Wednesday, September 15, 2021

ପୁରୀ ଜିଲ୍ଲାରେ ଦଳିତ ଜୀବନ

ଶୈଲେନ ରାଉତରାୟ


ପୁରୀ ଜିଲ୍ଲାର ଏକ ଗାଁରେ ଚାଷବାସ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଓଡ଼ିଶାର ପ୍ରସିଦ୍ଧ ଲେଖକ, ଗବେଷକ ତଥା ଲୋକତତ୍ତ୍ୱବିଦ୍ କୁଞ୍ଜବିହାରୀ  ଦାଶ (୧୯୧୪-୧୯୯୪) ଙ୍କର ଗାଁ ହେଲା ପୁରୀ ଜିଲ୍ଲାର ରେଞ୍ଚ ଶାସନ । ମକଦ୍ଦମୀ ଗାଁ । କୁଞ୍ଜବିହାରୀ ବାବୁଙ୍କର ପିଲାବେଳେ, ସ୍ୱାଧୀନତାର ପ୍ରାକ୍ କାଳରେ, ଦୁଇ ଜଣ 'ଭୋଇ' ଜାତିର ଲୋକ ତାଙ୍କ ଘରେ 'ଲୋକ ଲାଗିଥିଲେ' । କେଳା ଓ ଉଚ୍ଛବା - ଦୁଇଜଣଯାକ ଛଅମାସିଆ ଲାଗିଥିଲେ ।

ଏହି କାମ ପାଇଁ ସେମାନେ ନଅ ଗୁଣ୍ଠ ଜମି ହେତା, ମାସିକିଆ ପଡ଼ି ମୂଲ ଛଅ ଗଉଣି ଧାନ, ଧାନକଟା ବେଳେ ୧୦/୧୨ ଗଉଣୀ ଧାନ ନେଉଥିଲେ । ଏହା ଛଡ଼ା ପର୍ବପର୍ବାଣୀମାନଙ୍କରେ ତାଙ୍କ ଘରେ ଖାଉଥିଲେ ଓ ବାଉଁଶିଆରେ ସଜାଡ଼ି ଘର ଲୋକଙ୍କ ପାଇ ନେଉଥିଲେ । ଦୋଳକୁ ଭୁଜାଖିଆ, ରଜକୁ ମୁଢ଼ି ନଡ଼ିଆ, ଓ ବର୍ଷିକିଆ ଥାକ ହିସାବରେ ଥରେ ଶୀତ ଚାଦର ଓ ଗାମୁଛା ଇତ୍ୟାଦି ମଧ୍ୟ ତାଙ୍କର ପ୍ରାପ୍ୟ ଥିଲା ।

ଏହି ପରି ଲୋକ ଲାଗୁଥିବା ପୁରୁଷମାନେ କଠିନ ଶରୀରଶ୍ରମ କରୁଥିଲେ । କରିବାକୁ ପଡ଼ୁଥିଲା । ବିଲକାମ କରି ଫେରିଲା ବେଳକୁ ନିଜ ବଳଦ ପାଇଁ ଘାସ କାଟନ୍ତି । ବେଳ ମିଳିଲେ ବସି ବାଣି କାଟନ୍ତି ନହେଲେ ମୁନ୍ଦୁରା ବୁଣନ୍ତି । ଭୋଇସାଇର ଲୋକେ ଥିଲେ ଗାଁରେ ସବୁଠାରୁ ଗରୀବ । ବାପାମା ଦୁଇ ଜଣ ଯାକଙ୍କୁ ଖଟିବାକୁ ପଡୁଥିଲା ଭୋଇ ପରିବାରମାନଙ୍କରେ, କୁଟୁମ୍ବର ପ୍ରତିପୋଷଣ ପାଇଁ । 

ସାଇର ବୁଢ଼ୀମାନେ, ଯେଉଁମାନେ ଆଉ କାମକୁ ପାରୁନଥିଲେ, ସେମାନେ ଘରେ ରହି ପିଲାଛୁଆଙ୍କ ଉପରେ ଆଖି ରଖୁଥିଲେ, ସେମାନଙ୍କୁ ସମ୍ଭାଳୁଥିଲେ, ସେମାନଙ୍କ କଥା ବୁଝୁଥିଲେ ।  ସାଇର ଛୋଟପିଲା ଗୋରୁ ଜଗୁଥିଲେ । ଟିକେ ବଡ଼ ହୋଇଗଲେ ସାଆନ୍ତମାନଙ୍କ ଘରେ ସେମାନେ ମୂଲ ଲାଗୁଥିଲେ । ଭୋଇସାଇର ମୂଲିଆମାନେ କଥା ରଖିପାରନ୍ତି ନାହିଁ । ଜବାବ ଦିଅନ୍ତି ଜଣଙ୍କୁ, ହେଲେ ଯାଆନ୍ତି ଆଉ ଜଣଙ୍କର କାମକୁ । ନଗଦ ଯିଏ ଦିଏ, ତା' କାମକୁ ଯାଆନ୍ତି । ବୁଭୁକ୍ଷିତଃ କିଂ ନ କରୋତି ପାପମ୍ । 

ନିତିଦିନିଆ ଖାଦ୍ୟ ଭିତରେ ଚଳୁଥିଲା ମାଣ୍ଡିଆ ଜାଉ, କୋଳଥ ଜାଉ, ସୁଆଁ ଜାଉ ଓ ନାନାଦି ଶାଗ । ପୋଖରୀରୁ ମିଳୁଥିଲା କାନ୍ଦୁରୀ ଶାଗ । ପୋଖରୀ ବନ୍ଧରୁ ସ୍ତ୍ରୀଲୋକେ ଗୋଟେଇ ଆଣୁଥିଲେ ସୁନୁସୁନିଆ ଓ ପିତା ଶାଗ । ହିଡ଼ିମିଚ଼ା, ମଦରଙ୍ଗା, ପୁରୁଣି ଆଦି ଶାଗ ଗହୀରମାନଙ୍କରୁ ସାଉଁଟା ଯାଉଥିଲା । କୋଳଥ ବିଲରୁ ଗଇଶ ଶାଗ ମଧ୍ୟ ଭୋଇଆଣୀମାନେ ଘିଞ୍ଚିଆଣି ଖରଡ଼ୁଥିଲେ । 

ଭାତ ଗଣ୍ଡିଏ ନିୟମିତ ଖାଇବା ଭୋଇ ସାଇର ଅଧିକାଂଶ ଲୋକଙ୍କ ଭାଗ୍ୟରେ ଲେଖା ନଥିଲା । ଅନେକ ସମୟରେ ବିଲର ହିଡ଼ମାନଙ୍କରୁ ଗେଣ୍ଡା ଓ ଶାମୁକା ଇତ୍ୟାଦି ସଙ୍ଗ୍ରହ କରି ତୁଣ ତରକାରୀ କରି ଖିଆଯାଉଥିଲା । ବିଲ କଙ୍କଡ଼ା ପୋଡ଼ି, ଲଙ୍କା ଲୁଣ ସହିତ ମଳି, ଚଟଣି କରି ମଧ୍ୟ ଚଳୁଥିଲା । ସୁଆଁ ଓ ବାଳୁଙ୍ଗା ସଙ୍ଗ୍ରହ କରି, ସେଥିରୁ ଚାଉଳ ବାହାର କରି ସେଥିରେ ଭୋଇ  ପରିବାରର ସ୍ତ୍ରୀଲୋକମାନେ ଜାଉ, ନହେଲେ ଭାତ ରାନ୍ଧୁଥିଲେ ।

ପୁରୁଷଲୋକେ ଏକାଠି ହୋଇ କୁକୁର ଧରି ଠେକୁଆ ମାରି ଯାଆନ୍ତି । କିଆବାଡ଼ରୁ କଇଁଛ କି ବାହ୍ମୁଣୀ ବେଙ୍ଗ ଧରି ଖାଆନ୍ତି ।  
 
ଶାଗ ତୋଳିବା ଛଡ଼ା ଜାଳ ଗୋଟାଇବା ଓ ମୂଲ ଲାଗିଯିବା ଭୋଇ ଜାତିର ସ୍ତ୍ରୀଲୋକମାନଙ୍କର ଥିଲା ନୈମିତିକ କାମ । ଜାଳ ସଙ୍ଗ୍ରହ କରିବା ଥିଲା ଏକ ବଡ଼ କାମ । ଭୋଇମାଇପିମାନେ ଜାଳ ପାଇଁ ତୋଟାମାନଙ୍କରୁ ପତର ଗୋଟାଉଥିଲେ । କୋଠଜମିର ଗଛମାନଙ୍କରୁ ଶୁଖିଲା ଡାଙ୍ଗ ଇତ୍ୟାଦି ଭାଙ୍ଗୁଥିଲେ । ବିଲରୁ ଗୋବର ଗୋଟେଇ ମଧ୍ୟ ଘଷି ପରାଯାଉଥିଲା । କିଆଘୋଡ଼ି କାଟିଆଣି ଚୁଲିରେ ଜାଳ ଭାବରେ ରାନ୍ଧିବା ପାଇଁ ଉପଯୋଗ କରାଯାଉଥିଲା । 

ନାରୀ ପୁରୁଷଙ୍କର ସମ୍ପର୍କରେ ସାମ୍ୟ ଥିଲା । ଯେହେତୁ ପରିବାର ଚଳାଇବାରେ ସ୍ତ୍ରୀଲୋକଙ୍କର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହୁଥିଲା, ଭୋଇ ସମାଜରେ ପୁରୁଷର ନାରୀ ଉପରେ ଅନାଚାର ଓ ଜୁଲୁମ ନଥିଲା । ଭୋଇ ମହିଳାମାନେ ଖାଇବା ପିନ୍ଧିବା ପାଇଁ ସେମାନଙ୍କ ପୁରୁଷଲୋକଙ୍କ ଉପରେ ନିର୍ଭରଶୀଳ ନଥିଲେ ଓ ସ୍ୱାଧୀନ ଭାବରେ ଜୀବନଯାପନ କରୁଥିଲେ । 

ଅଳଙ୍କାର ବୋଇଲେ ଭୋଇ ଜାତିର ମହିଳାମାନେ ହାତରେ ପିତ୍ତଳବାହୀ ପିନ୍ଧୁଥିଲେ; ନାକରେ ପିତ୍ତଳର ନାକଫୁଲ ଓ କାନରେ ପିତ୍ତଳ କାନଫୁଲ ପରିଧାନ କରୁଥିଲେ; ପାଦରେ ନାଉଥିଲେ ରସମୁଦି । ପୁରୁଷମାନଙ୍କ ଅପେକ୍ଷା ସ୍ତ୍ରୀଲୋକମାନେ ବେଶୀ ଖଟୁଥିଲେ -  ଘର ବାହାରେ ମାଟି ବୁହା, ବିଲ ବଛା, ଧାନ କଟା, ମୁଗ ବିରି ଇତ୍ୟାଦି ଓପଡ଼ା; ନିଜ ଘରେ ଧାନ ଉସାଁ, ଶୁଖା ଓ କୁଟା, ଚାଉଳ ପାଛୁଡ଼ା, ଜାଉ ରନ୍ଧା, ପିଲାଙ୍କ କଥା ବୁଝିବା ଇତ୍ୟାଦି ସବୁ କାମ ଜାତିର ସ୍ତ୍ରୀଲୋକମାନଙ୍କୁ କରିବାକୁ ପଡ଼େ । ତଥାପି ପେଟକୁ ଭଲକି ଦି ମୁଠା ଖାଇବାକୁ ମିଳେ ନାହିଁ ।

ପଇସା କିଛି ହାତକୁ ଆସିଲେ ଭୋଇସାଇର ପୁରୁଷଲୋକେ ଖଜୁରି ତାଡ଼ି କିଣି ପିଉଥିଲେ । ବିଭାଘରେ ମଦ୍ୟପାନ ହେଉଥିଲା । ପୁରୁଷଲୋକେ ତାଡ଼ି ପିଇ ଘୁମୁରା ବଜାଉଥିଲେ । ଜାଳ ଅଭାବରୁ କି କଅଣ ଜଣା ନାହିଁ, ଭୋଇମାନଙ୍କର ମୁର୍ଦ୍ଦାରଟିମାନ ପୋଡ଼ା ନଯାଇ ପୋତା ହେଉଥିଲେ । ହାଡ଼ି ଜାତିର ଲୋକମାନେ ମଧ୍ୟ ବହୁ ଦୁଃଖକଷ୍ଟରେ ଚଳୁଥିଲେ । ବେତ ଓ ବାଉଁଶରେ ଗଉଣୀ, ମାଣ, ପେଟେରା, ବେତା, ଟୋକେଇ ଇତ୍ୟାଦି ହାତରେ ବୁଣି, ବୁଲେଇ ବିକ୍ରି କରୁଥିଲେ । ବିବାହ ଇତ୍ୟାଦିରେ ବାଜା ବଜାଉଥିଲେ । 

ବି.ଦ୍ର.: ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପିଥିଲା । ଲେଖାଟିର ଉପାଦାନ କୁଞ୍ଜବିହାରୀ ଦାଶଙ୍କର ଆତ୍ମଜୀବନୀ 'ମୋ କାହାଣୀ'ରୁ ସଙ୍ଗୃହିତ । ଏହି ଲେଖକ ବ୍ୟବହାର କରିଥିବା ସଂସ୍କରଣଟି କଟକସ୍ଥ ପ୍ରକାଶନ ସଂସ୍ଥା ଓଡ଼ିଶା ବୁକ ଷ୍ଟୋର ୨୦୦୭ ମସିହାରେ ଛାପିଥିବା 'କୁଞ୍ଜବିହାରୀ ଗ୍ରନ୍ଥାବଳୀ'ର ସପ୍ତମଭାଗର [ଚତୁର୍ଥ ପ୍ରକାଶ] ଅଂଶ । ବହିଟିର ପ୍ରଥମ ମୁଦ୍ରଣ ୧୯୭୬ରେ ହୋଇଥିଲା । 

No comments:

Post a Comment

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....