Sunday, December 11, 2022

କଲେଜିଏଟ ସ୍କୁଲର ଇତିବୃତ୍ତ

ଶୈଲେନ ରାଉତରାୟ


ଫତୁରାନନ୍ଦ (ରାମଟନ୍ଦ୍ର ମିଶ୍ର): ୧ ଜୁନ ୧୯୧୫ - ୬ ନଭେମ୍ବର ୧୯୯୫
Photo Credit: commons.wikimedia.org/Akiramuk 


ନାନା ଶାଠ ଶିଖି ଶିଖି ଶେଷକୁ ୧୯୨୬ ମସିହାରେ ରାମବାବୁ ମିଡିଲ ସ୍କୁଲରୁ ଉତ୍ତୀର୍ଣ୍ଣ ହେଲେ । ତାଙ୍କର ବାପା ଓ କକେଇ ମାନେ ପ୍ୟାରୀମୋହନ ଏକାଡ଼େମୀ (ଲୋକମୁଖରେ ପି.ଏମ୍. ଏକାଡ଼େମୀ ବୋଲି ଖ୍ୟାତ) ରେ ପାଠ ପଢ଼ି ଥିବାରୁ ପିଲାଏ ସେଠି ପଢ଼ିବା ପାଇଁ ସେମାନେ ଚାହୁଁ ଥିଲେ । 

ହେଲେ ରମାନ୍ନା ଆଉ କାହ୍ନୁ କକେଇ ସେଠି ଗାର୍ଜନ ଭୂମିକା ଉଚିତ ଭାବରେ ତୁଲାଇ ପାରିବେନି ବୋଲି ତାଙ୍କର ନାମ ରେଭେନ୍ସା କଲେଜିଏଟ ସ୍କୁଲରେ ଲେଖାଇ ଦିଆ ଗଲା । ତହିଁର ଅନେକ ଶିକ୍ଷକ ବି ରାମଙ୍କର ବୁଢ଼ାବାପାଙ୍କଠୁ ଓଷଦ ଖାଉଥିଲେ । ଏହି ପୁରୁଣା ସମ୍ପର୍କ ଥିଲା ଆହୁରି ଏକ ଆକର୍ଷଣ । କଲେଜିଏଟେରେ ଅବଶ୍ୟ ଦରମା ସେବେ ଟିକେ ବେଶି ଥାଏ, ମାସକୁ ଅଢ଼େଇ ଟଙ୍କା ବା ତାହାଠୁ ବି ବେଶି ।

କଲେଜିଏଟ ସ୍କୁଲ ସେତେବେଳେ ଗୋଟିଏ ଟ୍ରେନିଂ କଲେଜର ସଂଲଗ୍ନ ଥିଲା; ମହାବିଦ୍ୟାଳୟଟିର ଅଧ୍ୟକ୍ଷ ସେତେବେଳେ ଥିଲେ ହୁଇଟ୍‌ମୋର୍ ସାହାବ । ଟ୍ରେନିଂ କଲେଜର ଅଧ୍ୟାପକମାନେ ତାଙ୍କର ଛାତ୍ରମାନଙ୍କୁ ଶିଖାଇବା ପାଇଁ କଲେଜିଏଟେର ପିଲାଙ୍କୁ ପାଠ ପଢ଼ାନ୍ତି । ଯେଉଁ ଶ୍ରେଣୀରେ ରାମ ସେଇ ଇସ୍କୁଲୁରେ ପଶିଲେ, ତହିଁରେ ଦଶରୁ ଅଧିକ ମାଇନର ବୃତ୍ତିଧାରୀ ପିଲା ଥାଆନ୍ତି । 

ମାତୃଭାଷା ଶିକ୍ଷା ପାଇଁ ଓଡ଼ିଆ, ବଙ୍ଗଳା ଓ ଉର୍ଦ୍ଦୁ, ଏହି ପରି ତିନୋଟି ଭାଷାର ବ୍ୟବସ୍ଥା ଥାଏ, ଭୂଗୋଳ ପାଠ ପାଇଁ ଥାଏ ଅଲଗା ହଲଟିଏ । ସବୁ ଶ୍ରେଣୀଗୃହମାନଙ୍କରେ ଖରା ଦିନେ ହାତଟଣା ପଙ୍ଖାର ବ୍ୟବସ୍ଥା ଥାଏ ।

ସ୍କୁଲ ପାଖରେ ପାଣି ପିଇବା ଘରଟିଏ; ସେଥିର ଦାୟିତ୍ୱ ଥାଏ ବାଞ୍ଛା ଗୁଡ଼ିଆଙ୍କର । ପିଲାମାନେ ପାଣି ପିଇବା ପାଇଁ ପହଞ୍ଚିବା କ୍ଷଣି ସେ ଗିଲାସଟିଏ ଧୋଇ ଜଳ ଗିଲାସେ ବଢ଼ାଇ ଦିଅନ୍ତି । ପାଣି ଯୋଗାଇବା ସହ ଗୁଡ଼ିଆ ବ୍ୟବସାୟ ମଧ୍ୟ ଚାଲେ । ଅନ୍ୟାନ୍ୟ ଜିନିଷ ସହ ସେ ଯୋଗାଉଥିବା କଞ୍ଚା ଗୋଲା ଓ ପେଡ଼ାର ନାଁଡାକ ଥିଲା । ଗୋଲାଟିକର ଦାମ ଥିଲା ଗୋଟାକ ଦୁଇ ପଇସା । 

ସେତେବେଳେ ଅନେକ ରାଜ ପରିବାର ଓ ଜମିଦାର ଙ୍କର ଦାୟାଦ କଲେଜିଏଟେରେ ପଢ଼ୁ ଥିଲେ । ସେମାନେ ପାଣି ପିଇବାକୁ ଗଲେ ଦଳେ ସାଙ୍ଗସାଥି ଧରି ଯାଆନ୍ତି । ବାଞ୍ଛାଙ୍କର ସେବେ ଭାରି  ବଢ଼ିଆ ବେପାର ହୁଏ ।

ସେଇ କଲେଜିଏଟେରେ ପଢ଼ିଲା ବେଳେ ରାମ ପ୍ରଥମେ ସିନେମା ଦେଖିବା ଆରମ୍ଭ କରନ୍ତି । ଡଗଲାସ୍ ଫେଆରବ୍ୟାଙ୍କ୍ ଓ ମାଷ୍ଟର ଭିଟଲ ଙ୍କର ବହି ଦେଖିବା ତାଙ୍କର (ଓ ସେ ସମୟରେ ଅନେକଙ୍କର) ପ୍ରିୟ ଥିଲା । ପରେ ପରେ ଟକିଜ୍ ଆସିଲା । 

ଚଳଚିତ୍ର ଛଡ଼ା ମୋହଲ ଗୋସେଇଁଙ୍କର ରାସ ଦଳ, ବଳଙ୍ଗା ଆର୍ଟ ଥିଏଟର, ଯାତ୍ରାଦଳ ଓ ସର୍କସ ଆସି କଟକରେ ଲୋକଙ୍କର ମନୋରଞ୍ଜନ କରୁଥିଲେ । ସେହି ସମୟରେ ସେ ନିଜ ବିଲରେ ଗୋଟିଏ ଫୁଲ୍‌କା ତିଆରି ରୀତିମତ ବ୍ୟାୟାମ ମଧ୍ୟ ଆରମ୍ଭ କରନ୍ତି । ସ୍କୁଲ ମାଗାଜିନ ‘ଛାତ୍ରବନ୍ଧୁ’ରେ ମଧ୍ୟ ଲେଖାଲେଖିର ଶ୍ରୀଗଣେଶ ହୁଏ । 

ଏଇମିତି ସବୁ ଶାଠ ଭିତରେ ସ୍କୁଲ ପାଠ ମଧ୍ୟ ସରିଲା । ମେଟ୍ରିକ ପରୀକ୍ଷାରେ ସେତେ ଭଲ କରି ନ ଥାଆନ୍ତି ରାମ; ପରୀକ୍ଷା ସେତେବେଳେ ପାଟନା ବିଶ୍ୱବିଦ୍ୟାଳୟଙ୍କର କର୍ତ୍ତୃକରେ ହେଉ ଥାଏ । ଇତିହାସ, ଭୂଗୋଳ ଭଲ ହେଉ ନ ଥିବାରୁ ମନରେ ଦକା ମଧ୍ୟ ଥାଏ । 

ଶେଷକୁ ପରୀକ୍ଷା ଫଳ ‘ସର୍ଚ୍ଚ ଲାଇଟ’ କାଗଜରେ ବାହାରିଲା । ଦ୍ୱିତୀୟ ଶ୍ରେଣୀରେ ସେ ପାଶ କରି ଥାଆନ୍ତି । ଯଦିଓ ରେଭେନ୍ସା କଲେଜରେ ପାଠ ପଢ଼ିବାର ଇଚ୍ଛା ଥିଲା, ଘର ଲୋକେ ମତ ଦେଲେ ଡାକ୍ତରି ପଢ଼ିବା ପାଇଁ । ବଇଦ ଘର ପିଲା ତ !

ବି.ଦ୍ର.: ଏହି ଲେଖାଟିର ଉପାଦାନ ରାମଚନ୍ଦ୍ର ମିଶ୍ର (ଫତୁରାନନ୍ଦ) ଙ୍କର ଆତ୍ମଜୀବନୀ ‘ମୋ ଫୁଟା ଡଙ୍ଗାର କାହାଣୀ’ର ୨୦୦୮ ମସିହାରେ କଟକର ସୁଧାଂଶୁ ପ୍ରଧାନଙ୍କ ଦ୍ୱାରା ପ୍ରକାଶିତ ତୃତୀୟ ସଂସ୍କରଣରୁ ସଙ୍ଗୃହିତ । ବହିଟିର ପ୍ରଥମ ସଂସ୍କରଣ ‘ଇଷ୍ଟର୍ଣ୍ଣ ମିଡିଆ’ ପ୍ରକାଶନ ସଂସ୍ଥାଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା । 

No comments:

Post a Comment

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....