ଆମର ମାନବବାଦ ଓ ତାଙ୍କର ମାନବବାଦ
ଶୈଲେନ ରାଉତରାୟ
ମଦେଶପ୍ପା ମଦିଭଲ୍କପ୍ପା କଳବର୍ଗୀ (୧୯୩୮-୨୦୧୫) ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
ଏହି କିଛି ବର୍ଷ ଭିତରେ ଅନେକ ଭାରତୀୟ ମୁକ୍ତ ଚିନ୍ତକମାନଙ୍କର ହତ୍ୟା କରାଯାଇଅଛି; ସେମାନଙ୍କ ମଧ୍ୟରୁ ଅନେକ ହେତୁବାଦୀ ବିଚାରଧାରାର ଅନୁଗାମୀ ଥିଲେ। ଏମାନଙ୍କ ଭିତରୁ ହେତୁବାଦୀ
ଚିନ୍ତକ ଓ ପ୍ରଚାରକ ଶ୍ରୀ ନରେନ୍ଦ୍ର ଦାଭୋଲକର୍, ସାମ୍ୟବାଦୀ ନେତା, ଚିନ୍ତକ ଓ ହେତୁବାଦୀ,
ହିନ୍ଦୁତ୍ତ୍ୱ ବିରୋଧି ଶ୍ରୀ ଗୋବିନ୍ଦ ପାନ୍-ସରେ (ବୃହତ୍ତର ଜନମାନସରେ ଶିବାଜୀଙ୍କର ଏକ
ଲୋକାଭିମୁଖୀ ଜୀବନୀ “ଶିବାଜୀ କୋଣ୍ ହୋତା?’ ର ଲେଖକ ଭାବରେ ପରିଚିତ), ପ୍ରଫେସର୍
ମଦେଶପ୍ପା ମଦିବାଲପ୍ପା କଳବର୍ଗୀ ଓ ଗୌରୀ ଲଙ୍କେଶଙ୍କର ନାମ ଏଠାରେ ଉଲ୍ଲେଖ କରାଯାଇପାରେ । ମାତ୍ର ଅନେକ ଦୃଷ୍ଟିରୁ ଶ୍ରୀ କଳବର୍ଗୀ ଅନ୍ୟ ତିନିଜଣଙ୍କଠାରୁ ଭିନ୍ନ ଓ ତାଙ୍କର ଜୀବନ ଓ
ମୃତ୍ୟୁ ଆମକୁ ଭବିଷ୍ୟତର ଅନେକ ବିଭ୍ରାନ୍ତିରୁ ରକ୍ଷାକରିପାରେ ।
ଏହି ସନ୍ଦର୍ଭରେ ଭାରତର ଆଞ୍ଚଳିକ ଓ ଏସୀୟ ପରିପ୍ରେକ୍ଷୀରେ, ଏଇ ନିକଟ
ଅତୀତର କିଛି ଘଟଣାବଳୀ ଆମର ମାର୍ଗଦର୍ଶନ
କରିପାରେ । ୨୦୧୫ ସାଲର ମଇ ମାସରେ ବଙ୍ଗଳାଦେଶରେ ବ୍ଲଗର୍ ଅନନ୍ତବିଜୟ ଦାସଙ୍କୁ ସିଲହଟ୍ରେ ଅଜଣା
ଆତତାୟୀମାନେ ହତ୍ୟା କଲେ । ଶ୍ରୀ ଦାସ ‘ଯୁକ୍ତି’ ନାମକ ଗୋଟିଏ ତ୍ରୈମାସିକ ପତ୍ରିକାର ସମ୍ପାଦକ
ଓ ସିଲହଟ୍ ସ୍ଥିତ ‘ବିଜ୍ଞାନ ଓ ତର୍କବାଦୀ ପରିଷଦର’ ମୂଖ୍ୟ ଥିଲେ । ସେ ବଙ୍ଗଳାଦେଶରେ
ଧର୍ମନିରପେକ୍ଷତା ଓ ମାନବବାଦର ପ୍ରଚାର ଓ ପ୍ରସାରରେ ଏକ ମୂଖ୍ୟ ଭୂମିକା ତୁଲାଉଥିଲେ । ସେ ଜଣେ
ନାସ୍ତିକ ଥିଲେ ଓ ‘ମୁକ୍ତମନ’ ନାମକ ଏକ ଗୁରୁତ୍ତ୍ୱପୂର୍ଣ
ମୁକ୍ତଚିନ୍ତନ-ଭିତ୍ତିକ ୱେବସାଇଟ୍ ରେ ନିୟମିତ ଲେଖୁଥିଲେ । ଏହି
ୱେବସାଇଟ୍ଟି ବଙ୍ଗଳାଦେଶୀ-ଆମେରିକୀୟ କମ୍ପ୍ୟୁଟର ବିଜ୍ଞାନୀ ଓ ପ୍ରସିଦ୍ଧ ଯୁକ୍ତିବାଦୀ ଅଭିଜିତ
ରାୟଙ୍କ ଦ୍ୱାରା ପରିଚାଳିତ ହେଉଥିଲା । ୨୦୧୫ ସାଲର ଛବିଶ ଫେବ୍ରୁଆରୀ ଦିନ ଅଲ୍ କାଏଦାର
ଆତତାୟୀମାନେ ଢାକା ସହରରେ ଅଭିଜିତଙ୍କର ହତ୍ୟା କଲେ । ଏହା ପରେ ପରେ ସେହି ବର୍ଷ ମାର୍ଚ୍ଚ୍ ମାସରେ ଆଉ ଜଣେ
ନାସ୍ତିକ ବ୍ଲଗର୍ ଶିକୁର୍ ରହମାନ୍ ଙ୍କର
ହତ୍ୟା କରାଗଲା । ଏଥି ପାଇଁ ଦୁଇଜଣ ଗିରଫ୍ ହୋଇସାରିଛନ୍ତି । ୨୦୧୩ ମସିହା ପରଠାରୁ ମୁକ୍ତଚିନ୍ତକ ବ୍ଲଗର୍ମାନଙ୍କର ହତ୍ୟା ଇସ୍ଲାମୀୟ ଉଗ୍ରବାଦୀମାନେ ଗୋଟିଏ ପରେ ଗୋଟିଏ ଏହିପରି ଘଟାଇ ଚାଲିଛନ୍ତି ।
ରାଜନୈତିକ ଇସଲାମ୍ର ବିରୋଧ
କରି ଗଣ ଆନ୍ଦୋଳନର ଆୟୋଜନ କରୁଥିବା ନାସ୍ତିକମାନଙ୍କ ନିମନ୍ତେ ହେଫାଜତ୍-ଏ-ଇସଲାମ୍ ନାମକ ଏକ
ମୌଳବାଦୀ ସଙ୍ଗଠନ ଖୋଲାଖୋଲି ଭାବରେ ମୃତ୍ୟୁଦଣ୍ଡର ଦାବୀ କରିଆସିଛି । ଇସଲାମୀୟ ସ୍କୁଲ୍ଗୁଡ଼ିକର ଶିକ୍ଷକଙ୍କର ନେତୃତ୍ତ୍ୱ ନେଇ ମେ ୨୦୧୩ରେ
ହେଫାଜତ୍ ଏକ ବୃହତ୍ ପ୍ରତି-ଆନ୍ଦୋଳନ କଲା । ଏହି ଆନ୍ଦୋଳନ ଜନିତ ହିଂସାରେ ପାଖାପାଖି ୫୦ ଜଣ
ଲୋକ ମଲେ । ଏହା ପରେ ବଙ୍ଗଳାଦେଶରେ ନାସ୍ତିକ ଓ ମୁକ୍ତଚିନ୍ତକମାନଙ୍କର ହତ୍ୟାର ସଙ୍ଖ୍ୟା ବଢ଼ି ଚାଲିଛି । ଏହି ସବୁ ଘଟଣାବଳୀକୁ ଦେଖି ଆମେ କଣ ଏକଥା
କହିପାରିବା ଯେ ଏସବୁ ପାଇଁ ଇସଲାମ୍ ଧର୍ମ ଓ ପରମ୍ପରା ଦାୟୀ ? କିମ୍ବା ଭାରତରେ ଘଟୁଥିବା ମୁକ୍ତଚିନ୍ତକମାନଙ୍କର ହତ୍ୟା ପାଇଁ ଭାରତୀୟ ପରମ୍ପରା ଦାୟୀ ? ଉଭୟ କ୍ଷେତ୍ରରେ ଉତ୍ତର ହେବ, ‘ନା’ ।
ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ ଆମେ ପୁଣି ଶ୍ରୀ କଳବର୍ଗୀଙ୍କ
ପାଖକୁ ଫେରି ଯିବା । ଅନ୍ୟ ତିନିଜଣଙ୍କ ପରି ଶ୍ରୀ କଳବର୍ଗୀ ଜଣେ ତର୍କବାଦୀ ଓ ନାସ୍ତିକ ନଥିଲେ
। ସେ ଏକ ଲିଙ୍ଗାୟତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଓ ନିଜେ ଜଣେ ଧର୍ମନିଷ୍ଠ ଲିଙ୍ଗାୟତ ଥିଲେ
। ଲିଙ୍ଗାୟତ ଧର୍ମ ପରମ୍ପରାର ଦର୍ଶନର ଆଲୋଚନାରେ ତାଙ୍କର ଗୁରୁତ୍ତ୍ୱପୂର୍ଣ ସ୍ଥାନ ଓ ଅବଦାନ
ରହିଛି । ମାତ୍ର ଲିଙ୍ଗାୟତ ଧର୍ମ ଧାରଣାର ଐତିହାସିକ ପରିପ୍ରେକ୍ଷୀ ସମ୍ବନ୍ଧୀୟ ତାଙ୍କର ନିଷ୍କର୍ଷଗୁଡିକ
ଲିଙ୍ଗାୟତ ଧର୍ମାଧିକାରୀ ଓ ମଠର ମହନ୍ତ ମାନଙ୍କୁ ୠଚୁ ନ ଥିଲା । ସେ ମୂର୍ତ୍ତି ପୂଜାର ବିରୋଧୀ ଥିଲେ । ନିଜର ଗବେଷଣାର
ଭିତ୍ତିରେ ସେ ଦାବୀ କରୁଥିଲେ ଯେ ଲିଙ୍ଗାୟତମାନେ ଆମେ ଏବେ ହିନ୍ଦୁ କହିଲେ ଯାହା ବୁଝୁଛୁ ସେହି
ଅର୍ଥରେ ହିନ୍ଦୁ ନୁହନ୍ତି । ମାତ୍ର ଏଠାରେ କହି
ରଖିବା ଉଚିତ ହେବ ଯେ, ଅନେକ ଶାସ୍ତ୍ରୀୟ ହିନ୍ଦୁ ପରମ୍ପରା ମଧ୍ୟ ମୂର୍ତ୍ତି ପୂଜା ପ୍ରତି ଉଦାସୀନ
।
ଶ୍ରୀ କଳବର୍ଗୀ ଜଣେ ସାମାଜିକ ବା ରାଜନୈତିକ କର୍ମୀ ନଥିଲେ । ସେ
କନ୍ନଡ଼ ଭାଷା, ସାହିତ୍ୟ ଓ ସାଂସ୍କୃତିକ ଇତିହାସର ଜଣେ ଦରଦୀ ବ୍ୟାଖାକାର ଥିଲେ । ସେ
ଭାଷାବିଜ୍ଞାନ, ଇତିହାସ ଓ ସାହିତ୍ୟର ସନ୍ଧି କ୍ଷେତ୍ରରେ, କନ୍ନଡ଼ ଭାଷାରେ ହିଁ, ଅନେକ ଗୁରୁତ୍ତ୍ୱପୂର୍ଣ
କାମ କରିଯାଇଛନ୍ତି । ପ୍ରାଚୀନ କନ୍ନଡ଼ ସାହିତ୍ୟର ଆଲୋଚନାରେ ତାଙ୍କର ନାମ ଆଗ ଧାଡ଼ିର ଗବେଷକ ଯଥା
ଏ.କେ. ରାମାନୁଜନ୍ ଓ ଡି. ନାଗରାଜ୍ ଇତ୍ୟାଦି ମାନଙ୍କ ସହିତ ନିଆଯାଏ । ମାତ୍ର ଏହି ଦୁଇଜଣଙ୍କ ପରି, ତାଙ୍କର
ବିଦେଶୀ ଅନୁଷ୍ଠାନମାନଙ୍କ ସହିତ ବେଶୀ ଘନିଷ୍ଠ ସମ୍ପର୍କ ନଥିଲା । ପୁରାପୁରି ଦେଶୀ ଶିକ୍ଷା
ଲାଭ କରି, ଦେଶୀ ଅନୁଷ୍ଠାନମାନଙ୍କରେ କାମ କରି, ଦେଶୀୟ ଭାଷାରେ ସେ ଆନ୍ତର୍ଜାତୀୟ ସ୍ତରର କାମ
କରିଯାଇଛନ୍ତି । ଯଦି ସେ ଏହି କାମକୁ ଏକ ବିଦେଶୀ ଭାଷାରେ କରି ଥାଆନ୍ତେ, ତାହା ହେଲେ, ତାଙ୍କୁ
ବୋଧେ ହୁଏ ଆତତାୟୀ ହାତରେ ମୃତ୍ୟୁବରଣ କରିବାକୁ ପଡି ନ ଥାଆନ୍ତା । କନ୍ନଡ଼ ଭାଷାରେ ‘ମାର୍ଗ’ ନାମରେ ଚାରି ଖଣ୍ଡରେ ବାହାରିଥିବା ତାଙ୍କର
ପ୍ରବନ୍ଧ ସଙ୍କଳନ କନ୍ନଡ଼ ବିଚାର ଜଗତ ପ୍ରତି ଏକ ଗୁରୁତ୍ତ୍ୱପୂର୍ଣ ଅବଦାନ ଅଟେ । ଏହି ସଙ୍କଳନର
ଚତୁର୍ଥ ଖଣ୍ଡ ସାହିତ୍ୟ ଏକାଡେମୀ ଦ୍ୱାରା ୨୦୦୬ ମସିହାରେ ପୁରସ୍କୃତ ମଧ୍ୟ ହୋଇଛି ।
କନ୍ନଡ଼ ବଚନ ସାହିତ୍ୟର ତାଳପତ୍ରରେ ଅଙ୍କିତ ପ୍ରତି (ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍) |
ବଚନ ସାହିତ୍ୟ କନ୍ନଡ଼ ସାହିତ୍ୟ ଓ ସଂସ୍କୃତିକୁ ଲିଙ୍ଗାୟତ ଧାର୍ମିକ ପରମ୍ପରାର ଏକ ବଳିଷ୍ଠ ଅବଦାନ । ଶ୍ରୀ କଳବର୍ଗୀ ହମ୍ପି ସ୍ଥିତ କନ୍ନଡ଼ ବିଶ୍ୱବିଦ୍ୟାଳୟର ଉପ-କୁଳପତି ଥିବା ସମୟରେ (ଓ ତାହା ପରେ
ମଧ୍ୟ) କନ୍ନଡ଼ ପୁସ୍ତକ ପ୍ରାଧିକରଣ ପାଇଁ ବଚନ ସାହିତ୍ୟର ଏକ ପନ୍ଦର ଖଣ୍ଡର ସଙ୍କଳନର
ସମ୍ପାଦନା କରିଥିଲେ । ବଡ଼ ବଡ଼ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ବାହାରେ ରହି (ସେ ପ୍ରାୟତଃ
ଧାର୍ୱାଡ୍ ସ୍ଥିତ କର୍ଣାଟକ ବିଶ୍ୱବିଦ୍ୟାଳୟଠାରେ ଅବସ୍ଥିତ ଥିଲେ), ଅଧ୍ୟାପନା କରି, ଗବେଷଣା
ପାଇଁ ଅନ୍ୟର ଅର୍ଥ ଉପରେ ନିର୍ଭର ନ କରି ଓ ଭଲ ପାଠାଗାର ଇତ୍ୟାଦି ଆନୁଷଙ୍ଗିକ ସୁବିଧା ନ ଥାଇ
ମଧ୍ୟ ନିଜର ଭାଷା ଓ ପରମ୍ପରା ପାଇଁ ଶୁଦ୍ଧ ଶ୍ରଦ୍ଧା ଦ୍ୱାରା ଅନୁପ୍ରାଣିତ ହୋଇ ସେ ଗବେଷଣାର ମହାନ
କୃତିଟିମାନ ଛାଡ଼ି ଯାଇଛନ୍ତି ।
ଏପରି ଜଣେ ଗବେଷକଙ୍କର ହତ୍ୟା ଆମକୁ ଏହି ବିଷୟରେ ଚେତାଉଛି ଯେ ଭାରତରେ
ମାନବବାଦର ସଙ୍କଟ ମାନବ ବିଜ୍ଞାନର ମଧ୍ୟ ଏକ ସଙ୍କଟ । ବର୍ତ୍ତମାନ ପ୍ରାକ୍-ଆଧୁନିକ କାଳର
ଆଲୋଚନା ନିମନ୍ତେ ଆମ ପାଖରେ ଦକ୍ଷତାର ଘୋର ଅଭାବ । ଉଦାହରଣ ସ୍ୱରୂପ, ଓଡିଆ ଭାଷାରେ ମଧ୍ୟଯୁଗୀୟ
ଗ୍ରନ୍ଥର ପୋଥି ପଢି, ପାଠ ଉଦ୍ଧାର ସାରି ତର୍ଜମା କଲା ଭଳି ପାଣ୍ଡିତ୍ୟ ଚାଳିଶି ବର୍ଷ ବୟସରୁ
କମ୍ ବର୍ଷ ବୟସର ବହୁତ କମ୍ ଲୋକଙ୍କ ପାଖରେ ଅଛି । ଭାରତର ମଧ୍ୟଯୁଗ ଏ ପର୍ଯ୍ୟନ୍ତ ପୁରାପୁରି
ଇତିହାସ ପାଲଟି ନାହିଁ । ଆମର ବର୍ତ୍ତମାନର ରାଜନୈତିକ ଓ ସାମାଜିକ ଜୀବନର ଅନେକ
ଗୁରୁତ୍ତ୍ୱପୂର୍ଣ ବିଭାବର ମୂଳ ମଧ୍ୟଯୁଗୀୟ । ତାହା ହେଲେ, ମଧ୍ୟଯୁଗୀୟ ଶାସ୍ତ୍ର ଆଲୋଚନା
ନିମନ୍ତେ ଆବଶ୍ୟକୀୟ ମାନବ ବିଜ୍ଞାନର କୌଶଳରେ ଦକ୍ଷତା ବିନା ଆମେ ଆମର ପରମ୍ପରାକୁ ଓ ଇତିହାସକୁ ନେଇ
ଘୃଣା ଓ ଭୟର ରାଜନୀତି କରୁଥିବା ବଦମାସ ଅର୍ଧ-ଶିକ୍ଷିତ ଗୁଣ୍ଡାମାନଙ୍କ ସହିତ ଲଢ଼ିବା କେଉଁ
ଭିତ୍ତିରେ ।
ଭାରତରେ ମାନବବାଦର ସଙ୍କଟର ଆଉ ଏକ ଦିଗ ହେଲା ଜ୍ଞାନ ଚର୍ଚ୍ଚା ଓ ସାଂସ୍କୃତିକ
କର୍ମକୁ ନିଜର ସ୍ୱଜାତୀୟ ମାନବବାଦର ପରମ୍ପରାର ପରିପ୍ରେକ୍ଷୀରେ ନ ଦେଖି ପାଶ୍ଚାତ୍ୟମୁଖୀ ହେବା
। ପାଶ୍ଚାତ୍ୟରେ ମାନବବାଦର ଉଦ୍ଭବ ଏକ
ନିର୍ଦିଷ୍ଟ ସାମାଜିକ ପରିପ୍ରେକ୍ଷୀରେ ହୋଇଥିଲା । ଚତୁର୍ଦ୍ଦଶରୁ ସପ୍ତଦଶ ଶତାବ୍ଦୀ ମଧ୍ୟରେ
ଧର୍ମ ସହିତ ରାଷ୍ଟ୍ରର ଯେଉଁ ସଙ୍ଘର୍ଷ ହେଲା, ସେଥିରେ ବ୍ୟକ୍ତି ସ୍ୱାଧୀନତାର ପକ୍ଷ ନେଉଥିବା
ଲୋକେ ରାଷ୍ଚ୍ର ସପକ୍ଷରେ ଥିଲେ । ମାତ୍ର ଭାରତୀୟ ଉପମହାଦେଶରେ ମାନବବାଦର ଆଧୁନିକ ରୂପ, ନିଜର
ଔପନିବେଶିକ ବିରୋଧି ଚରିତ୍ର ଯୋଗୁଁ, ରାଷ୍ଟ୍ର ବିରୋଧି । ଏହି କାରଣରୁ, ଭାରତୀୟ ମାନବବାଦ ଧର୍ମ
କିମ୍ବା ପରମ୍ପରା ବିରୋଧୀ ନୁହେଁ । ବିବେକାନନ୍ଦ ଓ ଗାନ୍ଧୀ ଏହାର ବଳିଷ୍ଠ ଉଦାହରଣ ।
ତେଣୁ
ଭାରତୀୟ ମାନବବାଦୀ ଧର୍ମବିରୋଧୀ ହେବା ପାଇଁ ବାଧ୍ୟ ନୁହେଁ । ପାଶ୍ଚାତ୍ୟ ସମାଜଶାସ୍ତ୍ରର
ଆଲୋଚନାରେ ଅର୍ଥୋପ୍ରାକ୍ସି ଓ ଅର୍ଥୋଡକ୍ସୀ ଭିତରେ ଏକ ତଫାତ୍ କରାଯାଏ । ଅର୍ଥୋଡୋକ୍ସି ବୋଇଲେ ଡକ୍ସା
(ବିଶ୍ୱାସ ବା ଚିନ୍ତା) କୁ ନେଇ ରକ୍ଷଣଶୀଳତା । ଅର୍ଥୋପ୍ରାକ୍ସି ବୋଇଲେ ନିର୍ଦ୍ଦିଷ୍ଟ ଆଚରଣ ବା
ଅଭ୍ୟାସର ପରମ୍ପରାକୁ ରକ୍ଷଣଶୀଳ ଭାବରେ ବଜାୟ ରଖିବାକୁ ବୁଝାଏ । ଭାରତୀୟ ଜୀବନଚର୍ଯ୍ୟା ଓ
ସାଂସ୍କୃତିକ ଧାରା ଆଚରଣକୁ ନେଇ ରକ୍ଷଣଶୀଳ, ମାତ୍ର ଚିନ୍ତା ବା ତଥାକଥିତ ବିଶ୍ୱାସକୁ ନେଇ
ନୁହେଁ । ଅର୍ଥାତ୍, ସ୍ୱାଧୀନଚିନ୍ତା ପାଇଁ ହତ୍ୟା ବା ଅତ୍ୟାଚାରର ପରମ୍ପରା ଅଣଭାରତୀୟ । ଭାରତରେ
ଏହି ନିକଟ ଅତୀତରେ ଘଟିଯାଇଥିବା ହତ୍ୟାଗୁଡ଼ିକୁ ନେଇ ମାନବ ଅଧିକାରର ହନନର ଏକ ଆଖ୍ୟାନର ମଧ୍ୟ
ନିର୍ମାଣର ଚେଷ୍ଟା ହୋଇଛି । ମାତ୍ର ଭାରତୀୟ
ମାନବବାଦର ପରମ୍ପରା ଆଉ ପାଶ୍ଚାତ୍ୟ ମାନବବାଦର ପରମ୍ପରା ମଧ୍ୟରେ ଆଉ ଏକ ଗୁରୁତ୍ତ୍ୱପୂର୍ଣ
ପ୍ରଭେଦ ହେଲା ଏହିକି ଯେ, ଆମର ମାନବବାଦର ଧାରା ଅଧିକାର-ଭିତ୍ତିକ ନୁହେଁ । ଆମର ମାନବବାଦର
ଧାରା ସାମୁହିକତାର ପରିଭାଷା-ଭିତ୍ତିକ ଓ ସ୍ୱ ଓ ଅପର ମଧ୍ୟରେ ଆଦାନ ପ୍ରଦାନ ଉପରେ ଆଧାରିତ ଅଟେ ।
ସିରିଆରେ ଗୃହଯୁଦ୍ଧ ଓ ତାହା ପରର ଶରଣାର୍ଥୀ ସଙ୍କଟ ପ୍ରତି
ପାଶ୍ଚାତ୍ୟ ଦେଶ ଓ ସମାଜ ଗୁଡ଼ିକର ଉପେକ୍ଷାର ମନୋବୃତ୍ତିରୁ ପାଶ୍ଚାତ୍ୟ ମାନବବାଦର ଫମ୍ପାପଣ ଜଣା
ପଡ଼ୁଛି । ଭାରତୀୟ ମାନବବାଦର ପରମ୍ପରାରୁ ପାଶ୍ଚାତ୍ୟ ଦେଶମାନଙ୍କର ଅନେକ କିଛି ଶିଖିବାର ଅଛି। ଆମର
ମାନବବାଦର ପରମ୍ପରା ପାଶ୍ଚାତ୍ୟ ମାନବବାଦର
ପରମ୍ପରା ଭଳି ଏକ ସ୍ୱତନ୍ତ୍ର ପରମ୍ପରା । ଆମର ଚତୁର୍ପାଶ୍ୱର ଘଟଣାବଳୀକୁ ଆମେ ନିଜର ପରମ୍ପରାର
କଷଟି ପଥରରେ ପରଖି ପାରିଲେ ଆମର ଅନୁଭୁତି ତଥା ଅବବୋଧ ଅଧିକ ଶାଣିତ ହେବ ଓ ଆମେ ନିଜର ପରିବେଶର
ଉପଯୋଗୀ କର୍ତ୍ତବ୍ୟ କର୍ମ କରିପାରିବା ।
ବି.ଦ୍ର. - ଏହି ଲେଖାଟି ଏକ ସାମାନ୍ୟ ଭିନ୍ନ ରୂପରେ ଦୈନିକ ସମାଜର ସମ୍ପାଦକୀୟ ପୃଷ୍ଠାରେ ଖବରକାଗଜର ୨୦ ଅକ୍ଟୋବର ୨୦୧୫ ସଂସ୍କରଣରେ ପ୍ରକାଶିତ ହୋଇଥିଲା । ଲେଖାଟିର ସର୍ବସତ୍ତ୍ୱ ଲେଖକଙ୍କଠାରେ ସଂରକ୍ଷିତ ।
No comments:
Post a Comment