Sunday, October 15, 2023

ରୋଷେଇଘର

ଶୈଲେନ ରାଉତରାୟ

ପୁରୁଣା ବିଧାନସଭା କୋଠା, ୟୁନିଟ ୧, ଭୁବନେଶ୍ୱର
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ଶୁଭ୍ରା ସିଂ 

ମୁଁ ରୁଟି ବେଲୁଚି । ତୁମେ ସେକୁଚ ।

ତୁମେ କହୁଚ, “ଭଲ ବେଲୁଚ ତ”।

“ଥଟ୍ଟା କରୁଚ?”

“ଆରେ ନା” ।

“ହଉ ତା’ହେଲେ । ତମେ ବେଲ, ମୁଁ ସେକୁଚି” ।

ତୁମେ ସିଙ୍କ୍ ଆଡ଼କୁ ଠ‌ିଆ ହେଇଚ । ମୁଁ କାନ୍ଥର ଥାକ ଆଡ଼କୁ ।

ଆମେ ଯାଗା ବଦଳ କଲାବେଳକୁ ମୁଁ ତୁମକୁ ଟିକେ ଗେଲ କରୁଚି । ଓଠରେ ।

ତୁମେ ଧିରେ କହୁଚ, “ଯା, ଛୋପରା” ।

ମୁଁ ତୁମକୁ କୁଣ‌୍ଢେଇ ଆହୁରି ଦୁଇ ଥର ଗେଲ କରୁଚି ।

ତୁମେ କହୁଚ, “ଆରେ କିଏ ଦେଖିବ । ସମସ୍ତେ ଉଠିସାରିବେଣି” ।

“ଯିଏ ଦେଖିବ ଦେଖୁ । ମୋ’ ସ୍ତ୍ରୀକୁ ମୁଁ ଗେଲ କରୁଚି । ସେଥିରେ କାହାର କଅଣ ଗଲା” ।

ଝରକାର ଜାଲି ବାଟ ଦେଇ ଦିଶୁଚି, ଗୋଟେ ମୂଷା ଉପର ତଳ ହେଉଚି । ମୋଟର୍ ତାର ଦେଇ ଝୁଲୁଚି । ଡର ଭୟ କିଛି ନାହିଁ ।

“ଆରେ ପୋଡ଼ି ସାରିଲଣି ରୁଟିକୁ । ପଲମରେ ଦରସେକା କର ଯେ, ନିଆଁ ଉପରେ ତା’ ପରେ ପୋଡ଼ିବନି, ତୁମେ କହୁଚ” ।

“ହଉ । ଆଉ କେତେଟା ବାକି ରହିଲା?”

“ଏଇଟାକୁ ମିଶାଇ ପାଞ୍ଚଟା” ।

“ତମେ ଝାଳେଇଲେ ବହୁତ ଭଲ ଦେଖାଯାଅ” ।

“ଯା, ବଜାରି କେଉଁଠିକାର । କଅଣ ନା ଝାଳେଇଲେ ସୁନ୍ଦର ଦେଖାଯାଏ” ।

“ମୁଁ ତ ସୁନ୍ଦର କହିନି । ମୁଁ କହିଲି ତୁମେ ଝାଳେଇଲେ ଭଲ ଦେଖାଯାଅ” ।

“ଦିଟା ଭିତରେ ଫରକ କଅଣ?”

“ଦେଖ । ଯେଉଁଟା ଖରାପ ନୁହେଁ, ସେଇଟା ଭଲ । ଯେମିତି ତମଠୁଁ ଶ‌ିଖି ମୁଁ ଏବେ ରୁଟି ସେକୁଚି । ଏଇ ଏବର ରୁଟିର ସେକାଟା ଭଲ । ହେଲେ ତୁମ ସେକା ରୁଟି ପରି ନିଖ‌ୁଣ, ସୁନ୍ଦର, ନୁହଁ” ।

ତମେ ରୁଟି ବେଲିବା ବନ୍ଦ କରି ମୋ’ ଆଡ଼କୁ ବୁଲି ମୋତେ ଗେଲ କରୁଚ । ଓଠରେ ନୁହେଁ । ଗାଲରେ ବି ନୁହେଁ । ଗୋଟେ ଫ୍ଲାଇଙ୍ଗ୍ କିସ୍ ।

ତୁମ ନିଶରେ ଟିପି ଟିପି ଝାଳ ।

No comments:

Post a Comment

ବିଶ୍ୱ ଦରବାରରେ ଗୁଡ଼ାଖୁ ଶୈଲେନ ରାଉତରାୟ ଗୁଡ଼ାଖୁର ବିକ୍ରିବଟା ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍/ଶୈଳେଶ ପଟ୍ଟନାୟକ ପରବର୍ତ୍ତି ସମୟର ପ୍ରସିଦ୍ଧ ଅମଲା ଓ ଲେଖକ ...