ଯୀଶୁ ଖ୍ରୀଷ୍ଟ ରଥ
ଶୈଲେନ ରାଉତରାୟ
![]() |
ରୋମ୍ ନଗରୀସ୍ଥ ସନ୍ଥ ପିଟରଙ୍କର ବାସିଲିକା ତଳେ ଗୋଟିଏ ସମାଧିର ଛାତରେ ଥିବା ତୃତୀୟ ଶତାବ୍ଦୀର ଯୀଶୁ ଖ୍ରୀଷ୍ଟଙ୍କର ଏକ ମୋଜାଗି ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ଲେଇନାଡ଼୍-ଜେଡ଼୍ |
ତା’
ପଡ଼ିଶା ବନମାଳୀ
ବନମାଳୀ ବିକେ ଉପମା
ତା’ ପଡ଼ିଶା ମଣ୍ଡିସୁମା ।”
- ଶ୍ୟାମ ପାଠୀ (‘ପୁଞ୍ଜିକୟାଁର ଫକୀର’ ଓ ଦୀନନାଥ ପାଠୀଙ୍କ ନନା)
ଭାରତର ସମସାମୟିକ ସଂସ୍କୃତିକୁ ରଥ ସଂସ୍କୃତି ବୋଲି କୁହାଯାଇପାରେ ।
ନେତାମାନେ ଲୋକମାନଙ୍କୁ ଧର୍ମ ନାମରେ ଉତ୍ତେଜିତ କରି ଭୋଟ ଗୋଟେଇବା ପାଇଁ, ଅଭିନେତାମାନେ
ପ୍ରଚାର ନିମନ୍ତେ, ଅବସରପ୍ରାପ୍ତ
ଅମଲାମାନେ ନୂଆ, ବିଦେଶୀ
ଠାକୁରମାନଙ୍କୁ ଜନଜୀବନ ଭିତରକୁ ନିଜର ସ୍ୱାର୍ଥସାଧନ ପାଇଁ ଧସେଇ ପଶାଇବା ପାଇଁ, ରଥ ବୁଲାଉଛନ୍ତି -
ମାଳମାଳ, ଅବିରତ ।
ଅବଶ୍ୟ ଆମର ଠାକୁର ଠାକୁରାଣୀମାନେ ଆଗରୁ ମଧ୍ୟ ରଥରେ ଯାତରା କରୁଥିଲେ । ମାତ୍ର ସେ ସଂସ୍କୃତି ଓ
ଏ ନୂଆ ସଂସ୍କୃତି ଭିତରେ କଅଣ କଅଣ ସାମ୍ୟ ଓ ଭିନ୍ନତା ରହିଛି, ତାହା ବୋଧହୁଏ
ତତ୍ତ୍ୱବିଦ୍ ସମାଜବେତ୍ତା ମାନେ କହିପାରିବେ । ଏ ଅଧମ ଲେଖକ ନୁହେଁ ।
ବନମାଳୀ ବିକେ ଉପମା
ତା’ ପଡ଼ିଶା ମଣ୍ଡିସୁମା ।”
- ଶ୍ୟାମ ପାଠୀ (‘ପୁଞ୍ଜିକୟାଁର ଫକୀର’ ଓ ଦୀନନାଥ ପାଠୀଙ୍କ ନନା)
କିନ୍ତୁ ଓଡ଼ିଶାରେ କେବେ ଯୀଶୁ ଖ୍ରୀଷ୍ଟ ରଥ ବୁଲିବାର ଆପଣ ଶୁଣିଥିଲେ? ଚିତ୍ରଶିଳ୍ପୀ, ଗବେଷକ ତଥା ଲେଖକ ଦୀନନାଥ ପାଠୀଙ୍କର ଆତ୍ମଜୀବନୀମୂଳକ ବହି ‘ପୁଞ୍ଜିକୟାଁର ଫକୀର’ର ଏକ ଅଧ୍ୟାୟରେ ଆମେ ଭେଟୁ ଏହି ସୁନ୍ଦର ପରିକଳ୍ପନାଟିକୁ । ଏବେକୁ ନବେ ବର୍ଷରୁ ଅଧିକ ସମୟ ତଳେ ଗଞ୍ଜାମର ଦିଗପହଣ୍ଡିର ଜଣେ ବ୍ରାହ୍ମଣ ଶ୍ୟାମ ପାଠୀ ତାଙ୍କ ଗାଆଁର ଠାକୁରାଣୀ ଯାତ୍ରାରେ ବାହାର କରିଥିଲେ ଯୀଶୁ ଖ୍ରୀଷ୍ଟ ରଥ ।
ଶ୍ୟାମ ପାଠୀ ପାଇଟି ପାଇଁ ଚିତ୍ରକରର ବୃତ୍ତି ଆପଣାଇ ଥିଲେ । ଏହି
କାମ ଯୋଗୁଁ ପରିବାରକୁ ରାଜକୃପା ଯେତେ ପରିମାଣରେ ମିଳିବା କଥା, ମିଳୁନଥିଲା ।
ଶ୍ୟାମ ପାଠୀ ଜଣେ ଆଶୁ କବି ମଧ୍ୟ ଥିଲେ । ଆଉ ସେ ଥିଲେ ଜଣେ ପକ୍କା ହନୁମାନ ଭକତ । ଗୀତ
ବୋଲୁଥିଲେ । ତାହା ସହିତ କାଠ କଣ୍ଢେଇ ମଧ୍ୟ ଗଢ଼ୁଥିଲେ ।
ତାଙ୍କ ବଡ଼ ପୁଅ ‘ଲୋକା’ ଆଉ ସାନ ‘ଦିନ୍ନାଥ’,
ଉଭୟ ମାତୁଥିଲେ ଚିତ୍ରକର ବୃତ୍ତିର ନାନା ଅଛିଣ୍ଡା କାମରେ - ମୁଖା ଓ ଡ଼୍ରାମା ପୋଷାକ
ତିଆରି, ଠାକୁର
ଦିଅଁ ବନକ, ବିଭା
ବରତ ନିମନ୍ତେ କାନ୍ଥରେ ଚିତ୍ର,
ସାଇନିବୋର୍ଡ଼୍ ଲେଖା, ବହି ବନ୍ଧେଇ, ଇତ୍ୟାଦି ନାନା
ଚିତ୍ରାଙ୍ଗି କାମ ତାଙ୍କ ପରିବାର ଚଳାଉଥିବା ‘ଶିଳ୍ପକଳା
ମନ୍ଦିର’ରେ ହେଉଥିଲା
।
ଏହି ପରିବାରର ମଉଡ଼ମଣି ଶାମ ପାଠୀ ନିଜ ଗାଁ’ର ଠାକୁରାଣୀ ଯାତ୍ରାରେ ବାହାର କରିଥିଲେ ଯୀଶୁଖ୍ରୀଷ୍ଟ ରଥ । ସେତେ ବେଳେ
ଗାଆଁରେ ରଥ ନ ଗଡ଼ିଲେ ଠାକୁରାଣୀ ଯାତ ହେବା ସମ୍ଭବ ନଥିଲା । ଏହି ପରମ୍ପରା ପାଠୀ ଆଜ୍ଞାଙ୍କ ଗାଆଁରେ
ଆଉ ନାହିଁ । ମାତ୍ର ବରମ୍ପୁର୍ ସହରରେ ଏବେ ବି ଅଛି ।
ପାଠୀଙ୍କ ଗାଁ’ରେ ରଥ ତିଆରୁଥିଲେ ସାଆନ୍ତରା ସାହିର ଚିତ୍ରକର
ପରିବାର । ମାତ୍ର ସେମାନେ ଥିଲେ ନିତାନ୍ତ ପାରମ୍ପରିକ । କିଛି ନୂଆ କଥା କରିବା ସେମାନଙ୍କ
ମଗଜକୁ ଢୁକୁନଥିଲା । ଠାକୁରାଣୀ ଯାତ୍ରା ଆୟୋଜନ କରୁଥିବା ବେଲମା ସାଇର ଗଜାଟୋକାଙ୍କୁ ବରଷେ ଏ
ମରହଟ୍ଟିଆ ଛାଞ୍ଚ ନ ରୁଚିବାରୁ ସେମାନେ ଆଧୁନିକ କିଛି ଚାହିଁଲେ ।
ବାମୁଣ ସାଇର ଶ୍ୟାମ ପାଠୀ ସାନ୍ତରା ସାଇର ଚିତ୍ରକରମାନଙ୍କ ସହିତ
ମିଶି ନୂଆ କିଛି କରିବାର ପ୍ରତିଶ୍ରୁତି ଦେଲେ । ଠିକ୍ ହେଲା ଘନଶ୍ୟାମ ମହାପାତ୍ର ନିଜେ
ସ୍ୱଦେହରେ ନିଶ, ଦାଢ଼ି
ଲଗାଇ, ଉପଯୁକ୍ତ
ଜାମାଯୋଡ଼ ପିନ୍ଧି ଯୀଶୁ ଖ୍ରୀଷ୍ଟ ଭୂମିକାରେ ରଥାଋଢ଼ ହୋଇ ଅବତୀର୍ଣ୍ଣ ହେବେ ।
ଠାକୁରାଣୀ ଯାତ୍ରାର ସମୟ ଆସିଲା । କ୍ରୁଶକାଠ ରଥ ଉପରେ ବନ୍ଧା ହେଲା । ମହାପାତ୍ରଙ୍କୁ ବେଶଭୂଷା କରି ରଥ ଉପରେ କ୍ରୁଶ ସହ ବାନ୍ଧି ଦିଆଗଲା । ଦୁଇ ହାତ ଦୁଇ ଆଡ଼କୁ ମେଲା କରି ବେଡ଼ି ଦଉଡ଼ିରେ ବନ୍ଧା ହେଲା । ଗୋଡ଼ ଦିଓଟିକୁ ଏକାଠି କରାଗଲା । ତାହାକୁ ନଳିଗଣ୍ଠା ପରି ଆଉ ସେରିଏ ବନ୍ଧା ଗଲା । ଅଣ୍ଟାକୁ କ୍ରୁଶ କାଠ ସହ ଗାମୁଛା ସହିତ ଯୋଡ଼ି ଆଣ୍ଟ କରି ଛନ୍ଦି ଦିଆଗଲା । ମହାପାତ୍ରେ ପିନ୍ଧିଥାଆନ୍ତି ଫାଲଟାମରା ଗାମୁଛା ଖଣ୍ଡିଏ । ବିନା ଅନ୍ତର୍ବସ୍ତ୍ରରେ । ବଡ଼ଦାଣ୍ଡକୁ ରଥ ଆସିଲାପରେ ତାହାର ଘୋଡ଼ଣି ଖୋଲିଦିଆଗଲା ।
ଲୋକେ ଏ ନୂଆ କାଣ୍ଡକାରଖାନା ଦେଖି ଅସମ୍ଭାଳ ହେଲେ । ଯୀଶୁଙ୍କ ମହିମା
ବିଷୟରେ ଶୁଣିଥିବା ଲୋକେ ହାତଟେକି ଶରଣାଗତି ମୁଦ୍ରାରେ କୃପାଭିକ୍ଷା କଲେ । ରଥାଋଢ଼ ଯୀଶୁଙ୍କର
ମହିମା ବିଷୟରେ ବେଲମା ସାହିର କିଛି ପିଲା ସାଙ୍ଗେସାଙ୍ଗେ ପ୍ରଚାର ଆରମ୍ଭ କଲେ । ଜାଗିଲି ସାହିର
କିଛି ମାଇପେ ଜବର ହୁଳୁହୁଳି ମଧ୍ୟ ପକାଇବାକୁ ଆରମ୍ଭ କରିଦେଲେ । ହୁଳୁହୁଳିର କାରଣ ପଚାରିବାରୁ
ଉତ୍ତର ମିଳିଲା -‘ଯିଏ
ରଥରେ ବିଜେ କଲା ସିଏ ରଜା ନ ହେଲେ ଠାକୁର’
।
ରଥ ରଚନା ଓ ତାହାର ସାଜସଜ୍ଜାକୁ ନେଇ ଗାଆଁଟିରେ ଏ ପର୍ଯ୍ୟନ୍ତ ଆଖ୍ୟାୟିକାମାନ
ବିଛାଡ଼ି ହୋଇ ପଡ଼ିଛି । ଆଉ ପ୍ରାୟ ଆଖ୍ୟାୟିକାର ମଝିରେ ଅଛନ୍ତି ଜଣେ ଲୋକ, ଶ୍ୟାମ ପାଠୀ । ଏବେ
କିଛି ଜେଗାରେ ‘ଆର୍ଟ୍
ଅନ୍ ହ୍ୱିଲ୍ସ୍’ର କଥା
ଉଠୁଛି । ପାଠୀ ମହାଶୟଙ୍କର ଯୀଶୁ ଖ୍ରୀଷ୍ଟ ରଥ ବୋଧହୁଏ ଥିଲା ଓଡ଼ିଶାର ପ୍ରଥମ ‘ଆର୍ଟ ଅନ୍ ହ୍ୱିଲ୍ସ୍’ - ଅର୍ଥାତ୍ ରଥକଳା ।
ଟୀକା: ଏହି ଲେଖାଟିର ଉପାଦାନ
ଦୀନନାଥ ପାଠୀଙ୍କର ଆତ୍ମ ଜୀବନୀ ‘ପୁଞ୍ଜିକୟାଁର
ଫକୀର’ରୁ ସଙ୍ଗୃହିତ । ଏହି କୁନି ପ୍ରବନ୍ଧଟି ପ୍ରଥମେ ପାକ୍ଷିକ
ପତ୍ରିକା ‘ସମଦୃଷ୍ଟି’ର ୨୦୧୬ ମସିହାରେ ପ୍ରକାଶିତ ୧-୧୫ ସେପ୍ଟେମ୍ବର ସଙ୍ଖ୍ୟାରେ ଛପିଥିଲା
।
No comments:
Post a Comment