ଛାତ
ଶୈଲେନ ରାଉତରାୟ
ମେଘେଶ୍ୱର ମନ୍ଦିର ବେଢ଼ା, ୨୦୧୯ ସାଲ ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍/ ଏସ୍ ଶ୍ରୀରାମ ଏମ୍ଟି |
ହେଲେ କଖାରୁ ଛେଦା ପଡ଼ି ଏଇ ଡଙ୍କଟା ରାବେଣା ପରି ଚେତେରେଇଚି । ଫୁଲ କୁଛତ୍ର । ହେଲେ ଏ ପର୍ଯ୍ୟନ୍ତ ଫଳ ନାଇଁ ।
ମୁଁ ଆସିଚି ଛାତକୁ ପୋଇ ପତ୍ର ପାଇଁ । ଛାତ ଉପର ବଗିଚାରେ ଆଉ କିଛି ହେଉ କି ନହେଉ ପୋଇ ଉଧଉଚି ବେଶ୍ । ଯେଉଁଠି ପୋତିଲେ ସେଇଠି । ମୁଁ କଅଁଳିଆ ଛୋଟ ଛୋଟ ପତ୍ର ଗୋଟିଏ ଗୋଟିଏ କରି ଚାରି ପାଞ୍ଚଟା ତୋଳି ସାରିବା ବେଳକୁ ମନେ ପଡ଼ୁଚି ଯେ ମୁଁ ଡାଲା ଆଣିନି ।
ଛାତ ଉପରେ ତାରରେ ଗାମୁଛା କି ଲୁଗା ନାଇଁ । ବାଧ୍ୟ ହୋଇ ମୁଁ ତଳକୁ ଯାଉଚି । ଚାରିଟା ପୋଇପତ୍ର ଖାଇବା ଟେବୁଲ ଉପରେ ଥୋଇ ଛୋଟ ଭୋଗେଇଟା ଧରି ମୁଁ ଛାତ ଉପରେ ପହଞ୍ଚିଲା ବେଳକୁ ଦାଶ ମଉସାଙ୍କ ବୋହୁ ଛାତ ଉପରେ । ପାଣି ଦେଉଚି ।
ଲକ୍ଡାଉନ୍ ପୂର୍ବରୁ ତାଙ୍କ ଛାତରେ କିଛି ନଥିଲା । ଆଗରୁ ମାଉସୀ ଯାହା ଲଗେଇଥିଲେ । କରୋନାରେ ସେ ଚାଲିଗଲା ପରେ ସବୁ ସୁଖି ଘାସ । ଏ ସବୁ ବୋହୁ ଆଉ ପୁଅ ହାତରେ ଉତୁରିଚି । ହେଲେ ଆଗରୁ ବି ଖାଲି ଫୁଲ ଥିଲା ଆଉ ଏବେ ବି ସେଇ ଫୁଲ ।
ମଗୁଶୀର ମାସର ସକାଳର ଖରାରେ ରଙ୍ଗଣୀ, ଜିନିଆ, ଗେଣ୍ଡୁ, ଡାଲିଆ, ରଜନୀଗନ୍ଧା ସବୁ ମିଶି ଗୋଟେ ପିକ୍ଚର୍ ପୋଷ୍ଟ୍କାର୍ଡ଼୍ ଭଳି ଦିଶୁଚି ।
ଦାଶ ଘର ବୋହୁ ନଇଁ ନଇଁ ଫୁଲ ତୋଳୁଚି । ଗେଣ୍ଡୁ ଆଉ ଟଗର । ଖାଲି ଛୋଟ ଛୋଟ ଗେଣ୍ଡୁ । ଠାକୁର ପୂଜା ପାଇଁ ବୋଧେ । ପିନ୍ଧିଚି କୁଞ୍ଚରେ ଭର୍ତ୍ତି ନୀଳ ରଙ୍ଗର ଲମ୍ବା ସ୍କର୍ଟ୍ । ଆଉ ଉପରେ ଧଳା ରଙ୍ଗର ବ୍ଲାଉଜ୍-ଫିଟିଂ ଟପ୍ । ଭଲ ମାନୁଚି । ଫୁଲମାନଙ୍କ ଭିତରେ ଆଉ ଗୋଟେ ଫୁଲ । କ୍ଲିଶେଡ଼୍, ବଟ୍ ଟ୍ରୁ ।
“ଆରେ ଗେଣ୍ଡୁ ଗୁଡ଼ା କାହିଁକି ତୋଳୁଚ ? ଆଜି ପରା ମୁଁ ପୂଜା କରିବି ।“
“ଆରେ ମୁଁ ଟିକେ ଘର ଆଗରେ ସଜେଇବି ।“
“ତା’ହେଲେ ଏତିକି କଅଣ ହେବ ?”
“ମୁରୁଜ ଭିତରେ ଗୋଟେ ଗୋଟେ ଦେବି, ତ ହେଇଯିବ । ଅଯଥା କାହିଁକି ତୋଳିବି ।“
ହଠାତ୍ ଗୋଟେ ଏଣ୍ଡୁଅ ପୋଇ କୁଣ୍ଡରୁ ବାହାରି ବାଁ ପଟକୁ ସଜନା ଆଡ଼କୁ ଚାଲିଗଲା । ମୁଁ ଛାତିରେ ଛେପ ଟିକେ ପକେଇ ପୁଣି ଉପରକୁ ଚାହିଁଲା ବେଳକୁ ଦାଶ ଟୋକା ଆସି ବୋହୁର ପଛରେ । ତା’ ହାତ ମିଲିର ଅଣ୍ଟା ଚାରିପଟେ । ମତେ ଦେଖି ନାହାନ୍ତି ବୋଧେ ? ମୁଁ ତଳେ ବସି ପୋଇ ପତର ତୋଳୁଚି । ନଇଁକି ନୁହେଁ । ଏଇ କିଛି ଦିନ ମୋତେ ନଇଁବା ମନା ।
ନା । ମୋତେ ଦେଖିଚନ୍ତି ଦୁଇ ଜଣ ଯାକ । ପ୍ରେମ ସେଇଥି ପାଇଁ ? ଦାଶ ଘର ଟୋକା ସହ ମୁଁ କଲେଜ ସାରିବା ପରଠାରୁ ଆଉ କେବେ କଥା ହେଇନି । ଦରକାର ପଡ଼ିନି । ସୁଯୋଗ ବି ଜୁଟିନି । ମୁଁ ଗଲି ବମ୍ବେ ଏମ୍ଏ ପଢ଼ିବା ପାଇଁ । ସେ ଗଲା ବୋର୍ଡ଼ିଂ ସ୍କୁଲ ।
ମୁଁ ଅଣ୍ଟା ସିଧା କଲି । ତା’ର ହାତ ଏବେ ବି ମିଲି ଅଣ୍ଟା ଚାରିପଟେ ହେଲେ ଆଖି ମୋ’ ଉପରେ । ମୁଁ ଜାଣିଲି ସେ ହସୁଚି । ଓଠରେ ନୁହେଁ । ମନରେ । ମୋ’ ଭୋଗେଇ ଭର୍ତ୍ତି । ମୁଁ ପୋଇ ଡାଳ ଖଣ୍ଡେ ଭାଙ୍ଗିଲି । ଛାତର ଏପଟରୁ ସେପଟକୁ ଗଲି ।
“ଅଶୋକ । ଏ ଡାଙ୍ଗଟା ନେ ।“
“ଭାଇ ନମସ୍କାର ।“
“ନମସ୍କାର । ଏଇଟା ପୋତ ।“
ମୁଁ ପୋଇ ଖଣ୍ଡକ ଫିଙ୍ଗିଦେଲି । ଅଶୋକ ଧରିଲା । ଠିକ୍ ଧରିଲା । ଡାହାଣ ହାତରେ ।
ବାଁ ହାତଟା ମିଲି ଅଣ୍ଟା ଉପରେ ନାହିଁ ଏବେ । ଝୁଲୁଚି । ଅଣ୍ଟା କଡ଼ରେ ।
No comments:
Post a Comment