ପୁରୁଣା ଆସେମ୍ବ୍ଲି
ଶୈଲେନ ରାଉତରାୟ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ଅଜିତ କୁମାର ସାହୁ |
ଆମେ
ପ୍ରଥମ ଥର ପାଇଁ ପୁରୁଣା ଆସେମ୍ବ୍ଲି ପାଖରେ ଥିବା ସେକେଣ୍ଡ ହାଣ୍ଡ ବହି ଦୋକାନ ବୁଲି ଆସିଚେ ।
ଆଗରୁ ଅବଶ୍ୟ ଅନେକ ଥର ଆସିଚେ ଏଇ ଏରିଆକୁ । ହେଲେ ମାର୍କେଟ ବିଲ୍ଡ଼ିଙ୍ଗ୍କୁ । ଆଜି ଏହି ବହି
ଦୋକାନଗୁଡ଼ିକୁ ପ୍ରଥମ ବାରି ।
ତମେ
ଫିଜିକ୍ସ୍ ଟେକ୍ସ୍ଟବୁକ୍, ପିଲାଙ୍କ ବହି ଖେଳଉଚ । ମୁଁ ଓଡ଼ିଆ ଆଉ ଇଂରାଜୀ ଉପନ୍ୟାସ ଆଉ ନନ୍ଫିକ୍ସନ୍
।
“ସାର୍, ଏପଟେ ଦେଖନ୍ତୁ, ନୂଆ ବହି ଆସିଚି,” ବୋଲି ବୁନୁ କହିଲାରୁ ମୁଁ ବୁଲି ପଡ଼ି
ସେପଟେ ଦେଖିଲା ବେଳକୁ ସତରେ କିଛି ଭଲ ବହି ଆସିଚି ।
ସବା
ଉପରେ ଥୁଆ ହେଇଚି ‘ନାଥାନ୍
କୁଲ୍ଟର୍’ । ଏଠି ୱେଣ୍ଡେଲ୍ ବେରି କିଏ ପଢ଼େ ? ଯଦିଓ ବାଇଶ ବର୍ଷ ତଳେ ଇଷ୍ଟ ଟାୱାରରୁ
ବାହାରି ରାଜମହଲ ଛକ ରାସ୍ତାକୁ ଯିବା ଗଳିରେ ବାଁ ପଟେ ଥିବା ପୁରୁଣା ବହି ଦୋକାନରେ ମୋତେ
ମିଳିଥିଲା ବେରିର ହିଁ ‘ସେକ୍ସ୍,
ଇକନମି, ଫ୍ରିଡମ୍ ଆଣ୍ଡ୍ କମ୍ୟୁନିଟି’ ବହିଟି – ସେକେଣ୍ଡ ହ୍ୟାଣ୍ଡ ।
ଏମିତି
ଭାବୁ ଭାବୁ ଅନ୍ୟମନସ୍କ ହୋଇ ମୋ’ ହାତ
ବାଜି ବହି ଥାକଟି ଗଳିପଡ଼ିଲା । ତଳେ ଅଛି ଥାକେ ପୁରୁଣା ଜହ୍ନମାମୁଁ । କିଛି ୧୯୭୦ ଦଶକର ଆଉ
କିଛି ୧୯୮୦ରୁ ୧୯୯୧-୯୨ ମସିହା ଭିତରର । ପ୍ରାୟତଃ ଭଲ ଅଛି । କାଗଜ ଯାହା ଟିକେ ମଳିଛିଆ
ପଡ଼ିଯାଇଚି ।
ମୁଁ
ବୁନୁକୁ ପଚାରୁଚି, “ଏଗୁଡ଼ାକ
କେତେ ଲେଖା ?”
ବୁନୁ
କହୁଚି, “ଯାହା
ଆଜ୍ଞା ଦେବେ” ।
“ଟଙ୍କାଟେ
ଲେଖାଏଁ?”
ବୁନୁ ହସୁଚି
।
ଆମେ
ପହଞ୍ଚିଲା ବେଳକୁ ଘୋରାଘୋରା କରିଥିଲା । କିଛି ମିନିଟ ହେଲା ଦେହରେ ଖରା ବାଜୁଚି ଟାଇଁଟାଇଁ ।
ତୁମେ ଖରାରୁ ଆସି ମୋ’ ପାଖରେ
ଛାଇରେ ଠିଆ ହେଇଚ ।
“ଜହ୍ମମାମୁଁ
ରଖୁଚ ବୋଲି ମତେ ତ କେବେ କହିନ?”
ଉତ୍ତରରେ
ବୁନୁ ବାଁ ହାତରେ ତା’
ଚୁଟିକୁ କୁଣ୍ଡଉଚି ।
ମୁଁ
ତୁମ ଆଡ଼କୁ ବୁଲି ପଚାରୁଚି, “କିଛି
ପାଇଲ ?”
ତୁମେ
ହାତରେ ଧରିଥିବା ସୁନ୍ଦର ଶାଗୁଆ ରଙ୍ଗର ମଲାଟ ଥିବା ଗୋଟେ ସାଇନ୍ସ୍ ଟେକ୍ସ୍ଟବହି ମତେ ଦେଖଉଚ ।
“ଦେଖ
ମୁଁ କଅଣ ପାଇଲି,” ମୁଁ
କହୁଚି ।
ତୁମେ
ଗୋଟିଏ ଜହ୍ନମାମୁଁ ଟେକି ଆଣି, ଖେଳେଇ ସାରି ପଢ଼ୁଚ । ମୁଁ ତୁମକୁ ଏତେ ଆଗ୍ରହର ସହ କେବେ କିଛି
ପଢ଼ିବାର ଦେଖିନି ।
ତୁମକୁ
ପଢ଼ିବାକୁ ଛାଡ଼ି ଦେଇ ମୁଁ ବହି ଖେଳଉଚି । ବହିର ଦୁଇଟି ଟେବୁଲୁ ଆଉ କେବିନି ଭିତରେ ଜେଗା ନାଇଁ
ବେଶି । ମୁଁ ଏପଟପେପଟ ହେବା ସମୟରେ ବେଳେ ବେଳେ ତୁମ ସହ ବାଜୁଚି । ଅନେକ ଥର ଜାଣିଜାଣି ।
ମୁଁ ‘ନାଥାନ କୁଲଟର,’ ‘ଅଟୋବାୟୋଗ୍ରାଫି ଅଫ୍ ଏ ୟୋଗି’ ଆଉ ପିଟର ରବିନ୍ସନ୍ର ‘ଏ ଡେଡିକେଟେଡ଼୍ ମ୍ୟାନ୍’ ବାଛି ସାରି ଅନେଇଲା ବେଳକୁ ତମେ ଅନ୍ୟ
ଗୋଟେ ଜହ୍ନମାମୁଁ ଦେଖୁଚ ।
“ତମେ
କଅଣ ଏଗୁଡ଼ା ନେବ ନା କଅଣ?”
ମୁଁ
କହୁଚି, “ହଁ,
ସବୁତକ” ।
ତମେ
କହୁଚ, “ମୋତେ କିଛି ଦବ । ମୁଁ ଗାଆଁକୁ ନେଇ ଯିବି ପଢ଼ିବା ପାଇଁ” ।
ମୁଁ
କହୁଚି, “ଗୋଟେ
ବି ନୁହଁ । ମୋତେ କଅଣ ମିଳିବ ?”
ତୁମେ
ଫିକ୍ କିନା ହସି ଦଉଚ ।
ତୁମକୁ
ପ୍ରଥମ ଥର ଦେଖିବାକୁ ଯାଇ ଫେରିଲା ବେଳକୁ, ମୁଁ “ହଉ ରହିଲି” କହି
ଆସିଲା ବେଳକୁ ତମେ ଯେମିତି ହସିଥିଲ, ଠିକ୍ ସେମିତି ।