Monday, December 22, 2025

ଯୀଶୁ ଖ୍ରୀଷ୍ଟ ରଥ

ଶୈଲେନ ରାଉତରାୟ


ରୋମ୍ ନଗରୀସ୍ଥ ସନ୍ଥ ପିଟରଙ୍କର ବାସିଲିକା ତଳେ ଗୋଟିଏ
ସମାଧିର ଛାତରେ ଥିବା ତୃତୀୟ ଶତାବ୍ଦୀର ଯୀଶୁ ଖ୍ରୀଷ୍ଟଙ୍କର ଏକ ମୋଜାଗି
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ଲେଇନାଡ଼୍-ଜେଡ଼୍ 
“ମା’ରେ ତାଳି,
ତା’ ପଡ଼ିଶା ବନମାଳୀ
ବନମାଳୀ ବିକେ ଉପମା
ତା’ ପଡ଼ିଶା ମଣ୍ଡିସୁମା ।”
- ଶ୍ୟାମ ପାଠୀ (‘ପୁଞ୍ଜିକୟାଁର ଫକୀର’ ଓ ଦୀନନାଥ ପାଠୀଙ୍କ ନନା)
 
ଭାରତର ସମସାମୟିକ ସଂସ୍କୃତିକୁ ରଥ ସଂସ୍କୃତି ବୋଲି କୁହାଯାଇପାରେ । ନେତାମାନେ ଲୋକମାନଙ୍କୁ ଧର୍ମ ନାମରେ ଉତ୍ତେଜିତ କରି ଭୋଟ ଗୋଟେଇବା ପାଇଁ, ଅଭିନେତାମାନେ ପ୍ରଚାର ନିମନ୍ତେ, ଅବସରପ୍ରାପ୍ତ ଅମଲାମାନେ ନୂଆ, ବିଦେଶୀ ଠାକୁରମାନଙ୍କୁ ଜନଜୀବନ ଭିତରକୁ ନିଜର ସ୍ୱାର୍ଥସାଧନ ପାଇଁ ଧସେଇ ପଶାଇବା ପାଇଁ, ରଥ ବୁଲାଉଛନ୍ତି - ମାଳମାଳ, ଅବିରତ । ଅବଶ୍ୟ ଆମର ଠାକୁର ଠାକୁରାଣୀମାନେ ଆଗରୁ ମଧ୍ୟ ରଥରେ ଯାତରା କରୁଥିଲେ । ମାତ୍ର ସେ ସଂସ୍କୃତି ଓ ଏ ନୂଆ ସଂସ୍କୃତି ଭିତରେ କଅଣ କଅଣ ସାମ୍ୟ ଓ ଭିନ୍ନତା ରହିଛି, ତାହା ବୋଧହୁଏ ତତ୍ତ୍ୱବିଦ୍ ସମାଜବେତ୍ତା ମାନେ କହିପାରିବେ । ଏ ଅଧମ ଲେଖକ ନୁହେଁ ।

କିନ୍ତୁ ଓଡ଼ିଶାରେ କେବେ ଯୀଶୁ ଖ୍ରୀଷ୍ଟ ରଥ ବୁଲିବାର ଆପଣ ଶୁଣିଥିଲେ? ଚିତ୍ରଶିଳ୍ପୀ, ଗବେଷକ ତଥା ଲେଖକ ଦୀନନାଥ ପାଠୀଙ୍କର ଆତ୍ମଜୀବନୀମୂଳକ ବହି ‘ପୁଞ୍ଜିକୟାଁର ଫକୀର’ର ଏକ ଅଧ୍ୟାୟରେ ଆମେ ଭେଟୁ ଏହି ସୁନ୍ଦର ପରିକଳ୍ପନାଟିକୁ । ଏବେକୁ ନବେ ବର୍ଷରୁ ଅଧିକ ସମୟ ତଳେ ଗଞ୍ଜାମର ଦିଗପହଣ୍ଡିର ଜଣେ ବ୍ରାହ୍ମଣ ଶ୍ୟାମ ପାଠୀ ତାଙ୍କ ଗାଆଁର ଠାକୁରାଣୀ ଯାତ୍ରାରେ ବାହାର କରିଥିଲେ ଯୀଶୁ ଖ୍ରୀଷ୍ଟ ରଥ ।

ଶ୍ୟାମ ପାଠୀ ପାଇଟି ପାଇଁ ଚିତ୍ରକରର ବୃତ୍ତି ଆପଣାଇ ଥିଲେ । ଏହି କାମ ଯୋଗୁଁ ପରିବାରକୁ ରାଜକୃପା ଯେତେ ପରିମାଣରେ ମିଳିବା କଥା, ମିଳୁନଥିଲା । ଶ୍ୟାମ ପାଠୀ ଜଣେ ଆଶୁ କବି ମଧ୍ୟ ଥିଲେ । ଆଉ ସେ ଥିଲେ ଜଣେ ପକ୍କା ହନୁମାନ ଭକତ । ଗୀତ ବୋଲୁଥିଲେ । ତାହା ସହିତ କାଠ କଣ୍ଢେଇ ମଧ୍ୟ ଗଢ଼ୁଥିଲେ ।

ତାଙ୍କ ବଡ଼ ପୁଅ ‘ଲୋକା’ ଆଉ ସାନ ‘ଦିନ୍ନାଥ’, ଉଭୟ ମାତୁଥିଲେ ଚିତ୍ରକର ବୃତ୍ତିର ନାନା ଅଛିଣ୍ଡା କାମରେ - ମୁଖା ଓ ଡ଼୍ରାମା ପୋଷାକ ତିଆରି, ଠାକୁର ଦିଅଁ ବନକ, ବିଭା ବରତ ନିମନ୍ତେ କାନ୍ଥରେ ଚିତ୍ର, ସାଇନିବୋର୍ଡ଼୍ ଲେଖା, ବହି ବନ୍ଧେଇ, ଇତ୍ୟାଦି ନାନା ଚିତ୍ରାଙ୍ଗି କାମ ତାଙ୍କ ପରିବାର ଚଳାଉଥିବା ‘ଶିଳ୍ପକଳା ମନ୍ଦିର’ରେ ହେଉଥିଲା ।

ଏହି ପରିବାରର ମଉଡ଼ମଣି ଶାମ ପାଠୀ ନିଜ ଗାଁ’ର ଠାକୁରାଣୀ ଯାତ୍ରାରେ ବାହାର କରିଥିଲେ ଯୀଶୁଖ୍ରୀଷ୍ଟ ରଥ । ସେତେ ବେଳେ ଗାଆଁରେ ରଥ ନ ଗଡ଼ିଲେ ଠାକୁରାଣୀ ଯାତ ହେବା ସମ୍ଭବ ନଥିଲା । ଏହି ପରମ୍ପରା ପାଠୀ ଆଜ୍ଞାଙ୍କ ଗାଆଁରେ ଆଉ ନାହିଁ । ମାତ୍ର ବରମ୍ପୁର୍ ସହରରେ ଏବେ ବି ଅଛି ।

ପାଠୀଙ୍କ ଗାଁ’ରେ ରଥ ତିଆରୁଥିଲେ ସାଆନ୍ତରା ସାହିର ଚିତ୍ରକର ପରିବାର । ମାତ୍ର ସେମାନେ ଥିଲେ ନିତାନ୍ତ ପାରମ୍ପରିକ । କିଛି ନୂଆ କଥା କରିବା ସେମାନଙ୍କ ମଗଜକୁ ଢୁକୁନଥିଲା । ଠାକୁରାଣୀ ଯାତ୍ରା ଆୟୋଜନ କରୁଥିବା ବେଲମା ସାଇର ଗଜାଟୋକାଙ୍କୁ ବରଷେ ଏ ମରହଟ୍ଟିଆ ଛାଞ୍ଚ ନ ରୁଚିବାରୁ ସେମାନେ ଆଧୁନିକ କିଛି ଚାହିଁଲେ ।

ବାମୁଣ ସାଇର ଶ୍ୟାମ ପାଠୀ ସାନ୍ତରା ସାଇର ଚିତ୍ରକରମାନଙ୍କ ସହିତ ମିଶି ନୂଆ କିଛି କରିବାର ପ୍ରତିଶ୍ରୁତି ଦେଲେ । ଠିକ୍ ହେଲା ଘନଶ୍ୟାମ ମହାପାତ୍ର ନିଜେ ସ୍ୱଦେହରେ ନିଶ, ଦାଢ଼ି ଲଗାଇ, ଉପଯୁକ୍ତ ଜାମାଯୋଡ଼ ପିନ୍ଧି ଯୀଶୁ ଖ୍ରୀଷ୍ଟ ଭୂମିକାରେ ରଥାଋଢ଼ ହୋଇ ଅବତୀର୍ଣ୍ଣ ହେବେ ।

ଠାକୁରାଣୀ ଯାତ୍ରାର ସମୟ ଆସିଲା । କ୍ରୁଶକାଠ ରଥ ଉପରେ ବନ୍ଧା ହେଲା । ମହାପାତ୍ରଙ୍କୁ ବେଶଭୂଷା କରି ରଥ ଉପରେ କ୍ରୁଶ ସହ ବାନ୍ଧି ଦିଆଗଲା । ଦୁଇ ହାତ ଦୁଇ ଆଡ଼କୁ ମେଲା କରି ବେଡ଼ି ଦଉଡ଼ିରେ ବନ୍ଧା ହେଲା । ଗୋଡ଼ ଦିଓଟିକୁ ଏକାଠି କରାଗଲା । ତାହାକୁ ନଳିଗଣ୍ଠା ପରି ଆଉ ସେରିଏ ବନ୍ଧା ଗଲା । ଅଣ୍ଟାକୁ କ୍ରୁଶ କାଠ ସହ ଗାମୁଛା ସହିତ ଯୋଡ଼ି ଆଣ୍ଟ କରି ଛନ୍ଦି ଦିଆଗଲା । ମହାପାତ୍ରେ ପିନ୍ଧିଥାଆନ୍ତି ଫାଲଟାମରା ଗାମୁଛା ଖଣ୍ଡିଏ । ବିନା ଅନ୍ତର୍ବସ୍ତ୍ରରେ । ବଡ଼ଦାଣ୍ଡକୁ ରଥ ଆସିଲାପରେ ତାହାର ଘୋଡ଼ଣି ଖୋଲିଦିଆଗଲା ।

ଲୋକେ ଏ ନୂଆ କାଣ୍ଡକାରଖାନା ଦେଖି ଅସମ୍ଭାଳ ହେଲେ । ଯୀଶୁଙ୍କ ମହିମା ବିଷୟରେ ଶୁଣିଥିବା ଲୋକେ ହାତଟେକି ଶରଣାଗତି ମୁଦ୍ରାରେ କୃପାଭିକ୍ଷା କଲେ । ରଥାଋଢ଼ ଯୀଶୁଙ୍କର ମହିମା ବିଷୟରେ ବେଲମା ସାହିର କିଛି ପିଲା ସାଙ୍ଗେସାଙ୍ଗେ ପ୍ରଚାର ଆରମ୍ଭ କଲେ । ଜାଗିଲି ସାହିର କିଛି ମାଇପେ ଜବର ହୁଳୁହୁଳି ମଧ୍ୟ ପକାଇବାକୁ ଆରମ୍ଭ କରିଦେଲେ । ହୁଳୁହୁଳିର କାରଣ ପଚାରିବାରୁ ଉତ୍ତର ମିଳିଲା -‘ଯିଏ ରଥରେ ବିଜେ କଲା ସିଏ ରଜା ନ ହେଲେ ଠାକୁର’ ।

ରଥ ରଚନା ଓ ତାହାର ସାଜସଜ୍ଜାକୁ ନେଇ ଗାଆଁଟିରେ ଏ ପର୍ଯ୍ୟନ୍ତ ଆଖ୍ୟାୟିକାମାନ ବିଛାଡ଼ି ହୋଇ ପଡ଼ିଛି । ଆଉ ପ୍ରାୟ ଆଖ୍ୟାୟିକାର ମଝିରେ ଅଛନ୍ତି ଜଣେ ଲୋକ, ଶ୍ୟାମ ପାଠୀ । ଏବେ କିଛି ଜେଗାରେ ‘ଆର୍ଟ୍ ଅନ୍ ହ୍ୱିଲ୍ସ୍’ର କଥା ଉଠୁଛି । ପାଠୀ ମହାଶୟଙ୍କର ଯୀଶୁ ଖ୍ରୀଷ୍ଟ ରଥ ବୋଧହୁଏ ଥିଲା ଓଡ଼ିଶାର ପ୍ରଥମ ‘ଆର୍ଟ ଅନ୍ ହ୍ୱିଲ୍ସ୍’ - ଅର୍ଥାତ୍ ରଥକଳା ।

ଟୀକା: ଏହି ଲେଖାଟିର ଉପାଦାନ ଦୀନନାଥ ପାଠୀଙ୍କର ଆତ୍ମ ଜୀବନୀ ‘ପୁଞ୍ଜିକୟାଁର ଫକୀର’ରୁ  ସଙ୍ଗୃହିତ । ଏହି କୁନି ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା ‘ସମଦୃଷ୍ଟି’ର ୨୦୧୬ ମସିହାରେ ପ୍ରକାଶିତ ୧-୧୫ ସେପ୍ଟେମ୍ବର ସଙ୍ଖ୍ୟାରେ ଛପିଥିଲା ।  

No comments:

Post a Comment

I Ramakanta Samantaray Translated by Sailen Routray Painting by Padmaja Routray (2025) When I look for him he is never to be found at hand. ...