ଉତ୍ତରେଶ୍ୱର ଘାଟ
ଶୈଲେନ ରାଉତରାୟ
ବିନ୍ଦୁସାଗର (୧୮୫୦-୧୮୮୬) ଭାରତୀୟ ସ୍ଥାପତ୍ୟ ଉପରେ ଜେମ୍ସ୍ ଫର୍ଗୁସନ୍ ଆଲୋକଚିତ୍ର ସଙ୍ଗ୍ରହ |
ବିନ୍ଦୁସାଗର ମଝିରେ ଥିବା ମନ୍ଦିର ଚାରିପଟେ ଗୋଲାପି ରଙ୍ଗର ଆଲୁଅର ବେହରଣ ।
ଗୋଲାପି ତୁମର ପ୍ରିୟ ।
ହେଲେ ମୁଁ ସେଇ ଆଲୁଅକୁ ଚାହୁଁନି ।
ମୋ’ ନଜର ସିଧା ଲିଙ୍ଗରାଜ ଆଡ଼କୁ ।
ନହେଲେ ଏପଟ କୂଳରେ ଟୁପରୁଟୁପୁରୁ ହେଉଥିବା
ଚରେଇଗୁଡ଼ାକ ଉପରେ ।
ଆଜି ଆମେ ବସିଥିବା ଉତ୍ତରେଶ୍ୱର ଘାଟରେ ଗହଳି
ସେତେ ବେଶି ନାହିଁ ।
ଗଞ୍ଜେଇ ଓ ସିଗାରେଟ ଫୁଙ୍କୁଥିବା ପିଲାଏ
ବସିଚନ୍ତି ଆମର ଡାହାଣକୁ, ପୋଖରୀର ଉତ୍ତର-ପଶ୍ଚିମ କୋଣରେ ।
ପବନ ଖାଇବାକୁ ଆସିଥିବା ଲୋକେ କାଇଁ କେଉଁ
ଦୂରରେ, ରାସ୍ତା କଡ଼ର ପଥର କାନ୍ଥି ଉପରେ ।
ଶ୍ରାଦ୍ଧ ପିଣ୍ଡି ଉପରେ କିଛି ଇସ୍କୁଲିଆ
ପିଲା ବସିଚନ୍ତି । ଆଉ ଆମେ । ତୁମେ ଆଉ ମୁଁ ।
ପ୍ରଥମ ଥର ତୁମେ ମୋ’ ସହିତ ଭାଙ୍ଗ
ପିଇଚ ଆଜି । ବାହାଘର ପରେ ଲାଗିଲାଗି ତିନି ବର୍ଷ ପରେ ।
ତମର ଆଠଣା, ମୋ’ର ପାଞ୍ଚ ଟଙ୍କା । ମୋ’ର କୋଡ଼ିଏ ବର୍ଷ ତଳେ ଯେତିକି ଥିଲା ଭାଙ୍ଗ ଖୋରାକି, ଆଜି ବି ଠିକ୍ ସେତିକି । ମୋ’ ପାଞ୍ଚ ଟଙ୍କାଟା କେସର ପିସ୍ତା ସେକ୍ ସହ,
ତୁମର ଆଠଣାଟା ଚକଲେଟ୍ରେ ।
ତୁମ ଜୀବନର ପ୍ରଥମ ଭାଙ୍ଗଖିଆ । ତ ତା’ ପରେ ବିନ୍ଦୁସାଗର
କୂଳକୁ ନ ଆସି ଆଉ କୁଆଡ଼େ ଯାଇଥାଆନ୍ତେ ?
ମୋ’ର ଗୋଟେ ଖୋଇ ଅଛି - ସବୁ କଥାକୁ ଗୋଟେ
ପ୍ୟାକେଜ୍ ଭାବରେ ଦେଖିବା । ଯେମିତି ଏଇ ଭାଙ୍ଗ ଖିଆ ଆଉ ତା’ ପରେ ବିନ୍ଦୁସାଗର କୂଳରେ ପବନ ପିଆ ।
ତୁମେ ବାହାରେ ପ୍ରାୟତଃ ଚୁପଚାପ ରୁହ । ଏଣୁ
ବର୍ତ୍ତମାନର ନୀରବତା ନର୍ମାଲ ନା ଭାଙ୍ଗ ଯୋଗୁଁ - ଜାଣି ହଉନି ।
ଆମେ ପାଖାପାଖି ବସିଚେ । ହେଲେ ଲଗାଲଗି ହେଇ
ନୁହେଁ । ମୁଁ ଡାହାଣ ହାତର ତର୍ଜନୀରେ ତୁମର ବାଁ ହାତ କାଣି ଆଙ୍ଗୁଠିକୁ, ଯେଉଁଟା ମୋ’ ସବା ପାଖକୁ ଅଛି, ତା’କୁ ଛୁଉଁଚି ।
ପ୍ରଥମ କିଛି ମୁହୂର୍ତ୍ତ ତୁମର କିଛି
ପ୍ରତିକ୍ରିୟା ନାହିଁ । ସବା ତଳ ପାହାଚରେ ପାଣିରେ ଗୋଡ଼ ବୁଡ଼େଇ ବସିଥିବା ନହନହକିଆ ପିଲାଟି ହଲି ଦୋହଲି
ଉପରକୁ ଆସୁଚି । ମୋ’ର ବାଁ ପଟକୁ ମୁଁ ତିନି ଗଣିଲା ପର୍ଯ୍ୟନ୍ତ -
ଏକ, ଦୁଇ, ତିନି - ଆସି.
ରହି. ମୁଁ ଚାରି ଗଣିବା ଆରମ୍ଭ କରିବା ଆଗରୁ ଚାଲି ଯାଉଚି, ମାନେ ଆମର ପଛକୁ ।
ସେ ଆମେ ବସିଥିବା ସବା ଉପର ପାହାଚ ଟପିଲା
ବେଳକୁ ମୋତେ ଆଡ଼ ଆଖିରେ କଣେଇ ଚାହୁଁଚି । ମୁଁ କେମିତି ଜାଣିଲି ? ମୁଁ ଜାଣିଚି । ପଚାରନା କେମିତି ।
ସେ ପର୍ଯ୍ୟନ୍ତ ମୋ’ ଡାହାଣ ତର୍ଜନୀ
ତୁମ ବାଁ କାଣି ଉପରେ ଅଛି । ହେଲେ ଏବେ ଚାପ ଜମାରୁ ନାହିଁ । ତୁମେ ମୋ’ ପଟକୁ ମୁହଁ ଟିକେ
ବୁଲଉଚ । ଦଶ କି ପନ୍ଦର ଡିଗ୍ରି ।
କିଛି ଲାଗୁଚି ? ମୁଁ ପଚାରୁଚି ।
ନାଁ ।
ହେଲେ ମତେ ତ
ଲାଗିଲାଣି ।
କଅଣ ?
ଏଇ ଟିକେ ବଜ଼୍
।
ମାନେ ?
ନିଶା ଟିକେ
ଟିକେ ଧରିଲାଣି ।
ତୁମେ ତୁମ ବାଁ
ହାତ ଖସେଇ ନେଇ ନିଜ ଜଙ୍ଘ ଉପରେ ଥୋଇ ପଚାରୁଚ, କେମିତି ଜାଣୁଚ ?
ଲାଗୁଚି ।
କଅଣ ?
ଏମିତି । ସବୁ
କିଛି ଧିମେଇ ଗଲା ପରି । ଆଉ ସବୁ ସ୍ପଷ୍ଟ ଦିଶୁଚି ।
ହଉ ।
ତୁମକୁ ?
ନା । ସେମିତି
କିଛି ଲାଗୁନି ଯେ । ହେଲେ...
ହେଲେ ?
ଟିକେ ହାଲୁକା
ଲାଗୁଚି । ଆଉ ଜିଭ ତଳେ ଟିକେ ଝିମ୍ଝିମ୍ ।
ସେତିକି ବେଳେ
ବିନ୍ଦୁସାଗରର ପଶ୍ଚିମ କୂଳରୁ ପୂର୍ବ ଆଡ଼କୁ, ଓଷଦ ବଗିଚାରୁ ଆମ ବାଁକୁ ଅନନ୍ତ ବାସୁଦେବଙ୍କ ପଟକୁ, ଦୁଇଟି ବଗ
ଉଡ଼ିଯାଉଚନ୍ତି । ଡେରି ସନ୍ଧ୍ୟାରେ ? କାହିଁକି ? ଲିଙ୍ଗରାଜର
ସିଲୁଏଟ୍ ଟପିଲା ବେଳକୁ ଜକଜକ ଦିଶୁଚନ୍ତି, ହଠାତ୍ ଭିତରୁ ଜଳି ଉଠିଲା ପରି ।
ମୁଁ କହୁଚି, ହେଲାଣି ।
କଅଣ ?
ନିଶା ।
No comments:
Post a Comment