Wednesday, April 22, 2026

ନୟାଗଡ଼ ଜିଲ୍ଲାର ଦଳିତ ଜୀବନ

                    (Nayagarh Jillara Dalita Jibana: Dalit lives in Nayagarh district)

ଶୈଲେନ ରାଉତରାୟ

ଏହି ପ୍ରବନ୍ଧଟି ୧୯୪୦–୫୦ ଦଶକରେ ନୟାଗଡ଼ ଜିଲ୍ଲାର ଦଳିତ ଜୀବନର ଛବି ଦିଏ ।
(This Odia essay reflects on Dalit life and social realities in Nayagarh district of Odisha during the 1940s–50s. It explores lived experience, social structures, and everyday realities in rural Odisha.)

ନୟାଗଡ଼ ଜିଲ୍ଲାର କଣ୍ଟିଲୋ ପାଖରେ ମହାନଦୀର ଦୃଶ୍ୟ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍/କୃପାସିନ୍ଧୁ ମୁଦୁଲି


ଲେଖକ, ସଙ୍କଳକ ଓ ଯନ୍ତ୍ରୀ ଶ୍ରୀ ଗୋବର୍ଦ୍ଧନ ଦୋରାଙ୍କର ଘର ନୟାଗଡ଼ ଜିଲ୍ଲାର ବଡ଼ଗୋରଡ଼ା ଗ୍ରାମରେ । ଗାଆଁଟିରେ ଚଷା, ଗୁଡ଼ିଆ, ଗଉଡ଼, କରଣ, ସୁନାରି, ପାଣ, ଧୋବା ଓ ଖଦାଳ ଇତ୍ୟାଦି ନାନା ଜାତିର ଲୋକ ଅଛନ୍ତି । ଦୋରା ବାବୁଙ୍କର ଜନ୍ମ ୧୯୩୯ ମସିହାରେ । ଜାତିରେ ତେଲେଗୁ ନାଇଡ଼ୁ । ସେ ଶିଶୁ ଶ୍ରେଣୀରେ ୧୯୪୫ ମସିହାରେ ଆଙ୍ଗିସିଙ୍ଗିରେ ଥିବା ବଡ଼ଗୋରଡ଼ା ଶିଶୁ ବିଦ୍ୟାଳୟକୁ ଯିବାକୁ ଆରମ୍ଭ କରନ୍ତି । ତାହା ପରେ ଯାଆନ୍ତି ସାନଗୋରଡ଼ା ଇସ୍କୁଲୁକୁ, ତତ୍ପରେ ଶିଖରପୁର ମାଇନର ସ୍କୁଲୁ, ଓ ସବା ଶେଷରେ ଶରଣକୂଳ ହାଇସ୍କୁଲୁ ।

ସେତେବେଳେ ଇସ୍କୁଲୁମାନଙ୍କରେ ଛୁଆଁଅଛୁଆଁ ଭାବ ପ୍ରବଳ । ପିଲାମାନେ ଜାତି ଭିତ୍ତିରେ ଅଲଗା ଅଲଗା ବସନ୍ତି । ବ୍ରାହ୍ଣଣ ପିଲାଏ ବସିବା ପାଇଁ ତାଳପତ୍ରରେ ପ୍ରସ୍ତୁତ ଛପା ଆଣୁଥିଲେ । ଗୋବର୍ଦ୍ଧନ ବାବୁ ବାଉଁଶ ତିଆରି ଛପା ନେଇ ଇସ୍କୁଲୁ ଯାଉଥିଲେ । ଏହି ଛପା ଧୁଷୁମା ଗାଁର ହାଡ଼ି ଜାତିର ଲୋକମାନେ ତିଆରି କରୁଥିଲେ । ଏହା ସେମାନଙ୍କର ଜୀବିକା ନିର୍ବାହର ଏକ ସାଧନ ଥିଲା ।  ଛୁଆଁଅଛୁଆଁ ଭାବ ଶିକ୍ଷକମାନଙ୍କ ମଧ୍ୟରେ ବି ଥିଲା । ସ୍ୱାଧିନତା ଆଖପାଖର ଏହି ସମୟରେ ନୟାଗଡ଼ ଜିଲ୍ଲାର ଇସ୍କୁଲମାନଙ୍କରେ, ଦଳିତ ପିଲାମାନଙ୍କୁ (ଅନ୍ୟ ଅଞ୍ଚଳମାନଙ୍କ ପରି) ହାତରେ ନମାରି, କିମ୍ବା ସିଧାସଳଖ ବେତରେ ନମାରି, ବେତ ଫୋପାଡ଼ି ମାଡ଼ ମରାଯାଉଥିଲା ।

ଗୋବର୍ଦ୍ଧନବାବୁଙ୍କ ଦେଖିବାରେ ଶ୍ରୀ ବନ ସେଠୀ ଓ ତାଙ୍କର ସାନଭାଇ ଶ୍ରୀ କହ୍ନେଇ ସେଠୀ ଧୋବା ଭାବରେ ଗାଁରେ ଖଟୁଥିଲେ । ଏଥି ପାଇଁ ସେମାନେ ପ୍ରତି ପରିବାରଠାରୁ ବାର୍ଷିକ କିଛି ନିର୍ଦ୍ଦିଷ୍ଟ ପରିମାଣରେ ବର୍ତ୍ତନ ପାଉଥିଲେ । ପ୍ରଥାଟିର ପ୍ରଚଳନ ଏବେ ମଧ୍ୟ ଅଛି ଓ ଧୋବା ଜାତିର ଲୋକମାନେ ତାଙ୍କ କାମ ପାଇଁ ପରିବାର ପିଛା ଚାରି ନଉତି ଲେଖାଏଁ ନେଉଚନ୍ତି ।

ବେଳେବେଳେ ଲୁଗା ସିଝାଇବାକୁ କାଠ ମିଳେନାହିଁ । ତ, ଧୋବାମାନେ ମଶାଣିରୁ ଦରପୋଡ଼ା କାଠ ଆଣନ୍ତି । ପୋଡ଼ି, ଲୁଗା ସିଝାଇବା କାମରେ ବ୍ୟବହାର କରନ୍ତି । କେହି ଲୋକ ଖରାପ ହୋଇଗଲେ ମାଲଭାଇ ଭାବରେ ମଧ୍ୟ ଧୋବାମାନେ ଶବ ଶୋଭାଯାତ୍ରା ସହିତ ମଶାଣି ଯାଉଥିଲେ । ପିଲା ପେଟରେ ଥାଇ ମାଆ ମରିଗଲେ, ସ୍ତ୍ରୀଲୋକଟିର ପେଟ ଚିରି, ମଲା ପିଲାଟିକୁ ବାହାର କରି ତାହାର ଶବଦାହ କରିବାର ଦାୟିତ୍ତ୍ୱ ମଧ୍ୟ ଧୋବାମାନଙ୍କର ଥିଲା । ମୁର୍ତିଖିଆର ଦଶଦିନ କର୍ମ ପାଇଁ ଧୋବା ଜାତିର ସ୍ତ୍ରୀ ଓ ପୁରୁଷ ମାନଙ୍କୁ ଲୁଗାପଟା ମିଳୁଥିଲା ।

ଦୋରା ବାବୁଙ୍କ ପିଲାଦିନେ ଗାଁର ଦକ୍ଷିଣ-ପଶ୍ଚିମ ଦିଗରେ ଏକ ଖଦାଳ ସାହି ଥିଲା । ଏଥିରେ ଛଅଟି ପରିବାର ବସବାସ କରୁଥିଲେ । ଏ ସମସ୍ତ ପରିବାରମାନଙ୍କର ସାଙ୍ଗିଆ ଭୋଇ ଥିଲା । ସେମାନେ ସେତେବେଳେ ଅଛୁଆଁ ଭାବରେ ଗଣ୍ୟ ଥିଲେ । ତାଙ୍କୁ କେହି ଛୁଉଁ ନଥିଲେ । ମାତ୍ର ବାହାଘର ବେଳେ ଖଦାଳମାନେ ହିଁ ପାଲିଙ୍କି ବାହକ ଭାବରେ କାମ କରୁଥିଲେ ।

ଏହି ଖଦାଳ ଜାତିର ଲୋକମାନଙ୍କର ନିଜର ଅଳପ କିଛି ଜମିବାଡ଼ି ଥିଲା । କିଛି ଜମି ଭାଗରେ ଧରି ମଧ୍ୟ ଚାଷ କରୁଥିଲେ । ଅତି ନିରିମାଖି ଖଦାଳମାନେ ପର ଘରେ ହଳିଆ ରହୁଥିଲେ, ନହେଲେ ମୂଲ ଲାଗି ଚଳୁଥିଲେ । ଏବେ ଅବଶ୍ୟ ଗାଁରୁ ହଳିଆ ପ୍ରଥା ଉଠିଗଲାଣି । ଖଦାଳମାନେ ମାଛ ମାରି ବିକ୍ରି ମଧ୍ୟ କରୁଥିଲେ । ଏହା ଛଡ଼ା କୁକୁଡ଼ା ପାଳି, ପକ୍ଷୀ ଓ ଅଣ୍ଡା, ଉଭୟ ବିକିରି କରୁଥିଲେ । ଆଗରୁ ହାଟବଜାରରେ ଅଣ୍ଡା ଓ କୁକୁଡ଼ା ମିଳୁ ନଥିଲା । ଖଦାଳମାନେ ହିଁ କୁକୁଡ଼ା ଆଦି ପାଳି ଯୋଗାଉଥିଲେ ।

ବଡ଼ଗୋରଡ଼ା ଗାଆଁରେ ପାଣ ଜାତିର ଗୋଟିଏ ମାତ୍ର ପରିବାର ରହୁଥିଲେ । ଏହି ଘରୁ ଗାଁର ଚଉକିଦାର ଥିଲେ, ଶ୍ରୀ ଲୋକନାଥ ନାୟକ । ତାଙ୍କୁ ଚଉକିଦାରି କରିବା ପାଇଁ ଚାରି ମାଣ ଜମି ମିଳିଥିଲା । ସପ୍ତାହକୁ ଥରେ ସେ ଶରଣକୂଳ ଥାନାରେ ହାଜର ହୁଅନ୍ତି । ଜନ୍ମ, ମୃତ୍ୟୁ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଖବର ଥାନାବାଲାଙ୍କୁ ଦିଅନ୍ତି । ଚାରି ମାଣ ଜମି କିଛି କମ ନୁହେଁ । ମାତ୍ର ସେମାନଙ୍କର ଚଳଣି ସେତେବେଳେ ବିଶେଷ ଭଲ ନଥିଲା ।

ଏହାର କାରଣ ହେଲା ଯେ ପାଣମାନେ ଜାତିରେ ଅଛୁଆଁ ଥିଲେ । ତାଙ୍କ ଜମିରେ ଗାଁର ଅନ୍ୟ ଜାତିର ଲୋକେ ଖଟି ଆସନ୍ତି ନାହିଁ । ତାଙ୍କ ବିଲମାନଙ୍କରେ ଅନ୍ୟ ଗାଁରେ ରହୁଥିବା ତାଙ୍କର ଜାତିଭାଇମାନେ ହିଁ ଖଟି ଆସନ୍ତି । ମାତ୍ର ସେମାନେ ନିଜର ବିଲବାଡ଼ି ଓ ନାନାଦି ଅନ୍ୟ କାମ ସାରି ଲୋକନାଥ ବାବୁଙ୍କ ବିଲରେ କାମ କରି ଆସିଲା ବେଳକୁ ଠିକଣା ସମୟ ଗଡ଼ିଯାଇଥାଏ । ବେଟାଇମିଆ ଚାଷ ଯୋଗୁଁ ଅମଳ କମ ହୁଏ । ଅମଳ କମ ହେବାର ଅନ୍ୟ କାରଣ ହେଲା ଜଳସେଚନର ଅଭାବ ।

ଏହି ସବୁ ଅଭାବ ଅସୁବିଧା ଭିତରେ ଲୋକନାଥ ବାବୁଙ୍କ ଗୋଟିଏ ବୋଲି ପୁଅ ଦଣ୍ଡଧର ବୃତ୍ତି ପାଇ ପାଠ ପଢ଼ି ମାଇନର ସ୍କୁଲ ଶିକ୍ଷକ ହେଲେ । ଉଣେଇଶି ଶହ ଷାଠିଏ ମସିହାରେ ଲୋକନାଥ ବାବୁ ହାର୍ଣ୍ଣିଆରେ ଚାଲିଗଲେ । ପୁଅ ସରକାରି ଚାକିରିଆ ହୋଇଥିବାରୁ ଚଉକିଦାରିରେ ବାହାଲ ହୋଇପାରିଲେ ନାହିଁ ।

ଏଣୁ ଜୁଆଇଁ କାଶୀ ଗାଆଁରେ ଚଉକିଆ ହେଲେ । ୧୯୬୫ ମସିହାରେ ଚଉକିଦାରି ଉଠିଯିବାରୁ ଏଥିକୁ ଥିବା ଗାଁର ସବୁ ଭୋଗଦଖଲ ଜମି କାଶୀବାବୁଙ୍କ ନାମରେ ହେଲା । ମାତ୍ର ଥରେ ଏହି ପାଣ ଜାତିର ଘରକୁ ଗାଆଁ ଲୋକେ ଜରିମାନା କରିବାରୁ ଏମାନେ ଅତିଷ୍ଠ ହୋଇ ଗୋତିରିଡ଼ାକୁ ଉଠିଗଲେ ଓ ବଡ଼ଗୋରଡ଼ାରେ ଥିବା ନିଜର ଜମିଜମା ବିକ୍ରିବଟା କରିଦେଲେ । ଦଣ୍ଡଧର ବାବୁ ଅବସର ନେଲା ପରେ କଟକ ମହାନଦୀ ବିହାରରେ ବସା ବାନ୍ଧି ରହିଲେ । ଏହି ପରି ଭାବରେ ଗାଁରୁ ପାଣ ଜାତିର ଚିହ୍ନା ଉଠିଗଲା ।

ଓଡ଼ିଶାର ଗ୍ରାମାଞ୍ଚଳରେ ପାଣ ଜାତିର ଲୋକମାନଙ୍କର (ଓ ବୃହତ୍ତର ଭାବରେ ଦଳିତ ଜନଗୋଷ୍ଠୀର) ଜୀବନଚର୍ଯ୍ୟାର ଇତିହାସରେ ଅନେକ ବିବିଧତା ସତ୍ତ୍ୱେ ଶୋଷଣ ଓ ଅତ୍ୟାଚାରର ଏକ ସମାନ ଅନୁଭୁତି ଆମେ ଦେଖିବାକୁ ପାଇବା । ସ୍ୱାଧୀନତା ପୂର୍ବର ଅବିଭକ୍ତ କଟକ ଜିଲ୍ଲାରେ ପାଣ ଜାତିର ଜୀବନ ଓ ଜୀବିକାର ଚିତ୍ର ଆମେ ମୋର ଦୁଇଟି ଲେଖା ସିଂହପୁରରେ ପାଠପଢ଼ା ଓ ନିଶାକର ବାବୁଙ୍କ ପିଲାଦିନ: ସିଂହପୁରରେ ଖିଆପିଆ ରୁ ପାଇପାରିବା । ଏକବିଂଶ ଶତାବ୍ଦୀର ଓଡ଼ିଶାରେ ପରିସ୍ଥିତି ବେଶି କିଛି ଭିନ୍ନ କି?

ଟୀକା: ଏହି ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପିଥିଲା । ଲେଖାଟିର ଉପାଦାନ ଗୋବର୍ଦ୍ଧନ ଦୋରାଙ୍କର ଆତ୍ମଜୀବନୀ ଛୋଟ ମୋର ଗାଁଟିରୁ ନିଆଯାଇଛି । ବହିଟିକୁ ଭୁବନେଶ୍ୱରସ୍ଥ ସଂସ୍ଥା ଶିକ୍ଷାସନ୍ଧାନ ୨୦୦୯ ମସିହାରେ ପ୍ରକାଶିତ କରିଥିଲେ ।

This essay describes the lives of Dalit communities in Odisha's Nayagarh district in the 1940s and 1950s. It draws upon Odia writer and engineer Gobardhan Dora's autobiography 'Chhota Mora Gaonti" as source material. 

Tagsnayagarh odisha dalit life, dalit history odisha, odia essay dalit life, nayagarh village life 1940s, nayagarh village life 1950s, odisha social history

Keywords: odia lekha, dalita jibana, nayagarh, grameen jiban

No comments:

Post a Comment

Whose purpose is it anyway? Sailen Routray  (This essay reflects on the idea of purpose—whether it is shaped by the self, by society, or by ...