Monday, June 22, 2026

ସ୍ୱାଧୀନତା ପୂର୍ବର କେନ୍ଦୁଝରଗଡ଼ରେ ହାଇସ୍କୁଲ ଶିକ୍ଷା

ଶୈଲେନ ରାଉତରାୟ 


କେନ୍ଦୁଝରଗଡ଼ ରାଜବାଟି
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ଜଗନ୍ନାଥ ମହାପ୍ରଭୁ ୨୦୦୬


ଓଡ଼ିଆ ଭାଷା ସାହିତ୍ୟର ଅଧ୍ୟାପକ ଗଙ୍ଗାଧର ବଳଙ୍କର ହାଇସ୍କୁଲ ପାଠ ପଢ଼ା ଆରମ୍ଭ ହୁଏ କେନ୍ଦୁଝରର ଗିବ୍‌ସନ୍ ହାଇସ୍କୁଲରେ, ୧୯୪୨ ମସିହାର ଜାନୁଆରୀ ମାସରେ । ଏବେ ଅବଶ୍ୟ ଏହି ଉଚ୍ଚ ବିଦ୍ୟାଳୟଟି ଗଡ଼ର ଭୁତପୂର୍ବ ରାଜା ଧନୁର୍ଜୟ ନାରାୟଣ ଭଞ୍ଜଙ୍କ ନାମାନୁସାରେ ନାମିତ । 

ହାଇସ୍କୁଲଟି ସାନ୍ତରାପୁର ଶାସନର ଦକ୍ଷିଣକୁ ବଡ଼ଦାଣ୍ଡ ସହ ଯୋଡ଼ୁଥିବା ମୂଖ୍ୟ ରାସ୍ତାର ପାଖରେ । ସ୍କୁଲର ପଶ୍ଚିମ ଦିଗରେ ଗଡ଼ର ଡାକ୍ତରଖାନା ଓ ତହିଁର ଚିକିତ୍ସକମାନଙ୍କର ଆବାସଗୁଡ଼ିକ । ଇସ୍କୁଲୁଟି ଗୋଟିଏ ବଡ଼ ଖୋଲାମେଲା ଜେଗାରେ ତିଆରି ହୋଇଥିଲା । ସ୍କୁଲ ପରିସର ଭିତରେ ଥିଲା ଗୋଟିଏ ସୁନ୍ଦର ଫୁଲ ବଗିଚା । ଉଦ୍ୟାମ ମଧ୍ୟରେ ଭ୍ରମଣ କରିବା ପାଇଁ ସିମେଣ୍ଟର ରାସ୍ତାଟିଏ ବି ନିର୍ମିତ ଥିଲା । 

ସ୍କୁଲ ପରିସରକୁ ପରିଷ୍କାର ପରିଚ୍ଛନ ରଖିବା ପାଇଁ ବିଶେଷ ଧ୍ୟାନ ଦିଆଯାଉଥିଲା । ବିଦ୍ୟାଳୟଟିରେ ଦୁଇଟି ଛାତ୍ରାବାସ ଥିଲା, ଯାହା ସେବେ ‘ନ୍ୟୁ ହଷ୍ଟେଲ’ ଓ ‘ଓଲ୍‌ଡ଼୍ ହଷ୍ଟେଲ୍ ଭାବରେ’ ପରିଚିତ ଥିଲେ । ଗଙ୍ଗାଧର ଆସି ନ୍ୟୁ ହଷ୍ଟେଲରେ ରହିଲେ । 

ସେତେବେଳେ ସମୁଦାୟ କେନ୍ଦୁଝର ଗଡ଼ରେ ଗୋଟିଏ ବୋଲି ହାଇସ୍କୁଲ ଭାବରେ ବିଦ୍ୟାଳୟଟିର ନାଁଡାକ ଥାଏ ।  ଆନନ୍ଦପୁରରେ ଥାଏ ଗୋଟିଏ ମଧ୍ୟ-ଇଂରାଜୀ ବିଦ୍ୟାଳୟ । ତାହା ସହ ଦେଓଗାଁ ଓ ଚମ୍ପୁଆଠାରେ ଥାଏ ଦୋ'ଟି ମଧ୍ୟ-ଭର୍ଣ୍ଣାକୁଲାର ଇସ୍କୁଲ । ଏହା ଛଡ଼ା କେନ୍ଦୁଝର ରାଜ୍ୟ ସାରା ସେବେ ଥାଏ ହାତଗଣତି କେତୋଟି ନିମ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲଟିମାନ ।  

ଯେଉଁ ଛାତ୍ରମାନେ ମଧ୍ୟ-ଭର୍ଣ୍ଣକୁଲାର ସ୍କୁଲରୁ ସପ୍ତମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ଆସୁଥିଲେ, ସେମାନେ ସିଧାସଳଖ ଅଷ୍ଟମ ଶ୍ରେଣୀରେ ଯୋଗ ଦେଇପାରୁ ନଥିଲେ । ସେମାନଙ୍କୁ ଆବଶ୍ୟକୀୟ ଇଂରାଜୀ ଶିଖିବା ପାଇଁ ଆଉ ଥରେ ସପ୍ତମ ଶ୍ରେଣୀରେ ବରଷେ କଟାଇବାକୁ ପଡ଼ୁଥିଲା । ଇଂରାଜୀରେ ଦକ୍ଷତା ଦେଖାଇଲେ ଯାଇ ସେମାନେ ଅଷ୍ଟମ ଶ୍ରେଣୀକୁ ଉଠୁଥିଲେ । 

କାରଣ ସେବେ ହାଇସ୍କୁଲରେ କେବଳ ସଂସ୍କୃତ ଭଳି ଭାଷାକୁ ଛାଡ଼ି ଦେଲେ ଗଣିତ, ଇତିହାସ ଆଦି ବାକି ସବୁ ବିଷୟ ଇଂରାଜୀରେ ପଢ଼ା ହେଉଥିଲା । ଅଷ୍ଟମ ଓ ନବମ ଶ୍ରେଣୀରେ ସଂସ୍କୃତ ପଢ଼ା ହେଉଥିଲା । ପ୍ରାୟ ପ୍ରତି ବର୍ଷ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହେଉଥିଲା । 

ବିଦ୍ୟାଳୟରେ ନାମ ଲେଖାଇବାର କିଛି ସପ୍ତାହ ଭିତରେ ତ୍ରୈମାସିକ ପରୀକ୍ଷାରେ ପ୍ରଥମ ହେବାରୁ ସ୍କୁଲ କର୍ତ୍ତୃପକ୍ଷ ତାଙ୍କର ଦରମା ଛାଡ଼ କରିଦେଲେ । ମାସିକିଆ ତିନି ଟଙ୍କାର ବୃତ୍ତିର ବ୍ୟବସ୍ଥା ମଧ୍ୟ ତାଙ୍କ ପାଇଁ ହେଲା । ଗଙ୍ଗାଧର ନିଜ ଶ୍ରେଣୀରେ ପ୍ରଥମ ହେଉଥିବାରୁ ଓ ଜଣେ ଶୃଙ୍ଖଳିତ ଚାଟ ଭାବରେ ନାଁ କରିଥିବାରୁ ସ୍କୁଲର ବାର୍ଷିକ ପୁରସ୍କାର ବିତରଣୀ ସଭାଗୁଡ଼ିକରେ ନାନା ପୁରସ୍କାର ଲାଭ କରୁଥିଲେ । ତାଙ୍କୁ ଏଥି ପାଇଁ ଭଲଭଲ ବହିସବୁ ପୁରସ୍କାର ଆକାରରେ ମିଳୁଥିଲା । ଦଶମ ଶ୍ରେଣୀରେ ପଢ଼ୁଥିବା ସମୟରେ ଚନ୍ଦ୍ରଶେଖର ମହାପାତ୍ରଙ୍କର ‘ସାମନ୍ତ ଚନ୍ଦ୍ରଶେଖର’ ଓ ‘ଛାତ୍ର ସହଚର’ ବହି ଦିଓଟି ଗଙ୍ଗାଧରଙ୍କ ଉପରେ ବହୁତ ଭଲ ପ୍ରଭାବ ପକାଇଲା ବୋଲି ସେ ନିଜ ଆତ୍ମଜୀବନୀରେ କୁହନ୍ତି ।

ଜଣେ ଭଲ ଛାତ୍ର ଭାବରେ ତାଙ୍କୁ ଦଶମ ପରଠାରୁ ନିଜ ତଳ ଶ୍ରେଣୀର ଛାତ୍ରମାନଙ୍କୁ ପଢ଼ାଇବାର ସୁଯୋଗ ମିଳିଲା । ସେବେ ଟିଉସନର ପ୍ରଚଳନ ସେତେ ବେଶି ନ ଥିଲା । ବିଦ୍ୟାଳୟର ଶିକ୍ଷକମାନେ ଗୃହଶିକ୍ଷକ ଭାବରେ କାମ କରିବାକୁ ଅସମ୍ମାନଜନକ ବୋଲି ମଣୁଥିଲେ । ପିଲାମାନେ ପାଠପଢ଼ାରେ କିଛି ଅସୁବିଧା ନେଇ ଶିକ୍ଷକମାନଙ୍କ ପାଖରେ ପହଞ୍ଚିଲେ ସେମାନେ ସ୍ନେହଭରେ ସେସବୁ ଦିଗରେ ସାହାଯ୍ୟ କରୁଥିଲେ । ସେଥି ପାଇଁ କିଛି ପାଉଣା ଦେବାକୁ ହେଉ ନଥିଲା । କେହି କେହି ଗରିବ ପିଲା କଦବା କ୍ୱଚିତ ଚିଉସନ କରୁଥିଲେ । 

ଏକାଦଶ ଶ୍ରେଣୀରେ ପଢ଼ିଲା ବେଳେ ଗଙ୍ଗାଧରଙ୍କର ଅଜା ଚାଲିଗଲେ । ତାହାର କିଛି ବର୍ଷ ପୂର୍ବରୁ ଆଈ ମଧ୍ୟ ଆରପାରିକୁ ଚାଲିଯାଇଥିଲେ । ମାମୁଁ ଘରେ ରହି ପାଠପଢ଼ୁଥିବା ମାତୃହୀନ ଗଙ୍ଗାଧରଙ୍କର ପାଇଁ ଅଜାଙ୍କର ବିୟୋଗ ଥିଲା ଏକ ବଡ଼ ଧକ୍କା । ହେଲେ ଆଗକୁ ପଢ଼ିବାକୁ ହେଲେ ମେଟ୍ରିକ୍ ପରୀକ୍ଷାର ଘାଟି ଯେ ଟପିବାକୁ ପଡ଼ିବ, ସେ କଥା ଭାବି ସେ ନିଜ ଛାତିକୁ ପଥର କରି କଠିନ ପରିଶ୍ରମ କରିବାକୁ ଲାଗିଲେ ।ସେତେବେଳକୁ ଉତ୍କଳ ବିଶ୍ୱବିଦ୍ୟାଳୟ ଆରମ୍ଭ ହୋଇ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ହାଇସ୍କୁଲମାନ ତାହା ସହିତ ଅନୁବନ୍ଧିତ ହୋଇସାରି ଥାଆନ୍ତି । 

ଯଦିଓ ଓଡ଼ିଆ ମାଧ୍ୟମରେ ପରୀକ୍ଷା ଦେବାକୁ ଥିଲା, ଗଙ୍ଗାଧର କିନ୍ତୁ  ଇଂରାଜୀ ଭାଷାରେ ଲିଖିତ ହଲ୍ ଆଣ୍ଡ୍ ନାଇଟ୍‌ସ୍, କେ.ପି ବସୁ ଓ ଜେ.ସି. ଚକ୍ରବର୍ତ୍ତୀ ଆଦିଙ୍କର ଗଣିତ ବହି ତଥା ଡଡ୍‌ଲି ଷ୍ଟାମ୍ପ୍‌ଙ୍କର ଭୂଗୋଳ ବହି ଆଦି ପଢ଼ି ମେଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଲେ । ୧୯୪୫ ସାଲର ମାର୍ଚ୍ଚ ମାସରେ ପରୀକ୍ଷା ହେଲା । କଟକ ଟ୍ରେନିଂ ମହାବିଦ୍ୟାଳୟର ମହେଶଚନ୍ଦ୍ର ପ୍ରଧାନ ପରୀକ୍ଷା କେନ୍ଦ୍ରର ତତ୍ତ୍ୱାବଧାରକ ହୋଇ ଆସିଥିଲେ ସେହି ବରଷ । କିଛି ମାସ ପରେ ସମାଜ ଖବରକାଗଜର ପୃଷ୍ଠାରେ ଫଳ ବାହାରିଲା । ଗଙ୍ଗାଧର ହୋଇଥିଲେ କେନ୍ଦୁଝର ରାଜ୍ୟରେ ପ୍ରଥମ ଶ୍ରେଣୀରେ ପ୍ରଥମ ।  

ବି.ଦ୍ର.: ଏହି ଲେଖାଟି ପାଇଁ ଆବଶ୍ୟକୀୟ ଉପାଦାନ ଗଙ୍ଗାଧର ବଳଙ୍କ ଆତ୍ମଜୀବନୀ ‘ଶିକ୍ଷାବିତ୍‌ର ଆତ୍ମଲିପି’ରୁ ସଙ୍ଗୃହିତ । ବହିଟିର ପ୍ରଥମ  ସଂସ୍କରଣ ୨୦୧୦ ମସିହାର ଫେବୃଆରୀ ମାସରେ କଟକସ୍ଥ ପ୍ରକାଶକ ବିଜୟିନୀ ପବ୍ଲିକେଶନ ଛାପିଥିଲେ । ଏହି ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଥିଲା ।

No comments:

Post a Comment

The Declaration of Emergency Manmohan Choudhury Translated by Sailen Routray Jayaprakash Narayan (1902-1979) Narayan was a key figure in the...