ସୁନ୍ଦର ଦେଶ ଫିନଲାଣ୍ଡ
ଏକ ଆଲୋଚନା
ଶୈଲେନ ରାଉତରାୟ
ୟୁରୋପର ଉତ୍ତରପୂର୍ବ କୋଣରେ ଫିନଲାଣ୍ଡ ଏକ ଛୋଟ ଦେଶ । ଅବଶ୍ୟ ତାଙ୍କ ନିଜ ଭାଷାରେ ଦେଶଟିର ନାମ ସୁଓମୀ । ଭାଷାର ନାମ ମଧ୍ୟ ସୁଓମୀ । ଅର୍ଥାତ୍ ଭାଷାର ନାମରୁ ଦେଶର ନାମ । ଦକ୍ଷିଣରୁ ଉତ୍ତର ପାଖାପାଖି ପାଞ୍ଚ ଶହ କିଲୋମିଟର ଆଉ ପୂର୍ବରୁ ପଶ୍ଚିମ ପ୍ରାୟ ଦୁଇ ଶହ କିଲୋମିଟର ।
ଦେଶଟିର କ୍ଷେତ୍ରଫଳ ପ୍ରାୟ ୩୪୦ ହଜାର ବର୍ଗ କିଲୋମିଟର । ଅର୍ଥାତ୍ ଓଡିଶାର ଆକ୍ରାନ୍ତରେ ଦୁଇ ଗୁଣା । ଆୟତନରେ ବଡ଼ ଦେଶ ନୁହେଁ କି ଛୋଟ ମଧ୍ୟ ନୁହେଁ । ମାତ୍ର ଦେଶଟିର ଜନସଙ୍ଖ୍ୟା ପାଖାପାଖି କେବଳ ପଞ୍ଚାବନ ଲକ୍ଷ । ଅର୍ଥାତ୍ ଅବିଭକ୍ତ କଟକ ଜିଲ୍ଲାଠାରୁ ମଧ୍ୟ କମ ଲୋକ ଫିନଲାଣ୍ଡରେ ବସବାସ କରନ୍ତି ।
ୟୁରୋପର ଅନ୍ୟାନ୍ୟ ସାନ ଦେଶମାନଙ୍କ ପରି ସୁଓମୀ ମଧ୍ୟ ତାହାର ବଡ଼ ପଡିଶାମାନଙ୍କର ଆକ୍ରୋଶ ଓ ଆକ୍ରମଣର ଶିକାର ହୋଇଛି । ୧୮୦୯ ମସିହା ପର୍ଯ୍ୟନ୍ତ ଦେଶଟି ପଡ଼ୋଶି ସ୍ୱିଡେନ ଦେଶର ଅଧିକାରରେ ଥିଲା । ଏହି ସମୟରେ ସୁଓମୀ ଭାଷା ଘର ଭିତରେ କେଣେ ଲୁଚି ଯାଇଥିଲା : ସ୍ୱେଡିଶ ଥିଲା ପ୍ରଶାସନ, ଶିକ୍ଷା ଓ ସାମନ୍ତ ମାନଙ୍କର ଭାଷା ।
୧୮୦୯ ମସିହାରେ ଫିନଲାଣ୍ଡକୁ ରୁଷ ଦେଶର ଜାର୍ ସାମ୍ରାଜ୍ୟ ଅଧିକାର କଲା । ମାଲିକ ପରିବର୍ତ୍ତନ ହେବା ସହିତ, ୟୁରୋପର ଅନ୍ୟ କେତେକ ଅବଦମିତ ଦେଶ ମାନଙ୍କ ପରି, ଏକ ଜାତୀୟ ଉଦ୍ବେଳନ ଦେଖାଦେଲା । ସୁଓମୀ ଭାଷାର ଉନ୍ନତ୍ତି ଥିଲା ଏହି ଆନ୍ଦୋଳନର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଅଙ୍ଗ । ପ୍ରଥମ ବିଶ୍ୱଯୁଧ୍ୟ ପରେ ଅନେକ ବଳିଦାନ ଫଳରେ ଦେଶ ସ୍ୱାଧୀନ ହେଲା ।
ମାତ୍ର ଦ୍ୱିତୀୟ ବିଶ୍ୱଯୁଧ୍ୟ ସମୟରେ ଏହି ଛୋଟ ଦେଶଟି ବୀରତ୍ୱର ସହିତ ସୋଭିଅତ୍ ସଙ୍ଘ ସହିତ ଲଢ଼ିଲା ଓ ଲାଲ୍ ସେନାର କରଗତ ହେଲା ନାହିଁ । ମାତ୍ର ଦ୍ୱିତୀୟ ବିଶ୍ୱଯୁଧ୍ୟ ପରେ ପରାଜିତ ଦେଶମାନଙ୍କ ଦଳରେ ଥିବାରୁ ସୋଭିଏତ୍ ସଙ୍ଘ ନିର୍ଲଜ ଭାବରେ ଏହି ଛୋଟ ଗରୀବ ଦେଶଠାରୁ 'କ୍ଷତିପୂରଣ' ଆଦାୟ କଲା । ଏତେ ସବୁ ଝଡଝଞ୍ଜା ସତ୍ୱେ, ଫିନଲାଣ୍ଡ ଏବେ ୟୁରୋପର ଏକ ଅଗ୍ରଣୀ ଦେଶ । ଏହାର କାରଣ ଦେଶର ପ୍ରାକୃତିକ ସମ୍ପଦର ଉପଯୁକ୍ତ ପରିଚାଳନା, ଭାଷାପ୍ରୀତି ତଥା ଏକ ଉନ୍ନତ୍ତ ଓ ଗଣତାନ୍ତ୍ରିକ ଶିକ୍ଷା ବ୍ୟବସ୍ଥା ।
ଫିନଲ୍ୟାଣ୍ଡର ଶିକ୍ଷା ବ୍ୟବସ୍ଥା ପୃଥୀବର ଉନ୍ନତ୍ତତମ ଶିକ୍ଷା ବ୍ୟବସ୍ଥାମାନଙ୍କ ଭିତରୁ ଗୋଟିଏ । ସ୍ନାତକୋତ୍ତର ଶିକ୍ଷା ନଥିଲେ କେହି ପ୍ରାଥମିକ ସ୍ତରରେ ମଧ୍ୟ ଶିକ୍ଷକ ବନି ପାରନ୍ତି ନାହିଁ । ଶିକ୍ଷକମାନଙ୍କୁ ଭଲ ଦରମା ଦିଆଯାଏ । ସେମାନଙ୍କର କାମ କରିବାର ସ୍ୱାଧୀନତା ଅଛି । ସେମାନେ ସାମାଜିକ ସମ୍ମାନ ମଧ୍ୟ ପାଆନ୍ତି ।
ସରକାର ଶିକ୍ଷା ଉପରେ ଉପଯୁକ୍ତ ଖର୍ଚ୍ଚ କରନ୍ତି । ଭଲ ପାଠ
ନ ପଢ଼ିଲେ ଧନୀ ଘରର ପିଲା ପଇସା ଫିଙ୍ଗି ଘରୋଇ ବିଶ୍ୱବିଦ୍ୟାଳୟରେ ପଢ଼ିପାରିବାର ସମ୍ଭାବନା ନାହିଁ ।
ପିଲା ଓ ଶିକ୍ଷକଙ୍କ ଉପରେ ପରୀକ୍ଷା ଓ ପରୀକ୍ଷଣର ଚାପ ନାହିଁ । ବ୍ୟବସ୍ଥାର ଲକ୍ଷ୍ୟ ବିଦ୍ୟା
ଉପରେ, ପରୀକ୍ଷା ଉପରେ ନୁହେଁ ।
ଏହି ଛୋଟ ଦେଶଟି ଦୁନିଆକୁ ବାମ୍ଫସ୍ନାନ, ଅର୍ଥାତ୍
ସଉନାର ଉପହାର ଦେଇଛି । ହଜାର ହଜାର ହ୍ରଦ ଓ ଭୁର୍ଜ ଗଛର ଦେଶ ଫିନଲାଣ୍ଡ କେବଳ ନିଜର
ପ୍ରାକୃତିକ ସୌନ୍ଦର୍ଯ୍ୟ ଯୋଗୁଁ ନୁହେଁ, ବରଂ ନିଜର ସୌମ୍ୟ, ଅଣ-ଉଗ୍ର ଜାତୀୟତା, ସୁନ୍ଦର ଶିକ୍ଷା ବ୍ୟବସ୍ଥା
ଓ ଗଣତାନ୍ତ୍ରିକ ସମାଜବ୍ୟବସ୍ଥା ଯୋଗୁଁ ଏକ ଆଦର୍ଶ ବନି ପାରିଛି । ଶ୍ରୀଯୁକ୍ତ ଦାସ ଏପରି ଏକ
କ୍ଷୁଦ୍ର ଅଥଚ ସରସ ଦେଶର ପରିଚୟ ଆମକୁ ଦେଇଥିବାରୁ ଆମର ଧନ୍ୟବାଦର ପାତ୍ର ।
ବହି ବିଷୟରେ ସୂଚନା: ଚିତ୍ତରଞ୍ଜନ ଦାସ । ୨୦୧୩ (ପ୍ରଥମ ପ୍ରକାଶ ତାରିଖ ଦିଆଯାଇନାହିଁ)। 'ସୁନ୍ଦର ଦେଶ ଫିନଲାଣ୍ଡ' । ଭୁବନେଶ୍ୱର : ପଥିକ ପ୍ରକାଶନୀ । ମୂଲ୍ୟ - ୨୫ ଟଙ୍କା ।
Excellent.
ReplyDeleteନମସ୍କାର ଭାଇ । ଲେଖାଟି ପଢ଼ିବା ପାଇଁ ଓ ମତାମତ ପାଇଁ ଧନ୍ୟବାଦ ।
DeleteIncredible.
ReplyDeleteଧନ୍ୟବାଦ ।
DeleteWell written .A brief and enjoyable account.Thanks for your nice effort.
ReplyDeleteସାର୍, ପ୍ରଣାମ । ଆପଣଙ୍କର ନିରନ୍ତର ଉତ୍ସାହପ୍ରଦାନ ପାଇଁ ଧନ୍ୟବାଦ ।
Deleteସୁନ୍ଦର ଉପସ୍ଥାପନା
ReplyDeleteଧନ୍ୟବାଦ ଭାଇ । ପ୍ରଣାମ ।
Delete