Thursday, May 19, 2022

ହଜିବାକୁ ଜାଗା ନାହିଁ

ଶୈଲେନ ରାଉତରାୟ


ନିଅଜିଲାଣ୍ଡର ଲିଟେଲ୍‌ଟନ୍‌ ପୋତାଶ୍ରୟ 
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ମାଇକେଲ୍ କ୍ଲାଜବାନ୍


ତୁମ ସ୍ମୃତିର ପତଳା ବର୍ଷାରେ ଗାଧୋଇ ସାରିଲା ପରେ 
ଆଉ ହଜିବାକୁ ଜାଗା ନାହିଁ ।
ସବୁ ବଖରାରେ ତୋଟାମାନଙ୍କର ପ୍ରେତଙ୍କର ହଇଚଇ ।
ରାସ୍ତା ଉପରେ ନବଜାତ କାମନାମାନଙ୍କର କୋଳାହଳ ।
ଛାତ ଉପରେ ତାରାମାନଙ୍କର ଶବର ଗହଳି ।
ତେଣୁ ଆଉ ହଜିବାକୁ ଜାଗା ନାହିଁ । 
 
କଅଣ କରିବି ?
ଆଜି ହଜିବାକୁ ବହୁତ ଇଚ୍ଛା ।
ନ ହଜିଲେ ଲାଗୁଛି କି କୁଆଖାଇ ଉଜାଣି ବହିବ ।
ଭୁବନେଶ୍ୱର ରାସ୍ତାରେ ରଙ୍ଗ୍-ସାଇଡ଼୍ ଗାଡ଼ି ଯିବା ବନ୍ଦ ହୋଇଯିବ ।
ତୋ'ର ମୋ' କଥା ମନେ ପଡ଼ିଯିବ ।
ଏଣୁକରି ଆଜି ହଜିବାକୁ ହିଁ ପଡ଼ିବ ।
ହେଲେ ଆଉ ହଜିବାକୁ ଯାଗା ନାହିଁ ।
 
ତୁ ହଜିଗଲା ପରେ ମୁଁ ବି ହଜିବାକୁ ବହୁତ ଚେଷ୍ଟା କରିଛି ।
ସ୍ମୃତି ସବୁକୁ ଘୋରିଛି ସନ୍ଧ୍ୟାର ଦାଢ଼ୁଆ ଧାରରେ ।
ନିଜକୁ ଢାଳିଛି ରାତିର ସରୁଆ କଣାରେ ।
ସଜେଇ ହୋଇଛି 
ସହରମାନଙ୍କର ସ୍ୱପ୍ନର ଆକାଶରୁ ଚିପୁଡ଼ିଥିବା ରଙ୍ଗରେ ।
ହେଲେ ଲାଭ କିଛି ବି ହୋଇନି ।

ହଜିବା ପାଇଁ ଇଚ୍ଛା ଅଛି, 
ସମୟ ଅଛି, 
ଚେଷ୍ଟା ମଧ୍ୟ ଅଛି । 
ହେଲେ ତୁ ହଜିଗଲା ପରେ, 
ଆଉ ହଜିବାକୁ ଯାଗା ନାହିଁ ।

No comments:

Post a Comment

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....