Sunday, December 8, 2024

ବଉଦ ଯାତ୍ରା

ଶୈଲେନ ରାଉତରାୟ

୧୯୦୯ରେ ପ୍ରକାଶିତ ବ୍ରିଟିଶ ସାମ୍ରାଜ୍ୟର ଗ୍ୟାଜେଟିଅର୍‌ର ମାନଚିତ୍ର
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଉଣେଇଶିଶହ ତେତିଶି ମସିହାର ଅକ୍ଟୋବର ମାସରେ ଅସ୍ଥାୟୀ ଦ୍ୱିତୀୟ ଶିକ୍ଷକ ଭାବରେ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଯୋଗ ଦେଇଥିଲେ ଆଠମଲ୍ଲିକ ଗଡ଼ଜାତ ରାଜ୍ୟର ଭିକ୍ଟୋରିଆ ମାଇନର ଇସ୍କୁଲୁରେ । ବିଶ୍ୱସାରା ନିର୍ଘାତ ତିରୋଟ ଅବସ୍ଥା । ଚାକିରିବାକିରିର ଘୋର ଅଭାବ । ବିଦ୍ୟାଳୟଟିରେ ପ୍ରଧାନ ଶିକ୍ଷକ କାମରେ ଆସି ଯୋଗ ଦେଲେ । କୃଷ୍ଣଚନ୍ଦ୍ରଙ୍କର ପ୍ରାକ୍ତନ ଶିକ୍ଷକ ହର୍ଯ୍ୟଷ ବାବୁ ନିଜର ପ୍ରିୟ ଛାତ୍ରଟିକୁ ଆଠମଲ୍ଲିକ ରାଇଜର ହଣ୍ଡପା ବିଦ୍ୟାଳୟରେ ହିଁ ଥଇଥାନ କରିବା ପାଇଁ ଚେଷ୍ଟା ଚଲାଇଥାଆନ୍ତି  

ଏହା ଭିତରେ କୁଷ୍ଟଁ ବାବୁ ବଉଦ ଗଡ଼ଜାତର ଉଚ୍ଚ ବିଦ୍ୟାଳୟର ଓଡ଼ିଆ ଶିକ୍ଷକ ପଦଟି ପାଇଁ ଆବେଦନ ମଧ୍ୟ କରିଥାଆନ୍ତି । ସେଠୁ ନିଯୁକ୍ତି ପତ୍ରିଟିଏ ପାଇଁ ତ୍ରିପାଠୀଏ ବଉଦ ଯିବାପାଇଁ ମନସ୍ତ କଲେ ରାଜପାଇଟି କରିବାପାଇଁ ।

ଏହା ଶୁଣି ହର୍ଯ୍ୟଷ ବାବୁ ଖୁସି ହେଲେ । ମାତ୍ର ତାଙ୍କୁ ଚିନ୍ତା ଘାରିଲା ତାଙ୍କର ପ୍ରିୟ ଶିଷ୍ୟଟି ବଉଦ ଯିବେ କିପରି । ପ୍ରଥମେ ଆଠମଲ୍ଲିକଠାରୁ ମାଧପୁର ରାସ୍ତାରେ କିଆକଟା । ଆଠମଲ୍ଲିକ ଓ ବଉଦର ଦୋସିମାଳିରେ ମହାନଦୀ କୂଳରେ କିଆକଟା ଆଠମଲ୍ଲିକର ଗୋଟାଏ ଚଉକି । 

ମହାନଦୀ ପାର ହେଲେ ଯାଇଁ ବଉଦ । ରାସ୍ତା ଜଙ୍ଗଲିଆ । ଜନ୍ତୁଜୁନ୍ତାରେ ଭରତି । ସେ ତେଣୁକରି ଆଦେଶ ଦେଲେ ରାଜାଙ୍କୁ କହି ହାତୀର ବନେ୍ଦାବସ୍ତ କରିବାପାଇଁ । 

ଆଠମଲ୍ଲିକର ସେବେକାର ରଜା କିଶୋରଚନ୍ଦ୍ର ଦେଓ ଉତ୍ତମ ବକ୍ତା, ସୁସାହିତ୍ୟିକ ଓ କ୍ୟାରମ୍ ପ୍ରେମୀ; ଦିଲଦାର୍ ମଧ୍ୟ । କ୍ୟାରମ୍ ଖେଳରେ ରଜା ଜିତିଥିବା ବେଳେ (ବନ୍ଧୁମାନଙ୍କର ପରାମର୍ଶ ଅନୁସାରେ) ତାଙ୍କୁ କବି ବଢ଼ାଇଦେଲେ ଦରଖାସ୍ତ ଖଣ୍ଡିଏ ବଉଦ ଗସ୍ତ ପାଇଁ ହାତୀଟିଏର ବନ୍ଦୋବସ୍ତ ନିମନ୍ତେ । ରାଜା ହସି ହସି ଲେଖିଦେଲେ ଯେ, ‘ପ୍ଲିଜ୍ ଆରେଞ୍ଚ୍ ଆନ୍ ଏଲିଫ୍ୟାଣ୍ଟ୍ ଫର୍ ଦିସ୍ ଏପ୍ଲିକେଣ୍ଟ୍ ପଜିଟିୱଲି ଟୁମରୋ

ରାଜ-ଆଦେଶ ଅନୁସାରେ ହସ୍ତୀ ଆବେଦକଙ୍କ ଦୁଆରେ ଆସି ତାହା ପରଦିନ ଦଣ୍ଡାୟମାନ ହେଲା । ଉଣେଇଶିଶହ ଚଉତିରିଶି ମସିହାର ଜାନୁଆରୀ ମାସର ପ୍ରଥମ ସପ୍ତାହରେ ହାତୀ ଉପରେ ଉପବେଶନ କରି, ଆଠମଲ୍ଲିକ ରାଜା ଓ ରାଇଜ, ଗୁରୁ ହର୍ଯ୍ୟଷ ବାବୁ ତଥା ଭିକ୍ଟୋରିଆ ଇସ୍କୁଲୁର ମାୟା ଛାଡ଼ି ବାବୁ ତ୍ରିପାଠୀଏ ଚାଲିଲେ ବଉଦ ଅଭିମୁଖେ । 

ସେତେବେଳେ ବଉଦ ରାଜା ଆଦେଶ କରିଥାଆନ୍ତି ଯେ ସବୁ ତିରିଶି ଟଙ୍କା ବା ତଦୁର୍ଦ୍ଧ ମାସିକିଆ ଦରମା ପାଉଥିବା ରାଜ କର୍ମଚାରୀ ସମ୍ପୂର୍ଣ୍ଣ ସାହେବୀ ଆଦବ କାଇଦାରେ ପୂରା ପ୍ୟାଣ୍ଟ୍, କୋଟ୍, ଟାଇ ଇତ୍ୟାଦି ନ ପିନ୍ଧି କର୍ମକ୍ଷେତ୍ରକୁ ଓହ୍ଲାଇପାରିବେ ନାହିଁ । 

ତେଣୁ ବିଶେଷ ବରାଦରେ ତିଆରି ହୋଇଥିବା (ଗୁରୁ ଦାସେଙ୍କ ଦରଜୀ ତିଆରି କରିଥିବା) କୋଟ୍ ଓ ପ୍ୟାଣ୍ଟ୍ ଓ ଗୁରୁଙ୍କର ନିଜର ଅଙ୍ଗଲାଗି ଟାଇ ପିନ୍ଧି, ସାଇବ ବନି, ହାତୀ ଚଢ଼ି, ସକାଳୁ ସକାଳୁ ଯାତ୍ରା ଆରମ୍ଭ ହେଲା ।

ଆଠମଲ୍ଲିକଠାରୁ କିଆକଟା ପର୍ଯ୍ୟନ୍ତ ସେତେବେଳେ ଉଚ୍ଚ ସଡ଼କଟିଏ ଲହରେଇ ହେଇ ବହିଯାଇଥାଏ ଜଙ୍ଗଲ ଓ କ୍ଷେତ୍ର ମଧ୍ୟ ଦେଇ । ଲୋକମାନେ ହାତୀଚଢ଼ା, ସାଇବ-ପୋଷାକ ପିନ୍ଧା ଲୋକଜଣଙ୍କୁ ଦେଖି ନମସ୍କାର ମଧ୍ୟ କରୁଥାଆନ୍ତି । 

ଅନେକ ଜେଗାରେ ରାସ୍ତା କଡରେ ଆଖୁ ଖେତ । ଆଖୁ ଅମଳର ବେଳ । କାଫି ଖଣ୍ଡେ ବାଟ ଗଲା ପରେ, ମାହୁନ୍ତ ହାତୀକୁ ଘଡ଼ିଏ କରି ତାଜା ଆଖୁ ଦୋରୁଅ ଢ଼ାଳେ ଆଣି ପିଇବାକୁ ଦେଲା । ସକାଳୁ କଅଣ ଖାଇଥିଲେ ନଥିଲେ, ଦୋରୁଅ ଢାଳକ ପିଇ ତ୍ରିପାଠୀ ବାବୁଙ୍କ ପିଣ୍ଡରେ ହଁସା ପଶିଲା ।

ଆଉ କିଛି ବାଟ ଗଲା ପରେ ଦୂରରୁ ଦିଶିଲା କିଆକଟା ଥାନାର ସଫେଦ୍ ଇମାରତ୍ ଖଣ୍ଡିକ । ସେତେବେଳକୁ ସନ୍ଧ୍ୟା ହେଲାଣି । ସୂର୍ଯ୍ୟ ଦିଗବଳୟ ତଳେ ଡେଇଁ ପଡ଼ି ଆତ୍ମହତ୍ୟା କରିବାକୁ ଉଦ୍ୟତ । 

ଡେବିରି ହାତ ପଟେ ବୁଡ଼ିଯାଉଥିବା ସୁରୁଜର ଆଲୁଅରେ ରୁପା ଭଳି ଚକଚକ କରୁଥିବା ମହାନଦୀର ବାଲୁକାଶଯ୍ୟା । ତାହାଠାରୁ ଟିକିଏ ଦୂରରେ ଅସ୍ତାଚଳଗାମୀ ଦିବାକରର ଆଲୋକରେ ଦାହମାନ ମହାନଦୀର ଘନନୀଳ ଜଳାରାଶି । କିଛି ସମୟ ଏହି ଦୃଶ୍ୟ ଦେଖିସାରିଲା ପରେ ମାହୁନ୍ତ ନଦୀରେ ହାତୀ ପଶାଇଦେଲେ, ପ୍ରବାହ ସେପଟେ ବଉଦ ରାଇଜରେ ନେଇ କବିଙ୍କୁ ପହଞ୍ଚାଇ ଦେଲା ।

ନଈଠାରୁ ଡାକେ ବାଟରେ ଗୋଟିଏ ଡାକବଙ୍ଗଳା । ସେଠି ସେତେବେଳେ ରହୁଥାଆନ୍ତି ରାଜାଙ୍କର ଯନ୍ତ୍ରୀ ବାସୁଦେବ ମହାନ୍ତି । ଗୁରୁ ହର୍ଯ୍ୟଷ ବାବୁ ତାଙ୍କୁ ଚିଠି ଲେଖି ଯଥାଯୋଗ୍ୟ ବ୍ୟବସ୍ଥା କରିବାପାଇଁ ଅନୁରୋଧ କରିଥାଆନ୍ତି । 

ସେଠି ପହଞ୍ଚିଲା ବେଳକୁ ରାତି ପହରେ । ଯନ୍ତ୍ରୀ ଅବସର ବିନୋଦନ କରିବା ପାଇଁ କ୍ଲବ୍‌କୁ ଖେଳିବାପାଇଁ ଯାଇଥାଆନ୍ତି । ଡାକବଙ୍ଗଳାରେ ଥାଆନ୍ତି ଜଣେ ମୃଦୁଭାଷୀ ବଙ୍ଗାଳୀ ଭଦ୍ରବ୍ୟକ୍ତି । 

ମହାନ୍ତି ବାବୁ ନଥିବାର ଜଣାଇ ତାଙ୍କୁ ରାତ୍ରିଭୋଜନ ପାଇଁ ଆମନ୍ତ୍ରଣ ଜଣାଇଲେ । ବ୍ରାହ୍ମଣ ଲୋକ ହୋଇଥିବାରୁ ଅଣ୍ଡା ଚଳେ କି ନାହିଁ ପଚାରିଲେ । ତ୍ରିପାଠୀଏ ହଁ ମାରିବାରୁ ଦୁହେଁ ଖାଇ ବସିଲେ ଭାତ ଓ ଅଣ୍ଡା ତରକାରୀ ।

ତାହାପରେ ଗୋଟିଲ ମିଇଲିବୁଣା ଚାଦର ଘୋଡେ଼ଇ ହୋଇ କବି ଶୋଇବାକୁ ଗଲେ । ହେଲେ ବଉଦ ଭଳି ଗଡ଼ଜାତରେ ମାଘମାସର ବାଘ ଭଳି ଥଣ୍ଡା ମିଇଲିଚାଦରରେ କେଉଁଠି ସମ୍ଭଳା ପଡ଼ିବ । 

ତ୍ରିପାଠୀ ବାବୁ ଚେଇଁ ଶୋଇଥାଆନ୍ତି । ବଙ୍ଗାଳୀବାବୁ ଜଣକ ଗରମ କମ୍ବଳ ଖଣ୍ଡିଏ ଘୋଡେ଼ଇଦେଲେ । ତେବେ ଯାଇଁ ଥଣ୍ଡା ଟିକିଏ ସମ୍ଭଳା ପଡ଼ିଲା । 

ଶୋଉଶୋଉ କୁଷ୍ଟଁବାବୁ ଶୁଣିଲେ ବଙ୍ଗାଳୀ ଭଦ୍ରଲୋକ ଓ ବାସୁବାବୁଙ୍କ ଭିତରେ ସାହିତ୍ୟ ଆଲୋଚନା । ତ୍ରିପାଠୀଏ ସହକାରଇତ୍ୟାଦି ପତ୍ରିକାରେ ଲେଖାଲେଖି କରୁଥିବା କଥାପଡ଼ିଲା । ମହାନ୍ତିଙ୍କ ପ୍ରିୟ କବି ମାୟାଧର ମାନସିଂହ ଓ ତାଙ୍କର କାବ୍ୟକୃତି ବିଷୟରେ ଆଲୋଚନା ହେଉଥାଏ । 

ଏମିତି କବିତାର ଆଲୋଡ଼ନରେ ଦୋହଲି ଦୋହଲି କବି କେତେବେଳେ ଶୋଇପଡ଼ିଛନ୍ତି ଜଣା ନାହିଁ । ଉଠୁଉଠୁ ସକାଳ ସାତ ।

ଟୀକା: ଲେଖାଟି ପାଇଁ ଉପାଦାନ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କର ଆତ୍ମଜୀବନୀ ‘ନିରବଧି ନିରବ’ରୁ ନିଆଯାଇଛି । ଲେଖକ ଦ୍ୱାରା ବହିଟିର ବ୍ୟବହୃତ ସଂସ୍କରଣଟି ୨୦୧୩ ମସିହାରେ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁସ୍ଥ ପ୍ରକାଶକ ‘ସମନ୍ୱୟ’ଙ୍କ ଦ୍ୱାରା ପ୍ରକାଶିତ । ଏହି ଆଲେଖଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପିଥିଲା ।

No comments:

Post a Comment

Perhaps, one day Ramakanta Samantaray Translated by Sailen Routray commons.wikimedia.org/Dominicus Johannes Bergsma One day, perhaps, I will...