମିଶ୍ର ଆମ ସମସ୍ତଙ୍କର ଧନ୍ୟବାଦର ପାତ୍ର । ବହି ପଛରେ ଥିବା ଶ୍ରମ ବହିଟିର ପ୍ରତ୍ୟେକ ପୃଷ୍ଠାରୁ ଉକୁଟି ଆସୁଛି । ଓଡ଼ିଶାର ପ୍ରତ୍ୟେକ ଅଞ୍ଚଳ ତଥା ଜିଲ୍ଲା ଉପରେ ଏପରି ଗୋଟିଏ ବହି ଲେଖା ହେବାର ଆବଶ୍ୟକତା ରହିଅଛି ।

କଳାହାଣ୍ଡିର ଲୋକ ସଂସ୍କୃତି ବହିଟିକୁ ଆମେ କଳାହାଣ୍ଡି ବିଷୟରେ ରଚିତ ସାହିତ୍ୟର ସନ୍ଦର୍ଭରେ ଦେଖିବାର ଆବଶ୍ୟକତା ରହିଛି । ଇଂରାଜୀ ଏବଂ ଅନ୍ୟ ଭାରତୀୟ ଭାଷାମାନଙ୍କରେ ହେଉଥିବା ସାହିତ୍ୟ, ସମାଜ, ସଂସ୍କୃତି, ଅର୍ଥନୀତି ତଥା ଇତିହାସ ସମ୍ବନ୍ଧରେ ଚର୍ଚ୍ଚାକୁ ଆମେ ଟିକିଏ ନିରେଖି ଚାହିଁଲେ ଏକ ଶ୍ରମ ବିଭାଜନ ଆମକୁ ସ୍ପଷ୍ଟ ଦିଶିଯିବ । 

ଭାରତୀୟ ଭାଷାମାନଙ୍କରେ ଲିଖିତ ବହି ପ୍ରଧାନତଃ ତଥ୍ୟସର୍ବସ୍ୱ । ଇଂରାଜୀରେ ଲିଖିତ ବହି ସବୁ ଅନେକାଂଶରେ ତତ୍ତ୍ୱସର୍ବସ୍ୱ । ଭାରତୀୟ ଭାଷାମାନଙ୍କର ଲିଖିତ ବହି ସବୁ ଲୋକସଂସ୍କୃତି, ଲୋକସାହିତ୍ୟ ଆଲୋଚନା କରୁଥିଲା ବେଳେ, ଆମର ରାଜନୈତିକ, ଆର୍ଥିକ ବାସ୍ତବତାକୁ ତତ୍ତ୍ୱର କଷଟିରେ ପରଖୁଥିବା ବହିଗୁଡ଼ିକ ଆମ ଭାଷାମାନଙ୍କରେ ହାତଗଣତି ସଙ୍ଖ୍ୟାରେ ଅଛନ୍ତି । ସେହିପରି ଏକ ଶ୍ରମ ବିଭାଜନକୁ ବୋଧହୁଏ ଆମେ କଳାହାଣ୍ଡି ବିଷୟରେ ଲିଖିତ ସାହିତ୍ୟରେ ମଧ୍ୟ ଭେଟିବାକୁ ପାଇବା ।

ସମୀକ୍ଷାଧିନ ଇଂରାଜୀ ପୁସ୍ତକ ଦୁଇଟିଯାକ କଳାହାଣ୍ଡିରେ କ୍ଷୁଧାର ରାଜନୀତି ଉପରେ ଆଧାରିତ । ମାତ୍ର ଭାରତରେ କ୍ଷୁଧାର ଆଲୋଚନା ପାଇଁ ଗବେଷକମାନଙ୍କୁ ଶ୍ରମ ସ୍ୱୀକାର କରି କଳାହାଣ୍ଡି ପର୍ଯ୍ୟନ୍ତ କାହିଁକି ଆସିବାକୁ ପଡ଼େ, ତାହା ବୋଧହୁଏ ମା ବୈତରଣୀ ହିଁ ଜାଣନ୍ତି । ଏ ଲେଖକ ଯେତେବେଳେ ବମ୍ବେଇ ନଗରୀରେ ସ୍ନାତକୋତ୍ତର ଶ୍ରେଣୀର ଛାତ୍ର ଥିଲା (୨୦୦୨-୨୦୦୪ ମସିହାରେ) ତେବେ ସେ ମହାନଗରୀର ୧୦୦ କି.ମି. ବ୍ୟାସାର୍ଦ୍ଧ ମଧ୍ୟରେ ହଜାର ହଜାର ସଙ୍ଖ୍ୟାରେ ଶିଶୁ କୁପୋଷଣର ଶିକାର ହୋଇ ଅସମୟରେ ମୃତ୍ୟୁବରଣ କରୁଥିବାର ରିପୋର୍ଟ୍ ସ୍ଥାନୀୟ ଖବରକାଗଜମାନଙ୍କରେ ନିୟମିତ ଦେଖିଛି । 

ଯେଉଁ ମହାନଗରୀର ଲୋକମାନଙ୍କର ଏହା ହେଲା ଏକ ଚରମ ଆତ୍ମବିଶ୍ୱାସ ଯେ, ସେ ନଗରୀରେ ଲୋକେ କେବେ ମଧ୍ୟ ଭୋକରେ ଶୁଅନ୍ତି ନାହିଁ, ସେ ନଗରୀର ବାଡ଼ିତଳେ ଯେ ହଜାର ହଜାର ସଙ୍ଖ୍ୟାରେ ଶିଶୁମାନେ କୁପୋଷଣରେ ନାଶ ଯାଆନ୍ତି, ସେହି ବିଷୟଟି ଗବେଷଣାର ଉପଲକ୍ଷ୍ୟ ହେବା କଥା ଉଚିତ ନିଶ୍ଚୟ? 

କିନ୍ତୁ ଗବେଷକମାନେ କଳାହାଣ୍ଡିକୁ କେବଳ କାହିଁକି କ୍ଷୁଧାର ରାଜନୀତିର ଅଧ୍ୟୟନ ପାଇଁ ଧାଡ଼ି ଲଗାନ୍ତି? କଳାହାଣ୍ଡିରେ କ୍ଷୁଧା ଅଛି, ତାହା ନିଶ୍ଚୟ । କିନ୍ତୁ କଟକର ବସ୍ତିରେ ମଧ୍ୟ କ୍ଷୁଧା ଅଛି । ଏପରିକି ଚିକାଗୋ ନଗରୀର କଳାଲୋକ ଅଧ୍ୟୁଷିତ ଅଞ୍ଚଳରେ ମଧ୍ୟ କ୍ଷୁଧା ଅଛି । 

ତେଣୁକରି କେଉଁ ଅଞ୍ଚଳଟି କ୍ଷୁଧା ଅଧ୍ୟୁଷିତ ଅଞ୍ଚଳ ବୋଲି ଚିତ୍ରିତ ହୁଏ, ତାହା ପଛରେ ଥିବା ବର୍ଣ୍ଣନାର ରାଜନୀତିର ଭିତ୍ତି ଖନନପାଇଁ ଆମକୁ ଆମ ରାଜନୀତିର ଏକ ସଠିକ୍ ବର୍ଣ୍ଣନା ଦେବାକୁ ପଡ଼ିବ । ଏଠାରେ ଆମେ ରାଜନୀତି ଶବ୍ଦଟିର ବ୍ୟବହାର ଏକ ବୃହତ୍ତର ଅର୍ଥରେ କରୁଅଛୁ ।

କଳାହାଣ୍ଡିର କ୍ଷୁଧା ଉପରେ, ଇଂରାଜୀ ଭାଷାରେ ଏକାଡେମିକ୍ ମନୋଗ୍ରାଫ୍ ଭାବରେ, ବବ୍ କ୍ୟୁରିଙ୍କର ବହିଟି ବୋଧହୁଏ ପ୍ରଥମ । ବହିଟି କଳାହାଣ୍ଡିର ବର୍ତ୍ତମାନର କ୍ଷୁଧା ତଥା ଅନାହାରର ଚିତ୍ରର ଏକ ଐତିହାସିକ ପରିପ୍ରେକ୍ଷୀ ଦେବାକୁ ଚେଷ୍ଟା କରେ । ଓଡ଼ିଶା ରାଜ୍ୟରେ ଛତରର ବ୍ୟବସ୍ଥା ତଥା ତାହାକୁ ନିୟନ୍ତ୍ରିତ କରୁଥିବା ନୀତିଗତ ବ୍ୟବସ୍ଥାକୁ ମଧ୍ୟ ଏହି ବହିଟି ଆମ ଆଗରେ ଅତି ସ୍ପଷ୍ଟ ଭାବରେ ତୋଳି ଧରେ ।

ମାତ୍ର ବହିଟି ନିଜର ଏକାଡେମିକ୍ ବିଷୟର ଗଡ଼୍ଡ଼ାଳିକା ମଧ୍ୟରେ ଅନେକାଂଶରେ ଆବଦ୍ଧ । ଯେହେତୁ କ୍ୟୁରି ମହାଶୟ ରାଜନୀତି ବିଜ୍ଞାନର ଛାତ୍ର, ଅନେକ ସମୟରେ ବହିଟିରେ କଳାହାଣ୍ଡିର ସାମାଜିକ ତଥା ରାଜନୈତିକ ବାସ୍ତବତାର ଚର୍ଚ୍ଚା ଅମକେଇ, ସମକେଇ ରାଜନୈତିକ ତତ୍ତ୍ୱକୁ ଭୁଲ୍ କିମ୍ବା ଠିକ୍ ପ୍ରମାଣ କରିବା ମଧ୍ୟରେ ହିଁ ସୀମାବଦ୍ଧ । 

କଳାହାଣ୍ଡିରେ ଅନାହାରର କାରଣ ଖୋଜିବାକୁ ଯାଇ ଲେଖକ ଅନେକ ସମୟରେ ଏକ ରାଷ୍ଟ୍ରସର୍ବସ୍ୱ କଳ୍ପଲୋକ ମଧ୍ୟରେ ଅଟକି ଯାଇଛନ୍ତି । ତେଣୁକରି ସେ ବଡ଼ ବଡ଼ ସରକାରୀ ତଥା ବେସରକାରୀ କଳାକାର (ଉଭୟ ସଂସ୍ଥା ତଥା ବ୍ୟକ୍ତି) ମାନଙ୍କର କାମର ପ୍ରଭାବ ବିଷୟରେ ବେଶି ଆଲୋଚନା କରିଛନ୍ତି । ଅନେକ ସମୟରେ କ୍ୟୁରି ମହାଶୟ ଯେ କେଉଁ ତାତ୍ତ୍ୱିକ ଅବଧାରଣାକୁ ଆଶ୍ରୟ କରି ସମ୍ବାଦ-ବିସମ୍ବାଦ କରୁଛନ୍ତି, ତାହା ମଧ୍ୟ ସ୍ପଷ୍ଟ ନୁହେଁ ।

ବବ୍ କ୍ୟୁରି ବିରଚିତ ବହିଟି ତୁଳନାରେ ଡାନ୍ ବନିକ୍‌ଙ୍କର ବହିଟିର ଉଚ୍ଚାକାଂକ୍ଷା କମ୍ । ଏବଂ ସେ ଦୃଷ୍ଟିରୁ ବହିଟିର ଅଧ୍ୟୟନ ଅନେକାଂଶରେ ଅଧିକ ସନ୍ତୋଷଜନକ ।

ଦୁର୍ଭିକ୍ଷ ସମ୍ପର୍କରେ ଅମର୍ତ୍ତ୍ୟ ସେନ୍‌ଙ୍କର ତତ୍ତ୍ୱ ବର୍ତ୍ତମାନ ବହୁ ପ୍ରଚଳିତ ତଥା ଆଲୋଚିତ । ସେନ୍ ମହୋଦୟଙ୍କର ମୁଖ୍ୟ ଉପପାଦ୍ୟ ହେଲା ଯେ, ଗଣତାନ୍ତ୍ରିକ ଦେଶମାନଙ୍କରେ ଦୁର୍ଭିକ୍ଷ ହେବାର ସମ୍ଭାବନା ନାହିଁ କହିଲେ ଚଳେ । ଏହାର କାରଣ ହେଲା ଏହିକି ଯେ, ସ୍ୱାଧୀନ ଗଣମାଧ୍ୟମ ତଥା ବିରୋଧୀ ଦଳମାନଙ୍କର ଉପସ୍ଥିତି ଯୋଗୁଁ ଗଣତାନ୍ତ୍ରିକ ଦେଶମାନଙ୍କରେ ଦୁର୍ଭିକ୍ଷ ଏକ ଅସହ୍ୟ ବ୍ୟାପାର ହୋଇପଡ଼େ । ଯେଉଁ ଦଳର ଶାସନ କାଳରେ ଦୁର୍ଭିକ୍ଷ ଘଟିବ, ସେ ଦଳ ପୁଣି ଆଉ ଥରେ କ୍ଷମତାକୁ ଫେରିଆସିବା ଏକ କଷ୍ଟକର ବ୍ୟାପାର ।

ବନିକ୍ ମହାଶୟଙ୍କର ମୂଳ ପ୍ରଶ୍ନ ହେଲା, ଭାରତ ଭଳି ଗଣତାନ୍ତ୍ରିକ ଦେଶମାନଙ୍କରେ ସିନା ଦୁର୍ଭିକ୍ଷ ହେଉନାହିଁ । କିନ୍ତୁ କଳାହାଣ୍ଡି ପରି ଜାଗାରେ କୁପୋଷଣ ତଥା ଅନାହାରଜନିତ ମୃତ୍ୟୁକୁ ଆମେ କେଉଁ ଢାଞ୍ଚାରେ, କିପରି ବୁଝିବା? ତେଣୁକରି ସେ ଦୁର୍ଭିକ୍ଷ ସମ୍ପର୍କିତ ଶବ୍ଦାବଳୀକୁ ପାଞ୍ଚ ପ୍ରକାରରେ ବିଭକ୍ତ କରି ବର୍ଣ୍ଣନା କରନ୍ତି - କୁପୋଷଣ, ଅତି-କୁପୋଷଣ, ସମ୍ଭାବ୍ୟ ଦୁର୍ଭିକ୍ଷ, ଦୁର୍ଭିକ୍ଷ ତଥା ମହାଦୁର୍ଭିକ୍ଷ । 

ତାଙ୍କ ମତରେ କଳାହାଣ୍ଡିରେ କେବେ ଦୁର୍ଭିକ୍ଷ ହୋଇନାହିଁ । କଳାହାଣ୍ଡିର ଅନାହାର ମୃତ୍ୟୁଗୁଡ଼ିକୁ, ବନିକ ମହୋଦୟଙ୍କ ମତରେ, ଅତି-କୁପୋଷଣ ବୋଲି ବର୍ଣ୍ଣନା କରିବା ଉଚିତ । ଏହି ପରିସ୍ଥିତି କଳାହାଣ୍ଡିରେ ପ୍ରତିବର୍ଷ ନିର୍ଦ୍ଧିଷ୍ଟ ଋତୁରେ ଲାଗିରହେ । ଏବଂ ଏହା ଜନସଙ୍ଖ୍ୟାର କେତୋଟି ନିର୍ଦ୍ଧିଷ୍ଟ ଅଂଶକୁ ହିଁ ପ୍ରଭାବିତ କରେ । ଏହା ଫଳରେ ଏହି ଗୋଷ୍ଠୀମାନଙ୍କ ପାଖରେ ଥିବା ସାଧାରଣ ଖାଦ୍ୟର ପରିମାଣ କମିଯାଏ । ଲୋକେ ଖାଦ୍ୟର ବିକଳ୍ପ ଖୋଜି ବୁଲନ୍ତି । ଏବଂ ଶିଶୁ ମୃତ୍ୟୁହାର ଏବଂ ସାଧାରଣ ମୃତ୍ୟୁହାର ବଢ଼ିଯାଏ । 

କଳାହାଣ୍ଡିର ଏହି ଅନୁଭୂତିର କାରଣ ଖୋଜି ବନିକ୍ ପ୍ରଶାସନିକ କାର୍ଯ୍ୟାବଳୀ, କଳାହାଣ୍ଡିକୁ ନେଇ ଆଇନଗତ ଦଉଡ଼ିଟଣା ଖେଳ, ଖବର-କାଗଜମାନଙ୍କର ଭୂମିକା, ପାର୍ଲାମେଣ୍ଟରେ ରାଜନେତାମାନଙ୍କର କଳାହାଣ୍ଡିକୁ ନେଇ ବିତର୍କ, ତଥା କେନ୍ଦ୍ର-ରାଜ୍ୟ ରାଜନୀତିର ବିସ୍ତୃତ ଆଲୋଚନା କରନ୍ତି । 

ଏହା ପରେ କଳାହାଣ୍ଡିର ପରିସ୍ଥିତିକୁ ନେଇ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲା (ଯାହା ଏକ ଆଦିବାସୀ ଅଧ୍ୟୁଷିତ, ଗରିବ ଅଞ୍ଚଳ) ସହିତ ଏକ ସଂକ୍ଷିପ୍ତ ତୁଳନା କରନ୍ତି । କଳାହାଣ୍ଡି ଓ ପୁରୁଲିଆର ଭୌଗୋଳିକ ପରିସ୍ଥିତି ପୁରା ସମାନ ନଥିଲେ ମଧ୍ୟ, ଏକା ପରି । ପୁରୁଲିଆରେ ମଧ୍ୟ ନିୟମିତ ମରୁଡ଼ି ହୁଏ । ପୁରୁଲିଆରେ ବି ଦଳିତ-ଆଦିବାସୀଙ୍କର ସଙ୍ଖ୍ୟା ଅଧିକ । ଏ ସବୁ ସତ୍ତ୍ୱେ ପୁରୁଲିଆରେ ଅନାହାର ମୃତ୍ୟୁ ହୁଏ ନାହିଁ । 

ଏହାର କାରଣ ଖୋଜିବାକୁ ଯାଇ ବନିକ୍ ମହାଶୟ ପଶ୍ଚିମବଙ୍ଗର ସ୍ଥାନୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ଶକ୍ତି ଓ ସାମର୍ଥ୍ୟ, ବାମପନ୍ଥୀ ସରକାରର ଅମଲାତନ୍ତ୍ର ଉପରେ ନିୟନ୍ତ୍ରଣ (ଯାହା ଏହାକୁ ଅଧିକ ଲୋକାଭିମୁଖୀ କରିଛି) ତଥା ଭୂ-ସଂସ୍କାର ବୋଲି ଦର୍ଶାନ୍ତି । 

ଏହି ଆଲୋଚନା ଦ୍ୱାରା ସେ ଆହୁରି ମଧ୍ୟ ପ୍ରତିପାଦିତ କରିବାକୁ ଚେଷ୍ଟାକରନ୍ତି ଯେ, ଅଳ୍ପ କେତୋଟି ପରିମାର୍ଜନ ସହିତ ଆମେ ସେନ୍‌ଙ୍କର ଦୁର୍ଭିକ୍ଷ ସମ୍ବନ୍ଧୀୟ ଅବଧାରଣା ତଥା ତତ୍ତ୍ୱକୁ ଏବେ ମଧ୍ୟ ବ୍ୟବହାର କରିପାରିବା ।

କିନ୍ତୁ ଏହି ସମୀକ୍ଷକ ଉଭୟ ପୁସ୍ତକର ଆଲୋଚନା ସହିତ ସନ୍ତୁଷ୍ଟ ନୁହେଁ । କାରଣ ଉଭୟ ବହି ଭାରତୀୟ ସମାଜ ଆଲୋଚନାର ଏକ ପ୍ରଭାବଶାଳୀ ରାଷ୍ଟ୍ରଭିତ୍ତିକ କଳ୍ପଲୋକର ଅଂଶ । ଏଥିରୁ ସମାଜଚର୍ଚ୍ଚାକୁ ମୁକ୍ତ କରିବାର ଆବଶ୍ୟକତା ରହିଛି । 

ଏଭଳି ଏକ ଉଦ୍ୟମର ଦୁଇଟି ଅଂଶ ରହିବ । ପ୍ରଥମଟି ହେଲା ରାଷ୍ଟ୍ରନାମକ ବ୍ଲାକ୍ ବକ୍ସ୍ ଭିତରକୁ ନିରେଖି ଚାହିଁ ରାଷ୍ଟ୍ର ବୋଇଲେ ଜିନିଷଟି କ’ଣ ତାହା ଜାଣିବାକୁ ଚେଷ୍ଟା କରିବା । ଦ୍ୱିତୀୟଟି ହେଲା ଅଣ-ରାଷ୍ଟ୍ର ସାମାଜିକ କଳାକାରମାନଙ୍କର କାର୍ଯ୍ୟାବଳୀର ବିସ୍ତୃତ, ନୃତାତ୍ତ୍ୱିକ, ଦରଦୀ ବିବରଣୀ ଯୋଗାଇବା । 

ଏହା ଫଳରେ, ରାଷ୍ଟ୍ର ସ୍ୱୟଂ ନରହରି ଏବଂ ବାକି ଆମେ ସମସ୍ତେ ଯେ ମୃଗୀ, ସେହି ଧାରଣାର ମାୟାରୁ ମୁକ୍ତି ମିଳିପାରିବ । କଳାହାଣ୍ଡିର ପରିପ୍ରେକ୍ଷୀରେ ଏପରି କଲେ ଆମେ, ଉଦାହରଣସ୍ୱରୂପ, ଚାଉଳ ବ୍ୟବସାୟର ରୂପ ଏବଂ ଚରିତ୍ରର ଆଲୋଚନା କରିବା । କେବଳ ସରକାରୀ ବଣ୍ଟନ ବ୍ୟବସ୍ଥା କାହିଁକି କାମ କରୁନାହିଁ, ତାହାର ଚର୍ଚ୍ଚିତଚର୍ବଣ ଆଲୋଚନାରେ ଆମେ ଆଉ ଅଟକି ଯିବା ନାହିଁ । ଏହି ପ୍ରକ୍ରିୟାଟି ଯେତେ ଶୀଘ୍ର ଆରମ୍ଭ ହେବ, ସେତେ ମଙ୍ଗଳ ।

ସମୀକ୍ଷାୟନରେ ବ୍ୟବହୃତ ଗ୍ରନ୍ଥମାନଙ୍କର ବିବରଣୀ

ମିଶ୍ର, ମହେନ୍ଦ୍ର କୁମାର ।୧୯୯୬ । କଳାହାଣ୍ଡିର ଲୋକ ସଂସ୍କୃତି । ଫ୍ରେଣ୍ଡସ୍ ପବ୍ଲିଶର୍ସ: କଟକ ।

କ୍ୟୁରି, ବବ୍ । ୨୦୦୦ । ‘ଦି ପଲିଟିକ୍ସ ଅଫ୍ ହଙ୍ଗର ଇନ୍ ଇଣ୍ଡିଆ: ଅ ଷ୍ଟଡ଼ି ଅଫ୍ ଡେମୋକ୍ରାସୀ, ଗଭର୍ଣ୍ଣାନାସ୍ ଆଣ୍ଡ କଳାହାଣ୍ଡିସ୍ ପଭର୍ଟି’ । ମ୍ୟାକ୍ସ୍‌ମିଲାନ୍ ଇଣ୍ଡିଆ ଲିମିଟେଡ଼୍: ଚେନ୍ନାଇ ।

ବାନିକ୍, ଡାନ୍ । ୨୦୦୮ । ‘ଷ୍ଟାରଭେସନ୍ ଆଣ୍ଡ ଇଣ୍ଡିଆସ୍ ଡେମୋକ୍ରାସୀ’ । ରୁଟ୍ଲେଜ୍: ନ୍ୟୁୟର୍କ ।

ଗ୍ରନ୍ଥସୂଚୀ

ଫଣିନ୍ଦମ ଦେଓ । ୧୯୯୦ । ଟହିଷ୍ଟ୍ରି ଅଫ୍ ଇଣ୍ଟରାକ୍ସନ୍ ବିଟୁଇନ୍ ଟ୍ରାଇବାଲ୍ ପିପୁଲ୍ସ୍ ଆଣ୍ଡ୍ ଦେୟାର୍ ସୋସିଓକଲ୍ଚରାଲ୍ ଏନ୍‌ଭିରନ୍‌ମେଣ୍ଟ୍ ଇନ୍ ଛତିଶଗଡ଼୍ ରିଜନ୍ । ପିଏଚ୍‌ଡ଼ି ଡିଗ୍ରି ପାଇଁ ଜୱାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟରେ ଜମା କରାଯାଇଥିବା ପି.ଏଚ୍‌.ଡି. ଥିସିସ୍ । 

ଟୀକା: ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା ‘ସମଦୃଷ୍ଟି’ରେ ପ୍ରକାଶିତ ହୋଇଥିଲା ।

No comments:

Post a Comment

The world Ramakanta Samantaray Translated by Sailen Routray Photo credit: A. R. Vasavi I have cut you into tiny pieces with the sharp sword ...