Sunday, September 26, 2021

ଭବଘୂରା ଭବନାଥଙ୍କର ପିତୃବୃତ୍ତାନ୍ତ

ଶୈଲେନ ରାଉତରାୟ



ଅନେକ ସମୟରେ ହାତକୁ ଏପରି ଖଣ୍ଡିଏ ବହି ଆସେ ଯାହାକୁ ଦେଖି, ପଢ଼ି ସାରିଲା ପରେ ମଣିଷ ଖଣ୍ଡେ ସମୟ ଫକାସ ମାରିବା ପାଇଁ ବସେ । ତା’ର ଇଚ୍ଛା ହୁଏ କୋଡ଼ିଏ ତିରିଶ ଖଣ୍ଡ ବହିଟିର ପ୍ରତି କିଣି ଆଣି ନିଜ ଭାଇ, ବନ୍ଧୁ, ପ୍ରିୟଜନମାନଙ୍କ ଭିତରେ ବାଣ୍ଟିବା ନିମନ୍ତେ । 'ପୁଞ୍ଜିକୟାଁର ଫକୀର' ସେହି ଜାତୀୟ ପୁସ୍ତକଟିଏ ।

ଧରନ୍ତୁ ଭୁବନେଶ୍ୱରରେ ସଦ୍ୟ ତିଆରି ହେଉଥିବା ପିଚୁ ଓ କଙ୍କ୍ରିଟର ମରୁଭୂମି ଭିତରେ ରାସ୍ତା କଡ଼ରେ, ୫୦ ଟଙ୍କିଆ କିଲ ପିଆଜର ଯୁଗରେ ଆପଣ ଗୋଟେ ଠେଲା ଗାଡ଼ିରେ ମୁସ‌୍‌ମୁସିଆ, ଲତ୍‌ଲତିଆ, ନିରୋଳା ପିଆଜରେ ତିଆରି ସ୍ୱର୍ଗୀୟ ପିଆଜି ଗଣ୍ଡାଏ ଖାଇବାକୁ ପାଇଲେ  । କ’ଣ କରିବେ ? ଭାଇ, ବନ୍ଧୁ, କୁଟୁମ୍ବକୁ ଡ଼ାକି, କିଣି ନେଇ ସେ ପିଆଜି ଖୁଆଇବେ କି ନାହିଁ ? 

'ପୁଞ୍ଜିକୟାଁର ଫକୀର' ବହିଟି ସେହି ଜାତୀୟ ପଦାର୍ଥ  । ଖାଲି ନିଜେ ପଢ଼ିଲେ ମନ ପୁରିବ ନାହିଁ  । ଡ଼ାକି ହାକି ତାହାର ସୁଆଦ ବାଣ୍ଟିବାପାଇଁ ମନ ଡ଼ାକିବ  ।

ବହିଟି ନାଁକୁ ମାତ୍ର ‘ପୁଞ୍ଜିକୟାଁ’ର ଫକୀର, ଅର୍ଥାତ ପ୍ରସିଦ୍ଧ, ଚିତ୍ରକର ଓ କଳା ଐତିହାସିକ ଦିନନାଥ ପାଠୀଙ୍କର ସ୍ୱର୍ଗବାସୀ ପିତା ଶ୍ୟାମ ପାଠୀଙ୍କର ବିଷୟରେ ଦିନନାଥ ବାବୁଙ୍କର ସ୍ମୃତିଚାରଣ  । ଶ୍ୟାମ ପାଠୀ ଜାତିରେ ବ୍ରାହ୍ମଣ, ବୃତ୍ତିରେ ଚିତ୍ରକର, ଆଉ ଚିତ୍ତରେ ଓ ଜୀବନରେ କବି; ସେ କାଳର ଜଣେ ‘ସାଧାରଣ’ ଲୋକ, ହେଲେ ନିଜର କବିତ୍ୱର ପ୍ରାଣଶୀଳତାରେ, କଳାର ଲୋକାଭିମୁଖତାରେ ଅସାଧାରଣ  । 

ମାତ୍ର ଅସଲ ଅର୍ଥରେ 'ପୁଞ୍ଜିକୟାଁର ଫକୀର'  ହଜି ଯାଉଥିବା ଆଉ ଲିଭି ଆସୁଥିବା ଏକ ସମାଜର ରେଖାଚିତ୍ର  । ଆଜିକାଲି ଇତିହାସ ଚର୍ଚ୍ଚାରେ ମାଇକ୍ରୋ-ହିଷ୍ଟ୍ରି ଅର୍ଥାତ୍ ସ୍ଥାନୀୟ- ଇତିହାସକୁ ନେଇ ଅନେକ କୋଳାହଳ  । ବିଶେଷ କିଛି ହଇଚଇ ନକରି, ତାତ୍ତ୍ୱିକତାର ବିଶେଷ ଆଟୋପ ନଥାଇ 'ପୁଞ୍ଜିକୟାଁର ଫକୀର'  ବହିଟି ଅନେକ ଦୃଷ୍ଟିରୁ ଗଡ଼ ଦିଗପହଣ୍ଡି ଓ ତାହାର ଆଖପାଖ ଅଞ୍ଚଳର ଅତୀତ ବିଷୟରେ ଏକ ପ୍ରାଣୋଚ୍ଛଳ ଆଲେଖ୍ୟ ।

ଭାରତରେ ଇଂରେଜମାନେ ଆସିବା ପୂର୍ବରୁ ତଥା ଇଂରେଜମାନେ ଶାସନ କରୁଥିବା ସମୟରେ ବ୍ରିଟିଶ ଶାସିତ ଅଞ୍ଚଳରେ ତଥା ରାଜରାଜୁଡ଼ା ଶାସନ ଅଞ୍ଚଳରେ ଅନେକ ଶୋଷଣ ତଥା ବ୍ୟଭିଚାର ଥିଲା  । ମାତ୍ର ତା’ସହିତ ସାଧାରଣ ଲୋକମାନେ, ସମାଜଶାସ୍ତ୍ରୀ ଜେମ୍ସ୍ ସ୍କଟ୍ କହିଲା ଭଳି ‘ୱେପନ୍ସ୍ ଅଫ୍ ଦି  ୱିକ୍’ ଅର୍ଥାତ୍, ସରକାରୀ ସମ୍ପତ୍ତିର ଖୁଚୁରା ଚୋରି, ଗୁଜବ, ସରକାରୀ କର୍ମଚାରୀମାନଙ୍କୁ ହଇରାଣ କରିବା ଇତ୍ୟାଦି ଦୁର୍ବଳର ଅସ୍ତ୍ରମାନ ବ୍ୟବହାରକରି ଅନ୍ୟାୟ ଅନାଚାର ବିରୁଦ୍ଧରେ ଲଢ଼ୁ ମଧ୍ୟ ଥିଲେ  । ଏହି ବହିରେ ମଧ୍ୟ ଆମେ ଏହାର ଉଦାହରଣ ପାଉ  । 

ଭାଲୁ ଶୀକାର ଅଭିଳାଷୀ ଅତ୍ୟାଚାରୀ ‘ଟିପ୍ପଣୀ’ ସାହିବକୁ ଶ୍ୟାମ ପାଠୀଏ ଏପରି ଭାବରେ ଠକେଇ, ପାଣି ପିଏଇ ଛାଡ଼ିଲେ ଯେ ବିଚରା ସାହିବ ଓଡ଼ିଶା ଭୁଖଣ୍ଡ ଛାଡ଼ି ଛୁ ମାରିଲା  । ଶ୍ୟାମ ପାଠୀଏ ଖାଲି ସାହିବମାନଙ୍କୁ ପାଣି ପିଆଉ ଥିଲେ ତା’ ନୁହେଁ - ସେ ଖଦଡ଼ ବି ପିନ୍ଧୁଥିଲେ, ଆୟୁର୍ବେଦର ପ୍ରସାର ମଧ୍ୟ କରୁଥିଲେ  ।

କିନ୍ତୁ ଏ ଦେଶୀଆ ପଣରେ ଅନ୍ଧ ରକ୍ଷଣଶୀଳତା ନଥିଲା  । ବୃତ୍ତିରେ କଳାକାର ଥିବାରୁ ନାନା ପ୍ରକାରର ପରୀକ୍ଷା ନୀରିକ୍ଷା ସେ ଅବଲୀଳାକ୍ରମେ କରିଯାଉଥିଲେ । ଦିଗପହଣ୍ଡିର ଠାକୁରାଣୀ ଯାତ୍ରା ସମୟରେ ବର୍ଷେ ପାଠୀ ମହାଶୟ କଙ୍କାଳ ଓ କାଠ କଣ୍ଢେଇମାନଙ୍କ ସାହାଯ୍ୟରେ ଏକ ଭୂତକେଳିର ଆୟୋଜନ କଲେ  । ସେହିପରି ଆଉ ଥରେ ଯାତ୍ରା ସମୟରେ ଜିଅନ୍ତା ମଣିଷଟିଏକୁ ଯୀଶୁଙ୍କ ଆକାରରେ ସଜେଇ, ରଥାଋଢ଼ କରି ଯୀଶୁରଥ ମଧ୍ୟ ବାହାର କରେ  । 

ଦୀନନାଥ ପାଠୀ ମହାଶୟ କୁହନ୍ତି ଯେ, ଏହି ଦୁଇ ପରୀକ୍ଷାକୁ ଆମେ ଓଡ଼ିଶାରେ ଇନ୍‌ଷ୍ଟଲେଶନ କଳା ତଥା ଅଭିନୟ କଳାର ଆଦ୍ୟ ରୂପ ଭାବରେ ଦେଖିପାରିବା  । ଏହି ବର୍ଣ୍ଣନାଗୁଡ଼ିକ ଆମକୁ ଆମର ଶିଳ୍ପସଂସ୍କୃତିର ‘ପାରମ୍ପରିକତା’କୁ ନୂଆ ଆଖିରେ ଦେଖିବାକୁ  ଓ ଭାବିବାକୁ ବାଧ୍ୟ ମଧ୍ୟ କରେ । ଆମର ଶିଳ୍ପସଂସ୍କୃତି ପରମ୍ପରା ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ଆବନ୍ଧ ନୁହେଁ, ବରଂ ଏହା ଚିରପରିବର୍ତ୍ତନଶୀଳ; ଏଣୁ ଆଧୁନିକତାର ଉଦ୍‌ବେଳନ ପାଇଁ ଆମକୁ ପଶ୍ଚିମ ଦିଗକୁ ତାଟକା ହୋଇ ଚାହିଁବା ଯେ ଦରକାର ନାହିଁ, 'ପୁଞ୍ଜିକୟାଁର ଫକୀର' ପାଠୀ ମହାଶୟଙ୍କର ପରୀକ୍ଷାମାନ ସେ ବିଷୟରେ ସଚେତନ କରନ୍ତି  ।

ସବୁଠାରୁ ବଡ଼ କଥାହେଲା ଯେ, ଅତୀତରୁ ଜାଣିବା ପାଇଁ ତଥାକଥିତ ଇତିହାସ ଯେ ଏକମାତ୍ର ଉପାୟ ନୁହେଁ, ସେ ବିଷୟରେ ଏ ବହି ଆମକୁ ସଚେତନ କରାଏ  । ଶ୍ୟାମ ପାଠୀ ମହାଶୟ କବିତା ମଧ୍ୟ ଲେଖୁଥିଲେ । କବିତାର ଭାଷା ଓ ରୂପ ଲୋକାଭିମୁଖୀ ହୋଇଥିବାରୁ କବିତାଗୁଡ଼ିକ ଏବେ ମଧ୍ୟ ଲୋକମୁଖରେ ବଞ୍ଚି ରହିଛି  । ହେଲେ ଅଧିକାଂଶ ଲୋକେ କବିତାଗୁଡ଼ିକର କବି ଜଣକ ଯେ କିଏ, ତାହା ପାଶୋରି ଗଲେଣି  । କହିବାର ଉପଲକ୍ଷ୍ୟ ହେଲା ଏହିକି ଯେ, ଅତୀତକୁ ହେଜିବାର ଏହା ହିଁ ବୋଧେ ହୁଏ ଭାରତୀୟ ଉପାୟ । 

ଏଇ ବହିଟିର ସବୁଠାରୁ ବଡ଼ ଅବଦାନ ହେଲା ଏଇଆ ଯେ, ଏହା ଆମ ପାଇଁ ଅତୀତ ନାମକ ଦେଶରୁ ଅନେକ ନିଟୋଳ ପୋଷ୍ଟକାର୍ଡ଼ ପଠାଏ; କାଠ ପଟାରେ ତିଆରି ବସ୍, ଦଳିତ ଜାତିର ସ୍ତ୍ରୀଲୋକମାନଙ୍କଠାରୁ ଗାଳି ଶୁଣିବାର ରସିକତା କରୁଥିବା ଫରେଷ୍ଟ ଗାର୍ଡ଼, ଅନ୍ଧାରରେ ମହୁ ଫଣାରେ ହାତ ମାରି କ୍ଷତବିକ୍ଷତ ଭାଲୁ, ଗଞ୍ଜେଇର ରସ କାଟି ନିଗାଡ଼ୁଥିବା ପ୍ରେମକଟାରୀ ଛୁରୀ । ବହିଟିର ଅଙ୍ଗେ ଅଙ୍ଗେ ହାସ୍ୟମୟୀ ଚିତ୍ର । ପାଠକେ ! ବହିଟିକୁ ଦୟାକରି ଲୋଡ଼ନ୍ତୁ, କିଣନ୍ତୁ, ପଢ଼ନ୍ତୁ ଆଉ ପଢ଼ାନ୍ତୁ  । 

ବହି ବିଷୟରେ ସୂଚନା: ଦିନନାଥ ପାଠୀ  । ୨୦୧୫  । ପୁଞ୍ଜିକୟାଁର ଫକୀର  । ସୃଜନ: ଭୁବନେଶ୍ୱର  । ବହିଟିର ପ୍ରଥମ ସଂସ୍କରଣ ୨୦୦୪ ମସିହାରେ ଭୁବନେଶ୍ୱରସ୍ଥ ସଂସ୍ଥା ମିଡ଼ିଆ ଓଡ଼ିଶା ଛପାଇଥିଲେ । 

8 comments:

  1. Replies
    1. ମତାମତ ପାଇଁ ଧନ୍ୟବାଦ ଆଜ୍ଞା ।

      Delete
  2. Thanks for your excellent write up on a fantastic book.It's a must read for all lovers of Odia literature.

    ReplyDelete
    Replies
    1. ନମସ୍କାର ସାର୍ । ପଢ଼ିବା ପାଇଁ ଆଉ ମତାମତ ନିମନ୍ତେ ଧନ୍ୟବାଦ । ଦୀନନାଥ ବାବୁଙ୍କ ଆତ୍ମଜୀବନୀଗୁଡ଼ିକ ପାଇଁ ଓଡ଼ିଆ ସାହିତ୍ୟରେ ତାଙ୍କର ସ୍ଥାନ ସୁନିଶ୍ଚିତ ।

      Delete
  3. Punji kayan bahi padhiba pain agraha tiari karidele ta sailen bhai. Ebe bahi ra xerox heubku pdf ta pathanu. Subhechha

    ReplyDelete
    Replies
    1. ନମସ୍କାର ଭାଇ । ଆପଣଙ୍କୁ ହ୍ୱାଟ୍ସ୍‌ଆପ୍‌ରେ ବହିଟିର ପିଡିଏଫ୍ ପ୍ରତିଟିଏ ପଠାଇଚି । ତାହା ଓଡ଼ିଆ ବିଭବରେ ଥିଲା । ସେଠାରେ ଆପଣ ଦୀନନାଥ ବାବୁଙ୍କର ଅନ୍ୟ ବହି ମଧ୍ୟ ପାଇପାରିବେ ।

      Delete
  4. ବହୁତ ସୁନ୍ଦର 👏👏

    ReplyDelete
  5. ଧନ୍ୟବାଦ ଆଜ୍ଞା । ନମସ୍କାର ।

    ReplyDelete

ବାଳ ବର୍ଗ ୧୧ ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ ଅନୁବାଦକ - ଶୈଲେନ ରାଉତରାୟ ବୋର୍ବୋଦୁରର ୯ମ ଶତାବ୍ଦୀର ବୌଦ୍ଧ ମନ୍ଦିରର ମଣ୍ଡଳ ଆକାରର ଭିତ୍ତିଚିତ୍ର ଫଟୋ...