Friday, March 22, 2024

ଚାହା ଦୋକାନ

ଶୈଲେନ ରାଉତରାୟ


ସଚିବାଳୟ ମାର୍ଗ, ଭୁବନେଶ୍ୱର (୨୦୧୯ ମସିହା)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ଆଇଏମ୍୩୮୪୭


କେଶରୀ ପାଖ ଚାହା ଦୋକାନ । ଓଡ଼ିଆ ମାଲିକର ନୁହେଁ । ତେଲୁଗୁ ଷ୍ଟଲଟା । ବୈଶାଖ ମାସ । ମୁଣ୍ଡଫଟା ଖରା । 

ମୋର ଚାହା ଦରକାର ନଥିଲା । ଡେରିରେ ଲଞ୍ଚ୍ କରି ବାହାରିଚି ଘରୁ । ଖାଇଲି, ଉଠିଲି । 

ତରବରରେ ଘରେ ପିନ୍ଧିଥିବା ଇଟା ରଙ୍ଗର ହାରେମ୍ ପ୍ୟାଣ୍ଟ୍‌ଟା ପିନ୍ଧି ଆସିଚି । ଉପରେ ପୁରା ହାତବାଲା ହେନ୍ଲି ଟିସାର୍ଟ୍ ଗୋଟେ, ଶିଉଳି ରଙ୍ଗର । ଯୋଉଟା ସଞ୍ଜନାକୁ ଭଲ ଲାଗେନା । 

ତା’କୁ ଏଇଟା ଲାଗେ ମଳିଛିଆ । ହେଲେ ମୋ’ର ଏଇ ରଙ୍ଗଟା ବହୁତ ପ୍ରିୟ । ତମକୁ କାହିଁକି ମଳିଛିଆ ଶାଗୁଆ ରଙ୍ଗ ଭଲ ଲାଗେନା ସଞ୍ଜନା?

ମୁଁ କାହିଁକି ବୋଲି ଭାବିଲା ବେଳକୁ ଦେଖ‌ୁଚି ଯେ ପାପୁନ, ଚାହା ଦୋକାନର ପିଲାଟା ମୋତେ “ଆଜ୍ଞା କଅଣ ଦେବି” ବୋଲି ପଚାରୁଚି । ତା’ ମୁହଁରୁ ସ୍ପଷ୍ଟ ଯେ, ସେ ମୋତେ ଅତି କମ୍‌ରେ ଥରେ ଏୟା ପଚାରି ସାରିଚି ।

“ନାଲି ଗୋଟେ ଦିଅ । ମହୁ ସହ । ଲେମ୍ବୁ ବେଶି । ଆଉ ତୁମ ମସଲା ଉପରୁ ଛିଞ୍ଚିବନି ମୋଟେ ।” ସେ ମୁରୁକୁହସା ଦେଇ କହୁଚି, “ଜାଣିଚି।”

ମୁଁ ଚାହା ନେଇ କେଶରୀ ପାର୍କିଂର ମୁହାଣିଟାକୁ ଛାଡ଼ି ସେପଟକୁ ଯାଇ ଗଛ ଛାଇରେ ଠିଆ ହେଉଚି । ସେଲୁନ ଆଗରେ । ସେଲୁନ ବନ୍ଦ । ଅନ୍ୟ ସବୁ ଦୋକାନ ବନ୍ଦ । ଝାଞ୍ଜି ନାଇଁ । କାଉ କୋଇଲି କେହି କେଉଁଠି ନାଇଁ । 

ଚାହା ସବୁ ଦିନ ପରି ଠିକ୍ ଅଛି । ରଙ୍ଗ, ତାତି, ମିଠା, ଖଟା, ବାସ୍ନା, ସବୁ ଠ‌ିକ୍ । ଦୁଇ ସୁଡ଼ୁକାଏ ନେଲା ପରେ ମୋତେ ହଠାତ୍ ସିଗାରେଟେ ଟାଣିବାକୁ ଇଚ୍ଛା ହେଉଚି । 

“ନେଭିକଟ୍ ଅଛି?”
“ନା ।” 
“ଗୋଲ୍ଡ଼୍ ଫ୍ଲେକ୍?”
“ଛୋଟ ନା ବଡ଼?”
“ଛୋଟ?”

ନିଆଁ ଲଗାଇବା ପାଇଁ ଦିଆସିଲି ଉଠାଇଲା ବେଳକୁ କଇଁଛ ଛାପ । ବହୁତ ଦିନ ହେଲାଣି ଦେଖିନି ଆଉ । ମୁଁ ଗୋଟେ ଦିଆସିଲି ପ୍ୟାକେଟ୍ ବି ଧରୁଚି । ଗୋଟେ କଇଁଛ । ମାତ୍ର ଟଙ୍କାଟିଏ ।

ସିଗାରେଟ ଲଗେଇ ଚାହା ଗିଲାସ ଉଠେଇଲା ବେଳକୁ କ୍ୟାବିନର କଳା ଧାର ଉପରେ ମାଟିଆ ରଙ୍ଗର ଗୋଲଗୋଲ ଦାଗ । ଚାହା ଗିଲାସ ପଛର । ଦିଶୁଚି ଶାଢ଼ିର ଧଡ଼ି ପରି । ଶାଢ଼ିଟା କେଉଁ ରଙ୍ଗର ? ଆଉ କାନି ?

ମୁଁ ଆସି ଗଛ ତଳେ ଠିଆ ହେଲା ବେଳକୁ କୋଉଠି ଗୋଟେ କୁମ୍ଭାଟୁଆ ଗମ୍ଭୀର କଣ୍ଠରେ ହୁଁ ହୁଁ ବୋବଉଚି ପାଖରେ । ମୁଁ ଉପରକୁ ଚାହିଁଲା ବେଳକୁ କେହି କୁଆଡ଼େ ନାହିଁ । 

କଦମ୍ବ ଗଛର ମୂଳ ଗଣ୍ଡିଟା ନାଇଁ । ଯେଉଁଠି ଭାଙ୍ଗିଚି, ତା’ର ଠିକ୍ ତଳ ଆଡ଼ୁ କଡ଼ରୁ ଦୁଇଟା କେନା ବାହାରିଚି । ସିଧା କେନାଟା ମୋଟା ହେଲେ ବି ବେଶି ଲମ୍ବ ନୁହଁ । ଚେତେରେଇନି । 

ଅନ୍ୟ କେନାଟି, ଯେଉଁଟା ରାସ୍ତା ଆଡ଼କୁ ମାଡ଼ିଚି, ସେଇଟା ଲମ୍ବା । ସେଠୁ ଅନେକ ଶାଖା, ପ୍ରଶାଖା ବାହାରିଚି । ସେଇ କେନାଟା ଯୋଗୁଁ ହିଁ ଛାଇ । ହେଲେ କୁମ୍ଭାଟୁଆର ନାଁଗନ୍ଧ ନାହିଁ ।

ମୁଁ ଉପରୁ ମୁଣ୍ଡ ତଳକୁ କଲା ବେଳକୁ ଗୋଟେ ନୂଆ ମଡେଲ ଭେସ୍ପା ଆସି ଠିଆ ହେଉଚି ରାସ୍ତା ସେପଟେ । ସ୍କୁଟରରୁ ଓହ୍ଲଉଥିବା ପିଲାଟା ପିନ୍ଧିଚି ନୀଳ ରଙ୍ଗର ଜିନ୍ସ୍ ପ୍ୟାଣ୍ଟ୍ ଆଉ କଳା ରଙ୍ଗର ପୋଲୋ ଟିସାର୍ଟ୍ । କଳା ! ଏଇ ବଇଶାଖରେ ? ଲମ୍ବା ଚୁଟି । ଅଣ୍ଟା ଯାଏଁ ପଡ଼ିଚି ।

ସେ ଚାଲିଚାଲି ରାସ୍ତାର ଏ ପାଖକୁ ଆସିଲା ବେଳକୁ ତା’ ମୁହଁରେ ଦିଶୁଚି ଗୋଟେ ଲମ୍ବା ସ୍ମିତହାସ ।

“ସୁସ୍ମିତ୍! ତୁମକୁ ଚିହ୍ନି ପାରିଲିନି ।” 
ସେ ମୋତେ ଭୃଲତା ନଚେଇ ପଚାରୁଚି, “କାହିଁକି?”
“ତମେ ତ ପୁରା ଲଣ୍ଡା ରହୁଥିଲ ।”
“ଏଡ଼ିନବରା ମୁଁ ଚୁଟି ବଢ଼େଇବା ପାଇଁ ଯାଉଚି, ସେ କଥା ଆପଣଙ୍କୁ କେବେ କହି ନଥ‌ିଲି?”
“ହଉ । କିନ୍ତୁ ତା’ ସହ ଏମ୍‌ଫିଲ୍ ଥିସିସ୍ ସବ୍‌ମିଟ୍ କଲ ନା ନାହିଁ?”
“ଆଜ୍ଞା । ଭାଇବା ବି ଶେଷ” ।

ମୋତେ ନ ଜଣେଇ ଆସିଚି । ହେଲେ ମୁଁ ପଚାରୁନି । ଭୁବନେଶ୍ୱର ତ ଆଉ ମୋ’ର ନୁହେଁ । ସୁସ୍ମିତ ମୋ’ର ନୁହେଁ । ମୁଁ ନିଜେ ବି ମୋ’ର ନୁହେଁ । ଏଥର ଆଉ କଅଣ ଯୋଜନା, ସେକଥା ବି ମୁଁ ପଚାରୁନି ।

ସେ ତା’ ଆଡ଼ୁ ପଚାରୁଚି, “ଆଉ ଆପଣଙ୍କ ଖବର କଅଣ?”
“ଚାଲିଚି ଯେମିତି ଯାହା ଖ‌ୁଚୁରା କାମ, ଚିରାଚରିତ ।”

ସେ ମୋତେ କାଣି ଆଙ୍ଗୁଠି ଦେଖେଇ ଆର୍‌ବିଆଇ କାନ୍ଥ ଆଡ଼କୁ ଯାଉଚି । ମୁଁ ଓମ୍‌ଫେଡ଼୍‌କୁ ଯାଇ କପ୍ ଥୋଇ, ଟଙ୍କା ଦେଇ, ବ୍ୟାଙ୍କ୍ ଆଗରେ ଠିଆ ହୋଇ ଗ୍ରାଇଣ୍ଡର ଖୋଲୁଚି । ମୋର ସବୁଠୁ ପାଖ ପ୍ରୋଫାଇଲ ହେଲା ‘ବ୍ଲାକ୍,’ ଶହେ ମିଟର ଭିତରେ । ବାୟୋଲାଇନ୍ ହେଲା, ‘ହେଲୋ ! ଡୁ ୟୁ ୱାଣ୍ଟ୍ ଟୁ ଗୋ ଫ୍ରମ୍ ବ୍ଲାକ୍ ଟୁ ଲାଟେ ? ୱିଲ୍ ଇଟ୍ ବି ୱିଥ୍ କ୍ରିମ୍ ? ଅର୍ ଜଷ୍ଟ୍ ବ୍ଲାକ୍ ବଟ୍ ଏକ୍ସ୍ଟ୍ରା ଷ୍ଟ୍ରଙ୍ଗ୍?’ 

ପ୍ରୋଫାଇଲ ଫଟୋଟା ପଛର ଭିୟୁ । ବିନା ଲୁଗାରେ । ଚୁଟି ଲମ୍ବିଚି ଅଣ୍ଟା ଯାଏଁ । ମୁଁ ଧଡ଼୍ କିନା ମୋ’ ପ୍ରୋଫାଇଲ୍ ଡିସ୍‌ଏବଲ୍ କରି ଫୋନ୍ ବନ୍ଦ କରୁଚି ।

ସୁସ୍ମିତ ଯାଉଚି ଚାହା ଦୋକାନ ଆଡ଼େ । 

ହାରାମି କୁମ୍ଭାଟୁଆଟା ପୁଣି ଡାକ ଛାଡ଼ୁଚି । ହୁଁ । ହୁଁ । ହୁଁ ।

No comments:

Post a Comment

What I want to talk about Sailen Routray Detail of the Church of the Assumption of Mary in Lychivka, Khmelnytskyi Raion, Khmelnytskyi Oblast...