କାଳିଆଙ୍କ ହାଇସ୍କୁଲ ଶିକ୍ଷା
ଶୈଲେନ ରାଉତରାୟ
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ କୃଷ୍ଣଚନ୍ଦ୍ର ମହାପାତ୍ର |
ପୀତାମ୍ବରଙ୍କର ବାପା ପୁଅର ଉଚ୍ଚତର ଶିକ୍ଷା ବିଷୟରେ ନିସ୍ପୃହ ଥିଲେ ମଧ୍ୟ ଏତେ କମ୍ ବୟସରେ ଛୁଆଟା ଅମୀନ ପଛରେ ଖରାତରାରେ ଶିକୁଳି ଟାଣି ବୁଲୁ ବୋଲି ଚାହୁଁ ନଥିଲେ । ଏଣୁ ୧୯୪୫ ପର୍ଯ୍ୟନ୍ତ କାଳିଆ ନା ହାଇସ୍କୁଲ ଗଲେ, ନା ଅମୀନଙ୍କର ଚେଲା ବନିଲେ । ଘରେ ହିଁ ବସି ରହିଲେ ।
ଦେଢ଼ ବର୍ଷ କାଳ ପାରିବାରିକ ଉଦାସୀନତା କାରଣରୁ ତାଙ୍କ ବସ୍ତାନିରେ ଡୋରି ବନ୍ଧାହେଲା । ହେଲେ ଆଗକୁ ପାଠ ପଢ଼ିବାର ବାସନାଟି ସେହିପରି ନିଜ ଭିତରେ ସୁପ୍ତ ଅବସ୍ଥାରେ ଥାଏ ।
ଏପରି ଅବସ୍ଥାରେ ବଳରାମପୁରରୁ ନଅ ଦଶ କିଲୋମିଟର ଦୂରରେ ଦୋହଳି ମଡ଼େଲ ଉଚ୍ଚ ବିଦ୍ୟାଳୟ ଆରମ୍ଭ ହେଲାରୁ ପୀତାମ୍ବରଙ୍କର ଉଚ୍ଚତର ଶିକ୍ଷା ପାଇଁ ବାଟ ଫିଟିଗଲା । ସେବକୁ ପାରିବାରିକ ପରିସ୍ଥିତି ମଧ୍ୟ ଭିନ୍ନ ହୋଇସାରିଥାଏ । ବାପା, ବଡ଼ବାପା ଇତ୍ୟାଦି ଭାଇଭାଗ ହୋଇ ସାରିଥା’ନ୍ତି । ବଡ଼ବାପାଙ୍କର କାଳିଆଙ୍କର ଉଚ୍ଚତର ଶିକ୍ଷା ପାଇଁ ବିରୋଧର ଆଉ କିଛି ମୂଲ୍ୟ ନଥାଏ ।
ଏଣୁ ବାପାଙ୍କ ଉଦାସୀନତା ସତ୍ତ୍ୱେ ଦଦାପୁଅ ଭାଇ ମୁରଲୀଙ୍କ ସହ ମିଶି ଲୁଚାଛପାରେ ଯାଇ ପୀତାମ୍ବର ଦୋହଳି ହାଇସ୍କୁଲରେ ନାଁ ଲେଖାଇଥିଲେ । ଅଗତ୍ୟା ତାହାପରେ ତାଙ୍କ ବାପାଙ୍କୁ ମାସକୁ ମାସ ବେତନ ଓ ବୋର୍ଡ଼ିଂ ପାଇଁ ଟଙ୍କା ଯୋଗାଇବାକୁ ପଡ଼ିଲା ।
ପୀତାମ୍ବର ବାବୁଙ୍କ ଅନୁସାରେ ୧୯୪୪-୪୫ ସାଲରେ ହିଁ ଦୋହଳି ମଡେ଼ଲ୍ ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ ହୋଇଥାଏ । ଅନେକ ବଡ଼ବଡ଼ିଆ ଏହି ଅନୁଷ୍ଠାନଟିର ଉଦ୍ୟୋକ୍ତା ଥାଆନ୍ତି । ସେମାନଙ୍କ ମଧ୍ୟରୁ ବନମାଳୀ ବ୍ରହ୍ମଚାରୀ ଓ ନେତାଜୀଙ୍କର ସହାଧ୍ୟାୟୀ ଅକ୍ଷୟ କୁମାର ଚକ୍ରବର୍ତ୍ତୀ ଅନ୍ୟତମ ।
ଏହି ସ୍କୁଲଟି ଘରଠାରୁ ବେଶ୍ ବାଟ ହୋଇଥିବାରୁ ଛାତ୍ରାବାସରେ ରହି ପାଠ ପଢ଼ିବାକୁ ପଡ଼ିଲା । ଧୋୟା ଅଞ୍ଚଳ ନ ହୋଇଥିବାରୁ ଏଠି ମଶା ଓ ମ୍ୟାଲେରିଆର ପ୍ରାଦୁର୍ଭାବ ବହୁତ ଥିଲା । ଏଣୁ କାଳିଆଙ୍କର ହାଇସ୍କୁଲ ପଢ଼ା ଚାରିବର୍ଷ ଯାକ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ, କୁଇନାଇନି ଖାଇ ବିତିଲା ।
ହେଲେ ସେବା ଶୁଶ୍ରୁଷା କରିବା ପାଇଁ ବନମାଳୀ ବ୍ରହ୍ମଚାରୀ ଥାଆନ୍ତି । ରୋଗଶଯ୍ୟା ପାଖରେ ପରିବାରର ଲୋକ ଭଳି ରହି କ୍ଷୀର ପିଆନ୍ତି ତଥା ଔଷଧ ଓ ପଥି ଖୁଆନ୍ତି । ହେଲେ ଏପରି ଯତ୍ନ ଛାତ୍ରବାତ୍ସଲ୍ୟ ପ୍ରେରିତ ଯେତିକି ଥିଲା, ସେଥିରେ ନୂଆ ଅନୁଷ୍ଠାନଟିରେ ଛାତ୍ରମାନଙ୍କୁ ଧରି ରଖିବାର ଚେଷ୍ଟା ମଧ୍ୟ ସେତିକି ଥିଲା ।
ଦୋହଳି ଅସୁରେଶ୍ୱରଠାରୁ ମାତ୍ର ଚାରି କିଲୋମିଟର ଦୂର । ସେଠାରେ ମଧ୍ୟ ଗୋଟିଏ ନୂଆ ହାଇସ୍କୁଲ ଖୋଲିଥାଏ, ଯାହା ପ୍ରତିଯୋଗିତା କରୁଥାଏ ଦୋହଳିର ନୂଆ ଉଚ୍ଚ ବିଦ୍ୟାଳୟଟି ସହ । ସେବର ପରିସ୍ଥିତିରେ ଏତେ କମ୍ ଦୂରତା ଭିତରେ ଦୁଇଟି ହାଇସ୍କୁଲକୁ ମଞ୍ଜୁରୀ ମିଳି ନଥାଏ ।
ଏଣୁ ଦୋହଳି ହାଇସ୍କୁଲରେ ପୀତାମ୍ବରଙ୍କ ସହ ନାଁ ଲେଖାଇଥିବା ଅଧାଅଧି ପିଲା ସ୍କୁଲଛାଡ଼ି ଅନ୍ୟ ଆଡ଼େ ପଳାଇଗଲେ । ଏଣୁ ମାଟିକାମୁଡ଼ି ପଡ଼ି ରହିଥିବା ପିଲାଗୁଡ଼ିକ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଶେଷ ସଦୟ ରହିବା ସ୍ୱାଭାବିକ ।
ପିଲାମାନେ ସ୍କୁଲ ଛାଡ଼ି ଚାଲିଯାଉଥିବାରୁ ବିଦ୍ୟାଳୟଟିର ଆର୍ଥିକ ପରିସ୍ଥିତ ଦୋଦୁଲ୍ୟମାନ ଥାଏ । ଦରମା ଠିକ୍ ସମୟରେ ମିଳୁ ନଥିବାରୁ ଶିକ୍ଷକମାନେ ମଧ୍ୟ ଚାକିରୀ ଛାଡ଼ି ଦେଉଥାଆନ୍ତି ଓ ନୂଆ ଶିକ୍ଷକମାନେ ଯୋଗ ଦେଉଥାଆନ୍ତି ।
ସେବେ ମାଟ୍ରିକ ପରୀକ୍ଷାରେ ଅପ୍ସନାଲ୍ ବିଷୟର ପ୍ରାବଧାନ ଥାଏ । ଶିକ୍ଷକ ବଦଳୁଥିବାରୁ ପିଲାମାନଙ୍କର ଅପ୍ସନାଲ୍ ବିଷୟ ମଧ୍ୟ ଘଡ଼ିକିଘଡ଼ି ବଦଳୁଥାଏ ।
ଏପରି ଅବସ୍ଥାରେ, କାଳିଆଙ୍କର ଅପ୍ସନାଲ ପ୍ରଥମେ ଥିଲା ଗଣିତ । ପରେ ତାହା ହେଲା ଶରୀର ବିଜ୍ଞାନ ଓ ସ୍ୱାସ୍ଥ୍ୟରକ୍ଷା । ଶେଷକୁ ସେ ସଂସ୍କୃତରେ ହିଁ ପରୀକ୍ଷା ଦେଲେ ।
କିଏ ହାଇସ୍କୁଲରେ ପଢ଼ାଇବ, ସେ ବିଷୟରେ ଯୋଗ୍ୟତା ବିଚାର ବେଶୀ ନ ଥାଏ । ଅନେକ ସମୟରେ ମାଇନର ବିଦ୍ୟାଳୟର କମ୍ ଯୋଗ୍ୟତାପ୍ରାପ୍ତ ଶିକ୍ଷକମାନେ ମଧ୍ୟ ହାଇସ୍କୁଲରେ ପଢ଼ାଉ ଥାଆନ୍ତି ।
ଭୂଗୋଳ, ସଂସ୍କୃତ ଓ ସାହିତ୍ୟ ହିଁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଠିକ୍ ଭାବରେ ପଢ଼ା ହେଉଥିଲା । ନବ ବାବୁ, ସୁର ବାବୁ, ଗୋବିନ୍ଦ ବାବୁ ଓ ମୁରଲୀ ବାବୁ ଆଦି ଶିକ୍ଷକମାନେ ଯୋଗ ଦେବାରୁ ଇଂରାଜୀ, ଜ୍ୟାମିତି ଓ ପୃଥିବୀ ଇତିହାସ ଆଦି ବିଷୟ ପଢ଼ାରେ କିଛିଟା ଉନ୍ନତି ଘଟିଲା ।
ସ୍କୁଲର ସଂସ୍କୃତ ପଣ୍ଡିତ ଥିଲେ ଭାବଗ୍ରାହୀ ବାବୁ । ନିଜର ପିରିଅଡ଼ ଛଡ଼ା ଅନ୍ୟ କୌଣସି ବିଷୟରେ ଶିକ୍ଷକ ଅଭାବଥିଲେ ସେ କ୍ଳାସ ନେବାକୁ ଥିଲେ ଆଗଭର । ପାଠ୍ୟ ବହିର୍ଭୂତ ‘ରଘୁବଂଶ’, ‘କୁମାରସମ୍ଭବ’, ମାଘ, ନୈଷଧ ଓ ଭଟ୍ଟି ଇତ୍ୟାଦି ଚର୍ଚ୍ଚା ସେ କ୍ଳାସରେ କରନ୍ତି ।
ପିଲାଙ୍କୁ ସେବେ ବି ଇଂରାଜୀ ବାସେ, ହେଲେ ସଂସ୍କୃତ ଗନ୍ଧାଏ । ଏଣୁ କାଳିଆ ଓ ତାଙ୍କର କିଛି ସଂସ୍କୃତରେ ଆଗ୍ରହୀ ସାଙ୍ଗଙ୍କ ଛଡ଼ା ଏହି ସାହିତ୍ୟଚର୍ଚ୍ଚା ବାକି ଛାତ୍ରସବୁଙ୍କ ମୁଣ୍ଡ ଉପର ଦେଇ ଯାଏ ।
ସ୍କୁଲର ଉଦ୍ୟୋକ୍ତା ବନମାଳୀ ବାବୁ ପିଲାଙ୍କର ପାଠ୍ୟକ୍ରମ ଓ ପାଠ୍ୟଚର୍ଯ୍ୟା ଠିକ୍ ଭାବରେ ପଢ଼ା ହୋଇ ସମ୍ପାଦିତ ହେବା ଉପରେ ଗୁରୁତ୍ୱ ଦେଉଥିଲେ । ପିଲାଙ୍କର ପରୀକ୍ଷା ଫଳ ଭଲ ହୋଇ ସ୍କୁଲକୁ ସ୍ଥାୟୀ ଭାବରେ ମଞ୍ଜୁରୀ ମିଳିବା ଏହା ଉପରେ ନିର୍ଭରଶୀଳ ଥିଲା ।
ହେଲେ ତାହା ସହିତ ବନମାଳୀ ମହାଶୟ ପିଲାଙ୍କର ଚରିତ୍ର ନିର୍ମାଣର କଥାକୁ ପାଶୋରୁ ନଥିଲେ । ଛାତ୍ରଛାତ୍ରୀମାନଙ୍କୁ ମହାତ୍ମା ଗାନ୍ଧୀ, ବାଲ୍ ଗଙ୍ଗାଧର ତିଳକ ଓ ଦୟାନନ୍ଦ ସରସ୍ୱତୀଙ୍କର ଜୀବନୀ କହି ଅନୁପ୍ରାଣିତ କରିବାକୁ ଚେଷ୍ଟା କରୁଥିଲେ । ଆଖପାଖ ଗାଁଗଣ୍ଡାରେ କିଛି ଦୁର୍ଘଟଣା ଘଟିଲେ ଇସ୍କୁଲିଆ ପିଲମାନଙ୍କୁ ନେଇ ସେବାକାର୍ଯ୍ୟରେ ଲଗାଉଥିଲେ ।
ବିଦ୍ୟାଳୟର ଅନ୍ୟତମ ଉଦ୍ୟୋକ୍ତା ଅଧ୍ୟକ୍ଷ ଚକ୍ରବର୍ତ୍ତୀଙ୍କର ପିଲା ଗଢ଼ିବାର ଉପାୟ କିନ୍ତୁ ଭିନ୍ନ ଥିଲା । ସେବେ କଂଗ୍ରେସ ଏକ ଦେଶସେବୀ ଅନୁଷ୍ଠାନ ଓ ଜାତୀୟ ଆନ୍ଦୋଳନର ପୁରୋଗାମୀ ଶକ୍ତି ଥିବାରୁ ସେ ସବୁ ଛାତ୍ରଛାତ୍ରୀଙ୍କୁ ତାହାର ଚାରିଅଣିଆ (ଏକାଳର ପଚିଶ ପଇସା) ସାଧାରଣ ସଭ୍ୟ ବନେଇଥିଲେ । କୌଣସି ଛାତ୍ର ବା ଛାତ୍ରୀ ଅରୁଚିକର ଜାମାପଟା ପିନ୍ଧି କିମ୍ବା ବେଶଭୂଷା ହୋଇଆସିଲେ ସେଥି ପ୍ରତି ଶକ୍ତ ଦୃଷ୍ଟି ଦେଇ ସେମାନଙ୍କୁ ନିଜର ଚାଲିଚଳନ ବଦଳାଇବା ପାଇଁ ତାଗିଦ୍ କରୁଥିଲେ ।
ବନମାଳୀ ବାବୁ ବିଦ୍ୟାଳୟଟିର ଛାତ୍ରାବାସର ତତ୍ତ୍ୱାବଧାରକ ଥିଲେ । ହେଲେ ପିଲାମାନଙ୍କର ବେଶି ଭୟ ଥିଲା ପୂଜାରୀ ବଳିଆ ନନାଙ୍କ ପ୍ରତି । ସେ ମାଇନର ପାସ କରିଥିଲେ । ଯେହେତୁ ସେ ନିୟମିତ ଖବରକାଗଜ ପଢ଼ୁଥିଲେ, ଦୁନିଆଯାକର ଖବର ମଧ୍ୟ ତାଙ୍କର ନଖ ଦର୍ପଣରେ ଥାଏ ।
ଏସବୁ ହେତୁ ପିଲାଙ୍କର ତାଙ୍କପ୍ରତି ବେଶ୍ ସମ୍ଭ୍ରମ୍ ଥିବାରୁ, ବଳିଆ ନନା ଛାତ୍ରମାନଙ୍କ ବିଷୟରେ ବନମାଳୀବାବୁଙ୍କ ଆଗରେ ଚୁଗୁଲି କରିବାକୁ ଲାଗିଲେ । ଏହା ଭିତରେ ସେ ଛାତ୍ରାବାସର ତତ୍ତ୍ୱାବଧାରକଙ୍କର ହାତବାରିସି ବି ବନିଲେ ଓ ଖାଇବା ପିଇବା ବଢ଼ାବଢ଼ି କରିବାରେ ପିଲାମାନଙ୍କ ଭିତରେ ନାନା ପାତର ଅନ୍ତର ମଧ୍ୟ କଲେ । ଏପରି ଭେଦଭାବର କାରଣ ମଧ୍ୟରେ ବଡ଼ଥିଲା, ବଡ଼ବଡ଼ିଆ, ଧୋବଧାଉଳିଆ ପିଲାଙ୍କଠୁ ସେ ପାଉଥିବା ଅଣ୍ଟାଗୁଞ୍ଜା ।
ସେବେ ବୋର୍ଡ଼ିଂରେ ରହୁଥିବା ଛାତ୍ରମାନଙ୍କ ପାଇଁ ଘରୁ ମାସକୁ ମାସ ନିୟମିତ ଚାଉଳ ପଠା ଯାଉଥିଲା । ଯଦି କୌଣସି ଛାତ୍ରର ଘରୁ ଚାଉଳ ଆସିବାରେ ଟିକେ ଡେରି ହେଉଥିଲା, ତାହାହେଲେ ମଳିମୁଣ୍ଡିଆ ଛାତ୍ରମାନଙ୍କର ମିଲ୍ ବନ୍ଦ କରିଦିଆଯାଉ ଥିଲା । ହେଲେ ଯଦି ଧନୀଘରର ପିଲାମାନଙ୍କର ଘରୁ ଚାଉଳ ଆସିବାରେ ବିଳମ୍ବ ହେଉଥିଲା, ତାହା ହେଲେ ତାଙ୍କ ପ୍ରତି ଏହି ନିୟମ ଲାଗୁ ହେଉ ନଥିଲା ।
ଥରେ ଏପରି ଅନ୍ୟାୟର ପ୍ରତିବାଦ ପାଇଁ କାଳିଆ ଓ ତାଙ୍କର ଦାଦାପୁଅ ଭାଇ ମୁରଲୀ ଅର୍ଦ୍ଧାଶନ କଲେ । ପ୍ରଥମେ କିଛି ଦିନ ନିରୋଳା ଉପବାସ ରହି ତାହା ପରେ ଚାରିଦିନ ଖଣ୍ଡେ ଅଳପ ଚୁଡ଼ା ଖାଇ ରହିଲେ ।
ଘୋର ବରଷା କାଳ ସେବେ । ହାତୀଶୁଣ୍ଢରୁ ପାଣି ଗଳିଲା ବଳି ମେଘବର୍ଷା ଗଳୁଥାଏ । ସେଥିକୁ ପରବାଏ ନକରି ଶେଷକୁ ଭାଇ ଦୁହେଁ ଦଶ କିଲୋମିଟର ବାଟ ଚାଲିଚାଲି, ନଈକୂଳ ଘାଟରେ ଡଙ୍ଗା ନପାଇ ପହଁରିକରି ଶେଷକୁ ଘରେ ପହଞ୍ଚିଲେ ।
ଏପରି ନାନା ସଙ୍ଗ୍ରାମର ସହ ପାଠ ପଢ଼ୁଥିବାବେଳେ ନବମ ଶ୍ରେଣୀରେ କାଳିଆଙ୍କ ମାଆ ଆରପାରିକୁ ଚାଲିଗଲେ । ଘରେ ଖାଲି ବାକି ରହିଲେ ତାଙ୍କ ବାପା ଓ ସାନ ଭଉଣୀ ମାଳ । ଏ ସବୁ କାରଣରୁ ଘରକୁ ବୋହୂଟିଏ ଆଣିବାକୁ ବାପା ଅଥୟ ହେବାକୁ ଲାଗିଲେ ।
ଏତେ କମ୍ ବୟସରେ ବାହା ହେବାକୁ ପୀତାମ୍ବରଙ୍କର ଆଗ୍ରହ ନଥିଲା । ସ୍କୁଲରେ କାଳିଆଙ୍କର ସଂସ୍କୃତ ତ ଭଲ ହେଉଥିଲା । ତାହା ସହ ଓଡ଼ିଆ ସାହିତ୍ୟ, ବିଜ୍ଞାନ ଓ ଇଂରାଜୀରେ ମଧ୍ୟ ସେ ପରୀକ୍ଷାରେ ଭଲ କରୁଥିଲେ । ଗଣିତରେ ତାଙ୍କର ଦକ୍ଷତା ସେତେ ବେଶି ଭଲ ନଥିଲେ ବି ମନ୍ଦ ନଥିଲା ।
ପ୍ରଥମ ବର୍ଷର ମାଟ୍ରିକ ପରୀକ୍ଷାରେ ଦୋହଳି ମଡେଲ ଉଚ୍ଚବିଦ୍ୟାଳୟରୁ ଆଠ ଦଶ ଜଣ ଉତ୍ତୀର୍ଣ୍ଣ ହେଲେ । ସେଥିରୁ କାଳିଆ ଓ ତାଙ୍କର ବନ୍ଧୁ ଉଚ୍ଚ ଦ୍ୱିତୀୟ ଶ୍ରେଣୀ ପାଇଥିଲେ । ଏହି ପିଲାମାନଙ୍କର ମାଟ୍ରିକ ପରୀକ୍ଷା ଫଳର ଭିତ୍ତିରେ ସ୍କୁଲର ମଞ୍ଜୁରୀକୁ ପରେ ସ୍ଥାୟୀ ଭାବରେ ପ୍ରଦାନ କରାଯାଇଥିଲା ।
ବି.ଦ୍ର.- ଏହି ଲେଖାଟିର ଉପାଦାନ କଟକସ୍ଥ ଓଡ଼ିଶା ବୁକ୍ ଷ୍ଟୋର ୧୯୮୨ ମସିହାରେ ଛାପିଥିବା ପ୍ରାଧ୍ୟାପକ ପୀତାମ୍ବର ପ୍ରଧାନଙ୍କର ଆତ୍ମଜୀବନୀ ‘ଘାସଫୁଲର ନିଜକଥା’ରୁ ସଙ୍ଗୃହୀତ । ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପିଥିଲା ।
No comments:
Post a Comment