Thursday, July 30, 2020

ରମଣ ମହର୍ଷି କୃତ ଉପଦେଶ ସାର

ଓଡ଼ିଆ ପଦ୍ୟାନୁବାଦ - ଶୈଲେନ ରାଉତରାୟ


ଗୋଟିଏ ମାଙ୍କଡ଼ ସହ ରମଣ ମହର୍ଷି (ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍)

ଈଶ୍ୱରଙ୍କର ଆଜ୍ଞା ବଳେ ।
କର୍ମର ଫଳ ସବୁ ମିଳେ ।।
କର୍ମ କି ଅଟଇ ପରମ ?
ଜଡ଼ ହିଁ ଅଟେ ସେହି କର୍ମ ।୧।

ସଂସାର ମହାସାଗରରେ ।
କର୍ମର ଯୋଗୁଁ ଜୀବ ପଡ଼େ ।।
କର୍ମର ଫଳ ଅଶାଶ୍ୱତ।
ପ୍ରଗତି କରଇ ବାରିତ ।୨।

ଆସକ୍ତି ରହିତ ଭାବରେ ।
ଈଶ୍ୱରେ କର୍ମ ଅରପିଲେ ।।
ଚିତ୍ତର କରଇ ଶୋଧନ ।
ମୁକତି ହୁଅଇ ସାଧନ ।୩।

ଶରୀରକୃତ ପୂଜାଠାରୁ
ବାଚିକ ଜପ ଅଟେ ଗୁରୁ ।
ତହିଁରୁ ଚିନ୍ତନ ଉତ୍ତମ
କାୟବାଙ୍ମନ ଏହି କ୍ରମ ।୪।

ହୋଇ ଈଶ୍ୱରବୁଦ୍ଧିଯୁକ୍ତ ।
ସେବିଲେ ସମସ୍ତ ଜଗତ ।।
ଅଷ୍ଟମୂରତି ପଞ୍ଚାନନ ।
ଲଭନ୍ତି ସକଳ ପୂଜନ  ।୫।
ଉଚ୍ଚସ୍ୱରରେ ସ୍ତୁତିଠାରୁ ।
ଉପାଂଶୁ ଜପ ଅଟେ ଗୁରୁ ।।
ଚିତ୍ତଜ ଜପ ତହୁଁ କ୍ରମ ।
ଜପଧ୍ୟାନ ହିଁ ସର୍ବୋତ୍ତମ ।୬।

ଘୃତର ଧାର ଅବା ନଈ
ସୁଅର ସମ ଯେବେ ହୋଇ ।
ଶ୍ରେଷ୍ଠ ହିଁ ସେହି ଯେ ଚିନ୍ତନ, 
ବିଚ୍ଛିନ୍ନ ଚିନ୍ତାଠାରୁ ଜାଣ ।୭।

ଭେଦଭାବନା ଯୁକ୍ତ ଧ୍ୟାନ
ତା'ଠାରୁ ଅଟଇ ପାବନ,
'ମୁଁ ହି ସେଏହି ଯେ ବିଚାର;
ନିଶ୍ଚିତ ସବୁଠୁଁ ଅପାର ।୮।

ଅଭେଦ ଭାବନାର ବଳେ,
ଭାବଶୂନ୍ୟତା ହେଳେ ଫଳେ
ଏଥିରୁ ଉତ୍ପତି ସୁସ୍ଥିତି 
ଅଟଇ ପରମ ସେ ଭକ୍ତି ।୯।

ହୃଦୟ କନ୍ଦର ମଧ୍ୟରେ
ମନ ସ୍ୱରୂପେ ସ୍ଥିର ହେଲେ
ଭକ୍ତି  ଜ୍ଞାନ   କର୍ମ ଯୋଗେ
ନିଶ୍ଚିତେ ଲାଭ ହୁଏ ହେଳେ ।୧୦।

 ନିଶ୍ୱାସ ପ୍ରଶ୍ୱାସ ରୋଧନ
ଫଳରେ ମନ ହୁଏ ଲୀନ ।
ଜାଲରେ ଧରା ପକ୍ଷୀ ସମ
ନିରୋଧ ହୁଅଇ ସାଧନ ।୧୧।

ମନ ଓ ପ୍ରାଣ ଏହି ଦୁଇ
କ୍ରିୟା ଶକତି ବୋଲି କହି
ଚୈତନ୍ୟ ବୋଇଲେ ସେ ଏକା
ଈଶ୍ୱରଶକ୍ତିର ସେ ଶାଖା ।୧୨।

ପ୍ରାଣ ଓ ମନର ନିରୋଧେ ।
ମନର ଲୟ, ନାଶ ସାଧେ ।।
ଲୟ ହୋଇଲେ ଫେରେ ମନ।
ନାଶରେ ମରଣ ସାଧନ ।୧୩।

ପ୍ରାଣର ନିରୋଧନ ବଳେ 
ମନଟି ଲୟ ପ୍ରାପ୍ତ କରେ ।
ଲୟିତ ମନ ନାଶ ହେଳେ ।
ଏକକ ଚିନ୍ତନର ଫଳେ ।୧୪

ମନନାଶିତ ଯୋଗୀ ପାଇଁ ।
କର୍ତ୍ତବ୍ୟ ବୋଲି କିଛି ନାହି ।।
ଉତ୍ତମ ଅଟେ ସେହି ଯତି ।
ନିଜ ରୂପରେ ତା'ର ସ୍ଥିତି ।୧୫।

ବିଷୟ ଜଗତରୁ ମନ 
ଯେବେ ସେ ହୁଅଇ ବାରଣ । 
ଚୈତନ୍ୟ ସ୍ୱରୂପ ଦର୍ଶନ 
ତାହା ହିଁ ତତ୍ତ୍ୱ ବୋଲି ଜାଣ । ୧୬

ମନଟି କି ଜାତି ପଦାର୍ଥ ।
ଏହି ବିଚାରୁ ଜ୍ଞାନ ଜାତ  ।।
ମନର ସ୍ଥିତି କିଛି ନାହିଁ ।
ସରଳ ମାର୍ଗ ଅଟେ ଏହି । ୧୭

ମନ ହିଁ ପ୍ରବାହ ଚିନ୍ତାର ।
ମୁଁ-କାର ଚିନ୍ତାର ଆଧାର ।।
ମୁଁ-କାର ମନ ବୋଲି ଜାଣ ।
କହନ୍ତି ମହର୍ଷି ରମଣ । ୧୮।  

ମୁଁ-କାର ବୋଲି ଯେଉଁ ବୃତ୍ତି
କେଉଁଠୁ ହୁଅଇ ଉତ୍ପତ୍ତି ।
ଏପରି ବିଚାର କରିଲେ
    ନାଶଇ ଅହଂକାର ହେଳେ ।୧୯।
ଅହଂକାର ବିନାଶ ଫଳେ
ଆତ୍ମା ହୃଦୟର ସ୍ଥଳରେ;
ମୁଁ ବୋଲି ପ୍ରକଟ ହୁଅଇ ,
        ପରମ ପୂର୍ଣ୍ଣ ସତ୍ୟ କହି ।୨୦।

ଏହି ପରି ଜୀବ ଈଶ୍ୱରେ 
ଲୀନ ହୋଇଯିବାର ପରେ ।
ଆତ୍ମାର ଘଟଇ ପ୍ରକାଶ
           ସତ୍ୟ ସ୍ୱରୂପ ଅବିନାଶ ।୨୧।  

ଶରୀର ଇନ୍ଦ୍ରିୟ ଓ ପ୍ରାଣ ।
ନୁହେଁ ମୁଁ ଏହି କିଛି ପୁଣ ।।
ମୁଁହିଟି ଅଟେ ଏକ ସତ୍ୟ ।
ମୋ ବିନା ସମସ୍ତ ଅନିତ୍ୟ ।୨୨।

ସତ୍ତ୍ୱର ପ୍ରକାଶକ ନାହିଁ ।
ନିଜକୁ ନିଜେ ପ୍ରକାଶଇ  ।।
ଚେତନା ସତ୍ୟ ଯେ ଅଟଇ ।
ପୁଣି ମୁଁ-କାର ବୋଲି କହି ।୨୩।

  ଜୀବ ଈଶ୍ୱର ଏହି ଦୁଇ ।
  ଶରୀର ମାତ୍ର ଭେଦ ଥାଇ ।।
  ସତ୍ତ୍ୱର ସ୍ୱରୂପ ଦୃଷ୍ଟିରେ ।
  ଜୀବ ପରମ ଏକାକାରେ ।୨୪। 

ଉପାଧି ଗୁଡ଼ିକୁ ବର୍ଜନ ।
କରିଲେ ହୁଏ ଆତ୍ମଜ୍ଞାନ ।।
ଆତ୍ମାରେ ଈଶ୍ୱର ଦେଖିଲେ ।
ଇଶଦର୍ଶନ ଜାଣ ଭଲେ ।୨୫।

ଏକ ଅଦ୍ୱୟ ଆତ୍ମା ଅଟେ।
ଦର୍ଶନ କଲେ ନିଜ ଘଟେ ।।
ତାହାହିଁ ସ୍ୱରୂପ ଦର୍ଶନ ।
ଆତ୍ମନିଷ୍ଠତା ବୋଲି ଜାଣ ।୨୬।

 ଜ୍ଞାନ ଅଜ୍ଞାନ ଅତିକ୍ରମି ।
ଚୈତନ୍ୟ ଶୁଦ୍ଧ ଜ୍ଞାନ ଜାଣି ।।
ଏହାର ପରେ ଆର ପୁଣ ।
ଜ୍ଞାତବ୍ୟ କିଛି ନାହିଁ ଜାଣ ।୨୭।  

 କିପରି ସ୍ୱରୂପ ମୋହର
କରିଲେ ଏପରି ବିଚାର ।।
ଚୈତନ୍ୟ ଅଜନ୍ମା ଅବ୍ୟୟ ।
ଆତ୍ମାର ହୁଏ ପରିଚୟ।।
ସୁଖରୂପୀ ଆନନ୍ଦପୂର୍ଣ୍ଣ । 
ଆତ୍ମାର ଏପରି ଦର୍ଶନ ।୨୮। 

ଏ ସଂସାରେ ବିରଳ ନର 
ଦୈବିକ ଗୁଣେ ବଳିଆର 
ହୋଇ ଲଭନ୍ତି ଶ୍ରେଷ୍ଠ ସୁଖ 
         ବନ୍ଧନ ମୋକ୍ଷରୁ ଅତୀତ । ୨୯।

ଅହଂକାରକୁ ଦୂର କରି ।
ମହତ ତପ ଯେ ଆଚରି ।।
ସ୍ୱପ୍ରକାଶରେ ପ୍ରକଟଇ ।
ରମଣ ମହାୠଷି କହି ।୩୦।

ହାତୀ ନିକଟରେ ଦଣ୍ଡାୟମାନ ରମଣ ମହର୍ଷି (ୱିକିମିଡିଆ କମନ୍ସ୍)

ବି.ଦ୍ର. - ଅନୁବାଦକଙ୍କ ଦ୍ୱାରା ଓଡ଼ିଆ ପଦ୍ୟାନୁବାଦର ସର୍ବସତ୍ତ୍ୱ ସଂରକ୍ଷିତ ।

2 comments:

  1. Replies
    1. ନମସ୍କାର । ଆପଣଙ୍କ ମତାମତ ପାଇଁ ଧନ୍ୟବାଦ ।

      Delete

ପୁଷ୍ପ ବର୍ଗ ୧୪ ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ ଅନୁବାଦକ - ଶୈଲେନ ରାଉତରାୟ ଶାକ୍ୟମୁନି ବୁଦ୍ଧ (ଜାପାନୀ ଚିତ୍ରକଳା)  ମେଟ୍ରୋପଲିଟାନ୍ ମ୍ୟୁଜିଅମ୍ ଅଫ୍...