Thursday, April 20, 2023

ଜନପଥ 

ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ଓଡ଼ିଶା ସରକାର

ମୁଁ ବସିଚି ଛାତ ଉପରେ ପଡ଼ିଥିବା ଟେବୁଲର ବାଁ କଡ଼ରେ ରାସ୍ତାକୁ ଅନେଇ । ମୋ ଆଗରେ ଖାରବେଳ ନଗରର ଗଛମାଳ । ଷ୍ଟେସନ ପୂର୍ବର ରାସ୍ତାରେ ଗାଡ଼ିମଟରର ଆଲୁଅ ଦିଶୁଟି ଜୁଳ‌ୁଜୁଳିଆ ପୋକ ପରି । ଗୌତମ ମୋ ଡାହାଣ ପାଖରେ । ତୁମେ ସିଧା ମୋ ଆଗରେ ଟେବୁଲ ସେପଟେ । ସୋନିଆ ତୁମ ବାଁ ଆଡ଼କୁ, ମାନେ ଗୌତମ ଆଗରେ ।

“ଭାଉଜ, ଲେମ୍ବୁ ପାଣିକୁ ଏମିତି ଡରି ଡରି ପିଇଲେ ହବ?” ସୋନିଆ ରହସ୍ୟ କରି କହିଲା । 

“ଭୁବନେଶରିଆଙ୍କୁ ବିଶ୍ୱାସ ନାହିଁ ।”

“ହଉ ରାଜା ଭାଇଙ୍କୁ ବିଶ୍ୱାସ ନକର । ମୋତେ ତ କର । ତମେ ଟଏଲେଟ ଯାଇକି ଆସିବା ଭିତରେ ଏଥିରେ କିଛି ମିଶିନି । ମୁଁ ତ ଆଉ କୁଆଡ଼େ ଯାଇନି” ।

“ହଉ । ତୁମ ୱାଇନ୍ କେମିତି ଅଛି” ।

ସୋନିଆ କିଛି ନ କହି ତୁମ ଓଠ ପାଖକୁ ଗିଲାସଟି ନେଇଆସିଲା । 

ତୁମେ ଚାଖିଲ ଆଉ କହିଲ, “ଇସ୍! ଏତେ କସା, କେମିତି ପିଉଚ!” 

ମୁଁ ମୋ ଗରମ ଲେମ୍ବୁ ପାଣିରେ ମିଶା ଓଲ୍ଡ଼୍ ମଙ୍କ୍‌ ପେଗ୍‌ରୁ ଢୋକେ ପିଇ କହିଲି. “ତୁମେ ଖଟା ଲେମ୍ବୁ ପାଣି କେମିତି ପିଉଚ? ସେମିତି” ।

ତୁମ ଚୁଟି ପବନରେ ଆଲୁରୁ ମାଲୁରୁ ହେଇ ଉଡ଼ୁଥାଏ । ମୁଁ ତୁମ ପଛକୁ ଗଲି । ଗୌତମ ତା ଫୋନରେ କିଛି ଖୁଡ଼ଖାଡ଼ କରୁଚି । ତାର ହ୍ୱିସ୍କି ଗିଲାସ ସେମିତି ତା ଆଗରେ ଠିଆ ହୋଇଚି । ଟେରାସ୍‌ର ଟେବୁଲ ସବୁ ଭର୍ତ୍ତି ହୋଇଗଲାଣି । 

କୁବୁଲା ଭାଇ, ଦୁଇ ହାତରେ ଦୁଇ ପ୍ଲେଟ୍ ମାଛ ଭଜା ଧରି ଆସୁଚନ୍ତି ଆମ ଆଡ଼େ । 

ମୁଁ ଗୌତମକୁ କହିଲି, “ତୁମେ ଫୋନକୁ ଛାଡ଼ପତ୍ର ଦିଅ । ତୁମ ଚୁନା ମାଛ ଭଜା ଆଉ ପୋହଳା ଫ୍ରାଏ ଆସିଗଲା” । 

ମୋ ଚଉକିକୁ ଫେରିବା ଆଗରୁ ତୁମ ଚୁଟିରେ ଜୁଡ଼ାଟିଏ ପକେଇ ଦେଇ କହିଲି, “ଚୁଟି ଉଡ଼ିଲେ ଖତରନାକ ଦିଶୁଚ, ଶୀତ ଦିନ ଅଧାରାତିର ଜନପଥ ପରି ।“

ତମେ କହିଲ, “ଦୁଷ୍ଟ ।“

ଠିକ୍ ସେତିକି ବେଳେ ବାଦଲ ଫାଙ୍କରୁ ଜହ୍ନ ତୁମ ପରି ଦିଶିଲା । ଆଉ ମୋ ଡାହାଣ ପଟର ରାସ୍ତା ଦିଶିଗଲା ଆମ ସ୍ୱପ୍ନର ରାତି ପରି ।

4 comments:

  1. Replies
    1. ମିନିଗପଟି ଆପଣଙ୍କୁ ସୁନ୍ଦର ଲାଗିଲା ଜାଣି ଧନ୍ୟ ହେଲି ।

      Delete
  2. Ahha.. mini moments captured max.. super..

    ReplyDelete
    Replies
    1. Am so happy that you think so Bhai. I enjoyed working on the series.

      Delete

ବାଳ ବର୍ଗ ୧୧ ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ ଅନୁବାଦକ - ଶୈଲେନ ରାଉତରାୟ ବୋର୍ବୋଦୁରର ୯ମ ଶତାବ୍ଦୀର ବୌଦ୍ଧ ମନ୍ଦିରର ମଣ୍ଡଳ ଆକାରର ଭିତ୍ତିଚିତ୍ର ଫଟୋ...