Sunday, October 15, 2023

ରୋଷେଇଘର

ଶୈଲେନ ରାଉତରାୟ

ପୁରୁଣା ବିଧାନସଭା କୋଠା, ୟୁନିଟ ୧, ଭୁବନେଶ୍ୱର
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ଶୁଭ୍ରା ସିଂ 

ମୁଁ ରୁଟି ବେଲୁଚି । ତୁମେ ସେକୁଚ ।

ତୁମେ କହୁଚ, ଭଲ ବେଲୁଚ ତ

ଥଟ୍ଟା କରୁଚ?

ଆରେ ନା

ହଉ ତାହେଲେ । ତମେ ବେଲ, ମୁଁ ସେକୁଚି

ତୁମେ ସିଙ୍କ୍ ଆଡ଼କୁ ଠ‌ିଆ ହେଇଚ । ମୁଁ କାନ୍ଥର ଥାକ ଆଡ଼କୁ ।

ଆମେ ଯାଗା ବଦଳ କଲାବେଳକୁ ମୁଁ ତୁମକୁ ଟିକେ ଗେଲ କରୁଚି । ଓଠରେ ।

ତୁମେ ଧିରେ କହୁଚ, ଯା, ଛୋପରା

ମୁଁ ତୁମକୁ କୁଣ‌୍ଢେଇ ଆହୁରି ଦୁଇ ଥର ଗେଲ କରୁଚି ।

ତୁମେ କହୁଚ, ଆରେ କିଏ ଦେଖିବ । ସମସ୍ତେ ଉଠିସାରିବେଣି

ଯିଏ ଦେଖିବ ଦେଖୁ । ମୋ ସ୍ତ୍ରୀକୁ ମୁଁ ଗେଲ କରୁଚି । ସେଥିରେ କାହାର କଅଣ ଗଲା

ଝରକାର ଜାଲି ବାଟ ଦେଇ ଦିଶୁଚି, ଗୋଟେ ମୂଷା ଉପର ତଳ ହେଉଚି । ମୋଟର୍ ତାର ଦେଇ ଝୁଲୁଚି । ଡର ଭୟ କିଛି ନାହିଁ ।

ଆରେ ପୋଡ଼ି ସାରିଲଣି ରୁଟିକୁ । ପଲମରେ ଦରସେକା କର ଯେ, ନିଆଁ ଉପରେ ତା ପରେ ପୋଡ଼ିବନି, ତୁମେ କହୁଚ

ହଉ । ଆଉ କେତେଟା ବାକି ରହିଲା?”

ଏଇଟାକୁ ମିଶାଇ ପାଞ୍ଚଟା

ତମେ ଝାଳେଇଲେ ବହୁତ ଭଲ ଦେଖାଯାଅ

ଯା, ବଜାରି କେଉଁଠିକାର । କଅଣ ନା ଝାଳେଇଲେ ସୁନ୍ଦର ଦେଖାଯାଏ

ମୁଁ ତ ସୁନ୍ଦର କହିନି । ମୁଁ କହିଲି ତୁମେ ଝାଳେଇଲେ ଭଲ ଦେଖାଯାଅ

ଦିଟା ଭିତରେ ଫରକ କଅଣ?”

ଦେଖ । ଯେଉଁଟା ଖରାପ ନୁହେଁ, ସେଇଟା ଭଲ । ଯେମିତି ତମଠୁଁ ଶ‌ିଖି ମୁଁ ଏବେ ରୁଟି ସେକୁଚି । ଏଇ ଏବର ରୁଟିର ସେକାଟା ଭଲ । ହେଲେ ତୁମ ସେକା ରୁଟି ପରି ନିଖ‌ୁଣ, ସୁନ୍ଦର, ନୁହଁ

ତମେ ରୁଟି ବେଲିବା ବନ୍ଦ କରି ମୋ ଆଡ଼କୁ ବୁଲି ମୋତେ ଗେଲ କରୁଚ । ଓଠରେ ନୁହେଁ । ଗାଲରେ ବି ନୁହେଁ । ଗୋଟେ ଫ୍ଲାଇଙ୍ଗ୍ କିସ୍ ।

ତୁମ ନିଶରେ ଟିପି ଟିପି ଝାଳ ।

No comments:

Post a Comment

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....