ବିସିନାଥପୁରରେ ପିଲାଦିନ ଓ ପଢ଼ାପଢ଼ି
ଶୈଲେନ ରାଉତରାୟ
କାଳିଆର ପୈତୃକ ଗ୍ରାମ ହେଲା ଅବିଭକ୍ତ ପୁରୀ ଜିଲ୍ଲାର ବାଲିପାଟଣା ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଗାଆଁରେ । ଗ୍ରାମ୍ୟଭାଷାରେ ତାହାର ନାମ ବିସିନାଥପୁରୁ । କାଳିଆର ମାମୁଁ ଘର ବି ସେଇ ଗାଁ'ରେ ହିଁ । ବାପା ଥିଲେ ମୁକ୍ତାର । ସେ ପୁରୀ ସହରରେ କାମ ପାଇଁ ନିବାସୀ, ଘରକୁ ଶନିବାର ରାତ୍ରିରେ ଆସି ରବିବାର ଦିନ ଗାଡ଼ିରେ ଲେଉଟି ଯାଆନ୍ତି ।
କାଳିଆ କୁନିଟିଏ ହୋଇଥାଏ । ବାପା ତା'କୁ ନେଇ ଗଲେ ଗାଁ' ଇସ୍କୁଲୁକୁ ବିଦ୍ୟାରମ୍ଭ ପାଇଁ । ମାଷ୍ଟ୍ରେ ନୂଆ ଚାଟଙ୍କର ହାତ ଧରି ଚଟାଣ ଉପରେ ଖଡ଼ିରେ ବଡ଼ ବଡ଼ ମୁଣ୍ଡଳା ବୁଲାଇ ବହ୍ମା, ବିଷ୍ଟୁଁ, ମଏସର ଲେଖି ଦେଲେ । କିନ୍ତୁ ବିଦ୍ୟାଳୟରେ ରୀତିମତ ନାମ ଲେଖା ହେଲା, କାନଫୋଡ଼ା କର୍ମ ସମ୍ପନ୍ନ ହେଲା ପରେ ।
ଆଗେ ନାପିତ ଜଣଙ୍କ କାଳିଆକୁ ଛେନାଗୁଡ଼ ଖାଇବାକୁ ଦେଲେ, ଆଉ ତା’ ପରେ କାନ
ଫୋଡ଼ିଦେଲେ । ତାହା ସହ ପୁରୋହିତଙ୍କର ଗଣେଶମନ୍ତ୍ର ପାଠ ସହ କାଳିଆକୁ ନଡ଼ିଆ ଭାଙ୍ଗିବାକୁ ପଡ଼ିଲା ।
ଏଇ ଚୁଡ଼ାକର୍ମ ପରେ ଯ।ଇ ତା'ର ବିଦ୍ୟାଳୟ ଗସ୍ତ ସିନା ଆରମ୍ଭ । ହେଲେ ପାଠପଢ଼ା ତଦାରଖ କରିବା ପାଇଁ ଘରେ ସେମିତି କେହି ନଥାାଆନ୍ତି । ବାପା
ଓ ବଡ଼ ଭାଇ ତ ଯାଇଁ ପୁରୀରେ ।
କାଳିଆର ଅସଲ ଗାର୍ଜନ ହେଲେ ପିଅସି ପୁଅ ଭାଇ ଭୋବନି ଭାଇନା, ଅର୍ଥାତ୍ ଶପନେଶ୍ୱରଙ୍କ ଭଣଜା । ସେ ନିଜ ସାନ ଭାଇଟିକୁ ଭଲ ତ ପାଉଥିଲେ ଅପର୍ଯ୍ୟାପ୍ତ । ଆଉ ତାହା ସହ, ନଡ଼ିଆ ପତ୍ରରେ ପେଏଁକାଳି ତିଆରି କରିବାଠୁଁ ଲୋକସାଧାରଣରେ ବ୍ୟବହାର ଆଦି ସବୁ କିଛି କାଳିଆକୁ ଶିଖାଉଥିଲେ ।
ହେଲେ ଭୋବନି ଭାଇନାଙ୍କର ଅସଲ ଦାୟିତ୍ୱ ଥିଲା କାଳିଆକୁ ଇସ୍କୁଲକୁ ନିୟମିତ ପଠାଇ ପାଠପଢ଼ାର ଦାୟିତ୍ୱ ବୁଝିବା । ତାହା ଅବଶ୍ୟ ସେ କେମିତି ତୁଲାଉ ଥିଲେ, ତାହା
ମାଆ ଗଙ୍ଗେ ଜାଣନ୍ତି । ଏଣୁ ଧିରେଧିରେ କାଳିଆର ପାଠପଢ଼ାରେ ମତି କମିଲା, ଗାଁ' ଟୋକାଙ୍କ ସହ
ଖେଳକୁଦରେ ମାତି ଦୁଷ୍ଟାମି କରିବା ବଢ଼ିଲା ।
ସେବେ ବିଦ୍ୟାଳୟଟି ଥାଏ ସଡ଼କ ଉପର ଜାଗା ଘରେ । ଗାଁ ଭିତରର ଇସ୍କୁଲୁ ଘରଟି ସେତେବେଳ ସୁଦ୍ଧା ଭାଙ୍ଗି ଯାଇଥାଏ । ଗାଆଁ ସ୍କୁଲର ମାଷ୍ଟରମାନଙ୍କର ମତିଗତି ପିଲାଙ୍କ ପାଠପଢ଼ାର କିଛି ବେଶି ସହାୟକ ନଥାଏ ।
ଗାଁ ସ୍କୁଲରେ ଶିକ୍ଷକ ଥାଆନ୍ତି ଅଲେଖଚନ୍ଦ୍ର ଶତପଥି, କାଳିଆର ନିକଟ
ସମ୍ପର୍କୀୟ ଭିଣୋଇ । ସେ ଥିଲେ ଜଣେ ନିଷ୍ଟୁର, ନିର୍ମମ ଅଧ୍ୟାପକ । ପିଲାଙ୍କ ଉପରେ ତାଙ୍କର
ମାଡ଼ ଦେଖିଲେ ପଥର ମଧ୍ୟ ତରଳି ଯିବ । ତାଙ୍କର ବେତଟି ନିୟମିତ ଛାତ୍ରମାନଙ୍କର ଦେହ ସାରା ବୁଲି ଆସେ,
କୌଣସି ତଥାକଥିତ ତାତ୍କାଳିକ କାରଣ ଥାଉ ବା ନଥାଉ ।
ହେଲେ ପାଠପଢ଼ା ଛଡ଼ା ବାକି ବହୁତ କାମ ଦିନସାରା ହୁଏ । କାହା ବାଡ଼ିରେ ଆମ୍ବ ଗୋଟା ହୁଏ । କକେଇ ଘର ଗଡ଼ିଆରେ ପହଁରା ମଧ୍ୟ ଚାଲେ । ତାହା ବ୍ୟତୀତ ମାଛ ଧରା, ଗଛ ଚଢ଼ା, ମହୁ ଧରା, ଆଦି ତ ନିୟମିତ କରାଯାଏ ସାଙ୍ଗମେଳରେ । ଯେତେ ଦୁଷ୍ଟାମି କରାଗଲେ ବି, ସେ ବେଳର ଗ୍ରାମୀଣ ପରିବେଶରେ ସାହିତ୍ୟ ଓ ସଂସ୍କୃତିର ଶିକ୍ଷା ଅବଲୀଳା କ୍ରମେ ହେଉଥାଏ ।
ଅଲା ଭାଇନା ଗାଆନ୍ତି ପ୍ରାଚୀନ ଓଡ଼ିଆ କବିତାର ଅନେକ ଛାନ୍ଦ - ଗାଇବା ସହ ଅର୍ଥ ମଧ୍ୟ ବୁଝେଇ ଦିଅନ୍ତି । ସେହିପରି ବାଞ୍ଛା କକେଇ କୌଣସି ସଙ୍ଗୀତ କି ଆଖଡ଼ା ଦଳରେ ନଥିଲେ । ହେଲେ ବଇଠକି ଗାଆଣ ଢାଞ୍ଚାରେ ସେ ଥିଲେ ଜଣେ ଭଲ ଗାୟକ ।
ଛୁଟି ଦିନମାନଙ୍କରେ ବାପାଙ୍କୁ ଭେଟିବାକୁ ଅନେକ ଲୋକ ଆସନ୍ତି । ଅନେକ ସମୟରେ ଦେଖିବାକୁ
ମିଳନ୍ତି ପାଞ୍ଚ କୋଶ ଦୂର କୁମ୍ଭାରପଡ଼ାର ସଦେଇବାବୁ । ତାଙ୍କୁ ଗଣିତ ଓ ଜ୍ୟୋତିଷ ଶାସ୍ତ୍ର
ଉତ୍ତମ ରକମ ଜଣା । ସେ ଆସିଲେ ମାଳିକା,
ଅମର କୁମର, ଅଚ୍ୟୁତାନନ୍ଦ
ଦାସଙ୍କର 'ଶୂନ୍ୟ ସଂହିତା', ନନ୍ଦ
ଦାସଙ୍କ 'ଅଣାକାର ସଂହିତା' ଆଦି କେତେନାକେତେ ଶାସ୍ତ୍ର ଆଲୋଚନା ହୁଏ ।
ସବୁ ଦୁଷ୍ଟାମି ଭିତରେ କାଳିଆର ପାଠପଢ଼ା କିନ୍ତୁ ଚାଲିଥାଏ । ଅତି ଭଲ ଛାତ୍ର ନହେଲେ ବି କାଳିଆ ସାହିତ୍ୟ, ଇତିହାସ, ଅଙ୍କ, ଭୂଗୋଳ, ସ୍ୱାସ୍ଥ୍ୟରକ୍ଷା, ଡ୍ରଇଁ ଆଦି ସବୁ ବିଷୟରେ ଠିକ୍ଠାକ୍ ନମ୍ବର ରଖି ବୃତ୍ତି ପରୀକ୍ଷା ପାଇଁ ନିର୍ବାଚିତ ହେଲା । ହେଲେ ସେଇ ପରୀକ୍ଷାରେ ବସିବାର ସୌଭାଗ୍ୟ କେବେ ପିଲାଟିର ଘଟିଲା ନାହିଁ ।
ଏସବୁ ଭିତରେ କାଳିଆର ଲେଖାଲେଖି
ବି ଆରମ୍ଭ ହୁଏ । ପ୍ରଥମେ ତାହା ରୂପ ନିଏ ସାଙ୍ଗମାନଙ୍କୁ ତୋଟାମାଳରେ, ଗଡ଼ିଆ କୂଳରେ ଗପ
କହି । ପରେ ବିସିନାଥପୁରର ମାଟିପାଣିରେ ଜଡ଼ସଡ଼ ହୋଇ ବଢ଼ୁଥିବା ସେଇ ଛୋଟ ପିଲାଟି ବଡ଼ ହୋଇ
ଲେଖେ ‘ମାଟିର
ମଣିଷ’ ।
ବି.ଦ୍ର. ଏହି ଲେଖାଟିର ଉପାଦାନ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କର ଆତ୍ମଜୀବନୀ ‘ଅଙ୍ଗେ ଯାହା ନିଭାଇଛି’ରୁ ସଙ୍ଗୃହିତ । ବହିଟି କଟକସ୍ଥ ସଂସ୍ଥା କଟକ ଷ୍ଟୁଡେଣ୍ଟସ୍ ଷ୍ଟୋର ଛପାଇଥିଲେ । ଦ୍ୱିତୀୟ ସଂସ୍କରଣ ୨୦୦୬ ମସିହାରେ ପ୍ରକାଶିତ । ବହିଟିର ପ୍ରଥମ ସଂସ୍କରଣର ତାରିଖ ଦିଆଯାଇ ନାହିଁ । ଏଇ କୁନି ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ର ୧୬-୩୦ ଏପ୍ରିଲ୍, ୨୦୧୬ ସଙ୍ଖ୍ୟାରେ ପ୍ରକାଶିତ ହୋଇଥିଲା ।
No comments:
Post a Comment