Friday, September 8, 2023

ଶିଖରଚଣ୍ଡୀ

ଶୈଲେନ ରାଉତରାୟ

ଶମିବୃକ୍ଷ ପାହାଡ଼, କପ୍ତିପଦା, ମୟୁରଭଞ୍ଜ
ଫଟୋ କ୍ରେଡ଼ିଟ୍: ୱିକିମିଡିଆ କମନ୍ସ୍/ ମାକ୍ସ୍‌ଏମାଟ୍ରିକ୍ସ୍

ସନ୍ଧ୍ୟା ହେଇନି ଏ ଯାଏଁ । ହବ କିଛି ସମୟରେ । ଝଅଟି ନୁହଁ । ମୁଁ ବସିଚି ଶିଖରଚଣ୍ଡିର ଦୁଇଟି ମୁଣ୍ଡିଆ ମଝିରେ ଥିବା ପଥର ମେଞ୍ଜା ଭିତରୁ ସବୁଠୁ ବଡ଼ ଢିମାଟା ଉପରେ । ପିନ୍ଧିଚି ପାକିଟିବାଲା ଧଳା ପାଇଜାମା ଆଉ ଗାଢ଼ ନୀଳ ରଙ୍ଗର ଗୋଲ ବେକବାଲା ଟି-ସାର୍ଟ । ସଞ୍ଜିତ ବସିଚି ମୋର ବାଆଁକୁ । ସେ ଗୋଟେ ନୀଳରଙ୍ଗର ଜୀନ୍ସ ପ୍ୟାଣ୍ଟ ଆଉ ଧଳା ରଙ୍ଗର ପୋଲୋ ଟି-ସାର୍ଟ୍‌ଟେ ପିନ୍ଧିଚି ।

ମୁଁ ତାକୁ କହୁଚି, ମାମୁଁ ଆସିଲେ ତୋତେ ଧରିବ ।

କାହିଁକି ?

ତୁ ଯାହା ପିନ୍ଧିଚୁ, ତାହା ହେଲା ଗ୍ଲୋବାଲ ହୋମୋ ୟୁନିଫର୍ମ୍ ।

ବ୍ଲୁ ଜିନ୍ସ୍ ଆଉ ଧଳା ଟିସାର୍ଟ୍ ପିନ୍ଧିବା ଅପରାଧ କେବେଠୁ ହେଲାଣି ?

ମାଇକିନା ଲୋକ କଲେଜରେ ହିଜାବ ପିନ୍ଧିବା ଯେବେଠୁ ଗର୍ହିତ ହେଲାଣି, ସେବେଠୁ ।

ହଉ । ରାଜା ଭାଇ, ତମକୁ କିଏ ବା ଆଉ ଉତ୍ତର ଫେରେଇବ । ତୁମେ ତ ଲାଜୱାବ୍ ।

ସେ ଏତିକି କହିସାରିଲା ବେଳକୁ ମୁଁ ତା ଆଡ଼କୁ ବୁଲି ପଡ଼ୁଚି । ସୂର୍ଯ୍ୟ ସେ ଚନ୍ଦକା ଜଙ୍ଗଲ ଭିତରର ଯେଉଁ ପାହାଡ଼ର ସହ ଲୁଚକାଳି ଖେଳ‌ିଆସୁଥିଲା ତାହାର ତୀଖରୁ ଠିକ୍ ଚାରି ଆଙ୍ଗୁଳି ଉପରେ ଅଛି । ଆମ କଡ଼ ପଥରରେ ବସି ସିଗାରେଟ୍ ଆଦାନପ୍ରଦାନ ଦେଇ ପ୍ରେମ କରୁଥିବା ବଙ୍ଗାଳୀ ଯୋଡ଼ି ଜାଗା ଛାଡ଼ି ଚାଲି ଗଲେଣି ।

ମୁଁ ତାର ଲମ୍ବା ଚୁଟିକୁ ଟିକେ ପଛକୁ ଟାଣି ଦେଇ ପୁରା ମିନିଟିଏ ପର୍ଯ୍ୟନ୍ତ ତାକୁ ଓଠରେ ଗେଲ କରୁଚି । ସେ ସହଯୋଗ କରୁନି, କି ଅସହଯୋଗ ବି ନୁହେଁ । ମୁଁ ସୂର୍ଯ୍ୟ ଆଡ଼କୁ ବୁଲି ପଡ଼ିଲା ବେଳକୁ ସେ କହୁଚି, ମାମୁଁ ଆସିଲେ ତମକୁ ଧରିବ । ମୁଁ ପଚାରୁଚି, କାହିଁକି? ସେ କହୁଚି, ଯାହା କଲ ସେଥି ପାଇଁ । ମୁଁ ଲେଉଟଉଚି, ପ୍ରମାଣ କଅଣ ?

ସେ ଫିକ୍ କିନା ହସିଦେଇ କହୁଚି, ତମେ ସତରେ ଲାଜୱାବ୍ ।

ମୁଁ ଦେଖ‌ୁଚି, ସୁର୍ଯ୍ୟର ଯେଉଁ ଧାର ମୁଣ୍ଡିଆ ଉପରେ ଦିଶୁଥିଲା, ତା ଆଉ ନାହିଁ ।    

1 comment:

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....