Monday, September 22, 2025

ବଡ଼ଗୋରଡ଼ାରେ ନାଟକ

ଶୈଲେନ ରାଉତରାୟ


ରଣପୁରର ମଣିନାଗ ମନ୍ଦିରଠାରୁ ଦୃଶ୍ୟ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ୱିକି ଅଭିଜିତ

ବିଶିଷ୍ଟ ଯନ୍ତ୍ରୀ ଓ ଲେଖକ ଗୋବର୍ଦ୍ଧନ ଦୋରାଙ୍କର ଜନ୍ମମାଟି ହେଲା ବଡ଼ଗୋରଡ଼ା ଗାଁ । ସ୍ୱାଧୀନତା ଆଗରୁ ନୂଆଗଡ଼ ଏକ ଅର୍ଧ-ସ୍ୱତନ୍ତ୍ର ଗଡ଼ଜାତ ଥିଲେ ହେଁ, ରାଜ୍ୟମିଶ୍ରଣ ପରେ ସ୍ୱାଧୀନ ଭାରତର, ସ୍ୱତନ୍ତ୍ର ଓଡ଼ିଶାର, ପୁରୀ ଜିଲ୍ଲାର ଏହା ଏକ ଅଂଶ ହେଲା । ସ୍ୱାଧୀନତା ସମୟକୁ ଗୋବର୍ଦ୍ଧନଙ୍କ ବୟସ ମାତ୍ର ଆଠ ବରଷ । ଏଣୁ ନୟାଗଡ଼ ଜିଲ୍ଲାର ସାମାଜିକ ଅବସ୍ଥାର ଏକ ଆକଳନ କରିବାପାଇଁ ତାଙ୍କର ଆତ୍ମଜୀବନୀ ‘ଛୋଟ ମୋର ଗାଁଟି’ ଆମକୁ ଅନେକ ଉପାଦାନ ଯୋଗାଏ ।

ସ୍ୱାଧୀନତାର ଠିକ୍  ପରେପରେ ଉପକୂଳବର୍ତ୍ତୀ ଓଡ଼ିଶାରେ ସାମାଜିକ ନାଟକ ଲେଖାଲେଖି ଓ ମଞ୍ଚସ୍ଥ ହେବା ଜୋର ଧରିଥାଏ । ୧୯୫୦ ମସିହା ଆଖପାଖରେ ବାହାରିଥାଏ ଦଶପଲ୍ଲାର ଯୁବ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କର ନୂଆ ବହି ‘ଘରସଂସାର’ । ବଡ଼ଗୋରଡ଼ାର ନିକଟବର୍ତ୍ତୀ ଗ୍ରାମ ଗୁଞ୍ଜୁବାରଣର ଓକିଲ ଗଦାଧର ପଟ୍ଟନାୟକଙ୍କର ନିର୍ଦ୍ଦେଶନାରେ ନାଟକଟି ଗାଆଁରେ ଅଭିନୀତ ହେବାର ଯୋଜନା କରାଗଲା । ଗୋବର୍ଦ୍ଧନ ଦୋରାଙ୍କ ଭାଇ ମଦନମୋହନ ଦୋରା ଶୂନ୍‌ଗାଡ଼ିରେ ନୟାଗଡ଼ରୁ ଦଶପଲ୍ଲା ଗଲେ ନାଟ୍ୟକାରଙ୍କଠାରୁ ନାଟକର ମଞ୍ଚାୟାନ ପାଇଁ ଅନୁମତି ନିମନ୍ତେ । ରାମଚନ୍ଦ୍ର ବାବୁ ସେଥି ନିମନ୍ତେ ସହର୍ଷ ଅନୁମତି ଦେଲେ ।

ଗ୍ରାମର ସାହୁକାରଙ୍କର ଖଦାଳ ବାରିଟିକୁ ସଫାସୁତୁରା କରାଗଲା । ସେହିଠାରେ ଥିଏଟର ପାଇଁ ଅସ୍ଥାୟୀ ମଞ୍ଚ ମଧ୍ୟ ତିଆରି କରାଗଲା । ବଡ଼ଗୋରଡ଼ା ଓ ଆଙ୍ଗିସାଙ୍ଗି ଗାଁର ଲୋକେ ନାନାଦି ଭୂମିକାରେ ଅଭିନୟ କଲେ । ଗାଁର ପିଲାମାନେ ଶିଶୁମାନଙ୍କର ଭୂମିକାରେ ଅବତରିତ ହେଲେ । ପୁରୁଷଲୋକ ଅଭିନୟ କଲେ ସ୍ତ୍ରୀଲୋକଙ୍କ ଚରିତ୍ରରେ । ସେତେବେଳେ ପର୍ଯ୍ୟନ୍ତ ତାହା ହିଁ ଚଳଣି ଥିଲା । ମଦନମୋହନ ଦୋରା ଅଭିନୟ କଲେ ଖଣ୍ଡି ଓଡ଼ିଆ କହୁଥିବା ବିଲାତ ଫେରନ୍ତା ଯୁବକ ମିଷ୍ଟର୍ ବର୍ମା ଭାବରେ । ଏହା ବିଶେଷ ଭାବରେ ଆଦୃତ ଓ ପୁରସ୍କୃତ ହୋଇଥିଲା ।

ବହିଟି ଗାଁରେ ଦୁଇ ଦିନ ଧରି ଚାଲିଲା । ଟିକଟ ମଧ୍ୟ ହୋଇଥିଲା । ଚଉକିରେ ବସିଲେ ତିନି ଟଙ୍କା, ବେଞ୍ଚରେ ବସିଲେ ଦୁଇ ଟଙ୍କା ଓ ଖାତ ଖୋଳି ସମତୁଲ ହୋଇଥିବା ମଞ୍ଚ ପାଖ ଜାଗାରେ ତଳେ ବସିଲେ ମାତ୍ର ଟଙ୍କାଟିଏ । ଡ୍ରାମାଟିର ପ୍ରଚାରପ୍ରସାର ପାଇଁ ଗୋବର୍ଦ୍ଧନ ବାବୁ ଓ ତାଙ୍କର ବନ୍ଧୁମାନେ ଚାରି ମାଇଲି ବ୍ୟାସାର୍ଦ୍ଧରେ ଖେଦି ଯାଇ ବିଜ୍ଞାପନ କଲେ ।

ଗତ ସାତ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟରେ ବଡ଼ଗୋରଡ଼ା ଗାଁରେ ଅନେକ ନାଟକ ଅଭିନୀତ ହେଲାଣି । ଗ୍ରାମର ବ୍ରଜବନ୍ଧୁ ନାୟକ ପରେ ଜଣେ ନାଟ୍ୟକାର ଓ କଳାକାର ଭାବରେ ପରିଚୟ ଅର୍ଜନ କଲେ । ସେ ସାହୁକାର ଘରର ଲୋକ । ଗାଁର ପିଲାଙ୍କୁ ଅନେକ ନାଟକର ଅଭିନୟ ସେ କରାଇଛନ୍ତି; ନିଜେ ନିର୍ଦ୍ଦେଶନା ମଧ୍ୟ ଦେଇଚନ୍ତି ।

ଗାଁରେ ନାଟ୍ୟକଳାର ଏକ ସମୃଦ୍ଧ ପରମ୍ପରା ରହିଛି । ସ୍ୱାଧୀନତା ଆଖପାଖରେ ହିଁ ବଡ଼ଗୋରଡ଼ାରେ ଏକ ନାଚପାର୍ଟି ଗଠନ କରାଗଲା । ଓସ୍ତାଦ ବା ଗୁରୁ ଭାବରେ ବରଣ କରାଗଲା କଲ୍ୟାଣପୁର ଗ୍ରାମର ନାଟ୍ୟଗୁରୁ କାହ୍ନୁ ମହାନ୍ତିଙ୍କୁ । ତାଙ୍କର ଅଧୀକ୍ଷଣରେ ଆରମ୍ଭ ହେଲା ପ୍ରଥମେ ଏକ ଲୀଳାବନ୍ଦୀ ନାଟକ । 

ନାଟ ଆରମ୍ଭ ହେଲାବେଳକୁ ହାରମୋନିଆ ବାଜେ । ଗାଁ ନାଟ ପାର୍ଟି ପାଇଁ ଏହାକୁ ବଜାଉ ଥାଆନ୍ତି ଅନ୍ତର୍ଯ୍ୟାମୀ ପରିଡ଼ା । ହାରମୋନିଆ ସହ ଢୋଲକି ଓ ତାବଲାର ଶବ୍ଦରେ ମଞ୍ଚ କମ୍ପି ଉଠେ । ଆଲୋକ ପାଇଁ ବ୍ୟବହାର କରାଯାଏ ପେଟ୍ରୋମାକ୍ସ ଲାଇଟି । ଗ୍ରାମବାସୀମାନେ ମିଞ୍ଜିମିଞ୍ଜି ପାଣ୍ଡାରା ହଳଦିଆ ରଙ୍ଗର ଡିବିରି ଆଲୁଅ ସହ ଦିହଘଷା ହୋଇଥିବାରୁ, ପେଟ୍ରୋମାକ୍ସର ଧଳା ଆଲୁଅ ଥାଏ ନାଟର ଆଉ ଏକ ଆକର୍ଷଣ ।

ନାଟର ପ୍ରାରମ୍ଭରେ ଆସନ୍ତି ଝିଅ ବେଶ ସାଜି ଥିବା ପାଞ୍ଚ ଛଅ ଜଣ ପୁଅ ପିଲା । ସେମାନଙ୍କର କାମ ହେଲା ନାଟ ଆରମ୍ଭ ହେବା ପୂର୍ବରୁ ଭଜନ, ଜଣାଣ, ଦେଶାତ୍ମବୋଧକ ଗୀତ ଆଦି ଗାଇ ଦର୍ଶକମାନଙ୍କ ଭିତରେ ଆଗ୍ରହ ସୃଷ୍ଟି କରିବା । ଏହି ପରି ଗୀତମାନଙ୍କ ମଧ୍ୟରେ, ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କର କବିତାଗୁଡ଼ିକର ବି ଗାୟନ କରାଯାଉଥିଲା । 

ଲୀଳାବନ୍ଦୀ ନାଟକର ମଧ୍ୟରେ ବେଳେବେଳେ ‘ନିୟତି’ ବାହାରି ଦୁଷ୍ଟଲୋକମାନଙ୍କୁ କଲାକର୍ମ ଓ ତାହାର ଫଳ ପ୍ରତି ସାବଧାନ କରି ଚାଲିଯାଏ । ଯଦି ଅଭିନୟ ସମୟରେ କୌଣସି ଅଭିନେତା ହଠାତ ନମିଳନ୍ତି, ଅନ୍ତର୍ଯ୍ୟାମୀ ପରିଡ଼ା ନିଜେ ବସି ରହି ସେହି ସଂଳାପଗୁଡ଼ିକ କହିଚାଲି ଯାଆନ୍ତି । ଅଭିନେତାଙ୍କ ଅଭାବରେ ମଧ୍ୟ ନାଟକ ଜାରିରହେ ।

ହେଲେ ଗାଅଁର ଏହି ନାଟ ପାର୍ଟିଟି ଅନେକ ବର୍ଷ ହେଲାଣି ଭାଙ୍ଗିଗଲାଣି । ବ୍ୟବସାୟୀକରଣର ଏ ଯୁଗରେ ସ୍ୱାଧୀନ ଉଦ୍ୟମରେ କିଛି ଜାରି ରଖିବା ନିଶ୍ଚିତ ଏକ କଷ୍ଟକର ବ୍ୟାପର । ହେଲେ ଓଡ଼ିଆ ନାଟ୍ୟଜଗତ କଅଣ ଖାଲି ବ୍ୟାବସାୟିକ ଯାତ୍ରାରେ ହିଁ ବଞ୍ଚି ରହିବ? ଗାଁ ଗାଁରେ, ସାହି ସାହିରେ, ନାଟ ଦଳଗୁଡ଼ିକ ସବୁ ଯଦି ଧିରେ ଧିରେ ଲୋପ ପାଇଯିବେ, ତାହା ହେଲେ ଓଡ଼ିଶା କେବଳ ନାଟ୍ୟ ଉପଭୋକ୍ତାଙ୍କର ଏକ ରାଇଜ ହୋଇ ରହିଯିବ ।

ଟୀକା: ଏହି ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପିଥିଲା । ଲେଖାଟିର ଉପାଦାନ ଗୋବର୍ଦ୍ଧନ ଦୋରାଙ୍କର ଆତ୍ମଜୀବନୀ ‘ଛୋଟ ମୋର ଗାଁଟି’ରୁ ନିଆଯାଇଛି । ବହିଟିକୁ ଭୁବନେଶ୍ୱରସ୍ଥ ସଂସ୍ଥା ଶିକ୍ଷାସନ୍ଧାନ ୨୦୦୯ ମସିହାରେ ପ୍ରକାଶିତ କରିଥିଲେ । 

No comments:

Post a Comment

There are no places to get lost in anymore Sailen Routray Photographic art based on pastel chalks Photo credit: Wikimedia Commons/Dietmar Ra...