Wednesday, September 15, 2021

ପୁରୀ ଜିଲ୍ଲାରେ ଦଳିତ ଜୀବନ

                          (Puri Jillare Dalit Jibana: Dalit lives in Puri District)

ଶୈଲେନ ରାଉତରାୟ


ଏହି ପ୍ରବନ୍ଧଟି ୧୯୨୦–୩୦ ଦଶକରେ ପୁରୀ ଜିଲ୍ଲାର ଦଳିତ ଜୀବନର ଛବି ଦିଏ ।
(This article by Sailen Routray describes Dalit lives in Puri district during the 1920s–30s.)

ଓଡ଼ିଶାର ପ୍ରସିଦ୍ଧ ଲେଖକ, ଗବେଷକ ତଥା ଲୋକତତ୍ତ୍ୱବିଦ୍ କୁଞ୍ଜବିହାରୀ  ଦାଶ (୧୯୧୪-୧୯୯୪) ଙ୍କର ଗାଁ ହେଲା ପୁରୀ ଜିଲ୍ଲାର ରେଞ୍ଚ ଶାସନ । ମକଦ୍ଦମୀ ଗାଁ । କୁଞ୍ଜବିହାରୀ ବାବୁଙ୍କର ପିଲାବେଳେ, ସ୍ୱାଧୀନତାର ପ୍ରାକ୍ କାଳରେ, ଦୁଇ ଜଣ 'ଭୋଇ' ଜାତିର ଲୋକ ତାଙ୍କ ଘରେ 'ଲୋକ ଲାଗିଥିଲେ' । କେଳା ଓ ଉଚ୍ଛବା - ଦୁଇଜଣଯାକ ଛଅମାସିଆ ଲାଗିଥିଲେ ।

ଏହି କାମ ପାଇଁ ସେମାନେ ନଅ ଗୁଣ୍ଠ ଜମି ହେତା, ମାସିକିଆ ପଡ଼ି ମୂଲ ଛଅ ଗଉଣି ଧାନ, ଧାନକଟା ବେଳେ ୧୦/୧୨ ଗଉଣୀ ଧାନ ନେଉଥିଲେ । ଏହା ଛଡ଼ା ପର୍ବପର୍ବାଣୀମାନଙ୍କରେ ତାଙ୍କ ଘରେ ଖାଉଥିଲେ ଓ ବାଉଁଶିଆରେ ସଜାଡ଼ି ଘର ଲୋକଙ୍କ ପାଇ ନେଉଥିଲେ । ଦୋଳକୁ ଭୁଜାଖିଆ, ରଜକୁ ମୁଢ଼ି ନଡ଼ିଆ, ଓ ବର୍ଷିକିଆ ଥାକ ହିସାବରେ ଥରେ ଶୀତ ଚାଦର ଓ ଗାମୁଛା ଇତ୍ୟାଦି ମଧ୍ୟ ତାଙ୍କର ପ୍ରାପ୍ୟ ଥିଲା ।

ଏହି ପରି ଲୋକ ଲାଗୁଥିବା ପୁରୁଷମାନେ କଠିନ ଶରୀରଶ୍ରମ କରୁଥିଲେ । କରିବାକୁ ପଡ଼ୁଥିଲା । ବିଲକାମ କରି ଫେରିଲା ବେଳକୁ ନିଜ ବଳଦ ପାଇଁ ଘାସ କାଟନ୍ତି । ବେଳ ମିଳିଲେ ବସି ବାଣି କାଟନ୍ତି ନହେଲେ ମୁନ୍ଦୁରା ବୁଣନ୍ତି । ଭୋଇସାଇର ଲୋକେ ଥିଲେ ଗାଁରେ ସବୁଠାରୁ ଗରୀବ । ବାପାମା ଦୁଇ ଜଣ ଯାକଙ୍କୁ ଖଟିବାକୁ ପଡୁଥିଲା ଭୋଇ ପରିବାରମାନଙ୍କରେ, କୁଟୁମ୍ବର ପ୍ରତିପୋଷଣ ପାଇଁ । 

ସାଇର ବୁଢ଼ୀମାନେ, ଯେଉଁମାନେ ଆଉ କାମକୁ ପାରୁନଥିଲେ, ସେମାନେ ଘରେ ରହି ପିଲାଛୁଆଙ୍କ ଉପରେ ଆଖି ରଖୁଥିଲେ, ସେମାନଙ୍କୁ ସମ୍ଭାଳୁଥିଲେ, ସେମାନଙ୍କ କଥା ବୁଝୁଥିଲେ ।  ସାଇର ଛୋଟପିଲା ଗୋରୁ ଜଗୁଥିଲେ । ଟିକେ ବଡ଼ ହୋଇଗଲେ ସାଆନ୍ତମାନଙ୍କ ଘରେ ସେମାନେ ମୂଲ ଲାଗୁଥିଲେ । ଭୋଇସାଇର ମୂଲିଆମାନେ କଥା ରଖିପାରନ୍ତି ନାହିଁ । ଜବାବ ଦିଅନ୍ତି ଜଣଙ୍କୁ, ହେଲେ ଯାଆନ୍ତି ଆଉ ଜଣଙ୍କର କାମକୁ । ନଗଦ ଯିଏ ଦିଏ, ତା' କାମକୁ ଯାଆନ୍ତି । ବୁଭୁକ୍ଷିତଃ କିଂ ନ କରୋତି ପାପମ୍ । 

ପୁରୀ ଜିଲ୍ଲାର ଏକ ଗାଁରେ ଚାଷବାସ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ନିତିଦିନିଆ ଖାଦ୍ୟ ଭିତରେ ଚଳୁଥିଲା ମାଣ୍ଡିଆ ଜାଉ, କୋଳଥ ଜାଉ, ସୁଆଁ ଜାଉ ଓ ନାନାଦି ଶାଗ । ପୋଖରୀରୁ ମିଳୁଥିଲା କାନ୍ଦୁରୀ ଶାଗ । ପୋଖରୀ ବନ୍ଧରୁ ସ୍ତ୍ରୀଲୋକେ ଗୋଟେଇ ଆଣୁଥିଲେ ସୁନୁସୁନିଆ ଓ ପିତା ଶାଗ । ହିଡ଼ିମିଚ଼ା, ମଦରଙ୍ଗା, ପୁରୁଣି ଆଦି ଶାଗ ଗହୀରମାନଙ୍କରୁ ସାଉଁଟା ଯାଉଥିଲା । କୋଳଥ ବିଲରୁ ଗଇଶ ଶାଗ ମଧ୍ୟ ଭୋଇଆଣୀମାନେ ଘିଞ୍ଚିଆଣି ଖରଡ଼ୁଥିଲେ । 

ଭାତ ଗଣ୍ଡିଏ ନିୟମିତ ଖାଇବା ଭୋଇ ସାଇର ଅଧିକାଂଶ ଲୋକଙ୍କ ଭାଗ୍ୟରେ ଲେଖା ନଥିଲା । ଅନେକ ସମୟରେ ବିଲର ହିଡ଼ମାନଙ୍କରୁ ଗେଣ୍ଡା ଓ ଶାମୁକା ଇତ୍ୟାଦି ସଙ୍ଗ୍ରହ କରି ତୁଣ ତରକାରୀ କରି ଖିଆଯାଉଥିଲା । ବିଲ କଙ୍କଡ଼ା ପୋଡ଼ି, ଲଙ୍କା ଲୁଣ ସହିତ ମଳି, ଚଟଣି କରି ମଧ୍ୟ ଚଳୁଥିଲା । ସୁଆଁ ଓ ବାଳୁଙ୍ଗା ସଙ୍ଗ୍ରହ କରି, ସେଥିରୁ ଚାଉଳ ବାହାର କରି ସେଥିରେ ଭୋଇ  ପରିବାରର ସ୍ତ୍ରୀଲୋକମାନେ ଜାଉ, ନହେଲେ ଭାତ ରାନ୍ଧୁଥିଲେ ।

ପୁରୁଷଲୋକେ ଏକାଠି ହୋଇ କୁକୁର ଧରି ଠେକୁଆ ମାରି ଯାଆନ୍ତି । କିଆବାଡ଼ରୁ କଇଁଛ କି ବାହ୍ମୁଣୀ ବେଙ୍ଗ ଧରି ଖାଆନ୍ତି ।  
 
ଶାଗ ତୋଳିବା ଛଡ଼ା ଜାଳ ଗୋଟାଇବା ଓ ମୂଲ ଲାଗିଯିବା ଭୋଇ ଜାତିର ସ୍ତ୍ରୀଲୋକମାନଙ୍କର ଥିଲା ନୈମିତିକ କାମ । ଜାଳ ସଙ୍ଗ୍ରହ କରିବା ଥିଲା ଏକ ବଡ଼ କାମ । ଭୋଇମାଇପିମାନେ ଜାଳ ପାଇଁ ତୋଟାମାନଙ୍କରୁ ପତର ଗୋଟାଉଥିଲେ । କୋଠଜମିର ଗଛମାନଙ୍କରୁ ଶୁଖିଲା ଡାଙ୍ଗ ଇତ୍ୟାଦି ଭାଙ୍ଗୁଥିଲେ । ବିଲରୁ ଗୋବର ଗୋଟେଇ ମଧ୍ୟ ଘଷି ପରାଯାଉଥିଲା । କିଆଘୋଡ଼ି କାଟିଆଣି ଚୁଲିରେ ଜାଳ ଭାବରେ ରାନ୍ଧିବା ପାଇଁ ଉପଯୋଗ କରାଯାଉଥିଲା । 

ନାରୀ ପୁରୁଷଙ୍କର ସମ୍ପର୍କରେ ସାମ୍ୟ ଥିଲା । ଯେହେତୁ ପରିବାର ଚଳାଇବାରେ ସ୍ତ୍ରୀଲୋକଙ୍କର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହୁଥିଲା, ଭୋଇ ସମାଜରେ ପୁରୁଷର ନାରୀ ଉପରେ ଅନାଚାର ଓ ଜୁଲୁମ ନଥିଲା । ଭୋଇ ମହିଳାମାନେ ଖାଇବା ପିନ୍ଧିବା ପାଇଁ ସେମାନଙ୍କ ପୁରୁଷଲୋକଙ୍କ ଉପରେ ନିର୍ଭରଶୀଳ ନଥିଲେ ଓ ସ୍ୱାଧୀନ ଭାବରେ ଜୀବନଯାପନ କରୁଥିଲେ । 

ଅଳଙ୍କାର ବୋଇଲେ ଭୋଇ ଜାତିର ମହିଳାମାନେ ହାତରେ ପିତ୍ତଳବାହୀ ପିନ୍ଧୁଥିଲେ; ନାକରେ ପିତ୍ତଳର ନାକଫୁଲ ଓ କାନରେ ପିତ୍ତଳ କାନଫୁଲ ପରିଧାନ କରୁଥିଲେ; ପାଦରେ ନାଉଥିଲେ ରସମୁଦି । ପୁରୁଷମାନଙ୍କ ଅପେକ୍ଷା ସ୍ତ୍ରୀଲୋକମାନେ ବେଶୀ ଖଟୁଥିଲେ -  ଘର ବାହାରେ ମାଟି ବୁହା, ବିଲ ବଛା, ଧାନ କଟା, ମୁଗ ବିରି ଇତ୍ୟାଦି ଓପଡ଼ା; ନିଜ ଘରେ ଧାନ ଉସାଁ, ଶୁଖା ଓ କୁଟା, ଚାଉଳ ପାଛୁଡ଼ା, ଜାଉ ରନ୍ଧା, ପିଲାଙ୍କ କଥା ବୁଝିବା ଇତ୍ୟାଦି ସବୁ କାମ ଜାତିର ସ୍ତ୍ରୀଲୋକମାନଙ୍କୁ କରିବାକୁ ପଡ଼େ । ତଥାପି ପେଟକୁ ଭଲକି ଦି ମୁଠା ଖାଇବାକୁ ମିଳେ ନାହିଁ ।

ପଇସା କିଛି ହାତକୁ ଆସିଲେ ଭୋଇସାଇର ପୁରୁଷଲୋକେ ଖଜୁରି ତାଡ଼ି କିଣି ପିଉଥିଲେ । ବିଭାଘରେ ମଦ୍ୟପାନ ହେଉଥିଲା । ପୁରୁଷଲୋକେ ତାଡ଼ି ପିଇ ଘୁମୁରା ବଜାଉଥିଲେ । ଜାଳ ଅଭାବରୁ କି କଅଣ ଜଣା ନାହିଁ, ଭୋଇମାନଙ୍କର ମୁର୍ଦ୍ଦାରଟିମାନ ପୋଡ଼ା ନଯାଇ ପୋତା ହେଉଥିଲେ । ହାଡ଼ି ଜାତିର ଲୋକମାନେ ମଧ୍ୟ ବହୁ ଦୁଃଖକଷ୍ଟରେ ଚଳୁଥିଲେ । ବେତ ଓ ବାଉଁଶରେ ଗଉଣୀ, ମାଣ, ପେଟେରା, ବେତା, ଟୋକେଇ ଇତ୍ୟାଦି ହାତରେ ବୁଣି, ବୁଲେଇ ବିକ୍ରି କରୁଥିଲେ । ବିବାହ ଇତ୍ୟାଦିରେ ବାଜା ବଜାଉଥିଲେ । 

ବି.ଦ୍ର.: ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପିଥିଲା । ଲେଖାଟିର ଉପାଦାନ କୁଞ୍ଜବିହାରୀ ଦାଶଙ୍କର ଆତ୍ମଜୀବନୀ 'ମୋ କାହାଣୀ'ରୁ ସଙ୍ଗୃହିତ । ଏହି ଲେଖକ ବ୍ୟବହାର କରିଥିବା ସଂସ୍କରଣଟି କଟକସ୍ଥ ପ୍ରକାଶନ ସଂସ୍ଥା ଓଡ଼ିଶା ବୁକ ଷ୍ଟୋର ୨୦୦୭ ମସିହାରେ ଛାପିଥିବା 'କୁଞ୍ଜବିହାରୀ ଗ୍ରନ୍ଥାବଳୀ'ର ସପ୍ତମଭାଗର [ଚତୁର୍ଥ ପ୍ରକାଶ] ଅଂଶ । ବହିଟିର ପ୍ରଥମ ମୁଦ୍ରଣ ୧୯୭୬ରେ ହୋଇଥିଲା । 

This essay describes the lives of Dalit communities in Odisha's Puri district in the 1920s and 1930s. It draws upon Odia scholar Kunjabihari Tripathy's autobiography 'Mo Kahani" as source material. 

Tagspuri odisha dalit life, dalit history odisha, odia essay dalit life, puri village life 1920s, puri village life 1920s, odisha social history

No comments:

Post a Comment

କଟକରେ ଘର ଶୈଲେନ ରାଉତରାୟ କଟକସ୍ଥ ଜାମା ମସଜିଦ୍ (୧୮୧୫) ଫଟୋ କ୍ରେଡ଼଼ିଟ୍ - ୱିକିମିଡିଆ କମନ୍ସ୍ ଯୁଦ୍ଧର ଆସନ୍ନ ବାଦଲରେ କଳା ୧୯୭୧ ମସିହାର ସୁଦଶାବ୍ରତର ଦିନ । କଟକର...