Sunday, October 1, 2023

ରସୁଲଗଡ଼ ଛକ

ଶୈଲେନ ରାଉତରାୟ


କୋଚିଲେଇ ବଜାର, ରସୁଲଗଡ଼
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ସୌମେନ୍ଦ୍ର କୁମାର ସାହୁ

ସେତେବେଳେ ଆମର ଏକାଦଶ ଶ୍ରେଣୀ । ମୁନୁର ଆଉ ମୋର ବସିଚୁ ତୃପ୍ତି ଢାବାରେ - ରସୁଲଗଡ଼ ଛକରୁ ଯେଉଁ ରାସ୍ତା ଗଡ଼ିଚି ଚକେଇସିଆଣି ଆଡ଼କୁ, ଠିକ୍ ପଶିଗଲା ବେଳକୁ ରାସ୍ତା କଡ଼ରେ ବାଁ ପଟେ ।

ରାତି ଡେରି ନୁହେଁ । କିନ୍ତୁ ଆଜି ବୋଧେ ବାର ଠିକ୍ ନୁହଁ । ଶନିବାର ? ନାଁ । ମଙ୍ଗଳବାର ଆଜି । ସେଥିପାଇଁ ବୋଧହୁଏ ଭିଡ଼ ବେଶି ନାହିଁ । ମୁନୁ ବସିଚି ରାସ୍ତାକୁ ପଛ କରି, ମୁଁ ରାସ୍ତା ଆଡ଼କୁ ମୁହଁ କରି । ଯଦିଓ ଯେହେତୁ ମୋ’ ଆଗରେ ଖୋଲା କିଚେନ୍‌ଟା ଅଛି, ଆଉ ମୁଁ ଡାହାଣ ଆଡ଼କୁ ବସିଚି, ମୁନୁ ପଛକୁ ଅନେଇଲେ ମୋତେ ଦିଶ‌ୁଚି ଢାବାର କାଉଣ୍ଟରରେ ବସୁଥ‌ିବା ଦାଢ଼ିଆ ଲୋକଟାର ୠକ୍ଷ ମୁହଁ ।

ଏଣୁ ମୁଁ ମୁନୁକୁ ଅନେଇବାକୁ ଚାହୁଁ ନଥିଲେ ବି ମୋ’ର ନଜର ତା’ ଉପରେ । ଦେଖିବାକୁ ମୁନୁ ମନ୍ଦ ନୁହେଁ । ହ୍ୟାଣ୍ଡସମ ବୋଲି ହିଁ ତା’କୁ ପ୍ରାୟ ସମସ୍ତେ କୁହନ୍ତି । ଯଦିଓ ତା’ ବଡ଼ ଭାଇ, ତା’ଠ‌ୁଁ ସାତ ବର୍ଷ ବଡ଼, ଘରର ଷ୍ଟାର ଭାବରେ ଗଣା । ଦିନୁ ଭାଇ ଚାହିଁଥିଲେ ଆରାମରେ ଫିଲ୍ମ ଲାଇନରେ ପଶି ପାରିଥାଆନ୍ତେ । ହେଲେ ଏବେ ଏଲଆଇସିରେ କ୍ଲର୍କ । କିନ୍ତୁ ମୋତେ ମୁନୁ ବେଶି ସୁନ୍ଦର ଲାଗେ । ବେଳେବେଳେ ଇଚ୍ଛା ହୁଏ କି ତା’କୁ ଘୋରି ବାଟି ପିଇଯାଆନ୍ତି ।

ଅନ୍ୟ ସବୁ ଦିନ ପରି ଆମେ ଆଜି ଦୁଇଦୁଇଟି ନାନ୍ ଆଉ ଗୋଟିଏ ଲେଖାଏଁ ଅଣ୍ଡା ତଡ଼କା ଅର୍ଡ଼ର କରିଚୁ । ସେ ଖାଇ ସାରିଲାଣି । ମୋର ଦ୍ୱିତୀୟ ନାନ୍‌ର ଅଧା ବାକି ଅଛି । ମୁନୁର ଭଲିବଲ କୋର୍ଟ୍‌ର ବାହାରେ ଅପେକ୍ଷା କରି କରି ମୋଟ ପ୍ରେମ ବୋଧେ କୁଆଖାଇକୁ ଗାଧେଇ ଯାଇଚି ।

“କିରେ ଖାଉନୁ କାହିଁକି?”

“ମୁଁ ଧିରେ ଧିରେ ଖାଏ ବୋଲି ଜାଣିନୁ କି?”

“ହଁ ଜାଣେ । ହେଲେ ଜଲଦି ସାରେ । ନହେଲେ ବୋଉ ସିଆଡ଼େ କଟକଟ ହେବ ।“

“ମାଉସୀଙ୍କ କଥା ମୁଁ ବୁଝିବି । ତୁ ଯେତେବେଳେ ମୋତେ ଶିଘ୍ର ଡାକିଦେଇ ଭଲିବଲ ଖେଳୁଥିଲୁ, ମୁଁ ସେବେ ଏମିତି ଗେରେଗେରେ ହଉଥିଲି ?”

ମୁନୁ ଘଣ୍ଟାକୁ ଦେଖି କହୁଚି, “ଯା’ ସାଢ଼େ ଆଠଟା ବାଜିଗଲା ।“

“ଓଃ । ସେକଥା କହୁନୁ, ସୁନୀତି କଲ କରିବ ବୋଲି ।“

 

ମୁନୁ କିଛି ନକହି, ତା’ ପ୍ଲେଟରେ ସେ ନଖାଇ ଛାଡ଼ିଦେଇଥିବା ନାନ୍ ଖଣ୍ଡକୁ ପାଟିକୁ ନେଉ ଚାକୁଳଉଚି । ଏମିତି ସମୟରେ ସେ ଗୋଟେ ବଳଦ ପରି ଦେଖାଯାଏ । ମୁଁ ଗାଉଁଗାଉଁ କରି ଖାଇସାରିଲା ପର୍ଯ୍ୟନ୍ତ ଆମ ଭିତରେ ଆଉ କିଛି କଥାବାର୍ତ୍ତା ନାହିଁ ।

ମୁଁ ହାତ ମୁହଁ ଧୋଇ ଫେରିଲା ବେଳକୁ ସେ ଯାଇଁ ଠିଆ ହେଇଚି ତା’ ସ୍ପ୍ଲେଣ୍ଡର ପାଖରେ ।

ମୁଁ ତା’ ପାଖରେ ପହଞ୍ଚିଲାରୁ ସେ କହୁଚି, “ହାତ ଦେଖା ।“

ମୁଁ ଚାରିପଟକୁ ଅନଉଚି । ଆକାଶରେ ମେଘ ଭର୍ତ୍ତି । ଭଲ ପବନ ଦଉଚି । ଢାବା ଆଗ ଷ୍ଟ୍ରିଟଲାଇଟଟା ଯାହା କୃପଣ ଭଳି କିଛି ଆଲୁଅ ବିଞ୍ଚିଦଉଚି ।

“ଓଲାଟା ପରି ଅନେଇଚୁ କଅଣ? ହାତ ଦେଖା ।“

ମୁଁ ବାଆଁ ହାତ ବଢ଼େଇଲା ବେଳକୁ ସେ କହୁଚି, “ଆରେ ଲେଫ୍ଟ ନୁହଁ, ରାଇଟ ।“

ସେ ହଠାତ କିନା ତା’ ପକେଟରୁ ଗୋଟାଏ ପାଉଚ ବାହାର କରି ସେଥ‌ିରୁ ଗୋଟେ ଡାଇମଣ୍ଡ କଟ୍‌ର ରୂପା ବ୍ରେସଲେଟ ଖୋଲି ମୋତେ ପିନ୍ଧେଇ ଦେଇ କହୁଚି, “ହାପି ବାର୍ଥଡ଼େ ।“

ମୁଁ ତା’କୁ ଅନେଇଚି ଗାଡ଼ିର ଦର୍ପଣ ଭିତର ଦେଇ । ତା’ ଆଖି ଚିକ୍‌ଚିକ୍ କରୁଚି । ଡାହାଣିଆ ଖରାରେ ମାଛକାତି ଯେମିତି ଚିକ୍‌ଚିକ୍‌ କରେ, ଠିକ୍ ସେମିତି ।

2 comments:

  1. Replies
    1. ଆପଣଙ୍କୁ ସୁନ୍ଦର ଲାଗିଲା ଜାଣି ମୁଁ ଧନ୍ୟ ।

      Delete

ବିଶ୍ୱ ଦରବାରରେ ଗୁଡ଼ାଖୁ ଶୈଲେନ ରାଉତରାୟ ଗୁଡ଼ାଖୁର ବିକ୍ରିବଟା ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍/ଶୈଳେଶ ପଟ୍ଟନାୟକ ପରବର୍ତ୍ତି ସମୟର ପ୍ରସିଦ୍ଧ ଅମଲା ଓ ଲେଖକ ...