Tuesday, February 8, 2022

ବିଦ୍ୟାଧର ମିଶ୍ରଙ୍କ ନିମ୍ନ ପ୍ରାଥମିକ ଶିକ୍ଷା

ଶୈଲେନ ରାଉତରାୟ

ହାଜେଲ ଗଛର ଅଣ୍ଡିରା ପୁଷ୍ପ ଗୁଚ୍ଛ (ୱିକିମିଡିଆ କମନ୍ସ୍)

ଅର୍ଥନୀତିଜ୍ଞ ବିଦ୍ୟାଧର ମିଶ୍ରଙ୍କର ଜନ୍ମ ବୋଧ ହୁଏ ୧୯୨୦ ମସିହାରେ ଉପକୁଳବର୍ତ୍ତୀ ଓଡ଼ିଶାର ମାଛଗାଁ କେନାଲ କୂଳର ଏକ ଅନତିବୃହତ ଗାଁରେ । ବାପାଙ୍କ ନାଁ ଅଲେଖ ମିଶ୍ର । ତାଙ୍କ ଗାଁଟି ଜଗତସିଂପୁର ଟାଉନରୁ ମାତ୍ର ଚାରି ମାଇଲି ବାଟ । ଗାଁଟିର ହିଆ ଚିରି ଯାଇଥିଲା କଟକ-ମାଛଗାଁ ରାସ୍ତା । ପଲ୍ଲୀଟିର ଚାଷ ଜମିଗୁଡ଼ିକରେ ମାଛଗାଁ କେନାଲର ଶାଖାଗୁଡ଼ିକ ଦ୍ୱାରା ପାଣି ମାଡ଼ୁଥିଲା । ବିଦ୍ୟାଧର ବାବୁଙ୍କ ଗାଁରେ ହାଟଟିଏ ତ ଥିଲା । ଏହା ସହ ଅନତିଦୂର ଜଗତସିଂପୁରରେ ଥାନା, ଡାକଘର, ବସ୍‌ଷ୍ଟାଣ୍ଡ, ଡାକ୍ତରଖାନା ପ୍ରଭୃତି ସୁବିଧାମାନ ବି ଥିଲା ।

ତଳମାଳର ସେଇ ଗାଁଟିରୁ ବାହାରି ବୈଦ୍ୟନାଥ ବାବୁ ୧୯୪୦ ମସିହାରେ ରେଭେନ୍ସା କଲେଜରୁ ଅର୍ଥନୀତି ଅନର୍ସ ରଖି ସ୍ନାତକ ଡିଗ୍ରୀ, ସେହି ବିଷୟରେ ୧୯୪୨ରେ ପାଟନା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ (ପ୍ରଥମ ଶ୍ରେଣୀରେ ପ୍ରଥମ) ଓ ୧୯୫୫ରେ ଲଣ୍ଡନ ସ୍କୁଲ ଅଫ୍ ଇକନମିକ୍ସରୁ କୃଷି ଅର୍ଥନୀତିରେ ପିଏଚ୍‌ଡ଼ି ଉପାଧି ଲାଭ କଲେ । ଉତ୍କଳ ବିଶ୍ୱବିଦ୍ୟାଳୟରେ ସେ ଅର୍ଥନୀତି ବିଷୟରେ ମୂଖ୍ୟ ଅଧ୍ୟାପକ ଭାବରେ ସତର ବରଷ କାମ କରି ତା’ ପରେ ତିନି ବର୍ଷ ପାଇଁ କୁଳପତି ମଧ୍ୟ ହେଲେ । ଇଂରାଜୀ ଭାଷାରେ ଏକାଡେମିକ ଲେଖାଲେଖି ଛଡ଼ା, ସେ ଓଡ଼ିଆ ଭାଷାରେ କଲମ ଚାଳନା କରିଯାଇଛନ୍ତି । ତାଙ୍କର ଆତ୍ମଜୀବନୀମୂଳକ ବହି ‘ବିଂଶ ଶତାବ୍ଦୀର ଓଡ଼ିଶା: ମୋ ଅନୁଭୂତି’ ବହିଟି ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ବି ପାଇଛନ୍ତି; ବଞ୍ଚିଚନ୍ତି ଏକ ଦ୍ୱିଭାଷୀ ବୁଦ୍ଧିଜୀବୀର ଜୀବନ ।

ହେଲେ ନିଜର ଆତ୍ମଜୀବନୀ ‘ଜୀବନ ଗଙ୍ଗୋତ୍ରୀ - ଗାଁ ମାଟି’ରେ ସେ ଉଲ୍ଲେଖ କରନ୍ତି, କେବେ ଯେ ତାଙ୍କର ପାଠ ପଢ଼ିବା ଆରମ୍ଭ ହେଲା, ତାହା ତାଙ୍କର ଆଉ ସ୍ମରଣ ନାହିଁ । ଏକ ବ୍ରାହ୍ମଣ ଶାସନରେ ଜନ୍ମ ହୋଇଥିଲେ ମଧ୍ୟ ପରମ୍ପରାଗତ ଭାବରେ ତାଙ୍କର କେବେ ଖଡ଼ିଛୁଆଁ ବା ବିଦ୍ୟାରମ୍ଭ ହୋଇ ନ ଥିଲା କିମ୍ବା ସେଥି ପାଇଁ କୌଣସି ଅନୁଷ୍ଠାନ ପାଳନ କରାଯାଇ ନ ଥିଲା । ଏପରିକି ଗାଁରେ ଥିବା ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ଘରୁ କେହି ଯାଇଁ ତାଙ୍କର ନାଁ ବିଧିବଦ୍ଧ ଭାବରେ ଲେଖେଇ ନ ଥିଲେ ।

ଏହି ଇସ୍କୁଲୁଟିର ହେଡ଼ପଣ୍ଡିତ ନରହରି ମିଶ୍ର ବିଦ୍ୟାଧର ବାବୁଙ୍କର ପଡ଼ାର ଲୋକ ଥିଲେ । କିଛି ଦିନ ନିଜର ଭଉଣୀମାନଙ୍କ ସହ ଯାଇଁ ସ୍କୁଲଟିରେ ବସିବା ପରେ ସେ ନିଜକୁନିଜେ ସାହିଭାଇଟିର ନାଁ ଲେଖାଇ ଦେଇଥିଲେ ବୋଧ ହୁଏ । ନରହରି ବାବୁଙ୍କର ଜମିବାଡ଼ି ବେଶୀ ନ ଥିଲା । ଏଣେ ତାଙ୍କର ପରିବାରଟି ବହୁ କୁଟୁମ୍ବୀ । ଆଉ ସେ ଏକମାତ୍ର ପୁଅ । ତାଙ୍କ ବାପାଙ୍କୁ ସେବେ ବୟସ ଅନେକ । ଇସ୍କୁଲରୁ ମିଳୁଥିବା ଦରମାରେ ଚଳିବା କଷ୍ଟ । ମାଷ୍ଟ୍ରାମୀ ସହ ଚାଷବାସ ମଧ୍ୟ ହାତରେ କରିବାକୁ ହୁଏ । ଏଣୁ ସ୍କୁଲକୁ ହେଡ଼ପଣ୍ଡିତେ ପ୍ରାୟତଃ ଡେରିରେ ଆସନ୍ତି । ସ୍କୁଲରେ ଦ୍ୱିତୀୟ ମାଷ୍ଟ୍ର ଜଣଙ୍କ ହିଁ ବେଶୀ ଭାଗ କାମ ଦେଖନ୍ତି । ହେଲେ ପିଲାଏ ତାଙ୍କୁ ପ୍ରାୟତଃ ମାନନ୍ତି ନାହିଁ ।

ସେତେବଳେ ଟିଉସନ ଆଦିର ପ୍ରଚଳନ ନ ଥିଲା । ପିଲାମାନେ ଦୁଇ ଓଳି ଇସ୍କୁଲ ଯାହା ଯାଉଥିଲେ । ଖରାବେଳେ ଘରେ ହସ୍ତାକ୍ଷର ଲେଖୁଥିଲେ । ସ୍କୁଲ ପରେ ସନ୍ଧ୍ୟାବେଳେ ପଢ଼ିବା ପ୍ରଚଳନ ନ ଥିଲା । ପିଲାମାନେ ଏହି ସ୍କୁଲଟିରେ ପ୍ରଥମେ ଅକ୍ଷର ଲେଖିବା ଆଉ ବହିରୁ ଅକ୍ଷର ପଢ଼ିବା ଶିଖୁଥିଲେ । ତାହା ପରେ ବନାନ ଓ ପଣିକିଆ ପ୍ରଭୃତି ଘୋଷନ୍ତି । ଏହା ସହିତ ମିଶାଣ, ଫେଡ଼ାଣ, ଗୁଣନ, ହରଣ, ଅଙ୍କ କଷା ଓ ବହି ପଢ଼ିବା ଆଦି ମଧ୍ୟ ଚାଲେ । ସବୁ ଶ୍ରେଣୀର ପିଲାଏ ଗୋଟିଏ ବଖରାରେ ହିଁ ବସନ୍ତି, ହେଲେ ନିଜ କିଲାସ ପାଇଁ ନିର୍ଦ୍ଧାରିତ ସ୍ଥାନରେ, ସ୍ୱସ୍ୱ ତାଳପତ୍ର ଛପଡ଼ାରେ ନିଜର ସିଲଟ ଓ ପାଠ୍ୟପୁସ୍ତକ ଧରି । ସକାଳ ଓଳି ପ୍ରାୟତଃ ବଡ଼ ପାଟିରେ ପଣିକିଆ ଆବୃତ୍ତି ଓ ଲେଖା ତଥା ଅଙ୍କ କଷା ହେଉ ଥିଲା । ଉପର ଓଳି ପାଠ୍ୟପୁସ୍ତକର ବିଷୟଟିମାନ ପିଲାଏ ବଡ଼ ପାଟି କରି ପଢ଼ୁଥିଲେ ।

ନରହରି ସାରେ ଥିଲେ ବଡ଼ ବଦରାଗୀ । ସବୁବେଳେ ବିରକତ । ପିଲାମାନଙ୍କୁ ପାଠ ନ ଆସିଲେ କି କେହି କିଛି ନିରୀହ ବାଲ୍ୟସୁଲଭ ଦୁଷ୍ଟାମି କଲେ ବେତ ମାଡ଼, କାନ ମୋଡ଼ା କିମ୍ବା କାନ୍ଥରେ ଚଉକି ବସିବା ଭଳି ଦଣ୍ଡ ମିଳୁଥିଲା । ଏଥି ଯୋଗୁଁ ଅନେକ ପିଲାଏ ସ୍କୁଲ ଆସିବାକୁ ରାଜି ହେଉ ନ ଥିଲେ । ଗାର୍ଜନମାନେ ସେଥି ଲାଗି ତାଗିଦ କଲେ ପିଲାମାନେ ଲୁଚୁଥିଲେ କିମ୍ବା ରୋଗବଇରାଗ ହେବାର ଛଳନା କରୁଥିଲେ । ଏଇ ଇସ୍କୁଲଟିରେ ବିଦ୍ୟାଧର ତିନି ବର୍ଷ ପଢ଼ି ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ଚଢ଼ିଗଲେ । ହେଲେ ପାଠପଢ଼ାରେ ବିଶେଷ କିଛି ପ୍ରଗତି ନ ଦିଶିବାରୁ ସେବେ ରେଭେନ୍ସାରେ ପଢ଼ୁଥିବା ତାଙ୍କର ବଡ଼ ଭାଇ ଘର ପାଖ ଆଉ ଗୋଟିଏ ସ୍କୁଲରେ ତାଙ୍କର ନାମ ଲେଖାଇ ଦେଲେ ।

ବି.ଦ୍ର. – ଏହି ଆଲେଖଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଥିଲା । ଲେଖାଟିର ଉପାଦାନ ଅର୍ଥନୈତିଜ୍ଞ ବିଦ୍ୟାଧର ମିଶ୍ରଙ୍କର ଆତ୍ମଜୀବନୀ ‘ଜୀବନ ଗଙ୍ଗୋତ୍ରୀ – ଗାଁ ମାଟି’ରୁ ଆନୀତ । ବହିଟିର ପ୍ରଥମ ପ୍ରକାଶ ମଇ ୨୦୦୧ ମସିହାରେ; ପ୍ରକାଶକ ହେଲେ କଟକସ୍ଥ ବିଦ୍ୟାପୁରୀ ।

4 comments:

  1. ଭଗବାନ ଆଶୀର୍ବାଦ ଥାଉ, ଆଗକୁ ଯିବା ପାଇଁ।

    ReplyDelete
    Replies
    1. ଆପଣଙ୍କର ଶୁଭେଚ୍ଛା ପାଇଁ ମୁଁ କୃତଜ୍ଞ ।

      Delete
  2. Too good a piece, Sailen.. Kudos brother..

    ReplyDelete

ପୁଷ୍ପ ବର୍ଗ ୧୨ ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ ଅନୁବାଦକ - ଶୈଲେନ ରାଉତରାୟ ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ ଓଡ଼ିଆ ପଦ୍ୟାନୁବାଦ ଚନ୍ଦନ, ଟଗର, ...