Saturday, May 13, 2023

ଛକ

ଶୈଲେନ ରାଉତରାୟ


ଲିଙ୍ଗରାଜ ମନ୍ଦିର ପାଖ ଏଗ ଗଳିର ଦୃଶ୍ୟ (୨୦୦୭ ମସିହାର ଆଲୋକଚିତ୍ର)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ଜି. ୟୁ. ଟୋଲକିଏନ୍

ମୁଁ ପୁରୁଣା ବସଷ୍ଟାଣ୍ଡରୁ ଫେରୁଥାଏ, ମୋ ଲୁନାରେ । ସ୍ପିଡ଼୍ ପଚିଶ ଖଣ୍ଡେ ଥିବ କି ନାହିଁ । ପି.ଏମ୍.ଜି. ଛକ ପଟୁ ଆସି ରବୀନ୍ଦ୍ର ମଣ୍ଡପ କଡ଼ରେ ବାଁ ମୋଡ଼ି ସାରି ମଣ୍ଡପର କଡ଼ ଗେଟ୍ ଡେଗିଚି କି ନାଇଁ, ତା’କୁ ଟପିଲି । ସେ ଥିଲା ଗୋଟେ ହର୍କ୍ୟୁଲେସ ସାଇକେଲରେ । 

ମୋ ଲୁନା ଧିମେଇ ଗଲା । ତା’ର ସାଇକେଲ ବି । ସେ ବୁଲିକି ଚାହିଁଲା । ମୁଁ ବି । ପତଳା, ଗୋରା, ନହକା ଦେହ । ଠାକରା ମୁହଁ । ଇଂରାଜୀରେ ‘ହାଏ ଚିକ୍ ବୋନ୍ସ୍’ ବୋଲି କହିଥା’ନ୍ତେ । ମଝିଆଳିଆ ଲମ୍ବା ଚୁଟି, କାନ୍ଧ ପର୍ଯ୍ୟନ୍ତ । ମୋ ଭଳିଆ କୁଞ୍ଚୁକୁଞ୍ଚିଆ ନୁହଁ, କି ସିଧା ବି ନୁହଁ । ଢେଉଢେଉକା । ତା’ ମୁହଁ ସୁନ୍ଦର ବୋଲି କହି ହେବନି ବୋଧହୁଏ, ହେଲେ ହାତଠାରି ଡାକୁଥିଲା, ‘ମୋତେ ଦେଖ’ । ମୁଁ ଦେଖିଲି । ହେଲେ ପୁଣି ମୁହଁ ବୁଲାଇ ଚାଲିଗଲି ।

କିଛି ସେକେଣ୍ଡ ପରେ ସରକାରୀ ଗେଷ୍ଟହାଉସ ପାର ହୋଇଥିବି କି ନାହିଁ, ଫେରି ଆସିଲି । ସେ ବି ଅଟିକିଥାଏ, ଛକର ଠିକ ଆଗରୁ । ପାଖରେ ପହଞ୍ଚି ଗାଡ଼ି ଅଟକାଇଲାଠୁ ସେ ମୁରୁକିହସା ଦେଲା । ମୁଁ ଲାଜ ଛାଡ଼ି ପଚାରିଲି, ‘କୁଆଡ଼େ ଯାଉଚ ?’ ସେ କହିଲା, ‘ମାଆଙ୍କ ସେଣ୍ଟର । ଆସିବ ?’ ମୁଁ କହିଲି, ‘ଚାଲ’ ।

ସେ ଜୋରରେ ସାଇକେଲ ଚଲାଇଲା, ମୋ ଆଗେ ଆଗେ । ମୁଁ ଲୁନା, ଧିରେ । ଆଗ ପଛ ହୋଇ କେଶରୀ ପୂର୍ବରୁ ଡାହାଣକୁ ମୋଡ଼ି ଅଳ୍ପ ବାଟ ପରେ ଯାଇ ପହଞ୍ଚିଲୁ ସେଣ୍ଟରରେ । ମୋତେ ବହୁତ ଭଲ ଲାଗିଲା । ସଫା, ୠଚିପୂର୍ଣ୍ଣ ଭ‌ାବରେ ସଜା, ଚୁପଚାପ୍ । ଚାରିଆଡ଼ୁ ଧୂପର ସୁନ୍ଦର ବାସେନା । 

ସେ ଧ୍ୟାନ ପାଇଁ ଉଦ୍ଦିଷ୍ଟ ବଖରାରେ କିଛି ସମୟ ବସି ପ୍ରାର୍ଥନା କଲା । ମୁଁ ତା’ ପାଖରେ ଆଖି ବନ୍ଦ କରି ବସିଲି । ମୋତେ କିନ୍ତୁ ବନ୍ଦ ଆଖିରେ ନା ଶ୍ରୀମା କି ଅରବିନ୍ଦ, କେହି ଦିଶୁ ନଥାଆନ୍ତି । ଦେଖାଯାଉଥାଏ ତା’ର ଠାକରା ମୁହଁ ।

କିଛି ସମୟ ପରେ ବାହାରି ଆସିଲୁ । ଗେଟ୍ ପାଖରେ ଠିଆ ହୋଇ ସେ ସାଇକେଲ ତାଲା ଖୋଲୁ ଖୋଲୁ କହିଲା, ‘ମୋ ନାଁ ସନ୍ଦୀପ’ । 

‘ମୁଁ ରାଜା,’ ମୁଁ କହିଲି । 

‘କଅଣ କରୁଚ?’ 

‘ଗତ ବର୍ଷ +୨ ଡ୍ରପ୍ କରି, ଏ ବର୍ଷ ପ୍ରସ୍ତୁତ ହେଉଚି ପରୀକ୍ଷା ପାଇଁ ଆଉଥରେ,’ ବୋଲି ମୁଁ କହିଲି । ଯଦିଓ ସେଯାକେଁ ମୋର ପ୍ରସ୍ତୁତି ଆରମ୍ଭ ହେବାର ନାଁଗନ୍ଧ ନଥାଏ ।

ସେ କହିଲା, ‘ଆମର ମାଟ୍ରିକ ଗୋଟେ ବ୍ୟାଚ୍ ତା’ହେଲେ । ମୁଁ କେଉଁଠି ଆଡ଼ମିଶନ ନନେଇ ଇଞ୍ଜିନିଅରିଂ ପରୀକ୍ଷା ପାଇଁ ରେଡ଼ି ହେଉଚି । ଗତ ଥର ସରକାରୀ କଲେଜ ପାଇଁ ରାଙ୍କ୍ ହେଲାନି’ । 

ମୁଁ କହିଲି, ‘ହଉ’ ।

‘ଆଉ କେବେ ଭେଟ ହେବା?’

‘ତୁମେ କଅଣ ଏଠିକି ନିୟମିତ ଆସ?’

‘ହଁ । ଆସନ୍ତା ରବିବାର ଏଇ ସମୟରେ ତା’ହେଲେ?’

ମୁଁ ତା’ ପରେ ତା’କୁ ଚାରିଥର ଭେଟିଥିବି । ଦ୍ୱିତୀୟ ଥର ସେଇ ଖାରବେଳ ନଗରର କେନ୍ଦ୍ରରେ । ହେଲେ ସେ ସବୁ ଗପ, ଏ ଗପ ନୁହେଁ ।

3 comments:

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....