ପାଣିରେ ପାଣିରେ ପାଣିରେ ପାଣି
ଶୈଲେନ ରାଉତରାୟ
![]() |
| ରେମୁଣାର କ୍ଷୀରଚୋରା ଗୋପିନାଥ ମନ୍ଦିରର ଭିତରର ଦୃଶ୍ୟ ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ଅପୂର୍ବ୦୧୩ |
ଓଡ଼ିଶାରେ ଗାନ୍ଧିଜୀଙ୍କର ମୌଳିକ ଶିକ୍ଷା ଦର୍ଶନରେ ପ୍ରୟୋଗ କ୍ଷେତ୍ରରେ ଶ୍ରୀ ଶରତଚନ୍ଦ୍ର ମହାରଣାଙ୍କର ନାମ ସୁପରିଚିତ । ସେ ଗାନ୍ଧୀବାଦୀ ସାମାଜିକ କର୍ମୀ ଅନ୍ନପୂର୍ଣ୍ଣା ମହାରଣାଙ୍କର ସ୍ୱାମୀ, ଶିକ୍ଷାବିତ ଚନ୍ଦ୍ରମୋହନ ମହାରଣାଙ୍କର ପୁତ୍ର ତଥା ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀଙ୍କର ଜାମାତା । ମାତାଙ୍କର ନାମ ରାସମଣି ଦେବୀ ।
ଶରତ ବାବୁଙ୍କର ଜନ୍ମ ୧୯୦୯ ମସିହାରେ । ତାଙ୍କର
ପୈତୃକ ଗ୍ରାମ ହେଲା ବାଲେଶ୍ୱରର ରେମୁଣା ଥାନାର ଚୌଧୁରୀବାଗ୍ । ସେତେବେଳେ ବାଲେଶ୍ୱରରୁ ଗାଁକୁ
ଯିବା ପାଇଁ ସଡ଼କ ନଥିଲା । ଶାଳବଣି ଗାଁର ଦକ୍ଷିଣ ଦିଗରେ ବିଲଗହିର ଦେଇ ଚଲାବାଟ ଥିଲା । ସେଇ
ଶାଳବଣିରେ ତାଙ୍କ ଗୋସେଇଁ ବାପାଙ୍କ ବାପ ଗୁରୁପ୍ରସାଦ ମହାରଣାଏ ଗୋରାପୋଖରି ବୋଲି ଗୋଟିଏ
ତଡ଼ାଗ ଧର୍ମ ଉଦ୍ଦେଶ୍ୟରେ ଖୋଳାଇଥିଲେ ।
ନିର୍ଘାତ ଗ୍ରୀଷ୍ମରେ ମଧ୍ୟ ସେଥିରେ ପାଣି ରହୁଥିଲା । ହେଲେ ଜଳ ଦାନ ଉଦ୍ଦେଶ୍ୟରେ ପୋଖରିଟି
ଖୋଳାଯାଇଥିବାରୁ, ମହାରଣା ପରିବାରର
କେହି ଗୋରାପୋଖରିର ପାଣି ବ୍ୟବହାର କରୁନଥିଲେ ।
ସେତେବେଳେ ଚୌଧୁରୀବାଗ୍ ପରି ରେମୁଣା ଆଖପାଖର ଗାଁମାନଙ୍କରେ ପକ୍କା କୂପ ବା ନଳକୂପ ପ୍ରାୟତଃ ଦେଖିବାକୁ ମିଳୁନଥିଲା । ସେତେବେଳେ ବଙ୍ଗାଳୀ ସାହିରେ ଗୋଟିଏ, ରେମୁଣା ବଜାରର ଚାଉଳ ଖଳାରେ ଗୋଟିଏ, କ୍ଷୀରଚୋରା ମନ୍ଦିରର ରୋଷେଇ ପାଇଁ ଉଦ୍ଦିଷ୍ଟ କୂଅ ଗୋଟିଏ ଓ ପୁରୀ ଗୋସେଇଁ ମଠ ଭିତରେ ଏକ ଛୋଟ କୂପ ଥିଲା । ଏହା ଛଡ଼ା ସେହି ଅଞ୍ଚଳରେ କୂପର ଦେଖାଦର୍ଶନ ନଥିଲା । କାରଣ, ସେ ଅଞ୍ଚଳର କୁମ୍ଭାରମାନେ ମାଟି ନନ୍ଦ ନିର୍ମାଣର ପ୍ରକ୍ରିୟା ସହିତ ପରିଚିତ ନଥିଲେ । ପୋଖରି ଇତ୍ୟାଦି ହିଁ ଜଳର ଆବଶ୍ୟକତା ମେଣ୍ଟାଉଥିଲେ ।
ବଡ଼ ପୋଖରି ଭିତରେ ଥିଲା ବ୍ରଜ ପୋଖରି, ଚହଟା ପୋଖରି ଓ କୂଟ ପୋଖରି । ଏହା ଛଡ଼ା ନାନାଦି କୁନି କୁନି ପୋଖରି ଓ ଗଡ଼ିଆ ଇତ୍ୟାଦି ମଧ୍ୟ ଥିଲା । ଲୋକେ ପାନୀୟ ଜଳ ଉଦ୍ଦେଶ୍ୟରେ ଏହି ସବୁ ପୋଖରି ଓ ଗଡ଼ିଆ ଇତ୍ୟାଦିର ଜଳ ବ୍ୟବହାର କରୁଥିଲେ । ଏହା ଛଡ଼ା ଏହି ପୋଖରିଗୁଡ଼ିକର ଜଳ ଶୌଚ ଉଦ୍ଦେଶ୍ୟରେ ମଧ୍ୟ ବ୍ୟବହାର ହେଉଥିଲା । ଏଥିରୁ ସେହି ସମୟର ସ୍ୱାସ୍ଥ୍ୟ ସଚେତନତା ଅନୁମେୟ ।
ଗୋଟିଏ ସମ୍ଭ୍ରାନ୍ତ ଓ ଶିକ୍ଷିତ ପରିବାର ହୋଇଥିଲେ ମଧ୍ୟ ଶରତ ବାବୁଙ୍କ ଘରେ ମଧ୍ୟ ଏପରି ଚଳଣି ଥିଲା । ତାଙ୍କ ଗୃହର ନୈରୁତ କୋଣରେ ଅଭି ନାମକ ଏକ କ୍ଷୁଦ୍ର ଗଡ଼ିଆ ଥିଲା । ସେହି ଗଡ଼ିଆର ପାଣି ତାଙ୍କ ଘରେ ବ୍ୟବହାର କରାଯାଉଥିଲା । ଗଡ଼ିଆଟିର ପାଣି ଅବଶ୍ୟ ଦେଖିବାକୁ ସ୍ୱଚ୍ଛ ଥିଲା । ଏହି ଗଡ଼ିଆଟି ନିକଟର ଅନେକ ପଡ଼ାଙ୍କର ଜଳକଷ୍ଟ ଦୂର କରୁଥିଲା ।
ଶରତ ବାବୁଙ୍କର ପିତା ୧୯୨୯ ସାଲରେ ମୃତ୍ୟୁବରଣ କରିବା ପର୍ଯ୍ୟନ୍ତ, ସଙ୍ଗତିସମ୍ପନ୍ନ ଶିକ୍ଷା ବିଭାଗର କର୍ମଚାରୀଟିଏ ହୋଇ ମଧ୍ୟ, ନିଜ ଘରବାଡ଼ିରେ ବା ଗ୍ରାମରେ କୂପଟିଏ ଖୋଳାଇ ନଥିଲେ । ଅସନା ପାଣି ପିଇ ହଇଜା ଯୋଗୁଁ ଶରତ ବାବୁଙ୍କର ମାତୃବିୟୋଗ ହୋଇଥିଲା । ଏହା ଛଡ଼ା ତାଙ୍କର ବଡ଼ ଭାଇଙ୍କର ଗୋଟିଏ ଦୁଇ ବର୍ଷର ଶିଶୁ କନ୍ୟା ମଧ୍ୟ ମୃତ୍ୟୁବରଣ କରିଥିଲା । ଅବଶ୍ୟ ଛୁଟି ଦିନମାନଙ୍କରେ ଗ୍ରାମରେ ବସବାସ କରୁଥିବା ସମୟରେ ତାଙ୍କର ପିତା ଚନ୍ଦ୍ରମୋହନବାବୁ ପୁରୀ ଗୋସେଇଁ ମଠରୁ ଓ ରେମୁଣାର ଡାକ୍ତରଖାନାର କୂଅରୁ ପାଣି ଅଣାଉଥିଲେ । କେବଳ ଏହି ଛୁଟି ଦିନମାନଙ୍କରେ ହିଁ ସଫା କୂଅ ପାଣି ପରିବାରରେ ବ୍ୟବହାର ହେଉଥିଲା ।
ଏହାର ବହୁ ପରେ ଶରତବାବୁଙ୍କର ଭାଇ ଲୋକନାଥ ମହାରଣା ୧୯୫୨-୫୨ ମସିହାରେ ଗୋଟିଏ ସିମେଣ୍ଟର ରିଙ୍ଗ୍ୱେଲ୍ ନିର୍ମାଣ କରିବାର ସଙ୍କଳ୍ପ କଲେ । ଏଥି ପାଇଁ ସେ ଗାଆଁର ଲୋକମାନଙ୍କଠାରୁ ଘର ପିଛା ପାଞ୍ଚ ଛଅ ଟଙ୍କା ଲେଖାଏଁ ଆଦାୟ କଲେ । ଏଥିରେ ନିଜର ହଜାରେ ବାରଶହ ଟଙ୍କା ଯୋଡ଼ିଲେ । ହେଲେ ଗାଁର ସବୁ ଲୋକ ଚାନ୍ଦା ଦେଲେ ନାହିଁ । ଏଥିକୁ ଲୋକନାଥ ବାବୁ ଗୁମାନ କରି କୂଅ କରାଇ ଦେଲେ ନାହିଁ ।
ଶେଷକୁ ଶରତ ବାବୁ ନିଜର ଭଗ୍ନୀ ଟୁନିଙ୍କୁ ନିଜର ଗହଣା ବିକ୍ରୟ କରି କୂପଟିଏ ଖୋଳିବା ପାଇଁ ପ୍ରବର୍ତ୍ତାଇବାକୁ ଲାଗିଲେ । ଏଥିରେ ଲୋକନାଥ ବାବୁଙ୍କର ମତ ପରିବର୍ତ୍ତନ ହେଲା । ସେ ନିଜ ହାତରୁ ପନ୍ଦରଶହ ଟଙ୍କା ଖର୍ଚ୍ଚ କଲେ । ତାଙ୍କର ନିଜ ପୈତୃକ ଘରଠାରୁ ଅଧ କିଲୋମିଟର ବାଟରେ ଗୋଟିଏ ସର୍ବ ସାଧାରଣ ଜାଗାରେ କୂପଟିଏ ଖୋଳାଇଦେଲେ । ସେ ଅଞ୍ଚଳର ସଫା ପାଣି ପାଇଁ ତିରୋଟ ସାମାନ୍ୟ ଭାବରେ ଦୂର ହେଲା ।
ଟୀକା: ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରଥମ ଛପିଥିବା ଏହି ଲେଖାଟିର ଉପାଦାନ ଶ୍ରୀ ଶରତଚନ୍ଦ୍ର ମହାରଣାଙ୍କର ଆତ୍ମଜୀବନୀ 'ଅନୁଭବମାଳା'ର ପ୍ରଥମ ଭାଗରୁ ସଙ୍ଗୃହିତ । ବହିଟିର ପ୍ରଥମ ସଂସ୍କରଣ ଭୁବନେଶ୍ୱରସ୍ଥ ସଂସ୍ଥା ଶିକ୍ଷାସନ୍ଧାନ ୨୦୦୫ ମସିହାରେ ପ୍ରକାଶିତ କରିଥିଲେ ।

No comments:
Post a Comment