Thursday, June 22, 2023

ଅପ୍ରମାଦ ବର୍ଗ ୧୧-୧୨

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଅନୁବାଦକ - ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଓଡ଼ିଆ ପଦ୍ୟାନୁବାଦ

ଯେଉଁ ଭିକ୍ଷୁ ଅପ୍ରମାଦେ ହୋଇଛନ୍ତି ବ୍ରତୀ ।
ପରମାଦରେ ଅଟନ୍ତି ଯିଏ ଭୟଦର୍ଶୀ ।। 
ଛୋଟ ବଡ଼ ବନ୍ଧନଙ୍କୁ ଛିନ୍ନ ସିଏ କରି
ଆଗକୁ ଆଗ ନିଶ୍ଚିତ ଗତି ଯେ ତାଙ୍କରି ।୧୧।

ଯେଉଁ ଭିକ୍ଷୁ ଅପ୍ରମାଦେ ହୋଇଛନ୍ତି ବ୍ରତୀ ।
ପରମାଦରେ ଅଟନ୍ତି ଯିଏ ଭୟଦର୍ଶୀ ।। 
ଘଟିବାର କେବେନାହିଁ ତାଙ୍କର ବିଚ୍ୟୁତି 
ନିର୍ବାଣର ଅନ୍ତିକରେ ନିଶ୍ଚେ ତାଙ୍କ ସ୍ଥିତି ।୧୨।

ମୂଳ ପାଲି ପଦ

ଅପ୍ପମାଦରତୋ ଭିକ୍ଖୁ ପମାଦେ ଭୟଦସ୍ୱିବା ।
ସଞ୍ଯୋଜନଂ ଅଣୁଂ ଥୂଳଂ ଦହଂ ଅଗ୍ଗୀ ବ ଗଚ୍ଛତି ।୧୧।

ଅପ୍ପମାଦରତୋ ଭିକ୍ଖୁୁ ପମାଦେ ଭୟଦସ୍ସିବା ।
ଅଭବ୍ବୋ ପରିହାନାୟ ନିବ୍ବାନସ୍ସେ'ବ ସନ୍ତିକେ ।୧୨।

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି । 

No comments:

Post a Comment

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....