ବାସ୍ତୁଆର ରାଜା: ସ୍ୱାଧୀନତାର ସୀମା
ଶୈଲେନ ରାଉତରାୟ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
ନର୍ୱେଜୀୟ ଭାଷାର ଫିଲ୍ମ 'କିଙ୍ଗ୍ ଅଫ୍ ଡେଭିଲ୍ସ୍ ଆଇଲାଣ୍ଡ୍' ର ଗୋଟିଏ ଗୁରୁତ୍ତ୍ୱପୂର୍ଣ ଦୃଶ୍ୟରେ ଓଲାଭ୍ ବୋଲି ଜଣେ 'ବାଳ ଅପରାଧୀ' ବାସ୍ତୁଆ ଦ୍ୱୀପରେ ଅବସ୍ଥିତ ବାଳକମାନଙ୍କ ପାଇଁ ଉଦ୍ଦିଷ୍ଟ ମୁକ୍ତାକାଶ ଡିଟେନସନ୍ କେନ୍ଦ୍ରରେ ଛଅ ବର୍ଷ କାଳ କାଟି ସାରିଲା ପରେ ମୁକ୍ତ ହେବାକୁ ଯାଉଥାଏ । ଦ୍ୱୀପ ଛାଡ଼ି ଯିବାର କେଇ ମୂହୁର୍ତ୍ତ ପୂର୍ବରୁ ହିଁ ସେ ନିଜର ଜଣେ ହାଉସ୍ ମାଷ୍ଟର୍ ବ୍ରାଥେନ୍ ଙ୍କୁ ଆକ୍ରମଣ କରେ ଓ ନିଜର ଆଗତ ସ୍ୱାଧୀନତାର ଅକାଳ ହତ୍ୟା କରେ । ଆଉ କିଛି ଦିନ ପୂର୍ବରୁ ହିଁ ସେହି ଦ୍ୱୀପରେ ଇଭାର୍ ବୋଲି ଗୋଟିଏ ପିଲାର ମୃତ୍ୟୁ ଘଟିଥାଏ ।
ହତ୍ୟା ନୁହେଁ । ଆତ୍ମହତ୍ୟା । ବ୍ରାଥେନ୍ ର ଯୌନ ଶୋଷଣରେ ଅତିଷ୍ଠ ହୋଇ, ପିଲାଟି ନିଜେ ନିଜକୁ ପଥରରେ ଲଦି, ସମୁଦ୍ରରେ ପଶି ଜୀବନ ହରାଏ । ଏହା ପୂର୍ବରୁ ଓଲାଭ୍ ବ୍ରାଥେନ୍ ଦ୍ୱାରା ଲୁଗାଧୁଆ ଘରେ ଇଭାର୍ କୁ ଧର୍ଷିତ ହେବାର ଦେଖିଥାଏ । ଦେଖି ସାରି ସେ ବାସ୍ତୁଆର ଗଭର୍ନର୍ ବେସ୍ତିରେରେନ୍ ଙ୍କୁ ଏ ବିଷୟରେ ଅବଗତ କରାଏ । ଏହି ଘଟଣାର କିଛି ଦିନ ପରେ ବ୍ରାଥେନ୍ ବାସ୍ତୁଆ ଛାଡି ଚାଲିଯିବାର ଦେଖାଯାଏ । ଏହା ଦ୍ୱୀପରେ ଅନ୍ତେବାସୀ ସମସ୍ତ ପିଲାଙ୍କ ପାଇଁ ଆନନ୍ଦ ଓ ଉତ୍ସବର ବିଷୟ ବନେ ।
ଚଳଚିତ୍ରଟିର ଦର୍ଶକ ଭାବରେ ଆମେ ଜାଣୁଁ ଯେ, ଦୁର୍ନୀତିଗ୍ରସ୍ତ ଗଭର୍ନର୍ ଓ ଅତ୍ୟାଚାରୀ ବ୍ରାଥେନ୍ ର ସଲାସୁତୁରା ହୋଇଛି । ଯେହେତୁ ଗୋଟିଏ ପରିଦର୍ଶକ କମିଟି ଆସିବାର ଥାଏ ଓ ଓଲାଭ୍ ର (ଯେ କି ଇଭାର୍ ର ଧର୍ଷଣର ଏକ ମାତ୍ର ସାକ୍ଷୀ) ମୁକ୍ତିର ଦିନ ପାଖେଇ ଆସୁଥାଏ, ସମସ୍ତଙ୍କୁ କେବଳ ଭଣ୍ଡାଇବା ପାଇଁ ଓ ପରିଦର୍ଶକ କମିଟିର ଗସ୍ତ ସୁରୁଖୁରୁରେ କଟିଯିବା ନିମନ୍ତେ, ବ୍ରାଥେନ୍ ଅଳ୍ପ କାଳ ପାଇଁ ଦ୍ୱୀପ ଛାଡ଼ି ଚାଲି ଯାଇଥାଏ । ମୁକ୍ତ ହୋଇ ଦ୍ୱୀପ ଛାଡ଼ିଗଲା ବେଳକୁ ଓଲାଭ୍ ଦେଖେ ଯେ ବ୍ରାଥେନ୍ ଲେଉଟି ଆସିଛି । ଏହା ତାହାକୁ ଉତ୍ୟକ୍ତ କରେ ତଥା ସେ ବ୍ରାଥେନ୍ କୁ ଆକ୍ରମଣ କରେ । ଏହି ଆକ୍ରମଣର ଫଳ ସ୍ୱରୂପ ଦ୍ୱୀପଟିରେ ବିପ୍ଳବର ସୂତ୍ରପାତ ହୁଏ ।
ବିପ୍ଳବରେ ଏକ ବଡ଼ ଭୂମିକା ତୁଲାଏ ଏର୍ଲିଙ୍ଗ୍ ବୋଲି ଗୋଟିଏ ସତର ବର୍ଷ ବୟସର ପିଲା । ଗୁଜବ ଅନୁସାରେ ମଣିଷ ମାରିଥିବା ପାଇଁ ତାକୁ ବାସ୍ତୁଆକୁ ପଠା ହୋଇଥାଏ । ଦ୍ୱୀପକୁ ଆସିଲା ପରେ, ଏର୍ଲିଙ୍ଗ୍ ଡିଟେନସନ୍ କେନ୍ଦ୍ରର ନିୟମାବଳୀ ସହିତ ସଙ୍ଘାତରେ ଆସେ । ସେ ବାସ୍ତୁଆରୁ ଖସି ପଳାଇଯିବା ପାଇଁ ଚେଷ୍ଚା କରେ ଓ ବିଫଳ ହୁଏ । ମାତ୍ର ଏ ବିଫଳତା ହିଁ ଓଲାଭ୍ ମନରେ ଭାବାନ୍ତର ସୃଷ୍ଟି କରେ ।
ସ୍ୱାଧୀନତା କଣ ? ବନ୍ଧନରୁ ମୁକ୍ତି କେବଳ ? ନା, ସତ୍ୟ ପଥରେ ବ୍ରତି ହେବା ପାଇଁ ଏକ ଶୃଙ୍ଖଳା ? ସିନେମାଟିକୁ ଆମେ ଏହି ପ୍ରଶ୍ନର ଉତ୍ତର ଦର୍ଶାଉଥିବା ଏକ ସମ୍ଭାବ୍ୟ ଦିଗବାରେଣୀ ଭାବରେ ନେଇ ପାରିବା । ଓଲାଭ୍ ଦ୍ୱୀପ ଛାଡି ଚାଲିଯାଇ ଏକ 'ମୁକ୍ତ' ଜୀବନ ବଞ୍ଚି ପାରିଥାଆନ୍ତା । ହେଲେ ସେ ତାହା କଲା ନାହିଁ । ଏର୍ଲିଙ୍ଗ୍ କିଛି ଦିନର ସ୍ୱପ୍ରଶିକ୍ଷଣ ପରେ ଗଭର୍ନର୍ ଙ୍କର ସୁନା ପୁଅ ବନି ବାକି ପିଲାଙ୍କ ଉପରେ ରାଜୁତି କରି ପାରିଥାଅନ୍ତା । ହେଲେ ସେ ବିପ୍ଳବ କରି ଶେଷକୁ ମୃତ୍ୟୁବରଣ କଲା ।
ଆମେ ବର୍ତ୍ତମାନ ଏପରି ଏକ ଦେଶରେ ଜୀବନଯାପନ କରୁଛେଁ, ଯେଉଁଥିରେ ନିର୍ଦୋଷ ସାଧାରଣ ନାଗରିକମାନଙ୍କୁ ପୋଲିସ୍ ମାରି ଦେଇ ବେଫିକର୍ ପୋତି ଦେଇପାରେ ; ଯେଉଁଠି ପ୍ରଶାସନ ଗଣଆନ୍ଦୋଳନକୁ ଅବଦମିତ କରିବାପାଇଁ ଆନ୍ଦୋଳନର ନେତ୍ରୀମାନଙ୍କୁ ଧର୍ଷିତ କରାଇପାରେ; ଓ ସେହି ଧର୍ଷଣର ତଥ୍ୟସନ୍ଧାନୀ ଦଳର ସଦସ୍ୟଙ୍କ ନାଁରେ ନାରୀ ନିର୍ଯ୍ୟାତନାର ମିଥ୍ୟା କେଶ୍ ଲଗେଇପାରେ । ସମଗ୍ର ଭାରତବର୍ଷ ବର୍ତ୍ତମାନ ଏକ ବାସ୍ତୁଆ । ବିପ୍ଳବ ଘଟୁ ନାହିଁ, ତାହା ନୁହେଁ । ହେଲେ ଉଭୟ ସାମାଜିକ ଓ ଭୌଗଳିକ ପରିପ୍ରେକ୍ଷୀରୁ ତାହା ସୀମିତ ।
ମାତ୍ର 'କିଙ୍ଗ୍ ଅଫ୍ ଡେଭିଲ୍ସ୍ ଆଇଲାଣ୍ଡ୍' ଚଳଚିତ୍ରଟିକୁ କେବଳ ଏକ ସର୍ବକାଳୀନ ରାଜନୈତିକ ଆଲେଗରି ଭାବରେ ନେଲେ ଆମେ ସିନେମାଟି ପ୍ରତି ଅନ୍ୟାୟ କରିବା । ଫିଲିମ୍ ଟିରେ ପ୍ରଦର୍ଶିତ ଦ୍ୱୀପର ଓ ଦ୍ୱୀପ ଚାରିପଟର ସୁନ୍ଦର ପ୍ରାକୃତିକ ପରିବେଶରେ ଘଟୁଥିବା ଜଘନ୍ୟ ଘଟଣାବଳୀ, ବାହ୍ୟ ପରିବେଶ ଦ୍ୱାରା ଲଦା ଯାଇଥିବା ଶୃଙ୍ଖଳାର ଦୁଃଖଦ ପରିଣାମ, ଓ କାମନା ଓ କ୍ଷମତାର ବିବାହରୁ ଜାତ ଭୟାବହ ହିଂସା ଓ ଦୁଃଖ, ଆମକୁ ମାନବ ଜୀବନର ଏକ ଆଧ୍ୟାତ୍ମିକ ପରିପ୍ରେକ୍ଷୀର ଆବଶ୍ୟକତା ବିଷୟରେ ସଚେତନ କରନ୍ତି ।
ନର୍ୱେରେ ନାନା ପୁରସ୍କାରରେ ସମ୍ବର୍ଦ୍ଧିତ ନିର୍ଦେଶକ ମାରିଅସ୍ ହୋଲସ୍ତଙ୍କର ଏହି ଅଷ୍ଟମ ସିନେମାଟି ୧୯୧୫ ମସିହାର ଏକ ସତ୍ୟ ଘଟଣାବଳୀ ଉପରେ ଆଧାରିତ ହୋଇଥିଲେ ବି, କାହାଣୀଟି ସବୁ ଯୁଗର, ସବୁ ସମୟର ।
ବହୁତ ସୁନ୍ଦର ଲେଖା, ଭଗବାନ ଆଶୀର୍ବାଦ କରନ୍ତୁ ଆଗକୁ ଯିବା ପାଇଁ।
ReplyDeleteନମସ୍କାର । ପଢ଼ିବା ପାଇଁ ଓ ଶୁଭେଚ୍ଛା ନିମନ୍ତେ ଧନ୍ୟବାଦ । ଆଗକୁ ମଧ୍ୟ ଆପଣଙ୍କର ପାଠକୀୟ ମତାମତ ଅପେକ୍ଷାରେ ରହିଲି ।
DeleteToo good a review, Sailen.. Kudos brother..
ReplyDeleteପ୍ରଣାମ । ଆପଣଙ୍କୁ ସମୀକ୍ଷାଟି ଭଲ ଲାଗିଲା ଜାଣି ଖୁିସି ହେଲି । ଆପଣଙ୍କର ନିରନ୍ତର ପାଠକୀୟ ପ୍ରତିକ୍ରିୟା ଅପେକ୍ଷାରେ ରହିଲି ।
Delete