କିଶନ ପଟ୍ଟନାୟକ: ଏକ ଆଲେଖ
ଶୈଲେନ ରାଉତରାୟ
କିଶନ ପଟ୍ଟନାୟକଙ୍କର ପ୍ରବନ୍ଧ ସଙ୍କଳନର ପ୍ରଥମ ଭାଗର ମଲାଟ |
ସମାଜବାଦୀ ହେବ, ମାତ୍ର ସମାଜବାଦର ୟୁରୋପୀୟ ଢାଞ୍ଚାଗୁଡିକ ଭିତରେ ଭାରତୀୟ ଅନୁଭୁତିଗୁଡିକୁ ଜବରଦସ୍ତି ମାଡିମକଚି ନ ପଶାଇ, ସମାଜବାଦର ସୁବିଧାବାଦରେ ପରିବର୍ତ୍ତନକୁ ଉପେକ୍ଷା କରି, ନିଜର ରାଜନୈତିକ ଆଚରଣ ଓ ବିଚାର ଦ୍ୱାରା ଏକ ଦୀର୍ଘ ମିୟାଦରେ ଉପଯୋଗୀ, ଅସଲ ଅର୍ଥରେ ଭାରତୀୟ, ସମାଜବାଦୀ ବିକଳ୍ପର ସଂରଚନା ପାଇଁ ଜୀବନ ଉତ୍ସର୍ଗ କରିବ ।
କିଶନ ବାବୁଙ୍କ ପରି ଏମିତି ଯିଏ କରିବ, ତାକୁ ବେଶୀ ଲୋକେ ଚିହ୍ନିବେ ନାହିଁ, ଜାଣିବେ ନାହିଁ । ମାତ୍ର ସିଏ ହିଁ ରାଜନୀତି ବୋଇଲେ ଯେଉଁ ଆଧୁନିକ କଳାଟିକୁ ଆମେ ବୁଝୁ – ଅର୍ଥାତ୍ ଲୋକଙ୍କୁ ସାମୁହିକ ସ୍ୱାର୍ଥ ପାଇଁ ଲଢିବା ପାଇଁ ଏକାଠି କରିବା, ଲଢେଇର ମାନଚିତ୍ର ଭାବରେ ଏକ ବିଚାର-ଜଗତର ନିର୍ମାଣ କରିବା ତଥା ଭବିଷ୍ୟତକୁ ବର୍ତ୍ତମାନ ଓ ଅତୀତର କଷଟିରେ ପରଖି, ଉକୁଟେଇ, ଅଥଚ ସେଥିରୁ ମୁକ୍ତ କରି ଏକ ନୂଆ ମାନବ ସମାଜର କଳ୍ପନା କରିବା – ସେ ଏହି କଳାର ଏକ କଳାକାର ନିଶ୍ଚିତ ଭାବରେ ପାଲଟିବ ।
ଯଥାର୍ଥ
ଅର୍ଥରେ ସେ ଥିଲେ ରାଜନୀତି ନାମକ କଳାର ଏକ ପ୍ରବୀଣ କଳାକାର – ଯେଉଁ ଅର୍ଥରେ ଆମେ ଭାରତୀୟ
ରାଜନୀତିର ସନ୍ଦର୍ଭରେ ଗାନ୍ଧୀ, ଗୋପବନ୍ଧୁ, ଲୋହିଆ, ଭଗତ ସିଂହ ଓ ଗୋପାଳକୃଷ୍ନ ଗୋଖଲେଙ୍କୁ ରାଜନୀତିର ଉତ୍କୃଷ୍ଟ କଳାକାର
କହିପାରିବା ।
କିଶନ ବାବୁଙ୍କର ଜନ୍ମ ଏକ ସମ୍ଭ୍ରାନ୍ତ କରଣ ପରିବାରରେ, ୨୯ ଜୁନ୍ ୧୯୨୯ ମସିହାରେ ; ରାଜୁଡା ସମୟର କଳାହାଣ୍ଡିର ରାଜଧାନୀ, ଭବାନୀପାଟଣାରେ । । ବ୍ରଜମୋହନ ହାଇସ୍କୁଲ୍ ରୁ ପ୍ରଥମ ଶ୍ରେଣୀରେ ମେଟ୍ରିକ୍ ପାଶ୍ କରି ସେ ବଲାଙ୍ଗୀର୍ ର ରାଜେନ୍ଦ୍ର କଲେଜ୍ କୁ ଉଚ୍ଚତର ଶିକ୍ଷା ପାଇଁ ଯାଆନ୍ତି । ସେଠାରେ ବନ୍ଧୁମାନଙ୍କ ସହିତ ମିଶି ଛାତ୍ର ସମ୍ମିଳନୀ କରନ୍ତି ଓ ୧୯୪୬ ମସିହା ଅଗଷ୍ଟ ମାସରେ ସେମାନଙ୍କ ସହିତ ଜାତୀୟ ପତାକା ଉତ୍ତୋଳନ କରନ୍ତି ।
ଏହା ପରେ ବି.ଏ. ଓ ଏମ୍.ଏ. ପଢିବା ପାଇଁ ନାଗପୁର୍ ପ୍ରବାସ କରନ୍ତି । ନାଗପୁର୍ ବିଶ୍ୱବିଦ୍ୟାଳୟରେ ପ୍ରଥମେ ଇଂରାଜୀ ସାହିତ୍ୟରେ ଉଚ୍ଚଶିକ୍ଷା ଆରମ୍ଭ କରି ପରେ ରାଜନୀତି ବିଜ୍ଞାନକୁ ବିଷୟ ବଦଳାନ୍ତି । ଅଧ୍ୟାପକ ଭାବରେ କାମ କରିବାର ଇଚ୍ଛା ଥାଏ । ମାତ୍ର ଏମ୍.ଏ. ରେ କମ୍ ନମ୍ବର ରହିବାରୁ ସେ ଘରକୁ ୧୯୫୧ ମସିହାରେ ଫେରି ଆସନ୍ତି ଓ ବ୍ରଜମୋହନ ହାଇସ୍କୁଲରେ ଶିକ୍ଷକତା ଆରମ୍ଭ କରନ୍ତି ।
ଏହି ସମୟରେ ଗଡଜାତ ମିଶ୍ରଣ ଆନ୍ଦୋଳନର ସନ୍ଦର୍ଭରେ ସମାଜବାଦୀ ନେତା ଶ୍ରୀ ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କର ସଂସ୍ପର୍ଶରେ ଆସି ସେ ସୋସାଲିଷ୍ଟ୍ ପାର୍ଟିରେ ଯୋଗ ଦିଅନ୍ତି । ୧୯୫୨ ମସିହାରେ କଟକ ଆସି ସୋସାଲିଷ୍ଟ୍ ପାର୍ଟିର ଓଡିଆ ପତ୍ରିକା ‘କୃଷକ’ର ସମ୍ପାଦନା କରନ୍ତି । ଏହି ସମୟରେ ହିଁ ସୋସାଲିଷ୍ଟ୍ ପାର୍ଟିରେ ବିଭାଜନ ଘଟେ । କିଶନ ବାବୁ ଲୋହିଆଙ୍କ ସହିତ ରହନ୍ତି ଓ ୧୯୫୭ ଠାରୁ ହାଇଦ୍ରାବାଦ୍ ରେ ସ୍ଥିତ ଲୋହିଆଙ୍କର ନେତୃତ୍ତ୍ୱରେ ଚାଲୁଥିବା ସମାଜବାଦୀ ଦଳର ମୂଖ୍ୟ କାର୍ଯ୍ୟାଳୟରେ ଅବସ୍ଥାନ କରି ଦଳର ଇଂରାଜୀ ପତ୍ରିକା ‘ମ୍ୟାନ୍ କାଇଣ୍ଡ୍’ ତଥା ହିନ୍ଦୀ ପତ୍ରିକା ‘ଜନ୍’ ର ସମ୍ପାଦନା କରନ୍ତି । ମାତ୍ର ଧୀରେ ଧୀରେ ପତ୍ରିକା ଚଳାଇବା ପାଇଁ ପଇସାର ଅଭାବ ହେବାରୁ କିଶନ ବାବୁ ୧୯୬୦ ରେ ଓଡିଶାକୁ ଫେରି ଆସନ୍ତି । ବରଗଡକୁ ନିଜର ରାଜନୈତିକ କର୍ମର କେନ୍ଦ୍ର କରି ରାଜ୍ୟରେ ଦଳକୁ ନୁଆ ରୂପ ଦିଅନ୍ତି ଓ ଓଡିଆ ପତ୍ରିକା 'ସାଥି' ପ୍ରକାଶ କରନ୍ତି ।
ଏହି ସମୟରେ ସେ ଦଳର ସାଙ୍ଗଠନିକ କାମରେ ମନୋନିବେଶ କରନ୍ତି ଓ ଚାଷୀମାନଙ୍କର ସମସ୍ୟାକୁ ନେଇ ଆନ୍ଦୋଳନାତ୍ମକ ରାଜନୀତିର ପନ୍ଥା ବାଛି ନିଅନ୍ତି । ଆନ୍ଦୋଳନର ଫଳଶୃତି ଭାବରେ ଜେଲ୍ ଯାଆନ୍ତି, ଜେଲରେ ରହି ୧୯୬୨ ମସିହାର ଲୋକସଭା ନିର୍ବାଚନ ଲଢନ୍ତି ଓ ବିପୁଳ ପରିଣାମରେ ଭୋଟ ପାଇ ଜୟଯୁକ୍ତ ହୁଅନ୍ତି । ଲୋକସଭାର ସଦସ୍ୟ ଭାବରେ ନେହେରୁ ସରକାରର ତଥ୍ୟନିଷ୍ଠ ସମାଲୋଚନା ଓ ଲୋକାଭିମୁଖୀ ଭାଷଣ ଓ ବିତର୍କ ଅନେକଙ୍କର ଏହି ସମୟରେ ଦୃଷ୍ଟି ଆକର୍ଷଣ କରେ ।
୧୯୬୭ ରେ ଲୋକସଭା ନିର୍ବାଚନ ଲଢି ଅଳ୍ପ ଭୋଟରେ ପରାଜିତ ହୁଅନ୍ତି । ଏହା ପରେ ପରେ ୧୯୬୯ ମସିହାରେ ଶ୍ରୀମତୀ ବାଣୀମଞ୍ଜରୀ ଦାସଙ୍କୁ ବିବାହ କରନ୍ତି । ୧୯୬୭ ମସିହାରେ ଲୋହିଆ ଚାଲିଗଲା ପରେ ୧୯୬୯ ରେ ‘ଲୋହିଆ ବିଚାର ମଞ୍ଚ’ ଗଠନରେ ତାଙ୍କର ଗୁରୁତ୍ତ୍ୱପୂର୍ଣ ଭୂମିକା ରୁହେ । ଯେତେବେଳେ ବିହାରରେ ୧୯୭୪ ମସିହାରେ ଜେ.ପି. ଙ୍କର ନେତୃତ୍ତ୍ୱରେ ଛାତ୍ର ଆନ୍ଦୋଳନ ମୁଣ୍ଡ ଟେକେ ଓ ପରେ ଦେଶବ୍ୟାପୀ ରୂପ ନିଏ, କିଶନ ବାବୁ ପ୍ରଥମରୁ ହିଁ ଏଥିରେ ଯୋଗ ଦିଅନ୍ତି । ଏହି ସମୟରେ ସେ ପ୍ରାୟତଃ ପାଟନାରେ ହିଁ ଅବସ୍ଥାନ କରନ୍ତି ଓ କଲିକତାରୁ ପ୍ରକାଶିତ ‘ଚୌରଙ୍ଗୀ ବାର୍ତ୍ତା’ ପତ୍ରିକାର ପ୍ରକାଶନରେ ମଧ୍ୟ ଜଡିତ ରୁହନ୍ତି ।
ଏମର୍ଜେନ୍ସୀ ସମୟରେ ସେ ଅଣ୍ଡରଗ୍ରାଉଣ୍ଡ୍ ରୁହନ୍ତି ଓ ନିଜର ରାଜନୈତିକ କାମ କରିଚାଲନ୍ତି । ୧୯୭୬ ରେ ଦିଲ୍ଲୀରେ ଗିରଫ ହୋଇ ଜେଲ୍ ଯାଆନ୍ତି । ଏମର୍ଜେନ୍ସୀ ପରେ ଗଠିତ ଜନତା ପାର୍ଟିକୁ ଏକ ସୁବିଧାବାଦୀ ଦଳ ଭାବରେ ଦେଖି ସେ ସେଥିରେ ଯୋଗ ଦିଅନ୍ତି ନାହିଁ ଓ ଲୋହିଆ ବିଚାର ମଞ୍ଚକୁ ଚଳାଇ ରଖି ଭାରତରେ ସମାଜବାଦୀ ଆନ୍ଦାଳନକୁ ଗତିଶୀଳ କରନ୍ତି ।
ବିକଳ୍ପ ସନ୍ଧାନର ଫଳ ସ୍ୱରୂପ କିଶନ ବାବୁ ଓ ଅନେକ ପୁରୁଣା ସମାଜବାଦୀମାନେ ମିଶି ‘ସମତା ସଙ୍ଗଠନ’ ଗଠନ କରନ୍ତି । ଏହି ସମୟ ପର୍ଯ୍ୟନ୍ତ ସେ ପାଟଣାରେ ରହୁଥାଆନ୍ତି । ସଙ୍ଗଠନ ଦ୍ୱାରା ଏହି ସମୟରେ କୋଇଲା ଶ୍ରମିକମାନଙ୍କ ମଧ୍ୟରେ ମଦମୁକ୍ତି ଓ ୠଣମୁକ୍ତି ତଥା ଶିକ୍ଷା ସମସ୍ୟାକୁ ନେଇ ଆନ୍ଦୋଳନର ସୁତ୍ରପାତ ହୁଏ ।
ଅଶୀ ଦଶକରେ କିଶନ ବାବୁ ବରଗଡ ଫେରି ଆସନ୍ତି ଓ ବାଲକୋ ବିରୋଧୀ ଆନ୍ଦୋଳନରେ ଯୋଗଦିଅନ୍ତି । ୧୯୮୫ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ଦାୟର୍ କରି ସେ ଦେଶର ଦୃଷ୍ଟି କଳାହାଣ୍ଡିର କ୍ଷୁଧା ଓ ଦାରିଦ୍ର୍ୟ ପ୍ରତି ଆକର୍ଷିତ କରନ୍ତି । ସମତା ସଙ୍ଗଠନର ସୀମିତତାକୁ ଲକ୍ଷ କରି ଅନେକ ଜନବାଦୀ ସଙ୍ଗଠନକୁ ଏକାଠି କରି ଜନ ଆନ୍ଦୋଳନ ସମନ୍ୱୟ ସମିତିର ଗଠନ ହୁଏ । ଏଥିରେ କିଶନ ବାବୁଙ୍କର ଅବଦାନ ଗୁରୁତ୍ତ୍ୱପୂର୍ଣ ।
ଅଶି ଓ ନବେ ଦଶକରେ ଦେଶ ସାରା ଘଟିଥିବା ନାନାଦି ଗଣ ଆନ୍ଦୋଳନରେ ସେ ଭାଗ ନିଅନ୍ତି । ୧୯୯୫ ରେ ସେ ପର୍ଯ୍ୟନ୍ତ ଚାଲିଥିବା ଜନବାଦୀ ରାଜନୈତିକ କାର୍ଯ୍ୟକ୍ରମକୁ ଏକ ସଙ୍ଗଠିତ ଦଳର ରୂପ ପ୍ରଦାନ କରିବା ପାଇଁ ‘ସମାଜବାଦୀ ଜନ ପରିଷଦ’ ର ଗଠନ ହୁଏ । କିଶନ ବାବୁ ଓ ତାଙ୍କର ସାଥୀମାନଙ୍କ ଯୋଗୁଁ ବରଗଡ ଏହି ଜାତୀୟ ଦଳର ଏକ କେନ୍ଦ୍ର ପାଲଟେ ।
୧୯୯୩ ମସିହାରେ ବରଗଡରୁ ବିଚାରଧର୍ମୀ ପତ୍ରିକା ‘ବିକଳ୍ପ ବିଚାର’ର ମଧ୍ୟ ପ୍ରକାଶନ ଆରମ୍ଭ ହୁଏ । ବରଗଡରେ ସଙ୍ଗଠନ ଓ ବିଚାର ନିର୍ମାଣକୁ କେନ୍ଦ୍ର କରି ସେ ନିଜ ଜୀବନର ଶେଷ ଦଶକ ଅତିବାହିତ କରନ୍ତି ଓ ୨୭ ସେପ୍ଟେମ୍ବର, ୨୦୦୪ ମସିହାରେ ଶ୍ୱାସ ରୋଗରେ ମୃତ୍ତ୍ୱୁବରଣ କରନ୍ତି ।
ଭାରତରେ ସମାଜବାଦୀ ବିଚାରର ବିବର୍ତ୍ତନରେ ଲୋହିଆଙ୍କ ପରେ ବୋଧେହୁଏ କିଶନଜୀଙ୍କର ଅବଦାନ ସବୁଠାରୁ ଅଧିକ । ଲୋକାଭିମୁଖୀ ରାଜନୈତିକ ଆନ୍ଦୋଳନର ନେତୃତ୍ତ୍ୱ ନେବା ତଥା ଚିନ୍ତନ ଓ ପ୍ରକାଶନ ଛଡା, ରାଜନୈତିକ କର୍ମୀ ନିର୍ମାଣ ଓ ପ୍ରଶିକ୍ଷଣରେ ସେ ଅନେକ ସମୟ ଓ ଶକ୍ତି ଅତିବାହିତ କରୁଥିଲେ । କିଶନ ବାବୁ ଚାଲିଯିବାର ୧୭ ବର୍ଷ ହେଲାଣି । ହେଲେ ଏବେ ବି ତାଙ୍କୁ ଲୋକେ ଝୁରୁଛନ୍ତି । ସେ ଛାଡିଯାଇଥିବା ବିଚାର ଓ ସଙ୍ଗଠନର ମଞ୍ଜିକୁ ଧରି ଭାରତରେ ସମାଜବାଦର ପ୍ରତିଷ୍ଠା ଦିଗରେ ବ୍ରତି ହେଲେ ଏହା ତାଙ୍କର ସ୍ମୃତି ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି ହେବ ।
ବି.ଦ୍ର. - ଏହି ଲେଖାର ଏକ କ୍ଷୁଦ୍ରତର ରୂପ 'ସମାଜ' ଖବର କାଗଜର ୨୭.୦୯.୨୦୧୫ ତାରିଖର ସଂସ୍କରଣର
ସମ୍ପାଦକୀୟ ପୃଷ୍ଠାରେ ପ୍ରକାଶ ପାଇଥିଲା ।
Thank you so much.
ReplyDeleteଆପଣଙ୍କୁ ବି ଧନ୍ୟବାଦ ।
DeleteAn excellent write up. Thanks.
ReplyDeleteପ୍ରଣାମ ସାର୍ । ଧନ୍ୟବାଦ ।
DeleteThe detailed write up is a reflection of what power packed volumes you have made.. superb..
ReplyDeleteକିଶନ ବାବୁଙ୍କର ପ୍ରବନ୍ଧ ସଙ୍କଳନ ଦୁଇଟିର ସମ୍ପାଦନା କାମ ମୋ ପାଇଁ ବଡ଼ ଶିକ୍ଷାଦାୟୀ ଥିଲା । ଆପଣଙ୍କ ମତାମତ ପାଇଁ ଧନ୍ୟବାଦ । ପ୍ରଣାମ ।
Delete