ବିଶ୍ୱନାଥପୁରରେ ଭାଙ୍ଗ ପାଚକ
ଶୈଲେନ ରାଉତରାୟ
![]() |
ଧଉଳି ପାହାଡ଼ରୁ ଦୟାନଦୀର ଦୃଶ୍ୟ ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍/ ଚୀନି |
କବି, ଔପନ୍ୟାସିକ ଓ ନାଟ୍ୟକାର, ପଦ୍ମଭୂଷଣ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କର ଜନ୍ମ ଭୁବନେଶ୍ୱର ନିକଟସ୍ଥ ବାଲିପାଟଣା ପାଖ ଗାଁ ବିଶ୍ୱନାଥପୁରରେ । କାଳିନ୍ଦୀବାବୁଙ୍କର ବାପାଙ୍କର ନାମ ସ୍ୱପ୍ନେଶ୍ୱର, ମାତାଙ୍କର ନାମ ସରସ୍ୱତୀ । ବାପା ପୁରୀରେ ମୁକ୍ତାର । ଲୋକମୁଖରେ ଗାଁର ନା ବିସିନାଥପୁରୁ ।
ସେତେବେଳେ ପାଞ୍ଚପଡ଼ାରେ ଘର ସଙ୍ଖ୍ୟା ପାଖାପାଖି ଅଢ଼େଇଶହ । ଗାଁର ଡାକଘର ବାଲିପାଟଣା, କୋଠଦେଶ ପ୍ରଗଣା, ପୁରୀ ଜିଲ୍ଲା । ଆମ୍ବ, ତାଳ, ନଡ଼ିଆ, ବେତ ଓ ବାଉଁଶ ଗଛରେ ଢଙ୍କା ଗାଆଁଟି । ଛତିଶ ପାଟକ, ପ୍ରାୟ ସବୁ ଜାତିର ଲୋକେ ଗାଁରେ ରହନ୍ତି ।
ନିଶାପାଣି ବୋଇଲେ ଗାଁରେ ସବୁଠୁ ବେଶୀ ଚଳେ ଧୂଆଁପତ୍ର - ଆଠକାଳି ବାରମାସୀ । ସମସ୍ତେ ଧୂଆଁପତ୍ରର ଭକତ । ଗଞ୍ଜେଇ ଓ ଅଫିମ ଚଳେ । ମାତ୍ର ସେତେ ବେଶୀ ନୁହେଁ ।
ମାତ୍ର ପୂଜାପୁଜି ହେଲେ, ମେଳା ଇତ୍ୟାଦିରେ, ପାଚକ ପାଣି ଟିକିଏ ନିଦ୍ୱର୍ନ୍ଦ୍ୱରେ ଚଳେ । ବଡ଼ମାନେ ତ ଆନନ୍ଦମନରେ ସେବନ କରନ୍ତି । ପିଲାମାନେ ମଧ୍ୟ ବଡ଼ମାନଙ୍କ ଦେଖାଦେଖି ଟିକିଏ ଟିକିଏ ପାଆନ୍ତି ।
ଗାଁ ପାଖରେ ଭୋବନିଶର । ମହୀତୀର୍ଥ । ପ୍ରଖ୍ୟାତ ଶୈବକ୍ଷେତ୍ର । ଶିବଙ୍କର ଗଞ୍ଜାଇ ପ୍ରତି ପକ୍ଷପାତିତା ତ ଜଣାଶୁଣା । ତେଣୁ ସାଧୁସନ୍ଥମାନେ ମଧ୍ୟ ଗଞ୍ଜେଇ ସେବନ କରିବାରେ କିଛି ଅପ୍ରାଧ ନାହିଁ । ଏଣୁ ଗାଆଁରେ ନିକଟସ୍ଥ ଶୈବତୀର୍ଥର ପ୍ରଭାବରେ ଗଞ୍ଜେଇ ଚଳେ ।
ମାତ୍ର ଉଚ୍ଚବଂଶଜମାନେ ଏହି ଶିବପ୍ରସାଦ ସେବନ କରିବା ବିଷୟରେ ଟିକିଏ ଉନ୍ନାସିକ । ଅନେକ ସମ୍ଭ୍ରାନ୍ତ ପରିବାରରେ ଗଞ୍ଜେଇ ସେବନ ନିନ୍ଦନୀୟ ମଧ୍ୟ ଥିଲା । ମାତ୍ର ଭାଙ୍ଗସେବନ ଥିଲା ସାର୍ବଜନୀନ । ଏଥିରେ ବିରୋଧାଭାଷ କାଳିନ୍ଦୀବାବୁଙ୍କୁ ଟିକିଏ ବିଚିତ୍ର ଲାଗୁଥିଲା । ମାତ୍ର, ତାହାହିଁ ଥିଲା ସେହି ସମୟରେ ବିସିନାଥପୁରୁର ଚଳଣି ।
ମେଳା ମଉଛବରେ, ଜନ୍ତାଳ ହେଲେ ଭାଙ୍ଗ ପାଚକ ହେବା ନିଶ୍ଚିତ । ଏପରିକି କିଶୋର ବୟସର ପିଲାଙ୍କ ଭିତରେ ଏହା ଚଳୁଥିଲା । ବ୍ରାହ୍ମଣମାନଙ୍କ ମଧ୍ୟରେ ଧୂଆଁ ଖାଇବା ନିଷିଦ୍ଧ ଥିଲା । ମାତ୍ର ତମ୍ବାଖୁ ନଖାଇଲେ ମଧ୍ୟ ଭଜନ ଟୁଙ୍ଗିରେ ବସି ଗଞ୍ଜାଇ ସେବନ ବାମୁଣ ଗୋସେଇଁମାନଙ୍କ ମଧ୍ୟରେ ବେଶ୍ ଚଳୁଥିଲା ।
କାଳିନ୍ଦୀ ବାବୁଙ୍କର ବିଶି କକେଇ ଭଜନ ଟୁଙ୍ଗିରେ ନାନାଜାତିର ଲୋକଙ୍କ ସହ ବସି, ଚିଲମ ବୁଲେଇ, ଖଞ୍ଜଣି ପିଟି, ଶରୀରଭେଦ ଭଜନ ବୋଲନ୍ତି । ଗଞ୍ଜେଇ ଓ ଭଜନରେ ଜାତିପାତିର ଭେଦ କଟିଯାଏ ।
ଚଇତ ଓ ବଇଶାଖ ମାସରେ କାଳିନ୍ଦୀ ବାବୁ ଓ ତାଙ୍କର ବନ୍ଧୁମାନେ ପାଚକ ପାଣି ଟିକିଏ ସେବନ କରି ତୋଟାକୁ ବିଜେ କରନ୍ତି ମହୁଫେଣା ଭାଙ୍ଗିବା ପାଇଁ । ଗାଁର ସଡ଼କର ଧୂଳିକୁ ଫେଣ୍ଟି ଚୋରାଚଇତି ଭିଆଏ ଖଣ୍ଡିଆଭୂତ । ସେଇ ଖଣ୍ଡିଆଭୂତର ପାଦରେ ପାଦ ଥାପି ଭାଙ୍ଗୁଆ ଦଳ ଆମ୍ବତୋଟାରେ ପହଞ୍ଚିଯାଆନ୍ତି । ମହୁଫେଣା ଖଣ୍ଡେ ପାଟିରେପକାଇ ଜିଭ ଟିକିଏ ବୁଲାଇଦେବା କ୍ଷଣି ଅପୂର୍ବ ରସ କ୍ଷରିତ ହୁଏ ।
ଭାଙ୍ଗଖିଆର ଏ ସଂସ୍କୃତି ବିସିନାଥପୁର ଗାଁର କେବଳ ନୁହେଁ । ଏହା ସମୁଦାୟ ଅବିଭକ୍ତ ପୁରୀ ଜିଲ୍ଲାର ଏକ ଚଳଣି । ଶୁଣାଯାଏ ଯେ, ଶ୍ରୀଜଗନ୍ନାଥଙ୍କର ମନ୍ଦିରର ଅନେକ ସେବକଙ୍କର ନିୟମିତ ପାଚକପାଣି ଚଳେ । କିଛି ନିନ୍ଦୁକ କୁହନ୍ତି ଯେ ଚଳେ ବୋଇଲେ ବାପ, ଅଜା, ପୁଅ, ନାତି ହୋଇ ପୁରୁଷାନୁକ୍ରମରେ ଚଳେ ।
ପୁରୀର ଜାଗାଘର ଗୁଡ଼ିକ ତେଣୁକରି ଯେପରି ଭାବରେ ନିଜର ଶରୀର ଚର୍ଚ୍ଚା ଓ ସଙ୍ଗୀତ ଆସର ପାଇଁ ପ୍ରସିଦ୍ଧ, ସେହିପରି ନିଜର ଭାଙ୍ଗ ଖିଆ ପାଇଁ ମଧ୍ୟ ଜଣାଶୁଣା । ଏଣୁ କରି ପୁରୀର ସଂସ୍କୃତି ଏହି ତିନି ଜିନିଷ - ସାଙ୍ଗ, ଭାଙ୍ଗ ଓ ପଙ୍ଗତକୁ ନେଇ ପରିଚାଳିତ ବୋଲି ଗୋଟିଏ ଲୋକଶୃତି ଅଛି ।
ଭାଙ୍ଗନିଶା ଯେ ମୃତ୍ୟୁଜୟୀ, ସେ ବିଷୟରେ ଏକ ଗପ ଲେଖକ ଶୁଣିଥିଲେ ନିଜର କନିଷ୍ଠ ଭ୍ରାତା, ବିଶିଷ୍ଟ ସାମ୍ୟବାଦୀ ନେତା ଶ୍ରୀ ଭଗବତୀଚରଣ ପାଣିଗ୍ରାହୀଙ୍କ ଠାରୁ ।
ଥରେ ପୁରୀରେ କିଛି ଟୋକା ବାଜି ମାରାମରି ହୋଇ ଭାଙ୍ଗ ପିଇଲେ । ତାହା ମଧ୍ୟରୁ ଜଣେ ବୀର ବାଜି ଜିଣିବାର ଅତ୍ୟୁତ୍ସାହ ଯୋଗୁଁ ଅତ୍ୟଧିକ ଭାଙ୍ଗ ପାନ କରି ପରଲୋକ ଗମନ କଲେ । ଏଥି ଉତ୍ତାରୁ ବାପା ପୁତ୍ରର ଏ ବିଷୟ ଶୁଣି ଦେଖିବାକୁ ଆସନ୍ତେ, ପ୍ରଥମେ ଆଖିପତାକୁ ଟେକି ଖୁସି ହେଲେ । ଆଉ କହିଲେ - "ଆଃ ! କେଡ଼େ ବଢ଼ିଆ ନାଲି ଉଠି ଥିଲାଟି ପତା ଯୋଡ଼ିକରେ" ।
No comments:
Post a Comment