Sunday, October 29, 2023

ପୁରୁଣା ଆସେମ୍ବ୍ଲି

ଶୈଲେନ ରାଉତରାୟ

ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ଅଜିତ କୁମାର ସାହୁ


ଆମେ ପ୍ରଥମ ଥର ପାଇଁ ପୁରୁଣା ଆସେମ୍ବ୍ଲି ପାଖରେ ଥିବା ସେକେଣ୍ଡ ହାଣ୍ଡ ବହି ଦୋକାନ ବୁଲି ଆସିଚେ । ଆଗରୁ ଅବଶ୍ୟ ଅନେକ ଥର ଆସିଚେ ଏଇ ଏରିଆକୁ । ହେଲେ ମାର୍କେଟ ବିଲ୍‌ଡ଼ିଙ୍ଗ୍‌କୁ । ଆଜି ଏହି ବହି ଦୋକାନଗୁଡ଼ିକୁ ପ୍ରଥମ ବାରି ।

ତମେ ଫିଜିକ୍ସ୍ ଟେକ୍ସ୍ଟବୁକ୍, ପିଲାଙ୍କ ବହି ଖେଳଉଚ । ମୁଁ ଓଡ଼ିଆ ଆଉ ଇଂରାଜୀ ଉପନ୍ୟାସ ଆଉ ନନ୍‌ଫିକ୍ସନ୍ ।

ସାର୍, ଏପଟେ ଦେଖନ୍ତୁ, ନୂଆ ବହି ଆସିଚି,” ବୋଲି ବୁନୁ କହିଲାରୁ ମୁଁ ବୁଲି ପଡ଼ି ସେପଟେ ଦେଖିଲା ବେଳକୁ ସତରେ କିଛି ଭଲ ବହି ଆସିଚି ।

ସବା ଉପରେ ଥୁଆ ହେଇଚି ନାଥାନ୍ କୁଲ୍‌ଟର୍ଏଠି ୱେଣ୍ଡେଲ୍ ବେରି କିଏ ପଢ଼େ ? ଯଦିଓ ବାଇଶ ବର୍ଷ ତଳେ ଇଷ୍ଟ ଟାୱାରରୁ ବାହାରି ରାଜମହଲ ଛକ ରାସ୍ତାକୁ ଯିବା ଗଳିରେ ବାଁ ପଟେ ଥିବା ପୁରୁଣା ବହି ଦୋକାନରେ ମୋତେ ମିଳିଥିଲା ବେରିର ହିଁ ସେକ୍ସ୍, ଇକନମି, ଫ୍ରିଡମ୍ ଆଣ୍ଡ୍ କମ୍ୟୁନିଟି ବହିଟି – ସେକେଣ୍ଡ ହ୍ୟାଣ୍ଡ ।

ଏମିତି ଭାବୁ ଭାବୁ ଅନ୍ୟମନସ୍କ ହୋଇ ମୋ ହାତ ବାଜି ବହି ଥାକଟି ଗଳିପଡ଼ିଲା । ତଳେ ଅଛି ଥାକେ ପୁରୁଣା ଜହ୍ନମାମୁଁ । କିଛି ୧୯୭୦ ଦଶକର ଆଉ କିଛି ୧୯୮୦ରୁ ୧୯୯୧-୯୨ ମସିହା ଭିତରର । ପ୍ରାୟତଃ ଭଲ ଅଛି । କାଗଜ ଯାହା ଟିକେ ମଳିଛ‌ିଆ ପଡ଼ିଯାଇଚି ।

ମୁଁ ବୁନୁକୁ ପଚାରୁଚି, ଏଗୁଡ଼ାକ କେତେ ଲେଖା ?”

ବୁନୁ କହୁଚି, ଯାହା ଆଜ୍ଞା ଦେବେ

ଟଙ୍କାଟେ ଲେଖାଏଁ?”

ବୁନୁ ହସୁଚି ।

ଆମେ ପହଞ୍ଚିଲା ବେଳକୁ ଘୋରାଘୋରା କରିଥିଲା । କିଛି ମିନିଟ ହେଲା ଦେହରେ ଖରା ବାଜୁଚି ଟାଇଁଟାଇଁ । ତୁମେ ଖରାରୁ ଆସି ମୋ ପାଖରେ ଛାଇରେ ଠିଆ ହେଇଚ ।

ଜହ୍ମମାମୁଁ ରଖୁଚ ବୋଲି ମତେ ତ କେବେ କହିନ?”

ଉତ୍ତରରେ ବୁନୁ ବାଁ ହାତରେ ତା ଚୁଟିକୁ କୁଣ୍ଡଉଚି ।

ମୁଁ ତୁମ ଆଡ଼କୁ ବୁଲି ପଚାରୁଚି, କିଛି ପାଇଲ ?”

ତୁମେ ହାତରେ ଧରିଥିବା ସୁନ୍ଦର ଶାଗୁଆ ରଙ୍ଗର ମଲାଟ ଥିବା ଗୋଟେ ସାଇନ୍ସ୍ ଟେକ୍ସ୍ଟବହି ମତେ ଦେଖଉଚ ।

ଦେଖ ମୁଁ କଅଣ ପାଇଲି, ମୁଁ କହୁଚି ।

ତୁମେ ଗୋଟିଏ ଜହ୍ନମାମୁଁ ଟେକି ଆଣି, ଖେଳେଇ ସାରି ପଢ଼ୁଚ । ମୁଁ ତୁମକୁ ଏତେ ଆଗ୍ରହର ସହ କେବେ କିଛି ପଢ଼ିବାର ଦେଖିନି ।

ତୁମକୁ ପଢ଼ିବାକୁ ଛାଡ଼ି ଦେଇ ମୁଁ ବହି ଖେଳଉଚି । ବହିର ଦୁଇଟି ଟେବୁଲୁ ଆଉ କେବିନି ଭିତରେ ଜେଗା ନାଇଁ ବେଶି । ମୁଁ ଏପଟପେପଟ ହେବା ସମୟରେ ବେଳେ ବେଳେ ତୁମ ସହ ବାଜୁଚି । ଅନେକ ଥର ଜାଣିଜାଣି ।

ମୁଁ ନାଥାନ କୁଲଟର, ଅଟୋବାୟୋଗ୍ରାଫି ଅଫ୍ ଏ ୟୋଗି ଆଉ ପିଟର ରବିନ୍‌ସନ୍‌ର ଏ ଡେଡିକେଟେଡ଼୍ ମ୍ୟାନ୍ ବାଛି ସାରି ଅନେଇଲା ବେଳକୁ ତମେ ଅନ୍ୟ ଗୋଟେ ଜହ୍ନମାମୁଁ ଦେଖୁଚ ।

ତମେ କଅଣ ଏଗୁଡ଼ା ନେବ ନା କଅଣ?”

ମୁଁ କହୁଚି, ହଁ, ସବୁତକ

ତମେ କହୁଚ, ମୋତେ କିଛ‌ି ଦବ । ମୁଁ ଗାଆଁକୁ ନେଇ ଯ‌ିବି ପଢ଼ିବା ପାଇଁ

ମୁଁ କହୁଚି, ଗୋଟେ ବି ନୁହଁ । ମୋତେ କଅଣ ମିଳ‌ିବ ?”

ତୁମେ ଫିକ୍ କିନା ହସି ଦଉଚ ।

ତୁମକୁ ପ୍ରଥମ ଥର ଦେଖିବାକୁ ଯାଇ ଫେରିଲା ବେଳକୁ, ମୁଁ ହଉ ରହିଲି କହି ଆସିଲା ବେଳକୁ ତମେ ଯେମିତି ହସିଥ‌ିଲ, ଠିକ୍ ସେମିତି । 

No comments:

Post a Comment

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....